ବହୁବଚନ: ବର୍ଷା ବନ୍ଦନା

Advertisment

ଯେତେବେଳେ ଦୂର ପାହାଡ଼ ମଥାନରେ କଳାମେଘ ଚକା ଭଉଁରି ଖେଳେ, ସଦ୍ୟସ୍ନାତା ଦିଗଙ୍ଗନାର ଲାଜରା ମୁହଁ ଦିଶେ ନଇଁଲା ଆକାଶର ଆଇନାରେ ଏବଂ ଭିଜାମାଟିର ଶିହରଣରେ ଆତ୍ମହରା ହୁଏ ଗାଁ ଦାଣ୍ଡ, ଲାଗେ ‘ରଜ’ ଆସିଛି।

ଯେତେବେଳେ ଦୂର ପାହାଡ଼ ମଥାନରେ କଳାମେଘ ଚକା ଭଉଁରି ଖେଳେ, ସଦ୍ୟସ୍ନାତା ଦିଗଙ୍ଗନାର ଲାଜରା ମୁହଁ ଦିଶେ ନଇଁଲା ଆକାଶର ଆଇନାରେ ଏବଂ ଭିଜାମାଟିର ଶିହରଣରେ ଆତ୍ମହରା ହୁଏ ଗାଁ ଦାଣ୍ଡ, ଲାଗେ ‘ରଜ’ ଆସିଛି।

dssdcxxc

ବିଜୟ ନାୟକ

ଯେତେବେଳେ ଦୂର ପାହାଡ଼ ମଥାନରେ କଳାମେଘ ଚକା ଭଉଁରି ଖେଳେ, ସଦ୍ୟସ୍ନାତା ଦିଗଙ୍ଗନାର ଲାଜରା ମୁହଁ ଦିଶେ ନଇଁଲା ଆକାଶର ଆଇନାରେ ଏବଂ ଭିଜାମାଟିର ଶିହରଣରେ ଆତ୍ମହରା ହୁଏ ଗାଁ ଦାଣ୍ଡ, ଲାଗେ ‘ରଜ’ ଆସିଛି। ରଜପର୍ବ ଆଉ କ’ଣ କି? କର୍ଷଣମୁଖୀ ମାଟି ଓ ବର୍ଷଣମନସ୍କ ମେଘର ଗାଥା ତ! ଯଦି ମାଟି ନାହିଁ କି ମେଘ ନାହିଁ, ଜୀବନ କାହିଁ? ଆହା- ଆମ ପୂର୍ବଜମାନେ କାହିଁ କେଉଁ କାଳରୁ ଜୀବନର ଏହି ମହାପର୍ବ ପାଳିଆସୁଛନ୍ତି, ଗାଇଆସୁଛନ୍ତି ବର୍ଷା ବନ୍ଦନା। ହସଖୁସି ଦିଆନିଆ ଠାରୁ ଆଉ ବଡ଼କଥା କି ଅଛି ସଂସାରରେ?
ରଜ କିନ୍ତୁ ଆସୁଛି ଆଜିକାଲି କ୍ୟାଲେଣ୍ଡର୍‌ର ଲାଲ୍ ସଙ୍କେତରେ। ବନସ୍ତରେ ଗଜର ଡାକ ଶୁଭୁନାହିଁ, ଶୁଭୁଛି ଆର୍ତ୍ତ ଚିତ୍କାର। ରଜଦୋଳି କଟମଟ ଆଉ କାହିଁ? କାହିଁ ବାଗୁଡ଼ି ଖେଳ କି ତାସ୍ ପାଲିର ଆସର? କାହିଁ ପିଠାମିଠାର ବାସ୍ନା, ପାନ ଭିତରେ ମନର ମହକ! ରଜର ନିଆରାପଣ ହଜିଗଲାଣି କେବେଠୁ? ଖବରକାଗଜରେ ସରକାରୀ ବିଜ୍ଞାପନ ଅଥବା ମଞ୍ଚରେ ବରାଦି ନାଚଗୀତ ଭିତରେ ରଜ ଆସି ଆସୁନାହିଁ। ହେଲେ ସେ ଆମ କାନେକାନେ କିଛି କହିଯାଉଛି ତ? ହଁ, ରଜ ଚରାଚର କଥା କହୁଛି, ବଖାଣୁଛି ପ୍ରକୃତିର ଅନ୍ତର୍ଦାହ। ପ୍ରକୃତିର ଗୋଟିଏ ଆଖିରେ ଲୁହ, ଅନ୍ୟଟିରେ ଲହୁ।
ଋତୁମାନେ ଆଉ ବୋଲମନା ହୋଇ ନାହାନ୍ତି। ଜଳବାୟୁର ଆକସ୍ମିକ ପରିବର୍ତ୍ତନ ମଣିଷ ସମାଜ ପାଇଁ ଏକ ନୂଆ ଆହ୍ୱାନ ହୋଇ ଉଭା ହୋଇଛି। ଉତ୍ତାପ ବୃଦ୍ଧି ଯୋଗୁଁ ଦେଖାଦେଇଛି ତୁଷାର ତରଳିବାର ଆଶଙ୍କା ଯାହାର ପ୍ରଭାବରେ ସମୁଦ୍ର ପତ୍ତନର ବୃଦ୍ଧି ଅବଶ୍ୟମ୍ଭାବୀ ହୋଇପଡ଼ିଛି। ନୀଳସମୁଦ୍ର କୃଷ୍ଣବର୍ଣ୍ଣ ଧାରଣ କଲାଣି। ଏହା ଶୈବାଳ ଓ ସାମୁଦ୍ରିକ ଜୀବମାନଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଉଛି। ଦ୍ୱୀପଦେଶମାନଙ୍କର ସ୍ଥିତି ସଙ୍କଟାପନ୍ନ ହେଲାଣି। ଜଳାଭାବରୁ ନଦୀମାନେ ଶୁଷ୍କ ହେବାକୁ ଲାଗିଲେଣି। ଜଙ୍ଗଲକ୍ଷୟ ମୃତ୍ତିକାକ୍ଷୟର ବାଟ ଫିଟାଇଛି। ବିଜ୍ଞାନୀ ମଣିଷର ଅହମିକା କିନ୍ତୁ ହ୍ରାସ ପାଉନାହିଁ। ଭୌତିକ ସୁଖର ସାରଥି ସାଜିଛି ବୈଷୟିକ ଜ୍ଞାନକୌଶଳ। ସହାବସ୍ଥାନର ମନ୍ତ୍ର ଭୁଲି ସାରିଛି ମଣିଷ ଜାତି।
ନିଜ ସୁଖ ଓ ନିଜ ପରିବାରର ସ୍ୱାଚ୍ଛନ୍ଦ୍ୟ ପାଇଁ ଅହରହ ବ୍ୟସ୍ତବିବ୍ରତ ମଣିଷ ପାଖରେ ପ୍ରକୃତି ବା ପୃଥିବୀ କଥା ଚିନ୍ତା କରିବାକୁ ସମୟ କାହିଁ? ପିତାମାତାଙ୍କର ଚିନ୍ତା, ସେମାନଙ୍କ ପିଲାମାନେ କିପରି ଭଲ ସ୍କୁଲକଲେଜରେ ପାଠ ପଢ଼ିବେ, ଭଲ ପଢ଼ି ବଡ଼ ଚାକିରି କରିବେ ପୁଣି ଧନସମ୍ପଦରେ ଘର ଭରିବେ। ପିଲାମାନଙ୍କର ଶୁଭ ଚିନ୍ତା ଅଶୁଭ କଦାପି ନୁହେଁ। କିନ୍ତୁ ଆମେ କେବେ ଚିନ୍ତା କରିଛୁ କି, ଆମ ପିଲାମାନଙ୍କ ପାଇଁ ଶୁଦ୍ଧ ବାୟୁ ଅଛି କି, ଅଛି କି ବିଶୁଦ୍ଧ ଜଳ? ସେମାନେ ଆଉ ଇନ୍ଦ୍ରଧନୁ ବା ମେଘମଲ୍ଲାର ଦେଖିବାକୁ ପାଇବେ ନା ନାହିଁ! ଫୁଲର ବାସ୍ନା, ଚଢ଼େଇମାନଙ୍କ କିଚିରିମିଚିରି, ବର୍ଷାର ନିକ୍ୱଣ, ଝରଣାର ଝଙ୍କାର- ଏସବୁ ସେମାନଙ୍କ ପାଇଁ ସାତ ସପନ ହେବ ନାହିଁ ତ? ଆମେ ବୁଝିବା ଉଚିତ ନୁହେଁ କି ଆମ ପରପିଢ଼ି ପାଇଁ ଆମେ ଗୋଟେ ଦାରୁଣ ପୃଥିବୀ ଛାଡ଼ିଯାଉଛୁ, ଯେଉଁଠି ନିଃଶ୍ୱାସ ନେବା ସହଜ ହେବନାହିଁ, ତୃଷା ମେଣ୍ଟାଇବା ପାଇଁ ନଥିବ ପର୍ଯ୍ୟାପ୍ତ ଜଳ, ଶସ୍ୟ ନଥିବ କ୍ଷେତରେ କି ଫଳ ନଥିବ ଗଛରେ!
ଭୋଗ ପାଇଁ ଆମେ ପ୍ରତି ମୁହୂର୍ତ୍ତରେ ପ୍ରକୃତିର ଅବାଧ ଶୋଷଣ କରିଚାଲିଛୁ। ଆମ ଶୋଷଣରେ ଅମିତ କଷଣ ଭୋଗୁଛି ବସୁନ୍ଧରା। ପ୍ରଗତି ବିନା ଅବଶ୍ୟ ସାମ୍ପ୍ରତିକ ପୃଥିବୀର ଗତି ନାହିଁ। କିନ୍ତୁ ପ୍ରଗତି ପ୍ରକୃତିର ପରିପନ୍ଥୀ ହେବା ସ୍ପୃହଣୀୟ ନୁହେଁ। ପର୍ଯ୍ୟଟନ ପର୍ଯ୍ୟାବରଣର ପ୍ରତିପକ୍ଷ ହେବା ଅଥବା ବିକାଶ ବିନାଶର ବାଟ ଫିଟାଇବା କ’ଣ ଗ୍ରହଣୀୟ? ସର୍ବନିମ୍ନ ଆବଶ୍ୟକତା ପାଇଁ କାମଧେନୁର ଦୋହନ ଦୋଷାବହ ନୁହେଁ। କିନ୍ତୁ ଭୋଗ ବିଳାସ ପାଇଁ ପ୍ରକୃତିକୁ ବଳୀ ପକାଇବା ଶାସ୍ତ୍ରାନୁମୋଦିତ ନୁହେଁ କି ନୁହେଁ ବିଜ୍ଞାନସମ୍ମତ। ତେବେ ସବୁ ବୁଝି ଅବୁଝା ହେଉଥିବା ଗୋଟେ ପ୍ରଜାତିର ନାଁ ବୋଧେ ମଣିଷ।
ପ୍ରକୃତିକୁ ପୂଜା କରିବା ପଛରେ ନିହିତ ବିଶ୍ୱାସ ନା ବିଜ୍ଞାନ? ଅନେକତ୍ର ଧର୍ମଧାରଣା ପଛରେ ଥାଏ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ। ସବୁ ବିଶ୍ୱାସ କଦାପି ଅନ୍ଧବିଶ୍ୱାସ ନୁହେଁ। ଖରାଦିନେ ଗଛମୂଳରେ ପାଣି ଦେଲେ କେଉଁ ଧର୍ମ ମିଳେ? କିନ୍ତୁ ଗଛ ବଞ୍ଚିଯାଏ। ଏହା ହିଁ ସତ୍ୟ। ବର-ଓସ୍ତ ଗଛକୁ ବାହା କରାଇବା ପରମ୍ପରା କ’ଣ ଆମ ପୂର୍ବପୁରୁଷଙ୍କ ନିର୍ବୋଧତା? ନା, ଏହା ପ୍ରକୃତି ସୁରକ୍ଷାର କବଚ। ଏଗୁଡ଼ିକ ପ୍ରକୃତି ଅନୁକୂଳ ଜୀବନଶୈଳୀର କେତୋଟି ଉଦାହରଣ ମାତ୍ର। ମାଟିଠାରୁ ବଡ଼ ମା’ କିଏ ଅଛି ସଂସାରରେ, ନଈଠାରୁ ଅଛି କି କେହି ବଡ଼ ଧାଈ? ଆଦିବାସୀ ଜନଜୀବନରେ ଏ ପରମ୍ପରା ଆହୁରି ପ୍ରଗାଢ଼। ଜମି, ଜଳ ଓ ଜଙ୍ଗଲ ସହିତ ଆଦିବାସୀମାନଙ୍କ ଜୀବନ ଓତପ୍ରୋତ ଭାବରେ ଜଡ଼ିତ। ଭାରତର ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବାପା ଚାଷ ଆରମ୍ଭ କଲାବେଳେ ଜମିକୁ ଜୁହାର ହୁଅନ୍ତି, ଶୁଖିଲା ଡାଳ ହାଣିଲା ବେଳେ କାଠକୁ ଜୁହାର ହୁଅନ୍ତି ବୋଲି ଏକାଧିକ ଅବସରରେ ବକ୍ତବ୍ୟ ଛଳରେ କହିଛନ୍ତି। ହଳଲଙ୍ଗଳର ଆଘାତରେ ମାଟି ପୀଡ଼ା ପାଏ, ଅନେକ କୀଟପତଙ୍ଗ ନାଶ ଯାଆନ୍ତି। କାଠ ବି ଦିନେ ଗଛ ଥିଲା, ଛାୟା ପ୍ରଦାନ କରୁଥିଲା। ମାଟିକୁ କ୍ଷମା ମାଗିବା, ଗଛ ପ୍ରତି କୃତଜ୍ଞ ରହିବା, ପାହାଡ଼କୁ ପୂଜା କରିବା- ଏସବୁ ଜୀବନୋପଯୋଗୀ ଜନଜାତୀୟ ପ୍ରଥା। ପ୍ରକୃତି ସହିତ ମିଳିମିଶି ଚଳିବାର ଏହା ପ୍ରକୃଷ୍ଟ ଦୃଷ୍ଟାନ୍ତ। ଓଡ଼ିଶାର ରାଷ୍ଟ୍ରଦେବତା ଜଗନ୍ନାଥ ପୁଣି ଦାରୁଦେବତା। ଏହାର ଅର୍ଥ, ଗଛବୃଛ ସବୁଠି ଈଶ୍ୱର ବିଦ୍ୟମାନ। ପୁଣ୍ୟାତ୍ମା ଗୋପବନ୍ଧୁ ଏହି ଚିନ୍ତାକୁ ଦେଇଛନ୍ତି ଚମତ୍କାର କାବ୍ୟରୂପ: “ଭାରତର ପ୍ରତି ବୃକ୍ଷ କଳ୍ପବଟ, ପ୍ରଭୁ ଜଗନ୍ନାଥ ସର୍ବତ୍ର ପ୍ରକଟ।” ସୁତରାଂ ପ୍ରକୃତି ସୁରକ୍ଷା ହିଁ ଈଶ୍ୱର ଆରାଧନା।
ପ୍ରକୃତିର ଆଶୀର୍ବାଦ ବିନା ଜୀବନ କାହିଁ? ମଣିଷ ସବୁକାଳେ ତେଣୁ ମାଗିଆସିଛି ଶକ୍ତିସ୍ୱରୂପା ପ୍ରକୃତିର ଅନୁକମ୍ପା, ଅନୁଗ୍ରହ, “କାଳେ ବର୍ଷତୁ ପର୍ଜନ୍ୟଃ ପୃଥିବୀ ଶସ୍ୟଶାଳିନୀ”। କିନ୍ତୁ କିଛି ମାଗିବା ପୂର୍ବରୁ ପ୍ରକୃତିକୁ ବହୁତ କିଛି ଦେବାର ଅଛି। ବିପୁଳ ବିଶ୍ୱକୁ ନିଃସ୍ୱ କରି ମାଗିବାର ଅର୍ଥ ମୂଢ଼ତା ନୁହେଁ କି?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୧୪୩୮୯୬

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe