ଦର୍ପଣ: ପର୍ଯ୍ୟଟନ ସୂଚକାଙ୍କରେ ଭାରତ

Advertisment
ଦର୍ପଣ: ପର୍ଯ୍ୟଟନ ସୂଚକାଙ୍କରେ ଭାରତ

ପର୍ଯ୍ୟଟନକୁ ପୁଞ୍ଜି କରି ଭାରତର ଅର୍ଥନୀତିକୁ ସୁଦୃଢ଼ କରିବାର ଉଦ୍ୟମ ଚାଲିଥିବା ବେଳେ ନିକଟରେ ବିଶ୍ବ ଅର୍ଥନୈତିକ ମଞ୍ଚ (ଡବ୍ଲ୍ୟୁଇଏଫ୍‌) ଦ୍ବାରା ପ୍ରକାଶିତ ପର୍ଯ୍ୟଟନ ବିକାଶ ସୂଚକାଙ୍କ-୨୦୨୧ ଦର୍ଶାଉଛି ଯେ ଅନେକ ଦେଶ ତୁଳନାରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ୧୧୭ଟି ଦେଶକୁ ନେଇ ପ୍ରସ୍ତୁତ ଏହି ସୂଚକାଙ୍କରେ ଭାରତ ୫୪ତମ ସ୍ଥାନରେ ରହିଛି ଯେତେବେଳେ କି ୨୦୧୯ରେ ସମାନ ସୂଚକାଙ୍କରେ ଭାରତର ସ୍ଥାନ ଥିଲା ୪୬। ଆଠ ଅଙ୍କ ତଳକୁ ଖସିବା ସତ୍ତ୍ବେ ଭାରତ ଦକ୍ଷିଣ ଏସିଆରେ ଶୀର୍ଷ ସ୍ଥାନ ଅଧିକାର କରିଛି। ତେଣୁ ଦୁଇ ବର୍ଷର ମହାମାରୀ ପରେ ଭାରତର ପର୍ଯ୍ୟଟନ ଶିଳ୍ପ ସଳଖିବା ଆରମ୍ଭ କରୁଛି ବୋଲି ଏଥିରୁ ଏକ ସ୍ପଷ୍ଟୋକ୍ତି ମିଳିଛି। ଭ୍ରମଣ ଓ ପର୍ଯ୍ୟଟନର ଦୀର୍ଘମିଆଦୀ ବିକାଶକୁ ସୁଗମ କରୁଥିବା ଗୁରୁତ୍ବପୂର୍ଣ୍ଣ କାରକ ଓ ନୀତିଗୁଡ଼ିକୁ ତଉଲାଯାଇ ପର୍ଯ୍ୟଟନ ସୂଚକାଙ୍କକୁ ପ୍ରସ୍ତୁତ କରାଯାଇଛି।

ଏହି ବିଶ୍ବସ୍ତରୀୟ ତାଲିକାରେ ଜାପାନ ଶୀର୍ଷ ସ୍ଥାନରେ ଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ୍, ଫ୍ରାନ୍‌ସ, ଜର୍ମାନି, ସ୍ବିଜରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ୟୁନାଇଟେଡ୍‌ କିଙ୍ଗଡମ୍, ସିଙ୍ଗାପୁର ଓ ଇଟାଲି ଶୀର୍ଷ ଦଶଟି ସ୍ଥାନ ଅଧିକାର କରିଛନ୍ତି। ମହାମାରୀ କବଳରୁ ବାହାରିବା ପରେ ସବୁ ଦେଶ ଭ୍ରମଣ ଓ ପର୍ଯ୍ୟଟନ ପାଇଁ ଶକ୍ତିଶାଳୀ ଓ ନମନୀୟ ପରିବେଶ ଗଢ଼ିବା ନିମନ୍ତେ ବ୍ୟାପକ ନିବେଶ କରିବା ଜରୁରୀ ବୋଲି ଡବ୍ଲ୍ୟୁଇଏଫ୍‌ର ଏହି ସୂଚକାଙ୍କ ସଂଲଗ୍ନ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପ୍ରାକ୍-ମହାମାରୀ କାଳ ତୁଳନାରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ହାର ଏବେ ବି କମ୍ ରହିଥିବା ବେଳେ ବ୍ୟାପକ ଟିକାକରଣ, କଟକଣାମୁକ୍ତ ଭ୍ରମଣକୁ ଅନୁମତି, ଘରୋଇ ପର୍ଯ୍ୟଟନ ଆଦିର ଚାହିଦା ଯୋଗୁଁ ପର୍ଯ୍ୟଟନ ଶିଳ୍ପରେ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଏକ ଆକଳନ ଅନୁସାରେ ୨୦୨୧ ଜାନୁଆରି ଏବଂ ୨୦୨୨ ଜାନୁଆରି ମାସରେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟାରେ ୧.୮ କୋଟିର ଅଭିବୃଦ୍ଧି ଦେଖାଦେଇଛି। ଏହା ସମଗ୍ର ୨୦୨୧ ମସିହାର ପର୍ଯ୍ୟଟକ ଅଭିବୃଦ୍ଧି ଠାରୁ ମଧ୍ୟ ଅଧିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe