ଗଣହତ୍ୟା ଆଶଙ୍କା, ଶୀର୍ଷରେ ପାକିସ୍ତାନ

ଦର୍ପଣ

ଗଣହତ୍ୟା ଆଶଙ୍କା, ଶୀର୍ଷରେ ପାକିସ୍ତାନ

ଯୁକ୍ତରାଷ୍ଟ୍ର ଆମେରିକାର ‘ଅର୍ଲି ଵାର୍‌ନିଂ ପ୍ରୋଜେକ୍ଟ’ ନାମକ ‘ଥିଙ୍କ୍-ଟ୍ୟାଙ୍କ’ ସଂଗଠନ ପ୍ରତି ବର୍ଷ ଗଣହତ୍ୟା ଆଶଙ୍କା ଥିବା ଦେଶମାନଙ୍କୁ ନେଇ ଏକ ତାଲିକା ପ୍ରସ୍ତୁତ କରିଥାଏ। ଏହାର ସଦ୍ୟ ରିପୋର୍ଟ ଅନୁସାରେ ଆମ ପଡ଼ୋଶୀ ଦେଶ ପାକିସ୍ତାନ ଲଗାତାର ତିନି ବର୍ଷ ହେଲା ଏହି ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ତେହରିକ୍-ଏ-ତାଲିବାନ ପାକିସ୍ତାନ (ଟିଟିପି) ଭଳି ସଂଗଠନ ଦ୍ବାରା ବୃଦ୍ଧି ପାଉଥିବା ହିଂସା କାରଣରୁ ଉକ୍ତ ଦେଶ ଏକାଧିକ ସୁରକ୍ଷା ଓ ମାନବିକ ଅଧିକାର ଆହ୍ବାନର ସମ୍ମୁଖୀନ ହେଉଛି। ରିପୋର୍ଟ ପ୍ରସ୍ତୁତକାରୀ ସଂଗଠନ ୨୦୨୨ ଓ ୨୦୨୩ ମସିହାରେ ବ୍ୟାପକ ହିଂସାର ଆଶଙ୍କା ଥିବା ଦେଶଗୁଡ଼ିକୁ ଏହି ତାଲିକାରେ ସ୍ଥାନ ଦେଇଛି। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ହୋଇଥିବା କାରଣରୁ ଏକ ବର୍ଷ ବା ତା’ଠାରୁ କମ୍ ସମୟ ମଧ୍ୟରେ ୧,୦୦୦ ବା ତହିଁରୁ ଅଧିକ ନାଗରିକଙ୍କୁ ସଶସ୍ତ୍ର ବାହିନୀ (ସରକାରୀ ବା ବେସରକାରୀ) ଦ୍ବାରା ହତ୍ୟା କରାଗଲେ ତାହାକୁ ଏହି ସଂସ୍ଥା ଗଣହତ୍ୟା ବୋଲି ବିଚାର କରିଥାଏ ଓ ତଦନୁସାରେ ରିପୋର୍ଟ ପ୍ରସ୍ତୁତ କରିଥାଏ।

ଗଣହତ୍ୟା ଆଶଙ୍କା ତାଲିକାରେ ପାକିସ୍ତାନ ପଛକୁ ଯଥାକ୍ରମେ ଅଛନ୍ତି ମିଆଁମାର, ୟେମେନ, ଇଥିଓପିଆ, ନାଇଜେରିଆ ଓ ଆଫଗାନିସ୍ତାନ। ଭାରତ ଗତ ବର୍ଷ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଏଥର ଅଷ୍ଟମ ସ୍ଥାନକୁ ଖସିଛି, ଅର୍ଥାତ୍‌ ପରିସ୍ଥିତିରେ ଉନ୍ନତି ଆସିଛି ବୋଲି ସେହି ରିପୋର୍ଟ ଆଧାରରେ କୁହାଯାଇପାରେ। କିନ୍ତୁ ଏ ମାମଲାରେ ସୁଦାନ, ସୋମାଲିଆ, ସିରିଆ, ଇରାକ ଓ ଜିମ୍ବାୱେ ଭଳି ଦେଶ ଭାରତ ଠାରୁ ଭଲ ପ୍ରଦର୍ଶନ କରିଥିବା ବିଷୟ ବିସ୍ମୟ ସୃଷ୍ଟି କରିବା ସହିତ ରିପୋର୍ଟଟିକୁ ପ୍ରଶ୍ନ ଜର୍ଜର କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe