ବହୁବଚନ: ଅତୁଲ୍ୟ ଭାରତ

Advertisment

ବିଜୟ ନାୟକ

ବିଜୟ ନାୟକ

ବହୁବଚନ: ଅତୁଲ୍ୟ ଭାରତ

ଭାରତର ଅସ୍ତିତ୍ୱ ଓ ଅସ୍ମିତା ସ୍ମରଣାତୀତ କାଳରୁ ପ୍ରବହମାନ ଏକ ଉଚ୍ଛ୍ବଳ ସ୍ରୋତସ୍ୱତୀ। ଏହାର ନାମକରଣ ସଂପର୍କିତ ଉଲ୍ଲେଖ ଶ୍ରୀମଦ୍‌ଭାଗବତ ମହାପୁରାଣରେ ଦେଖିବାକୁ ମିଳେ। ବଂଶାନୁଚରିତ କ୍ରମରେ କହାଯାଇଛି ଯେ ଋଷଭଦେବ ଓ ଜୟନ୍ତୀଙ୍କ ଶତପୁତ୍ରଙ୍କ ମଧ୍ୟରୁ ଜ୍ୟେଷ୍ଠପୁତ୍ର ଭରତଙ୍କ ନାମରୁ ହିଁ ଭାରତ ନାମର ଉଦ୍ଭବ। ଏହାର ବ୍ୟାଖ୍ୟାନ ଓଡ଼ିଆ ଭାଗବତରେ ପୂଜ୍ୟପାଦ ଜଗନ୍ନାଥ ଦାସଙ୍କ ଶବ୍ଦର ଶତଦଳରେ ଅତି ପ୍ରାଞ୍ଜଳ: “ଏହାଙ୍କ ମଧ୍ୟେ ମହାବୀର, ଜ୍ୟେଷ୍ଠ ଯେ ଭରତ କୁମର। ଏ ଭୂମି ଯାହାର ନାମରେ, ଭାରତ ବୋଲାଇ ସଂସାରେ।” ମତାନ୍ତରେ, ରାଜା ଦୁଷ୍ୟନ୍ତ ଓ ଶକୁନ୍ତଳାଙ୍କ ପୁତ୍ର ଭରତଙ୍କ ନାମାନୁସାରେ ଭାରତ ନାମ ସୁବିଦିତ। ତେବେ ଭାରତ ନାମର ଉତ୍ସ ବିଷୟରେ ଏମନ୍ତ ମତଭିନ୍ନତା ଥିଲେ ମଧ୍ୟ ଏହି ନାମର ପ୍ରାଚୀନତା ଅବିସମ୍ବାଦିତ। କେଉଁ ଅଜଣା ଅତୀତରୁ ଗଡ଼ିଆସୁଥିବା କଥା, କାହାଣୀ, କିଂବଦନ୍ତି, ପ୍ରଥା, ପରଂପରା ଓ ପର୍ବପର୍ବାଣିରେ ଭାରତ ନାମଟି ଭାସ୍ୱର। ଉଦାହରଣ ସ୍ୱରୂପ, ବାହାବ୍ରତରେ ଆଜି ମଧ୍ୟ “ଜମ୍ବୁଦ୍ୱୀପେ, ଭାରତବର୍ଷେ, ଉତ୍କଳଖଣ୍ଡେ” ମନ୍ତ୍ର ଉଚ୍ଚାରିତ ହୁଏ। ଇତିହାସ ଠାରୁ କିଂବଦନ୍ତି କେବଳ ପ୍ରାଚୀନ ନୁହେଁ, ଅଧିକ ଗ୍ରହଣୀୟ ମଧ୍ୟ। ଇତିହାସ ବିଦ୍ୱାନ୍‌ମାନଙ୍କ ଭାଷା କିନ୍ତୁ କିଂବଦନ୍ତି ସାଧାରଣ ଜନତାଙ୍କ ଭାବ। ସୁତରାଂ ଇତିହାସର ଅସ୍ପଷ୍ଟତା ସତ୍ତ୍ୱେ ‘ଭାରତ’ ନାମ ସୁସ୍ପଷ୍ଟ, ସାର୍ବଜନୀନ ଓ ସର୍ବଜନାଦୃତ।

ଦୁଇଟି ଚଳନ୍ତି ମହାକାବ୍ୟ ରାମାୟଣ ଓ ମହାଭାରତରେ ଯେଉଁସବୁ ନଦନଦୀ, ଅଦ୍ରିଅରଣ୍ୟ ଓ ସ୍ଥାନଆସ୍ଥାନର ବର୍ଣ୍ଣନା ରହିଛି, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଅଦ୍ୟାପି ଭାରତର ଭୂଗୋଳରେ ଦୃଶ୍ୟମାନ। ଭାରତ ନଥିଲେ, ମହାକାବ୍ୟର ନାମ ମହାଭାରତ ହେଲା କିପରି? ଓଡ଼ିଆରେ ଗୋଟିଏ ଢଗ ଅଛି, ‘ଯାହା ନାହିଁ ଭାରତେ, ତାହା ନାହିଁ ଭାରତେ’। ଅର୍ଥାତ୍, ଯାହା ମହାଭାରତ କାବ୍ୟରେ ନାହିଁ, ତାହା ଭାରତବର୍ଷରେ ନାହିଁ। ଏଠାରେ ମହାଭାରତକୁ ସଂକ୍ଷେପରେ ଭାରତ କହାଯାଇଛି। ମାଟିର ମହାକବି ସାରଳା ଦାସ ଓଡ଼ିଆ ମହାଭାରତରେ “ଜମ୍ବୁଦ୍ୱୀପେ ଭ୍ରଥଖଣ୍ଡେ ଓଡରାଷ୍ଟ୍ର ମଣ୍ଡଳେ” ବର୍ଣ୍ଣନା କରି ଜମ୍ବୁଦ୍ୱୀପ, ଭାରତବର୍ଷ ଓ ଓଡରାଷ୍ଟ୍ର ବା ଓଡ଼ିଶାର ଅନାଦି ସ୍ମୃତିକୁ ସଂଜୀବିତ କରିଛନ୍ତି। ରାମାୟଣ ଓ ମହାଭାରତ ବ୍ୟତୀତ ଅଷ୍ଟାଦଶ ପୁରାଣ ମଧ୍ୟ ରଚିତ ହୋଇଥିଲା ଏହି ପୁଣ୍ୟଭୂମିରେ। ଅନେକ ପୁରାଣରେ ଜମ୍ବୁଦ୍ୱୀପ ଓ ଭାରତବର୍ଷର ବର୍ଣ୍ଣନା ପରିଦୃଷ୍ଟ ହୁଏ। ବିଶାଳ ଜମ୍ବୁଦ୍ୱୀପର ଏକ ବୃହଦଂଶ ଭାରତବର୍ଷ। ଶ୍ରୀମଦ୍‌ଭାଗବତରେ ଜମ୍ବୁଦ୍ୱୀପ ବିଷୟରେ ପ୍ରାସଙ୍ଗିକ ଉଦ୍ଧୃତି ଅପୂର୍ବ: “ଏ ଜମ୍ବୁଦ୍ୱୀପ ନୃପବର, ବିକଚ-କମଳ ଆକାର। xxx ଅତି ଅଦ୍ଭୁତ ଏହି ସ୍ଥଳ, ଲକ୍ଷେକ ଯୋଜନ ବିସ୍ତାର।” ସେହିପରି ଭାରତବର୍ଷର ଭୂଗୋଳ ବର୍ଣ୍ଣାଢ଼୍ୟ ଓ ବର୍ଣ୍ଣିଳ ବିଷ୍ଣୁପୁରାଣରେ। ମୈତ୍ରେୟଙ୍କ ଜିଜ୍ଞାସାରେ ପରାଶର କହିଛନ୍ତି, “ଉତ୍ତରଂ ଯତ୍ ସମୁଦ୍ରସ୍ୟ ହିମାଦ୍ରେଶ୍ଚୈବ ଦକ୍ଷିଣମ୍। ବର୍ଷଂ ତଦ୍ ଭାରତଂ ନାମଃ ଭାରତୀ ଯତ୍ର ସନ୍ତତିଃ।” ଏହାର ଅର୍ଥ ଏହି ଯେ ସମୁଦ୍ରର ଉତ୍ତରକୁ ଏବଂ ହିମାଳୟର ଦକ୍ଷିଣକୁ ପରିବ୍ୟାପ୍ତ ଭୂଖଣ୍ଡର ନାମ ଭାରତବର୍ଷ। ଏହି ଭୂଭାଗର ବ୍ୟାପ୍ତି ପୁଣି ନଅ ହଜାର ଯୋଜନ ବୋଲି ପରାଶର କହିବା ସଙ୍ଗେ ସଙ୍ଗେ ସାତଟି କୁଳପର୍ବତର ମଧ୍ୟ ବିବରଣୀ ପ୍ରଦାନ କରିଛନ୍ତି।
ପାରସ୍ୟ ପଣ୍ଡିତ ଓ ପରିବ୍ରାଜକମାନେ ହିନ୍ଦ୍, ହିନ୍ଦୁ ଓ ହିନ୍ଦୁସ୍ତାନ ନାମତ୍ରୟକୁ ଲୋକପ୍ରିୟ କରିଥିବା ବିଷୟରେ ଇତିହାସକାରମାନଙ୍କ ମଧ୍ୟରେ ସହମତି ରହିଆସିଛି। ପାରସ୍ୟମାନଙ୍କ ବିବେଚନାରେ ଭାରତ ଓ ସିନ୍ଧୁନଦୀ ଭିତରେ ପାର୍ଥକ୍ୟ ନଥିଲା। ଉଚ୍ଚାରଣରେ ସିନ୍ଧୁ ସେମାନଙ୍କ ପାଇଁ ଥିଲା ହିନ୍ଦୁ ବା ସିନ୍ଧ୍ ଥିଲା ହିନ୍ଦ୍। ସେହିପରି ୟୁରୋପୀୟମାନଙ୍କ ଉଚ୍ଚାରଣରେ ସିନ୍ଧୁ ଥିଲା ଇଣ୍ଡସ୍ ଏବଂ ତହିଁରୁ ଇଣ୍ଡିଆ ଶବ୍ଦର ଉତ୍ପତ୍ତି। ମୋଗଲ ଏବଂ ତତ୍ତୁଲ୍ୟ ଶାସକମାନଙ୍କ ସମୟରେ ଭାରତ ହିନ୍ଦୁସ୍ତାନ ଭାବରେ ଅଧିକ ପରିଚୟ ଲାଭ କରିଥିଲା। ସେହିପରି ବ୍ରିଟିସ୍‌ ରାଜ ଇଣ୍ଡିଆ ଶବ୍ଦକୁ ସାରା ପୃଥିବୀରେ ପ୍ରସାରିତ କରିଥିଲା। ସ୍ୱାଧୀନ ଭାରତ ପୂର୍ବବର୍ତ୍ତୀ ସମସ୍ତ ଦସ୍ତାବିଜ୍, ପାଠ୍ୟପୁସ୍ତକ ଓ ଅନ୍ୟାନ୍ୟ ରଚନାରେ ଇଣ୍ଡିଆ ଶବ୍ଦ ପ୍ରାଧାନ୍ୟ ଲାଭ କରିଥିଲା। ସ୍ୱାଧୀନ ଭାରତରେ ସେହି ପରମ୍ପରା ଅନେକାଂଶରେ ଅବ୍ୟାହତ ରହିଛି।

ହିନ୍ଦ୍ ଶବ୍ଦକୁ ଆଲ୍ ବେରୁଣୀ ‘ତାରିଖ୍ ଅଲ୍ ହିନ୍ଦ୍’ ପୁସ୍ତକ ମାଧ୍ୟମରେ ବିଶ୍ୱଜନୀନ କରିଥିଲେ। ଭାରତର ଦୁଇ ପ୍ରଣମ୍ୟ ପୁରୁଷ ଗାନ୍ଧୀଜୀ ଓ ନେତାଜୀ ମଧ୍ୟ ହିନ୍ଦ୍ ଶବ୍ଦକୁ ଲୋକପ୍ରିୟ କରିଛନ୍ତି। ଗାନ୍ଧୀଜୀଙ୍କ ବହୁଳ ପ୍ରସାରିତ ପୁସ୍ତକ ‘ହିନ୍ଦ୍ ସ୍ୱରାଜ’ ତ ନେତାଜୀଙ୍କର ପ୍ରିୟ ସ୍ଲୋଗାନ୍ ‘ଜୟ ହିନ୍ଦ୍’। ଜମ୍ବୁଦ୍ୱୀପ, ଭାରତବର୍ଷ, ହିନ୍ଦ୍, ହିନ୍ଦୁସ୍ତାନ ଆଦି ଅନେକ ନାମ ଆମ ପ୍ରିୟ ଦେଶ ପାଇଁ ପ୍ରଯୁଜ୍ୟ। ବ୍ରିଟେନ୍‌ର ମଧ୍ୟ ଅନେକ ନାମ ରହିଛି। ଯେମିତି ଗ୍ରେଟ୍ ବ୍ରିଟେନ୍, ବ୍ରିଟାନିଆ, ଯୁକ୍ତରାଜ୍ୟ ଓ ଆଲ୍ ବିଓନ୍ ଇତ୍ୟାଦି। ସ୍ୱାଧୀନତା ପରେ ଏ ଦେଶର ନାମ ଭାରତ ନା ଇଣ୍ଡିଆ ରହିବ, ସେ ବିଷୟରେ ସଂବିଧାନ ପ୍ରଣୟନୀ ସଭାରେ ବିଚାର ବିମର୍ଶ କରାଯାଇଥିଲା। କେତେକ ସଦସ୍ୟ ଭାରତ ସପକ୍ଷରେ ଏବଂ ଅନ୍ୟ କେତେକ ସଦସ୍ୟ ଇଣ୍ଡିଆ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ପ୍ରଲମ୍ବିତ ବିତର୍କ ପରେ ଉଭୟ ନାମକୁ ସଂବିଧାନରେ ସ୍ଥାନିତ କରାଯାଇଥିଲା। ଭାରତୀୟ ସଂବିଧାନର ପ୍ରଥମ ଧାରାରେ ଲେଖାଯାଇଛି ଯେ ‘ଇଣ୍ଡିଆ ଦାଟ୍ ଇଜ୍ ଭାରତ ସାଲ୍ ବି ଏ ୟୁନିଅନ୍ ଅଫ୍ ଷ୍ଟେଟ୍‌ସ,’ ଅର୍ଥାତ୍ ଇଣ୍ଡିଆ ଯାହା ଭାରତ ତାହା ରାଜ୍ୟଗୁଡ଼ିକର ଏକ ସଂଘ ଅଟେ। ଗୋଟିଏ ଦେଶର ଅନେକ ନାମ ରହିବାରେ ଅସ୍ୱାଭାବିକତା ନାହିଁ। ଆମ ଦେବଦେବୀମାନଙ୍କର ତ ସହସ୍ର ନାମ ବିଦ୍ୟମାନ। ଆମ ଦେଶରେ କ୍ୱଚିତ୍ କେହି ଲୋକ ଅଛନ୍ତି ଯାହାଙ୍କର ଏକାଧିକ ନାମ ନାହିଁ। ଆମର ଡାକ ନାଁ ରହିଛି ପୁଣି ରହିଛି ଭଲ ନାଁ। ଆମ ମା’ମାନେ ପୁଣି ଅତି ସ୍ନେହରେ ଆଉ ଗୋଟେ ନାଁରେ ଆମକୁ ସମ୍ବୋଧନ କରନ୍ତି। ତେବେ ମା’ ଡାକୁଥିବା ନାଁଟି ସବୁଠାରୁ ମିଠା, ଗୁରୁଜନମାନଙ୍କ ଦ୍ୱାରା ଦିଆଯାଇଥିବା ନାଁଟି ଆମର ପରିଚୟ। ଭାରତ ନାମ ପଛରେ ମାତୃ ଆଶୀର୍ବାଦ ନିଶ୍ଚୟ ରହିଛି। ଯେଉଁ ଭରତଙ୍କ ନାମରୁ ଭାରତ ହୋଇଥାଉ ନା କାହିଁକି, ମା’ ବିନା ନାମ କାହିଁ? ପୁଣି ମୁନିଋଷି ଆଦି ଗୁରୁଗରୀୟାନଙ୍କ ପ୍ରଦତ୍ତ ନାମ ବି ଭାରତ। ସୁତରାଂ ମାଧୁର୍ଯ୍ୟ ଓ ଗାମ୍ଭୀର୍ଯ୍ୟ ଦୃଷ୍ଟିରୁ ଭାରତ ନାମର ପଟାନ୍ତର ନାହିଁ।
ମୋ: ୯୪୩୭୧୪୩୮୯୬

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe