ଗୋବିନ୍ଦ ଭୂୟଁା
ଫେବ୍ରୁଆରି ୭ ତାରିଖରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ନବୀନ ପଟ୍ଟନାୟକ ମହାନଦୀ ସଂପର୍କରେ ଉଲ୍ଲେଖ କରିଛନ୍ତି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ବିବାଦର ସମାଧାନ ପାଇଁ ଭାରତ ସରକାରଙ୍କ ଦ୍ବାରା ଗଠିତ ଟ୍ରିବ୍ୟୁନାଲ୍ ସମ୍ମୁଖରେ ରାଜ୍ୟ ସରକାର ଯଥାଯଥ ଭାବରେ ପ୍ରତିନିଧିତ୍ବ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ଓ କ୍ଷୋଭ ପ୍ରକାଶ କରିଛନ୍ତି। େସ ଲେଖିଛନ୍ତି, ‘‘ମହାନଦୀ ଆମ ମା’, ଓଡ଼ିଶାର ଜୀବନରେଖା। ଲକ୍ଷ ଲକ୍ଷ ଚାଷୀ, ମତ୍ସ୍ୟଜୀବୀ ତଥା ଅଗଣିତ ଓଡ଼ିଆଙ୍କ ଜୀବନର ସ୍ରୋତ। ଏହାର ସୁରକ୍ଷାରେ ସାଲିସକୁ ଓଡ଼ିଶାବାସୀ କଦାପି ଗ୍ରହଣ କରିବେ ନାହିଁ।’’ ସେ ପୁଣି ଲେଖିଛନ୍ତି, ‘‘ମହାନଦୀ ବଞ୍ଚେଇବା ପାଇଁ ପ୍ରତିଟି ଓଡ଼ିଆଙ୍କୁ ନେଇ ବିଜୁ ଜନତା ଦଳର ଲଢ଼େଇ ଆହୁରି ଜୋରଦାର ହେବ।’’
ଓଡ଼ିଶା ସରକାର ଟ୍ରିବ୍ୟୁନାଲ୍ ପାଖରେ ତତ୍ପର ହୁଅନ୍ତୁ, ଏଥିପାଇଁ ନବୀନ ବାବୁଙ୍କ ଉଦ୍ବେଗ ଯଥାର୍ଥ ଓ ପ୍ରଶଂସନୀୟ। କିନ୍ତୁ ମହାନଦୀ ବିପର୍ଯ୍ୟୟର ମୂଳଟି କେଉଁଠି?; ଓଡ଼ିଶା ପାଇଁ ଏହି ମହାବିପତ୍ତିର କାରଣ କ’ଣ ଓ କର୍ତ୍ତା କିଏ? ଏହି ସଂକ୍ରାନ୍ତ ସମସ୍ତ ତଥ୍ୟ ଓ ସତ୍ୟ ବିଷୟରେ ଚର୍ଚ୍ଚା କରାଯିବା ଓ ତାହାକୁ ଅବିକଳ ଭାବରେ ଲିପିବଦ୍ଦ କରିବା ଆବଶ୍ୟକ। ଏହାଦ୍ବାରା ଶାସନରେ ଅଧିଷ୍ଠିତ ହେଉଥିବା ରାଜନେତାମାନଙ୍କର ଅସାଧୁତା ଓ ଅପାରଗତା ସମ୍ବନ୍ଧରେ ରାଜ୍ୟବାସୀ ଓ ଉତ୍ତର ପିଢ଼ି ଜାଣିପାରିବେ। ୨୦୦୦ ମସିହା ପର୍ଯ୍ୟନ୍ତ ମହାନଦୀ ଥିଲା ଚିରସ୍ରୋତା। ହେଲେ ଏବେ ବର୍ଷା ଋତୁର ଦିନ କେଇଟାକୁ ବାଦ୍ ଦେଲେ ତାହା ପାଲଟିଚି ଧୂସର ବାଲୁକା ଶଯ୍ୟା; ମରୁଭୂମି। ମହାନଦୀ ଓଡ଼ିଶାର ଜୀବନ-ସଂଜୀବନୀ; ସିଧାସଳଖ ୧୬ଟି ଜିଲ୍ଲାର ପାଖାପାଖି ୩ କୋଟି ଲୋକ ମହାନଦୀ ଉପରେ ନିର୍ଭର କରିଥାନ୍ତି। ଅପ୍ରିୟ ସତ୍ୟଟି ହେଉଛି ନବୀନ ବାବୁଙ୍କ ଅମଳରେ ହିଁ ମହାନଦୀକୁ ହତ୍ୟା କରାଯାଇଛି।
Paddy: ମଣ୍ଡିରୁ ଉଠୁନି ଧାନ; ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ
୨୦୦୦ ମସିହାରୁ ୨୦୨୪, ପୂରା ଦୁଇଟା ଯୁଗ; ନବୀନ ବାବୁଙ୍କୁ ଓଡ଼ିଶାବାସୀ ମୁଣ୍ଡରେ ବସେଇଥିଲେ। ପ୍ରତି ନିର୍ବାଚନରେ ଅଧିକ ଭୋଟ ବ୍ୟବଧାନରେ ତାଙ୍କ ଦଳକୁ ବିଜୟୀ କରୁଥିଲେ। ରାଜ୍ୟ ପ୍ରତି ଦାୟିତ୍ବବୋଧ ଥିବା ଯେ କେହି ବିଚାରବନ୍ତ ଶାସନମୁଖ୍ୟ ୨୪ ବର୍ଷର ଲମ୍ବା ଓ ନିରଙ୍କୁଶ ଅବଧିର ବିରଳ ଓ ବିଶାଳ ସୁଯୋଗକୁ ଯୋଜନାବଦ୍ଧ ଭାବରେ ଉପଯୋଗ କରି ରାଜ୍ୟକୁ ସକଳ ଦିଗରୁ ସମୃଦ୍ଧିର ଆଖି ଖୋସି ହୋଇଗଲା ପରି ଉଚ୍ଚତାରେ ପହଞ୍ଚାଇ ପାରିଥାଆନ୍ତେ। କିନ୍ତୁ ତାହା ଘଟିଲା ନାହିଁ। ବରଂ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପ ଆଦି ବିକାଶର ଗୁରୁତ୍ବପୂର୍ଣ୍ଣ ଓ ଦୀର୍ଘସୂତ୍ରୀ ମୌଳିକ େକ୍ଷତ୍ରଗୁଡ଼ିକ ଅବହେଳିତ ହେଲା, ଅବକ୍ଷୟ ଘଟିଲା। ଚବିଶ ବର୍ଷ ମଧ୍ୟରେ ଛତିଶଗଡ଼ ସରକାର ‘ମାଷ୍ଟର ପ୍ଲାନ୍’ ପ୍ରସ୍ତୁତ କରି ହୀରାକୁଦର ଉପର ମୁଣ୍ଡରେ ମହାନଦୀରେ ମନଇଚ୍ଛା ଅନେକ ଡ୍ୟାମ୍ ଓ ବ୍ୟାରେଜ ନିର୍ମାଣ କରି ଏକତରଫା ଭାବରେ ମହାନଦୀର ବିପୁଳ ଜଳରାଶିକୁ ନିଜ ରାଜ୍ୟର ବିକାଶରେ ବ୍ୟବହାର କଲା। କିନ୍ତୁ ନବୀନ ବାବୁ ତାଙ୍କ ୨୪ ବର୍ଷର ଶାସନରେ ହୀରାକୁଦର ତଳ ମୁଣ୍ଡରେ ଗୋଟିଏ ଆନିକଟ ନିର୍ମାଣ ସମ୍ବନ୍ଧରେ ଚିନ୍ତା ସୁଦ୍ଧା କଲେ ନାହିଁ। ଏଣେ, ଛତିଶଗଡ଼ର ବେଆଇନ ଦୌରାତ୍ମ୍ୟକୁ ନିରବରେ ସମର୍ଥନ କରାଗଲା ଓ ସେ ରାଜ୍ୟ ପ୍ରଶ୍ରୟ ପାଇଥିଲା।
ଶୁଣାଯାଏ ଯେ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ନବୀନ ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କଲା ପରେ ରାଜ୍ୟ ଜଳସଂପଦ ବିଭାଗ ପକ୍ଷରୁ ମହାନଦୀ ପ୍ରତି ଥିବା ସମ୍ଭାବ୍ୟ ବିପଦ ସଂପର୍କରେ ତାଙ୍କୁ ଅବଗତ କରାଯାଇଥିଲା। ଦାୟିତ୍ବ ନେବାର ୪ ମାସ ପରେ, ଅର୍ଥାତ ଜୁଲାଇ ମାସ ୭ ତାରିଖରେ ନବୀନ ବାବୁ ଭାରତ ସରକାରଙ୍କ ଜଳସଂପଦ ମନ୍ତ୍ରୀଙ୍କୁ ଏକ ଚିଠି (ଚିଠି ନମ୍ବର - DO NO UM 35/2000/444CM। ବିଷୟ: ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନାର ସମସ୍ୟା) ଲେଖିଥିଲେ। ୨୦୧୨ ମସିହାରେ ଭାରତ ସରକାରଙ୍କ ଜଳସଂପଦ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ‘ହୀରାକୁଦ: ଇଟ୍ସ ବ୍ୟାକ୍ଗ୍ରାଉଣ୍ଡ ଆଣ୍ଡ୍ ପର୍ଫମାନ୍ସ’ ପୁସ୍ତକରେ ଚିଠିଟି ସ୍ଥାନିତ ହୋଇଚି। ସେତେବେଳେ ଛତିଶଗଡ଼ ରାଜ୍ୟ ସୃଷ୍ଟି ହୋଇ ନ ଥିଲା। ତାହା ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ଥିଲା ଓ ସେହି ବର୍ଷ ନଭେମ୍ବର ୧ ତାରିଖରେ ଛତିଶଗଡ଼ର ଜନ୍ମ। ସେହି ଚିଠିରେ ଉଲ୍ଲେଖ ଥିଲା; ମଧ୍ୟପ୍ରଦେଶ ସରକାର ହୀରାକୁଦର ଉପର ମୁଣ୍ଡରେ ୮ଟି ବୃହତ୍ ଡ୍ୟାମ୍, ୨୨ଟି ମଧ୍ୟମ ଡ୍ୟାମ୍ ଓ ୧୦ଟି ବ୍ୟାରେଜ ନିର୍ମାଣ କରିସାରିଲାଣି ଏବଂ ଚାରିଟି ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣାଧୀନ ଅଛି। ଓଡ଼ିଶା ପାଇଁ ସେଗୁଡ଼ିକ ସମସ୍ୟା ବୋଲି ସୂଚିତ କରି କେନ୍ଦ୍ର ସରକାର ସେ ଦିଗରେ ବିହିତ ପଦକ୍ଷେପ ନେବାକୁ ଚିଠିରେ ଅନୁରୋଧ କରାଯାଇଥିଲା। ସେତେବେଳେ ଆମ ରାଜ୍ୟ ସପକ୍ଷରେ ସୁବର୍ଣ୍ଣ ସୁଯୋଗ ଥିଲା; ଆମ ସ୍ବାର୍ଥ ଆମ ହାତମୁଠାରେ ଥିଲା। କେନ୍ଦ୍ର ସରକାରରେ ଜଳସଂପଦ ବିଭାଗର କ୍ୟାବିନେଟ ମନ୍ତ୍ରୀ ଥିଲେ ଶ୍ରୀ ଅର୍ଜୁନ ଚରଣ ସେଠୀ। ଅର୍ଜୁନ ବାବୁ ବିଜୁ ଜନତା ଦଳରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ନବୀନ ବାବୁଙ୍କ ସୁପାରିସରେ ସେ ବାଜପେୟୀଜୀଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରିତ୍ବ ପାଇଥିଲେ। ରାଜ୍ୟରେ ବିଜୁ ଜନତା ଦଳ ସହିତ ମେଣ୍ଟ କରି ବି.ଜେ.ପି. ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିଥିଲା ଏବଂ ରାଜ୍ୟ ଓ କେନ୍ଦ୍ରରେ ମେଣ୍ଟ ସରକାର ଚାଲିଥିଲା। କେନ୍ଦ୍ରରେ ବାଜପେୟୀଜୀଙ୍କ ସେହି ସରକାର ୨୦୦୩ ମସିହା ଶେଷ ପର୍ଯ୍ୟନ୍ତ ଶାସନରେ ଥିଲା। ନବୀନ ବାବୁ ଚାହିଁଥିଲେ ସେଇଠି ସବୁ ସମସ୍ୟାର ପୂର୍ଣ୍ଣଚ୍ଛେଦ ପଡ଼ିଥାଆନ୍ତା। କିନ୍ତୁ ସେପରି ହେଲା ନାହିଁ। ସେଦିନ ଯାହା ନଖରେ ଛିଡ଼ି ଥାଆନ୍ତା, ଆଜି ତାହା କୁରାଢ଼ିରେ ସୁଦ୍ଧା ଛିଡୁନାହିଁ।
Tata Railway Station: ଟାଟାନଗର ରେଳ ଷ୍ଟେସନର ନାମ ‘କାଳିମାଟି’ ଥିଲା
୨୦୧୦ ମସିହା, ଅଗଷ୍ଟ ୫ ତାରିଖରେ ସୁକିନ୍ଦାର ଯୁବ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଛତିଶଗଡ଼ ସରକାରଙ୍କ ଦ୍ବାରା ହୀରାକୁଦର ଉପର ମୁଣ୍ଡରେ ନିର୍ମାଣ କରାଯାଉଥିବା ଡ୍ୟାମ୍ ଓ ବ୍ୟାରେଜ ଇତ୍ୟାଦି ସଂପର୍କରେ ଉଲ୍ଲେଖ କରି ଓଡ଼ିଶା ଉପରେ ତାହାର ପ୍ରଭାବ କ’ଣ ବୋଲି ବିଧାନସଭାରେ ପ୍ରଶ୍ନ ପଚାରିଥିଲେ। ସେହି ପ୍ରଶ୍ନଟି ଜଳସଂପଦ ବିଭାଗ ସଂପର୍କିତ ଓ ଜଳସଂପଦ ବିଭାଗଟି ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିଲା। ତେବେ ସେ ଦିନ ସେଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଉତ୍ତର ଦେଇଥିଲେ ମନ୍ତ୍ରୀ ରଘୁନାଥ ମହାନ୍ତି। ସେ କହିଥିଲେ, ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡରେ ଯେଉଁ ପ୍ରକଳ୍ପଗୁଡ଼ିକ ନିର୍ମାଣ କରୁଛି, ତଦ୍ଦ୍ବାରା ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ। ରଘୁ ବାବୁଙ୍କ ବିଧାନସଭା ବକ୍ତବ୍ୟର ଗୋଟିଏ ବର୍ଷ ପରେ ୨୦୧୧ ମସିହାରେ ରାଜ୍ୟ ଜଳସଂପଦ ବିଭାଗର ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଖୁବ୍ ଦୃଢ଼ ସ୍ବରରେ ବିବୃତ୍ତି ଦେଲେ; ଛତିଶଗଡ଼ ମହାନଦୀରେ ଆଉ ୧୦୦ଟି ଆନିକଟ ନିର୍ମାଣ କଲେ ସୁଦ୍ଧା ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ। କିନ୍ତୁ, ମହାନଦୀ ସଂକ୍ରାନ୍ତ ରାଜ୍ୟ ସ୍ବାର୍ଥ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସତ୍ୟର ସଂପୂର୍ଣ୍ଣ ବିପରୀତ ତଥ୍ୟ ପ୍ରଦାନ କରି ରାଜ୍ୟକୁ ବିଭ୍ରାନ୍ତ କରାଯାଇଥିଲା। ୨୦୦୦ ମସିହାରେ ନବୀନ ବାବୁଙ୍କ ଚିଠିରେ ମହାନଦୀକୁ ନେଇ ଓଡ଼ିଶା ପ୍ରତି ସମସ୍ୟା ସୃଷ୍ଟି ହେଉଥିବା କଥା ତଥ୍ୟଯୁକ୍ତ ଭାବରେ ଉଲ୍ଲେଖ ଥିବା ବେଳେ ଏବଂ ଆମ ପଡ଼ୋଶୀ ରାଜ୍ୟଟିରେ କ୍ରମାଗତ ଭାବରେ ବହୁ ସଂଖ୍ୟାରେ ବେଆଇନ ନିର୍ମାଣ କରାଯାଉଥିବା ସତ୍ତ୍ବେ ୨୦୧୦ ଓ ୨୦୧୧ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟବାସୀଙ୍କୁ ବିପରୀତ କଥା କୁହାଗଲା। ଏହା ବିସ୍ମୟକର ନୁହେଁ କି? ଏହା ରାଜ୍ୟବାସୀଙ୍କ ସହିତ ଏକ ମାରାତ୍ମକ ବିଶ୍ବାସ ଭଙ୍ଗ ଭଳି ହୋଇ ନ ଥାଏ କି?
୨୦୧୬ ମସିହା ମଧ୍ୟଭାଗରେ ମହାନଦୀ ସମସ୍ୟାକୁ ନେଇ ଜନସାଧାରଣଙ୍କ ପକ୍ଷରୁ ସ୍ବର ଉଠିଲା। ବିରୋଧୀ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଚାପ ସୃଷ୍ଟି କରାଗଲା। ଜୁଲାଇ ୨୬ ତାରିଖରେ ବିରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କ ନେତୃତ୍ବରେ କଂଗ୍ରେସ ବିଧାୟକ ଦଳର ଏକ ପ୍ରତିନିଧି େଗାଷ୍ଠୀ ଛତିଶଗଡ଼ ଯାଇ ସରଜମିନ ଅନୁଧ୍ୟାନ କଲା ପରେ ପରିସ୍ଥିତିର ଗମ୍ଭୀରତା ସ୍ପଷ୍ଟ ହୋଇଗଲା। କଂଗ୍ରେସର ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରି ନଦୀ ବିବାଦର ସମାଧାନ ନିମନ୍ତେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଏତେସବୁ ସତ୍ତ୍ବେ ମହାନଦୀର ସୁରକ୍ଷା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଲେ ନାହିଁ। ବରଂ ମହାନଦୀ ସଂକଟକୁ ରାଜନୈତିକ ଗୋଟିରେ ପରିଣତ କରି ୨୦୧୭ ମସିହା ଆରମ୍ଭରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ମସିହାର ସାଧାରଣ ନିର୍ବାଚନରେ ଦଳୀୟ ଫାଇଦା ପାଇଁ ଖସଡ଼ା ତିଆରି କରାଗଲା। ଲୋକଙ୍କ ଭିତରେ ରାଜନୀତିକ ଭାବପ୍ରବଣତା ତିଆରି କରାଗଲା। ବାଜା ବଜେଇ ବଜେଇ ବିଜୁ ଜନତା ଦଳର ନେତାମାନେ କ୍ଷେତ୍ର ପରିଦର୍ଶନ କରିବାକୁ ଛତିଶଗଡ଼ ଗଲେ। ଦଳର ମହିଳା କର୍ମୀମାନେ ମହାନଦୀ କୂଳେକୂଳେ କଳସ ଶୋଭଯାତ୍ରା କଲେ। ମନ୍ତ୍ରୀ, ସାଂସଦ, ବିଧାୟକମାନେ ପ୍ରତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସି ହାସ୍ୟାସ୍ପଦ ପରିବେଶ ସୃଷ୍ଟି କଲେ। କେନ୍ଦ୍ର ସରକାରଙ୍କ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଜରିଆରେ ନଦୀ ବିବାଦର ସମାଧାନ ପ୍ରସ୍ତାବକୁ ଓଡ଼ିଶା ଅସ୍ବୀକାର କଲା। ସେପ୍େଟମ୍ବର ୧୭ ତାରିଖରେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମା ଭାରତୀଙ୍କ ଉପସ୍ଥିତିରେ ଦିଲ୍ଲୀରେ ବସିଥିବା ବୈଠକକୁ ଯିବା ପୂର୍ବ ଦିନ ସାରା ଓଡ଼ିଶାରୁ ହଜାରହଜାର ଦଳୀୟ କର୍ମୀ ଓ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କୁ ଆଣି ଭୁବନେଶ୍ବର ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଯୁଦ୍ଧ ଯାତ୍ରା ଗଲା ଭଳି ଉଚ୍ଛ୍ବସିତ ସମ୍ବର୍ଦ୍ଧନାର ନାଟକ ରଚନା କରାଗଲା। ସତ କଥା ହେଲା, ନବୀନ ବାବୁ ଚାହିଁଥିଲେ ଦୀର୍ଘ କାଳ ଧରି ଚାଲିଥିବା ଛତିଶଗଡ଼ ସ୍ବେଚ୍ଛାଚାରର ସ୍ଥାୟୀ ଯବନିକା ସେହି ୨୦୧୬ ମସିହାରେ ହିଁ ପଡ଼ି ପାରି ଥାଆନ୍ତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ ସହିତ ସେତେବେଳେ ବିଜୁ ଜନତା ଦଳର ଖୁବ୍ ସୁନ୍ଦର ବୁଝାମଣା ଥିଲା। ବିଜୁ ଜନତା ଦଳ ପ୍ରତ୍ୟେକ ପ୍ରସଙ୍ଗରେ ପାର୍ଲାମେଣ୍ଟରେ ଭାରତ ସରକାରଙ୍କୁ ନିଃସର୍ତ୍ତ ସମର୍ଥନ ଦେଉଥିଲା ଏବଂ କେନ୍ଦ୍ର ସରକାରଙ୍କ ପାଇଁ ବିଜୁ ଜନତା ଦଳର ସମର୍ଥନ ନିହାତି ଆବଶ୍ୟକ ଥିଲା। ନେଡ଼ିଗୁଡ଼ କହୁଣିକୁ ବୋହି ସାରିବା ପରେ ଏବେ ନବୀନ ବାବୁ ମିଛ କାନ୍ଦଣା କାନ୍ଦୁଛନ୍ତି!
ଶେଷରେ କେନ୍ଦ୍ର ସରକାର ୨୦୧୮ ମସିହା ମାର୍ଚ୍ଚ ମାସରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍ ଗଠନ କରିଛନ୍ତି। ଦେଶରେ ବିଭିନ୍ନ ସମୟରେ ନଦୀ ବିବାଦ ଟ୍ରିବ୍ୟୁନାଲ୍ଗୁଡ଼ିକର ଜଟିଳ ଦିଗ ସଂପର୍କିତ ଇତିହାସ ଆମେ ସମସ୍ତେ ଜାଣିଚେ। ତେବେ ନିଷ୍ପତ୍ତି ନିକଟରେ ବା ବିଳମ୍ବରେ, ଯେବେ ବି ହେଉ, ମହାନଦୀ ତାହାର ପୂର୍ବ ରୂପ-ବିଭବ ଫେରି ପାଇବ ନାହିଁ; ଓଡ଼ିଶାର କ୍ଷତି କେବେ ବି ସଂପୂର୍ଣ୍ଣ ଭରଣା ହୋଇପାରିବ ନାହିଁ।
ସତ କହିଲେ ମହାନଦୀ ହେଉଛି ନବୀନ ବାବୁଙ୍କ ରାଜନୀତିକ ଜୀବନର ଏକ ଗହୀରିଆ କଳାଚିହ୍ନ। ମହାନଦୀ ପାଇଁ କ୍ଷତିଗ୍ରସ୍ତ ଓଡ଼ିଶା ଏହି କଥାକୁ କସ୍ମିନ କାଳେ ପାସୋରି ଯିବ ନାହିଁ।
(ମତାମତ ଲେଖକଙ୍କ ନିଜସ୍ବ)
ମହାନଦୀ ବିହାର, କଟକ
ମୋ: ୯୮୬୧୭୭୮୭୪୯
Follow Us