ଦର୍ପଣ: ‘ପ୍ରୋଟିନ୍ ସପ୍ଲିମେଣ୍ଟ’ର ଶୁଦ୍ଧତା

Advertisment
ଦର୍ପଣ: ‘ପ୍ରୋଟିନ୍ ସପ୍ଲିମେଣ୍ଟ’ର ଶୁଦ୍ଧତା

ଭାରତୀୟ ବଜାରରେ ବିକ୍ରି ହେଉଥିବା ୨୬ଟି ସବୁଠାରୁ ଲୋକପ୍ରିୟ ପ୍ରୋଟିନ୍ ପାଉଡର୍‌ର ପରୀକ୍ଷା ଓ ବିଶ୍ଳେଷଣ ନେଇ ‘ମେଡିସିନ୍’ ଜର୍ନାଲ୍‌ରେ ନିକଟରେ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି। ସୁନ୍ଦର ଓ ବପୁବନ୍ତ ଶରୀର ଗଢ଼ିବା ପାଇଁ ବଡି ବିଲ୍‌ଡର୍‌ମାନେ ପ୍ରୋଟିନ୍ ପାଉଡର୍‌ ଖାଇଥାନ୍ତି। ଶରୀରରେ ମାଂସପେଶୀ ବୃଦ୍ଧି ପାଇଁ ପ୍ରୋଟିନ୍ ବା ପୁଷ୍ଟିସାର ଅପରିହାର୍ଯ୍ୟ। ପ୍ରୋଟିନ୍ ପାଉଡର୍‌ ହେଉଛି ପୁଷ୍ଟିସାର ଏବଂ ଏମିନୋ ଏସିଡ୍‌ର ପୂର୍ଣ୍ଣ ଉତ୍ସ। ତେବେ ଉକ୍ତ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ୨୬ଟି ବ୍ରାଣ୍ଡ୍‌ ମଧ୍ୟରୁ ୭୦% ଉତ୍ପାଦରେ ପ୍ରୋଟିନ୍‌ର ମାତ୍ରା ନେଇ ଭୁଲ୍‌ ତଥ୍ୟ ଉଲ୍ଲେଖ କରାଯାଇଛି; ୧୪% ଉତ୍ପାଦରେ କ୍ଷତିକାରକ ଛତୁ ଜାତୀୟ ଆଫ୍ଲାଟୋକ୍ସିନ୍‌ ରହିଛି, ଏବଂ ୮%ରେ କୀଟନାଶକର ଅଂଶ ମିଳିଛି।
ପରୀକ୍ଷା କରାଯାଇଥିବା ୩୬ଟି ଉତ୍ପାଦ ମଧ୍ୟରୁ ନଅଟିରେ ଉଲ୍ଲେଖ ମାତ୍ରାଠାରୁ ୪୦% କମ୍ ପ୍ରୋଟିନ୍ ଥିବା ବେଳେ ଅନ୍ୟମାନଙ୍କରେ ୬୦% ପ୍ରୋଟିନ୍ କମ୍‌ ଥିବାର ଜଣାପଡ଼ିଛି। ଏହିସବୁ ପାଉଡର୍‌ଗୁଡ଼ିକ ମଧ୍ୟରୁ କେତେକ ଉଦ୍ଭିଦ ଆହୃତ, କେତେକ ‘ହ୍ବେ’ ବା ଗାଈ ଦୁଗ୍‌ଧରୁ ଆହୃତ ଏବଂ ଆଉ କେତେକ ମିଶ୍ରିତ।
ଏହି ରିପୋର୍ଟ ପ୍ରସ୍ତୁତ କରିଥିବା ଗବେଷକମାନଙ୍କ କହିବା ଅନୁସାରେ ଭାରତରେ ଉତ୍ପାଦିତ ଅଧିକାଂଶ ଚେରମୂଳି ବା ହର୍ବାଲ୍ ପ୍ରୋଟିନ୍ ପାଉଡର୍‌ର ମାନ ନିକୃଷ୍ଟ ଏବଂ ସେଥିରେ ଯକୃତ୍‌ ପାଇଁ ବିଷାକ୍ତ ଉପାଦାନ ରହିଥାଏ। ଆମ ଦେଶର ମାନ ନିୟନ୍ତ୍ରକ ସଂସ୍ଥାମାନେ ଔଷଧର ଗୁଣମାନ ନେଇ ପରୀକ୍ଷା କରିଥାନ୍ତି ସତ, କିନ୍ତୁ ପ୍ରୋଟିନ୍ ପାଉଡର୍‌ ପାଇଁ ସେଭଳି ପରୀକ୍ଷା କରାଯାଏନାହିଁ। ତେଣୁ, ପ୍ରୋଟିନ ପାଉଡର୍‌ର ମାନ ନିର୍ଦ୍ଧାରଣ ଲାଗି ବିଧିବଦ୍ଧ ବ୍ୟବସ୍ଥା କରାଯିବା ଉଚିତ ବୋଲି ଗବେଷକମାନେ ଏକମତ। ତାହା ନ ହେଲେ ଏହା ଏକ ବିରାଟ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe