ସତ୍ୟନାରାୟଣ ଗନ୍ତାୟତ
ଚାକିରିରେ ଅବସର ସମୟ ପାଖେଇଲେ ଅନେକ ନିଜ ପୈତୃକ ସ୍ଥାନକୁ ବଦଳି ହେବା ସମ୍ଭବ ହୋଇଥାଏ। ଏହି କ୍ରମରେ ସତ୍ୟେନ୍ଦୁ ନିଜ ସହରର ଯେଉଁ ବ୍ୟାଙ୍କ ଶାଖାରୁ ନିଜ ଚାକିରି ଆରମ୍ଭ କରିଥିଲା, ଚାକିରିରୁ ଅବସର ଗ୍ରହଣର ବର୍ଷକ ପୂର୍ବରୁ ସେହି ଶାଖାର ମୁଖ୍ୟ ପରିଚାଳକ ହେବାର ସୁଯୋଗ ପାଇଲା।
ସେ ଆସି ଯୋଗ ଦେବା ଦିନ ତାକୁ ବ୍ୟାଙ୍କର ଷ୍ଟାଫ ସବୁ ମିଶି ଗତାନୁଗତିକ ଭାବେ ଫୁଲତୋଡ଼ା ଦେଇ ଫାଟକ ପାଖରେ ସ୍ୱାଗତ କରିବା ବେଳେ ସେ ଦେଖିଲା ଯେ ଖଣ୍ଡେ ଦୂରରେ ମୁଖ୍ୟ ପ୍ରବେଶ ଦ୍ୱାର ପାଖରେ ଧଳା ୟୁନିଫର୍ମ ପିନ୍ଧି ଏକରକମ ଆଟେନସନ ପୋଜିସନରେ ଠିଆ ହୋଇଛି ମଦନା। ସେଇ ମଦନା ଯେ ଏଠି ତା’ର ଚାକିରିର ଆରମ୍ଭ କାଳରେ ଅସ୍ଥାୟୀ ପିଅନ ଭାବେ ଯୋଗ ଦେଇଥିଲା! ତା’ର ଠିକ୍ ଠିକ୍ ମନେ ପଡ଼ିଗଲା ଯେ ମଦନା ସହରର ଜଣେ ନାମୀ ଫୁଟ୍ବଲ୍ ଖେଳାଳି ଥିଲା ଓ ସବୁ ବେଳେ ତା’ ଖେଳ ସମେତ ଅନେକ ବିଷୟରେ ଅଗଡ଼ମ-ବଗଡ଼ମ ଜାତୀୟ କଥାମାନ ବଡ଼ ମଉଜିଆ ଢଙ୍ଗରେ କହି ହିଃ ହିଃ ହୋଇ ହସି ବୁଲୁଥିଲା।
ସତ୍ୟେନ୍ଦୁ ତା’ ପାଖକୁ ଯାଇ ତାକୁ କହିଲା, ‘ଆଉ କେମିତି ଅଛ ମଦନା, ପୁଣି ଆସିଗଲି ତୁମ ସହ କାମ କରିବାକୁ।’ ଏହା ଶୁଣି ମଦନା ଏକରକମ ଗଦଗଦ ହୋଇ ଯାଇ ପହିଲେ ସାଲ୍ୟୁଟ ମାରି ଓ ତା’ ପରେ ପରେ ମଥା ନୁଆଁଇ ତାକୁ ନମସ୍କାର କଲା। ସତ୍ୟେନ୍ଦୁ ହସି ତା’ ସହ ହାତ ମିଳାଇ ତା’ ପିଠି ଥାପୁଡ଼ାଇ କହିଲା: ହେଲା ହେଲା ଆଜି ରିସେସ ବେଳେ ଗପସପ ହେବା।
ଏତିକି ଶୁଣି ମଦନା ତା’ ମଉଜିଆ ସ୍ୱଭାବକୁ ରୋକି ନ ପାରି ଖଣ୍ଡି ଇଂରେଜୀରେ କହି ଉଠିଲା: ରାଇଟ ସାର୍। ଆପଣ ତ ଜାଣିଛନ୍ତି ଏ ମଦନା କେମିତି ଅଫିସରେ ସବୁବେଳେ ଏଭର ରେଡି! 
ଏତକ କହି ମଦନା ସତ୍ୟେନ୍ଦୁ ହାତରୁ ବ୍ରିଫକେସ ମାଗି ଧରିଲା ଓ ସତ୍ୟେନ୍ଦୁକୁ ତା’ ଚାମ୍ବର ଆଡ଼କୁ ପାଛୋଟି ନେଉ ନେଉ ପୁଣି କହିଲା: ‘ସାର୍ ଏ ବ୍ରାଞ୍ଚରେ ସି.ଏମ.ଙ୍କ ଚାମ୍ବର ଦାୟିତ୍ୱରେ ପରା ମୁଁ ରହି ଆସୁଛି।’ 
‘ତେବେ ତ ବଢ଼ିଆ ହେଲା’ କହିଲା ସତ୍ୟେନ୍ଦୁ। ଚାମ୍ବରରେ ପ୍ରବେଶ କରି ସିଟ୍ରେ ବସିବା ମାତ୍ରେ ଏତେ ବର୍ଷର ଭିତରେ ବି ଆଦୌ ବଦଳି ନ ଥିବା ମଦନାକୁ ପାଖକୁ ଡାକି ସତ୍ୟେନ୍ଦୁ ପଚାରିଲା: ମୁଁ ତ ବର୍ଷକ ପରେ ଅବସର ନେବି। ହେଲେ ତୁମର ଅବସର କେବେ ମଦନା?
ମଦନା ସତ୍ୟେନ୍ଦୁର ଏ ପ୍ରଶ୍ନକୁ ଚାହିଁ ବସିଥିଲା ଯେମିତି! ସଙ୍ଗେ ସଙ୍ଗେ କହି ଉଠିଲା ‘ଆପଣ ସି.ଏମ. ହୋଇ ଆସୁଛନ୍ତି ଶୁଣିବା ପର ଠୁ ମୁଁ ଫୁଲ୍ ଜଲି ଅଛି ସାର୍! ଆଉ ଛ’ ମାସ ପରେ ମୋ ପାଳି! ମୋ ସୌଭାଗ୍ୟ ସାର୍, ଆପଣଙ୍କ ହାତରୁ ମୋତେ ଲେଟର ମିଳିବ।’ 
ମଦନାର କଥା ଶୁଣି ସତ୍ୟେନ୍ଦୁ ବିହ୍ୱଳ ହୋଇଯାଇ ପଚାରିଲା: ଆଚ୍ଛା ଅବସର ପରେ କ’ଣ ସବୁ କରିବ ବୋଲି ଭାବିଛ! ତୁମ ଯୋଜନା କ’ଣ?
ଏ କଥା ଶୁଣୁ ଶୁଣୁ ମଦନା ଆଗ ଭଳି ପ୍ରଗଳ୍ଭ ହୋଇ ଆରମ୍ଭ କରିଦେଲା: ଆପଣ ତ ଜାଣିଛନ୍ତି ସାର୍ ମୋ ଫୁଟ୍ବଲ୍ ଖେଳ କଥା। ମୁଁ ଏକ ନମ୍ବର ଡିଫେନ୍ସ ପ୍ଲେୟାର। ଏବେ ବି ଭେଟେରାନ ଟିମ୍ ପାଇଁ ଖେଳୁଛି। ଫିଟନେସ ତ ଦେଖୁଛନ୍ତି। ପ୍ରାକ୍ଟିସ ବି ଅଛି। ଗତ ଅଗଷ୍ଟ ପନ୍ଦରରେ କଲେକ୍ଟର୍ସ ଇଲେଭେନ ଓ ଆମ ଭେଟେରାନ୍ସ ଇଲେଭେନ ଭିତରେ ବଡ଼ କଡ଼ା ମ୍ୟାଚ୍ ହେଲା। ତାଙ୍କ ଟିମ୍ରେ ଜିଲ୍ଲାର ଟପ୍ ପ୍ଲେୟାରମାନେ ଥିଲେ। ଆମ ଟିମ୍ ବି ଊଣା ନାଇଁ ସାର୍! ମୋ ଭଳିଆ ଭେଟେରାନମାନଙ୍କ ସହ ଦି’ ଜଣ ରିଟାୟାର୍ଡ ରେଳବାଇ କୋଚ୍ ଓ ତିନି ଜଣ ରିଟାୟାର୍ଡ ପିଇଟି ଥିବାରୁ ଖେଳରେ ଫୁଲ୍ ଟକ୍କର ହେଲା। ପେନାଲ୍ଟି ଯାଏ ଗଲା ଓ ସେମାନେ ଆମକୁ ପାଞ୍ଚଟା ମାରିଲେ, ଆଉ ଆମେ ଚାରିଟା ଖାଇଲୁ। ତା’ ପରେ ଆମେ ସେମାନଙ୍କୁ ଚାରିଟା ମାରିଲୁ, ସେମାନେ ସବୁ ଖାଇଲେ। ଆଉ ରହିଲା ଲାଷ୍ଟ ସଟ୍। ଆମ କେପଟେନ ପିଇଟି ଆଜ୍ଞା! କ’ଣ ଭାବିଲେ କି? ମୋତେ ଲାଷ୍ଟ ସଟ୍ ମାରିବା ଚାନ୍ସ ଦେଲେ। 
ମୁଁ ବଲ୍ ଉପରେ ଗୋଡ଼ ରଖି ତାଙ୍କମାନଙ୍କୁ ଫାଷ୍ଟ ଗୋଟେ ଭୟଙ୍କର ଲୁକ୍ ଦେଇ ଅନେଇଲି ଆଉ ତା’ ପରେ ଫୁଲ୍ ସ୍ପିଡ୍ ଲଗାଇ ଏମିତି ସଟ୍ ମାରିଲି ଯେ ମାଡ଼ ସାଙ୍ଗେ ଗୋଲ୍! ଆମେ ଜିତିଲୁ ସାର୍। କଲେକ୍ଟର ସାର୍ ବଡ଼ ଫ୍ରେଣ୍ଡଲି ହୋଇ ମୋ ସହ ହେଣ୍ଡସେକ କଲେ, ଭଲମନ୍ଦ ବୁଝିଲେ ଓ ମୋ ଅବସର ପାଖେଇ ଆସିବା ଜାଣି କହିଲେ, ‘ତୁମ ଭଳି ଆକ୍ଟିଭ ପ୍ଲେୟାରର ଅବସର କ’ଣ? ତମକୁ ଆମ ଡାକବଙ୍ଗଳାର ଲନ ଓ ଗାର୍ଡେନ ମେଣ୍ଟେନାନ୍ସ ପାଇଁ ଡେଲି ୱେଚରେ ରଖି ଦେବା। ତୁମେ ଆଉ ପାଞ୍ଚ ବର୍ଷ କାମ କରିପାରିବ। ତେବେ ଗୋଟେ କଣ୍ଡିସନ: କେବଳ ଭଲିବଲ୍ ଖେଳି ଆସୁଥିବା ଆମ କଲେକ୍ଟରେଟ ଷ୍ଟାଫଙ୍କୁ ନେଇ ବି ଗୋଟେ ଫୁଟ୍ବଲ୍ ଟିମ ଗଢ଼ିବ। ହେଲା?’ 
ମଦନା ଏକା ବେଳକେ ସବୁ କଥା କହିଗଲା। ତାହା ଶୁଣି ସତ୍ୟେନ୍ଦୁ କହିଲା, ‘ଯା ହେଉ ମଦନା, ବଡ଼ ଖୁସିର କଥା ଯେ ଅବସର ପରେ ପରେ ତୁମେ ପୁଣି ତୁମ ଦକ୍ଷତା ଅନୁସାରେ କାମ କରିବାର ସୁଯୋଗ ପାଇବ।’
ମଦନା ପୁଣି ଆରମ୍ଭ କଲା: ‘ସାର୍ ମୋର ଦି’ ପୁଅ। ଦୁହିଁଙ୍କୁ ବାହା କରିସାରିଛି। ଦି’ ପୁଅ ଓ ଦି’ ବୋହୂ ଛୋଟମୋଟ କାମ କରି ସେମାନଙ୍କ ପରିବାର ଚଳାଇ ନେଉଛନ୍ତି। ଘର ତ ଆମ ବ୍ୟାଙ୍କରୁ ଲୋନ ନେଇ ବହୁ ଆଗରୁ କରିସାରିଛି ଓ ହୋମ ଲୋନ୍ର ଲାଷ୍ଟ ଇ.ଏମ.ଆଇ. ଏ ମାସ ହିଁ ସରିଯିବ। ଆଉ କୌଣସି ଲୋନ ନାଇଁ। ଅବସର ପରେ ଯେଉଁ ଟଙ୍କା ମିଳିବ, ତାକୁ ସିନିଅର ସିଟିଜେନ ଡିପୋଜିଟ ଓ ଏଫ.ଡି.ରେ ଆମ ବ୍ୟାଙ୍କରେ ରଖି ଦେଇ ପ୍ରତି ମାସ ସୁଧ ନେବି ବୋଲି ଭାବିଛି। ତା’ ସହ ବ୍ୟାଙ୍କରୁ ମିଳିବା ପେନସନ ଟଙ୍କା ବି ଅଛି। ଏତିକିରେ କ’ଣ ଚଳି ହେବନି ସାର୍?’ 
ଏକା ଥରକେ ଏତେ କଥା କହି ସାରିଲା ବେଳକୁ ସତ୍ୟେନ୍ଦୁ ମନେ ମନେ ଭାବୁଥିଲା ସତରେ ଅବସର ପରର ଜୀବନ ନେଇ କେତେ ଉତ୍ସାହୀ ମଦନା! ମଦନା ପରେ ପରେ ସେ ବି ଅବସର ନେବ। ତା’ ଅବସର ପରର ଯୋଜନା ନେଇ ତାକୁ ବେଳହୁଁ ଭାବିବାକୁ ହେବ। ଚାକିରିରେ ହେଉ ବା ଅବସର ପରେ ଜୀବନକୁ ପ୍ରାଣ ପ୍ରାଚୁର୍ଯ୍ୟରେ ଭରି ରଖିବା ମଦନା ଠାରୁ ଶିଖିବାର ଅଛି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୯୦୯୬୭୫
  
 Follow Us