ନାମରେ ନାମ

Advertisment

ଏ କଥା ସତ ଯେ ଜଣେ ନଁା ନେଇ ଜନମି ନ ଥାଏ। କୁଆଁ କୁଆଁ ରାବ କରି ଆସିବା ଉତ୍ତାରେ ପହିଲେ ନବଜାତକଟିର ଏକ ଖାସ ଅଙ୍ଗ ଉପରେ ଉତ୍କଣ୍ଠା ଭରେ ଦୃଷ୍ଟି ନିକ୍ଷେପ ପୂର୍ବକ ଘୋଷଣା କରାଯାଏ ଯେ ‘ପୁତ୍’ ନାମକ...

ଏ କଥା ସତ ଯେ ଜଣେ ନଁା ନେଇ ଜନମି ନ ଥାଏ। କୁଆଁ କୁଆଁ ରାବ କରି ଆସିବା ଉତ୍ତାରେ ପହିଲେ ନବଜାତକଟିର ଏକ ଖାସ ଅଙ୍ଗ ଉପରେ ଉତ୍କଣ୍ଠା ଭରେ ଦୃଷ୍ଟି ନିକ୍ଷେପ ପୂର୍ବକ ଘୋଷଣା କରାଯାଏ ଯେ ‘ପୁତ୍’ ନାମକ...

xccd

ସତ୍ୟନାରାୟଣ ଗନ୍ତାୟତ

ଏ କଥା ସତ ଯେ ଜଣେ ନଁା ନେଇ ଜନମି ନ ଥାଏ। କୁଆଁ କୁଆଁ ରାବ କରି ଆସିବା ଉତ୍ତାରେ ପହିଲେ ନବଜାତକଟିର ଏକ ଖାସ ଅଙ୍ଗ ଉପରେ ଉତ୍କଣ୍ଠା ଭରେ ଦୃଷ୍ଟି ନିକ୍ଷେପ ପୂର୍ବକ ଘୋଷଣା କରାଯାଏ ଯେ ‘ପୁତ୍’ ନାମକ ନର୍କରୁ ଉଦ୍ଧାର କରିବାର୍ଥେ ପୁତ୍ରଟିଏ ଆସିଛି ନା କୋଳ ମଣ୍ଡିଛି ଲକ୍ଷ୍ମୀ ରୂପୀ କନ୍ୟାଟିଏ। ତା’ ପରେ ଆସେ ନାମ ଦିଆ ପର୍ବ। ଆମ ପରିବାରରେ ପ୍ରାୟତଃ ଏକୋଇଶାରେ ନାମ ଦିଆଯାଏ। ଆଗେ ରାଶି ନକ୍ଷତ୍ରାନୁସାରେ ରାମଚନ୍ଦ୍ର ବା କୃଷ୍ଣ ପ୍ରସାଦ ବା ହରିନାରାୟଣ ଅଥବା ସୀତା ଦେବୀ କି ସାବିତ୍ରୀ ଭଳି ନାମମାନ ରଖାଯାଉଥିଲା। ସେହି ନାମକୁ ସଂକ୍ଷିପ୍ତ କରି ରାମ ବା କୃଷ୍ଣ କି ସୀତା ରୂପେ ଡକାଯାଉଥିଲା। ସମ୍ଭବତଃ ଏଭଳି ନାମକରଣ ପଛରେ ଉଦ୍ଦେଶ୍ୟ ଥିଲା ସନ୍ତାନମାନଙ୍କୁ ଡକାହକା କରିବାରେ ଦେବଦେବୀମାନଙ୍କ ନାମ ବାରମ୍ବାର ଉଚ୍ଚାରଣ କରି ପୁଣ୍ୟ ଅର୍ଜନ କରିବା। 
ଆମର ଜଣେ ସାଙ୍ଗର ନାମ ଥିଲା ବାମନ ଭାବଗ୍ରାହୀ ନୃସିଂହ କୃଷ୍ଣ ପ୍ରସାଦ। ତହିଁରେ ତାଙ୍କ ସଂଜ୍ଞା ମହାପାତ୍ର ବି ସଂଯୁକ୍ତ ହୁଅନ୍ତେ ତାହା ଏମିତି ଲମ୍ବି ଯାଇଥିଲା ଯେ ଆମେ ଅଗତ୍ୟା ତା’ ନାମରେ ଥିବା ପ୍ରତିଟି ଛେକରେ ଅଟକି ତା’ର ଆଦ୍ୟ ଇଂରେଜୀ ଅକ୍ଷର ସବୁକୁ ଯୋଡି କରିଥିଲୁ ‘ବି.ବି.ଏନ୍‌.କେ. ପ୍ରସାଦ’। ତା’ କହିବାନୁଯାୟୀ ତା’ ମାଆ ଥିଲେ ତାଙ୍କ ଛଅ ଭଉଣୀଙ୍କ ମଧ୍ୟରେ ସବା ସାନ। ତେଣୁ ସାନ ଭଉଣୀର ପ୍ରଥମ ସନ୍ତାନଟିର ନାମକରଣ ବେଳେ ସବୁ ଭଉଣୀ ଏକୋଇଶାକୁ ଆସିବା କଥା। ଚାରି ଭଉଣୀ ଦିନକ ଆଗରୁ ଆସି ପହଞ୍ଚିଗଲେ, ହେଲେ, ରେଳରେ ବିଳମ୍ବ ହେତୁ ଜଣେ ଭଉଣୀ ଠିକଣା ସମୟରେ ପହଞ୍ଚି ପାରିଲେ ନାହିଁ। ତେଣୁ ଆସିଥିବା ଚାରି ଭଉଣୀ ଗୋଟିଏ ଗୋଟିଏ ନାମ ଦେଲା ପରେ ବାପା ଶେଷରେ ଗୋଟିଏ ଯୋଡ଼ି ମୁଣ୍ଡି ମାରିଲେ। ଟ୍ରେନ ଲେଟ୍‌ ହେବାରୁ ନାମଟି ଆଉ ପାଦେ ଆଗେଇ ନ ପାରି ରହିଗଲା। ଏଭଳି ନାମଧାରୀ ବନ୍ଧୁଟିଏ ପାଇ ଆମେ ବିଭିନ୍ନ ଜାଗାରେ କୁଣିଆମଇତ୍ରଙ୍କ ଆଗ‌େର ତା’ ନାମର ଉଦାହରଣ ଦେଉଥିଲୁ। ତେଣୁ ତାକୁ କେବେ ଦେଖି ନ ଥିବା ଲୋକେ ମଧ୍ୟ ତାକୁ ଜାଣିଥିଲେ!
ଥରେ ଜଣେ ନାଁଟିଏ ପାଇଗଲେ ଯେ କଥା ସରିଯାଏ, ତାହା ନୁହେଁ। ଜୀବନରେ ଅନେକ ନାଁ ବନ୍ଧୁ, ବିରାଦରି ଏପରିକି ଶତ୍ରୁମାନଙ୍କ ଠାରୁ ବି ମିଳେ। ପ୍ରତିଭାରୁ ଆରମ୍ଭ କରି ରୂପ ଗୁଣର ବୈଶିଷ୍ଟ୍ୟ ଆଧାରରେ ନାମମାନ ମିଳେ; ଏଇ ଯେମିତି ଭଲ ଗୀତ ଗାଉଥିଲେ କିଶୋର କୁମାର ତ ଭଲ କ୍ରିକେଟ୍‌ ଖେଳୁଥିଲେ ସଚିନ ତେନ୍ଦୁଲକର ବା ସୁନ୍ଦରୀ ହୋଇଥିଲେ ଶ୍ରୀଦେବୀ ଇତ୍ୟା‌ଦି। ବେଳେ ବେଳେ ଏହା ନିଷ୍ଠୁରତାର ସୀମା ମଧ୍ୟ ଟପିଯାଏ, ଯେଉଁ କ୍ରମରେ କଣା, କେମ୍ପା, ଛୋଟା, ମୋଟୁ, ଗଣ୍ଡା, ପୋଟଳ, କାଠି ଭଳି ନାମମାନ କାହାର କାହାର ପରିଚୟ ପାଲଟି ଯାଏ।
ପିଢ଼ି ପରେ ପିଢ଼ି ଦେଇ ନାମର ରୂପରେଖ ବଦଳି ଚାଲିଛି। ଆମ ଭିତରେ ରାମ ଅଜା ବା ଗୋବିନ୍ଦ ମଉସା ବା ସାବିତ୍ରୀ ଆଈମାନେ ଏବେ ବି ଅଛନ୍ତି ସତ, କିନ୍ତୁ ସେମାନେ ବିଲୁପ୍ତପ୍ରାୟ! ଅୟନ ଅଙ୍କଲ୍ ବା ଦୀପ୍ ଗ୍ରାଣ୍ଡପା ବା ସୁଇଟି ଆଈମାନେ ମଧ୍ୟ ଗତାୟୁମାନଙ୍କ ବଳୟରେ ପ୍ରବେଶ କଲେଣି। 
ଅନେକ କହନ୍ତି ନାମରେ ବା କ’ଣ ଅଛି? କିନ୍ତୁ, ମନସ୍ତତ୍ତ୍ବବିତମାନେ କହନ୍ତି ଯେ ନାମର ପ୍ରଭାବ ଚରିତ୍ର ଉପରେ ପଡ଼ିଥାଏ। ଥରେ ନାମ ଚର୍ଚ୍ଚା ଚାଲିଥିବା ବେଳେ ଜଣେ ପରିଚିତ ବରିଷ୍ଠ ବୃନ୍ଦାବନ ଚନ୍ଦ୍ର ଅପ୍ରତ୍ୟାଶିତ ଭାବେ ଏହି ଲେଖକକୁ କହି ପକାଇଲେ: ‘ତୁମ ନାମରେ ଥିବା ସତ୍ୟ ତ ଢେର୍, ଫେର୍ ନାରାୟଣ ରହିବା କି ଲୋଡ଼ା? ତାକୁ କାଟି ଫୋପାଡ଼ି ଦିଅ’। ସକଳ ଘଟେ ଯେ ନାରାୟଣ ଅଛନ୍ତି ଏ କଥାଟି ବୋଧହୁଏ ବାମପନ୍ଥୀ ବୃନ୍ଦାବନ ବାବୁ ବିଶ୍ବାସ କରନ୍ତି ନାହିଁ। ତା’ର ପ୍ରତ୍ୟୁତ୍ତରରେ ଏ ଲେଖକ ଯେତେବେଳେ କହି ପକାଇଲା: ‘ଆଜ୍ଞା, ଆପଣଙ୍କ ନାମ ବି ବୃନ୍ଦାବନରେ ଯଥେଷ୍ଟ। ଫେର୍ ଗ୍ରହ ମଣ୍ଡଳରୁ ଚନ୍ଦ୍ରଙ୍କୁ ଆଣିବାର କି ପ୍ରୟୋଜନ ଥିଲା? କଥାଟି ଯେ ତାଙ୍କ ମନକୁ ପାଇଗଲା ତାହା ବଦ୍‌ ମେଜାଜୀ ବୃନ୍ଧାବନ ବାବୁଙ୍କ ଈଷତ୍‌ ହସରୁ ଜଣାପଡ଼ିଗଲା।
ନାମରେ କ’ଣ ଥାଏ ବା ନ ଥାଏ, ତାହା ତ ପର କଥା। ଏବେ ପୃଥିବୀର ସବୁଠାରୁ ଧନୀ ଲୋକ ଏଲନ ମସ୍କଙ୍କ କଥା ଶୁଣନ୍ତୁ। ୨୦୨୦ରେ ଏଲନ ମସ୍କ ଟ୍ବିଟର (ଏବେର ‘ଏକ୍‌ସ’)ରେ ଜଣାଇଲେ ଯେ ତାଙ୍କ ବାନ୍ଧବୀ ଗ୍ରାଇମ୍‌ସଙ୍କ ଗର୍ଭରୁ ପୁତ୍ର ସନ୍ତାନଟିଏ ଜନ୍ମ ନେଇଛି, ସେତେବେଳେ ଅନେକ ତାଙ୍କୁ ପଚାରିଲେ ଯେ ପୁଅର ନାମ କ’ଣ? ସେ ଉତ୍ତର ଦେ‌ଲେ- ‘XEA-Xii Musk ‘ଏକ୍‌ସ.ଇ.ଏ-ଏକ୍‌ସଆଇଆ‌ଇ ମସ୍କ’। ଏବେ ଆପଣ ତାକୁ କେମିତି ଡାକିବେ, ଡାକନ୍ତୁ!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୯୦୯୬୭୫

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe