ପାରସ୍ୟରେ ଜଣେ ରତ୍ନ ବ୍ୟବସାୟୀ ଥିଲେ। ତାଙ୍କ ଆଖିରେ ସର୍ବାଧିକ ମୂଲ୍ୟବାନ ଦ୍ରବ୍ୟ ବୋଇଲେ ଥିଲା ଦୁର୍ମୂଲ୍ୟ ରତ୍ନ ପଥର। ସେ ଭାବୁଥିଲେ ତାହା ହିଁ ଏକମାତ୍ର ସଂପଦ।
ଥରେ ଆରବର ରାଜା କିଛି ବିରଳ ରତ୍ନ ଖର୍ଦ୍ଦି କରିବା ଲାଗି ତାଙ୍କୁ ନିମନ୍ତ୍ରଣ କଲେ। ବଣିକ ଜଣକ କିଛି ପରିଚାରକଙ୍କ ସହିତ ମରୁଭୂମିରେ ଯାତ୍ରା ଆରମ୍ଭ କଲେ। କିନ୍ତୁ, ଦୁର୍ଭାଗ୍ୟକୁ ସେମାନେ ବାଟ ଭୁଲିଗଲେ। ଅନ୍ତହୀନ ବିଶାଳ ମରୁଭୂମିରେ ସେମାନେ ହଜିଗଲେ। ସେମାନଙ୍କ ଠାରେ ଥିବା ପାଣି ବି ସରିଗଲା। ସେମାନଙ୍କୁ ଲାଗିଲା ଶୋଷରେ ସେମାନେ ସମସ୍ତେ ମରିଯିବେ।
ଏଇ ସମୟରେ ସେଠି ପହଞ୍ଚିଲେ କିଛି ବେଦୁଇନ୍। ସେମାନେ ମରୁଭୂମିରେ ପଟୁ। ସେମାନଙ୍କ ପାଖରେ ପାଣି ଥିଲା। କିନ୍ତୁ ମରୁଭୂମିରେ କିଏ କାହାକୁ ପାଣି ଦିଅନ୍ତା ବା କାହିଁକି? ପାଣି ମୁନ୍ଦାଏ ପାଇବା ଲାଗି ବଣିକ ଜଣକ ସେମାନଙ୍କୁ କାକୁତିମିନତି ହେଲେ। ଶେଷରେ ଆରବ ରାଜାଙ୍କ ଲାଗି ନେଇ ଯାଉଥିବା ବିରଳ ରତ୍ନ ପଥର ଯାଚିଲେ। କିନ୍ତୁ ବେଦୁଇନମାନେ ତାହାକୁ କର୍ଣ୍ଣପାତ କଲେ ନାହିଁ।
ତେବେ ଜଣେ ବୃଦ୍ଧ ବେଦୁଇନର ଦୟା ହେଲା। ସେ ନିଜ ଦଳର ସଦସ୍ୟଙ୍କୁ ଖୋସାମତ କରି କିଛି ପାଣିର ବ୍ୟବସ୍ଥା କଲା। ତାକୁ ପିଇ ବଣିକ ଓ ତାଙ୍କ ଦଳ ପ୍ରାଣ ପାଇଲେ। ସେହି ବେଦୁଇନ ଦଳକୁ ଅନୁଧାବନ କରି ଶେଷରେ ସେମାନେ ରାଜଧାନୀରେ ପହଞ୍ଚିଲେ।
ଆରବର ରାଜା ବିରଳ ରତ୍ନପଥର ପାଇ ଖୁସି ହେଲେ। କିନ୍ତୁ ବଣିକ ବଦଳି ଯାଇଥିଲେ। ତାଙ୍କ ବିଚାରରେ ରତ୍ନ ପଥର ଆଉ ସର୍ବାଧିକ ମୂଲ୍ୟବାନ ସଂପଦ ହୋଇ ନ ଥିଲା। କାରଣ ମୁନ୍ଦାଏ ପାଣି ଲାଗି ସେ ଯେଉଁ ବେଦୁଇନକୁ ତାହା ଲାଞ୍ଚ ଭାବେ ଯାଚିଥିଲେ, ସେ ତାକୁ ହତାଦର କରି ଦୂରକୁ ଫିଙ୍ଗି ଦେଇଥିଲା। କିନ୍ତୁ ବିସ୍ମୟର କଥା ସେତେବେଳେ ବଣିକ ତହିଁରେ ବିଚଳିତ ହୋଇ ନ ଥିଲେ। କାରଣ ମୁନ୍ଦାଏ ପାଣି ଆଗରେ ତାହା ମୂଲ୍ୟହୀନ ଥିଲା।
ମୂଲ୍ୟବାନ ସଂପଦ
Advertisment
Follow Us