ବହୁବଚନ: ବ୍ରାତିସ୍ଲାଭାରେ ରାମାୟଣ କଣ୍ଢେଇନାଚ

Advertisment

ଅମିତାଭ ବଚ୍ଚନ ଓ ଇମ୍ରାନ୍ ହାସ୍‌ମୀଙ୍କ ଅଭିନୀତ ‘ଚେହରେ’ ଚଳଚ୍ଚିତ୍ର ଖୁବ୍ ପୁରୁଣା ନୁହେଁ। ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏହି ରହସ୍ୟ ଓ ରୋମାଞ୍ଚଭରା ସିନେମା ‘ଉତ୍କଣ୍ଠା’ ଓ ‘ସୁନ୍ଦରତା’ ପାଇଁ ସୁପ୍ରସିଦ୍ଧ।

ଅମିତାଭ ବଚ୍ଚନ ଓ ଇମ୍ରାନ୍ ହାସ୍‌ମୀଙ୍କ ଅଭିନୀତ ‘ଚେହରେ’ ଚଳଚ୍ଚିତ୍ର ଖୁବ୍ ପୁରୁଣା ନୁହେଁ। ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏହି ରହସ୍ୟ ଓ ରୋମାଞ୍ଚଭରା ସିନେମା ‘ଉତ୍କଣ୍ଠା’ ଓ ‘ସୁନ୍ଦରତା’ ପାଇଁ ସୁପ୍ରସିଦ୍ଧ।

dfdfcvvc

ବିଜୟ ନାୟକ

ଅମିତାଭ ବଚ୍ଚନ ଓ ଇମ୍ରାନ୍ ହାସ୍‌ମୀଙ୍କ ଅଭିନୀତ ‘ଚେହରେ’ ଚଳଚ୍ଚିତ୍ର ଖୁବ୍ ପୁରୁଣା ନୁହେଁ। ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏହି ରହସ୍ୟ ଓ ରୋମାଞ୍ଚଭରା ସିନେମା ‘ଉତ୍କଣ୍ଠା’ ଓ ‘ସୁନ୍ଦରତା’ ପାଇଁ ସୁପ୍ରସିଦ୍ଧ। ସିନେମାରେ ପ୍ରତିଫଳିତ ଅପୂର୍ବ ଦୃଶ୍ୟଦୃଶ୍ୟାନ୍ତରର ଉତ୍ସ କେଉଁ ଦେଶ? ସ୍ଲୋଭାକିଆ: ନୈସର୍ଗିକ ସୁଷମାର ଗନ୍ତାଘର; ଏକ ଛୋଟ ଅଥଚ ଛବିଳ ଇଉରୋପୀୟ ଦେଶ। ଦାନ୍ୟୁବ୍ ନଦୀ ତଟରେ ଅବସ୍ଥିତ ଏହାର ରାଜଧାନୀ ବ୍ରାତିସ୍ଲାଭା, ବିବିଧ ସୌନ୍ଦର୍ଯ୍ୟର ଅଲିଭା ଇନ୍ଦ୍ରଧନୁ। ଅଳ୍ପଦିନ ତଳେ ସେହି ଦେଶକୁ ଗସ୍ତ କରିଥିଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ପ୍ରତିନିଧି ମଣ୍ଡଳୀର ଅନ୍ୟତମ ସଦସ୍ୟ ଭାବରେ ‘ବ୍ରାତିସ୍ଲାଭା’ ନଗରୀରେ ସ୍ୱଳ୍ପ ରହଣିର ସୁଯୋଗ ଲଭିଥିଲା ଏ ଲେଖକ। ସେଠାକାର ଦିଗଦିଗନ୍ତର ଶୋଭା ସାଙ୍ଗକୁ ସଞ୍ଜ ସମୀରର ମଧୁର ଦଂଶନ ଭୁଲିବାର ନୁହେଁ।
ମାନନୀୟ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆୟୋଜିତ ସାନ୍ଧ୍ୟଭୋଜିର ଆରମ୍ଭରେ ଦୁଇଦେଶର ଜାତୀୟ ସଙ୍ଗୀତ ପରିବେଷଣ ବିଧିସମ୍ମତ। ବିଦେଶରେ ଅନେକତ୍ର ଭାରତୀୟ ଜାତୀୟ ସଙ୍ଗୀତ ତାଳବାଦ୍ୟରେ ପରିବେଷିତ ହୁଏ। କିନ୍ତୁ ବ୍ରାତିସ୍ଲାଭା ରାଜପ୍ରାସାଦରେ ଆୟୋଜିତ ଭୋଜି ଅବସରରେ ସ୍ଲୋଭାକ୍ ଛାତ୍ରୀମାନେ ‘ଜନଗଣମନ’ ଗାନ କରିଥିଲେ। ସେମାନଙ୍କ ନିର୍ଭୁଲ୍‌ ଉଚ୍ଚାରଣ ସମସ୍ତଙ୍କୁ ଯୁଗପତ୍ ଚକିତ ଓ ପୁଲକିତ କରିଥିଲା। ଭାରତ ପ୍ରତି ସ୍ଲୋଭାକିଆର ଅପ୍ରତିମ ପ୍ରୀତିର ଏହା ନିଦର୍ଶନ। କିନ୍ତୁ ଏହା ଥିଲା ଉପକ୍ରମ ମାତ୍ର।
ତତ୍‌ପରଦିନ ଏକ ଚିତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ ରାଷ୍ଟ୍ରପତି ମହୋଦୟା। ପୂର୍ବରୁ ସ୍ଲୋଭାକ୍ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାରତୀୟ ଦର୍ଶନ ସମ୍ବଳିତ ଏକ ଚିତ୍ର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଯାହାର ବିଷୟବସ୍ତୁ ରଖାଯାଇଥିଲା, ‘ପରୀ କଥାରେ ଲୁକ୍କାୟିତ ସୌନ୍ଦର୍ଯ୍ୟ: ସ୍ଲୋଭାକ୍ ବାଳକବାଳିକାଙ୍କ ଦୃଷ୍ଟିରେ ଭାରତ।’ ପ୍ରତିଯୋଗିତାରେ ଅଙ୍କିତ ବଛାବଛା ଚିତ୍ରସମୂହ ପ୍ରଦର୍ଶନୀରେ ସ୍ଥାନିତ ହୋଇଥିଲା। ପ୍ରଦର୍ଶନୀର ଆକର୍ଷଣ ଥିଲା ରାମ, କୃଷ୍ଣ, ଦୁର୍ଗା, ଅଶୋକବନର ସୀତା, ପ୍ରହ୍ଲାଦଙ୍କ ତପସ୍ୟା ଆଦି ଚିତ୍ର ସହିତ ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରତିକୃତି। ଆହା- ଭାରତ ବାହାରେ ଭାରତ ପ୍ରତି କି ଅନୁରାଗ! ପରବର୍ତ୍ତୀ ପର୍ଯ୍ୟାୟଟି ଥିଲା ଆହୁରି ଆକର୍ଷଣୀୟ ଓ ଆମୋଦପ୍ରଦ, ଏକ ନାତିବୃହତ୍ ପ୍ରେକ୍ଷାଳୟରେ ରାମାୟଣ ଆଧାରିତ କଣ୍ଢେଇନାଚ। ସ୍ଲୋଭାକ୍ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଉଛୁଳିଥିଲା ସଭାଗୃହ। ମଞ୍ଚରେ ଅଭିନୀତ ହେଉଥିଲା କଣ୍ଢେଇନାଚ। ରାମସୀତାଙ୍କ ବନବାସ ପିଲାମାନଙ୍କ ମନରେ ଶୋକ ସଞ୍ଚରିତ କରୁଥିଲାବେଳେ ହନୁମାନଙ୍କ ଲଙ୍କାଦହନ ଦୃଶ୍ୟ ଦେଖି ହର୍ଷୋତ୍‌ଫୁଲ୍ଲିତ ହେଉଥିଲେ ବିଦ୍ୟାର୍ଥୀଗଣ। ଆଶ୍ଚର୍ଯ୍ୟ ହେଉଥିଲେ ପୁଣି ଦଶମୁଣ୍ଡିଆ ରାବଣର ରଣହୁଙ୍କାର ଶୁଣି। କଣ୍ଢେଇନାଚର ମଧ୍ୟେ ମଧ୍ୟେ ଛାୟାଦୃଶ୍ୟ ମଧ୍ୟ ପ୍ରଦର୍ଶିତ ହେଉଥିଲା। ରାମାୟଣ ଏଡ଼େ ଲୋକପ୍ରିୟ ଦେଶଦେଶାନ୍ତରେ! ତାହା ସ୍ୱଚକ୍ଷୁରେ ନ ଦେଖିଲେ କ’ଣ ବିଶ୍ୱାସ କରିହେବ? 
ଚେକୋସ୍ଲୋଭାକିଆର ଅଂଶ ଥିବାବେଳୁ ସ୍ଲୋଭାକିଆ ସହିତ ଭାରତର ନିବିଡ଼ ସମ୍ପର୍କ ରହିଆସିଛି। ଦୀର୍ଘ ବର୍ଷ ଧରି ହଙ୍ଗେରି ଏହାକୁ ଶାସନ କରୁଥିଲା। ହଙ୍ଗେରି ଆଧିପତ୍ୟରୁ ମୁକ୍ତ ହୋଇ ଗଠିତ ହୋଇଥିଲା ଚେକୋସ୍ଲୋଭାକିଆ ଦେଶ। କିନ୍ତୁ ଚେକୋସ୍ଲୋଭାକିଆରେ ସ୍ଲୋଭାକ୍‌ମାନଙ୍କର ପ୍ରାଧାନ୍ୟ ନ ଥିଲା। ସେମାନେ ଏକ ପୁରୁଣା ଜାତି କିନ୍ତୁ ନୂଆ ସାର୍ବଭୌମ ଦେଶ ଭାବରେ ଆବିର୍ଭୂତ ହେଲେ ୧୯୯୨ ମସିହା ଜୁଲାଇ ମାସରେ। ୧୯୯୩ ମସିହା ଜାନୁଆରି ମାସରେ ଏହା ରୂପାନ୍ତରିତ ହେଲା ସ୍ୱାଧୀନ ଗଣରାଜ୍ୟରେ।
ସେହି ସୁନ୍ଦର ସହରରେ ଅବସ୍ଥିତ ‘ଫ୍ରିଡମ୍ ଗେଟ୍’କୁ ଯାଇ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଷ୍ଟ୍ରପତି ମହୋଦୟା। ଦୁଇ ନଈ ‘ମୋରାବା’ ଓ ‘ଦାନ୍ୟୁବ୍’ର ସଙ୍ଗମ ସ୍ଥଳୀ ଓ ଦେବିନ୍ ପ୍ରାସାଦର ନିକଟରେ ଅବସ୍ଥିତ ଏହି ‘ଫ୍ରିଡମ୍ ଗେଟ୍’ ସ୍ଲୋଭାକ୍ ମୁକ୍ତିକାମୀ ଜନତାର ସଂଘର୍ଷ ଓ ସମର୍ପଣର ସ୍ମାରକୀ। ଏହି ଗେଟ୍‌ରେ ଭଙ୍ଗା ଲୁହାଛଡ଼ ଓ ବୁଲେଟ୍ ଚିହ୍ନ ଅଙ୍କିତ ହୋଇଛି। ଚେକୋସ୍ଲୋଭାକିଆରେ କମ୍ୟୁନିଷ୍ଟ ଶାସନ ପ୍ରଚଳିତ ଥିବାବେଳେ ଅନେକ ସ୍ୱାଧୀନଚେତା ଲୋକ ଏକଛତ୍ରବାଦୀ ଶାସନ ଓ ବନ୍ଧନଯୁକ୍ତ ପରିବେଶକୁ ସହ୍ୟ କରି ନ ପାରି ଦାନ୍ୟୁବ୍ ନଈ ଡେଇଁ ଦେଶାନ୍ତର ଗମନ କରୁଥିଲେ। ବିଦ୍ୟୁତ୍ ସଂଯୁକ୍ତ ତାରବାଡ଼ ସଂସ୍ପର୍ଶରେ ଆସି ନ ହେଲେ ଗୁଳିମାଡ଼ ଖାଇ ପ୍ରାୟ ପାଞ୍ଚ ଶହ ଲୋକ ୧୯୪୫ରୁ ୧୯୮୯ ମସିହା ମଧ୍ୟରେ ପ୍ରାଣ ହରାଇଥିଲେ। ସେମାନଙ୍କ ସ୍ମୃତିରେ ନିର୍ମିତ ଏହି ଗେଟ୍ ସ୍ଲୋଭାକ୍‌ମାନଙ୍କ ସ୍ୱାଧୀନତା ପ୍ରତି ଅଙ୍ଗୀକାରର ଜୀବନ୍ତ ପ୍ରତୀକ। ଦାନ୍ୟୁବ୍ ନୌଯାତ୍ରା ବେଳେ ନୌକାରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜଣେ ଘୋଷକ ଭାରତ-ସ୍ଲୋଭାକିଆ ସମ୍ପର୍କ ବିଷୟରେ ବଖାଣିବା କ୍ରମରେ ଲୁହାର ବ୍ୟବହାର ବିଶ୍ୱକୁ ଭାରତର ଅବଦାନ ବୋଲି ବାରମ୍ବାର କହୁଥିଲେ। ପଶ୍ଚିମ ଅଧୁନା ପୂର୍ବମୁହଁା। ଆମ୍ଭେମାନେ ଆଉ କେତେଦିନ ପଶ୍ଚିମ-ମୁହାଁ ହୋଇ ରହିବା? ନଦୀଗୁଡ଼ିକୁ ନବପରିଣୀତା ପରି କିପରି ସଜ୍ଜାଯାଏ, ତାହା ୟୁରୋପୀୟମାନଙ୍କ ଠାରୁ ଶିଖିବା କଥା। ନଈକୁ ଆମେ ମା’ ମାନୁ, କିନ୍ତୁ ଆବର୍ଜନାରେ ଭରୁ। ସେମାନେ ନଈକୁ ମା’ ମାନନ୍ତି ନାହିଁ, ମା’ ପରି କିନ୍ତୁ ଚିରସୁନ୍ଦରୀ କରି ରଖନ୍ତି।
ନିତ୍ରା ସ୍ଲୋଭାକିଆର ଏକ ପ୍ରାଚୀନ ସହର। ବ୍ରାତିସ୍ଲାଭାରୁ ନିତ୍ରା ପର୍ଯ୍ୟନ୍ତ ୯୦ କିଲୋମିଟର ବ୍ୟାପି ମୋଟରଯାତ୍ରା ଥିଲା ବେଶ୍ ରୋମାଞ୍ଚକର। ଅଦୂର ପାହାଡ଼ ଓ ସବୁଜ କେଦାରଘେରା ମସୃଣ ରାସ୍ତାରେ ମୋଟର କାର୍‌ଗୁଡ଼ିକ ଯେମିତି ପହଁରି ପହଁରି ଚାଲୁଥିଲେ। ସେହି ସହରରେ ଅବସ୍ଥିତ କନ୍‌ଷ୍ଟାଣ୍ଟିନ୍ ଦ ଫିଲୋସଫର୍ ବିଶ୍ୱବିଦ୍ୟାଳୟ ତରଫରୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନଜନକ ଡକ୍ଟରେଟ୍ ପ୍ରଦାନ କରାଯାଇଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ନାରୀ ଜାଗୃତିର ପ୍ରତୀକ, ବଞ୍ଚିତ ବର୍ଗଙ୍କ ଅଧିକାରର ଅଧିବକ୍ତା ଓ ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ଭାବରେ ବର୍ଣ୍ଣନା କରିଥିଲେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୧୪୩୮୯୬
[ବି.ଦ୍ର.- ‘ସତ କହୁଛି’ ସ୍ତମ୍ଭ ମଙ୍ଗଳବାର ପ୍ରକାଶ ପାଇବ]

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe