ରାମ, ସୁଗ୍ରୀବ

Advertisment

ମନେ ରଖିବା କଥା ଯେ ଉଭୟ ଦେଶ ମଧ୍ୟରେ କେବଳ ସଂପର୍କରେ ଉନ୍ନତି ଆମର ଲକ୍ଷ୍ୟ ହୋଇ ନ ପାରେ; ଏକ ବୃହତ୍ତର ଲକ୍ଷ୍ୟ ହାସଲ ପାଇଁ ଏହା ହେଉଛି ଏକ ମାଧ୍ୟମ ମାତ୍ର। ସେଇ ବୃହତ୍ତର ଲକ୍ଷ୍ୟ ହେଉଛି ଅର୍ଥନୈତିକ ପ୍ରଗତି ଓ ନିରାପତ୍ତା ନିଶ୍ଚିତ କରିବା....

ମନେ ରଖିବା କଥା ଯେ ଉଭୟ ଦେଶ ମଧ୍ୟରେ କେବଳ ସଂପର୍କରେ ଉନ୍ନତି ଆମର ଲକ୍ଷ୍ୟ ହୋଇ ନ ପାରେ; ଏକ ବୃହତ୍ତର ଲକ୍ଷ୍ୟ ହାସଲ ପାଇଁ ଏହା ହେଉଛି ଏକ ମାଧ୍ୟମ ମାତ୍ର। ସେଇ ବୃହତ୍ତର ଲକ୍ଷ୍ୟ ହେଉଛି ଅର୍ଥନୈତିକ ପ୍ରଗତି ଓ ନିରାପତ୍ତା ନିଶ୍ଚିତ କରିବା....

samp1

ମନେ ରଖିବା କଥା ଯେ ଉଭୟ ଦେଶ ମଧ୍ୟରେ କେବଳ ସଂପର୍କରେ ଉନ୍ନତି ଆମର ଲକ୍ଷ୍ୟ ହୋଇ ନ ପାରେ; ଏକ ବୃହତ୍ତର ଲକ୍ଷ୍ୟ ହାସଲ ପାଇଁ ଏହା ହେଉଛି ଏକ ମାଧ୍ୟମ ମାତ୍ର। ସେଇ ବୃହତ୍ତର ଲକ୍ଷ୍ୟ ହେଉଛି ଅର୍ଥନୈତିକ ପ୍ରଗତି ଓ ନିରାପତ୍ତା ନିଶ୍ଚିତ କରିବା, ଯେଉଁଥିପାଇଁ ଉଭୟ ଦେଶ ମଧ୍ୟରେ ଉତ୍ତମ ସଂପର୍କ ସହାୟକ ହେବ।

୧୯୬୨ର ଯୁଦ୍ଧ ପରଠାରୁ ପରସ୍ପରକୁ ଶତ୍ରୁ ରୂପେ ଦେଖି ଆସିଥିବା ଦୁଇ ପଡ଼ୋଶୀ ଦେଶ ଭାରତ ଓ ଚୀନ୍ ବର୍ତ୍ତମାନ ସେଇ ଦୀର୍ଘ ଶତ୍ରୁତାରେ ବିରତି ପ୍ରଦାନ କରି ପରସ୍ପରର ନିକଟତର ହେବା ପାଇଁ ଉଦ୍ୟମ ଆରମ୍ଭ କରିବାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଛନ୍ତି। ଅବଶ୍ୟ ଏଥିପାଇଁ ‌ମଧ୍ୟ ସେ ନୋବେଲ୍ ଶାନ୍ତି ପୁରସ୍କାର ପାଇବା ନିମିତ୍ତ ହକ୍‌ଦାର ବୋଲି ଟ୍ରମ୍ପ ଏ ପର୍ଯ୍ୟନ୍ତ ଦାବି କରିନାହାନ୍ତି; କିନ୍ତୁ କିଏ ଜାଣେ ଏହା କେତେବେଳେ ଯେ ତାଙ୍କର ଉର୍ବର ମସ୍ତିଷ୍କରେ ନ ଢୁକିବ? ତେବେ ଅଡୁଆ କଥା ହେଲା, ଚୀନ୍ ଓ ଭାରତ ମଧ୍ୟରେ ସଂପର୍କରେ ଉନ୍ନତି ଘଟିବାର ଯେଉଁ ସମ୍ଭାବନା ବର୍ତ୍ତମାନ ଉଙ୍କି ମାରିବାକୁ ଆରମ୍ଭ କରିଛି, ତାହା ଟ୍ରମ୍ପଙ୍କର ମଧ୍ୟସ୍ଥତା ଯୋଗୁଁ ନୁହେଁ, ତାହାର କାରଣ ହେଉଛି ଏ ଉଭୟ ଦେଶଙ୍କ ପ୍ରତି ସେ ପ୍ରଦର୍ଶନ କରିଥିବା ତୀବ୍ର ବିଦ୍ବେଷମୂଳକ ଆଚରଣ। ସମାନ ଦଶାର ସମ୍ମୁଖୀନ ହୋଇ ପରସ୍ପରକୁ ସାହାଯ୍ୟ କରିବା ପାଇଁ ରାମ, ସୁଗ୍ରୀବ ହାତ ମିଳାଇ ଥିବା ଭଳି ଟ୍ରମ୍ପ ଟାରିଫ୍‌ର ମୁକାବିଲା କରିବା ପାଇଁ ଭାରତ, ଚୀନ୍ ବର୍ତ୍ତମାନ ହାତ ମିଳାଇବାକୁ ପ୍ରସ୍ତୁତ ହେଉଛନ୍ତି।
ପୃଥିବୀର ଏକ-ତୃତୀୟାଂଶ ଲୋକସଂଖ୍ୟା ଧାରଣ କରୁଥିବା ଏହି ଦୁଇ ଦେଶ ମଧ୍ୟରେ ଯେଉଁ କାରଣରୁ ବି ସଂପର୍କରେ ଉନ୍ନତିର ସମ୍ଭାବନା ଦେଖା ଦେଇଥାଉ ନା କାହିଁକି, ଏହା କେବଳ ଏହି ଦୁଇ ଦେଶ ପାଇଁ ନୁହେଁ, ସାରା ପୃଥିବୀ ପାଇଁ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ। ଅବଶ୍ୟ ଏଇ ସହଯୋଗର ପଥରେ ଯେ ଆମକୁ ଅତ୍ୟନ୍ତ ସାବଧାନତାର ସହିତ ଅଗ୍ରସର ହେବାକୁ ପଡ଼ିବ, ଅତୀତର ଇତିହାସରୁ ଆମେ ତାହା ଶିକ୍ଷା କରିଛୁ। ବର୍ତ୍ତମାନର ବାସ୍ତବ ପରିସ୍ଥିତିକୁ ବିଚାରକୁ ନେଲେ ଚୀନ୍ ସହିତ ଏବେ ସଂପର୍କରେ ଉନ୍ନତି ଘଟାଇବା ହେଉଛି ରାଷ୍ଟ୍ରର ହିତ ଦୃଷ୍ଟିରୁ ଆମ ପାଇଁ ଉପଲବ୍‌ଧ ସର୍ବୋତ୍ତମ ବିକଳ୍ପ। ସିଧାସଳଖ କହିଲେ ଏକ ସମୟରେ ଆମେରିକା ଓ ଚୀନ୍ ଭଳି ଦୁଇଟି ଅର୍ଥନୈତିକ ଓ ସାମରିକ ମହାଶକ୍ତିଙ୍କ ସହିତ ଶତ୍ରୁତା ଆଚରଣ କରିବା ଭାରତ ପାଇଁ ମହର୍ଗ ସାବ୍ୟସ୍ତ ହୁଅନ୍ତା।
ଟ୍ରମ୍ପ ଆରମ୍ଭ କରିଥିବା ଭାରତ ବିରୁଦ୍ଧରେ ଟାରିଫ୍ ଆକ୍ରମଣ, ବିଷୋଦ୍‌ଗାର ଓ ଭାରତର ଚରମ ଶତ୍ରୁ ପାକିସ୍ତାନର ସାମରିକ ଶାସକଙ୍କ ସହିତ ମଧୁଚନ୍ଦ୍ରିକା ଯଦି ଗୋଟିଏ କିଛି କଥା ପ୍ରମାଣିତ କରିଥାଏ, ତାହା ହେଲା ଏକ ସହଯୋଗୀ ରାଷ୍ଟ୍ର ରୂପେ ଆମେରିକାର ସଂପୂର୍ଣ୍ଣ ଭରସାହୀନତା। ଚୀନ୍ ମଧ୍ୟ ଏକ ସମୟରେ ଆମେରିକା ତରଫରୁ ତତୋଽଧିକ ଚାପର ସମ୍ମୁଖୀନ- ଟାରିଫ୍‌ରୁ ଆରମ୍ଭ କରି ତାଇୱାନ ପର୍ଯ୍ୟନ୍ତ। ଚୀନ୍‌କୁ ଏହାର ମୁକାବିଲା କରିବାକୁ ପଡୁଥିବାବେଳେ, ଏଥିସହିତ ମଧ୍ୟ ଭାରତ ଭଳି ଏକ ବିଶାଳ ପଡ଼ୋଶୀ ସହିତ ଶତ୍ରୁତା ତା’ ପାଇଁ ଏକ ଦୁର୍ବିଷହ ବୋଝରେ ପରିଣତ ହୁଅନ୍ତା। ଅପରପକ୍ଷେ ଭାରତ ସହିତ ସେ ଯଦି ଏକ ସହଯୋଗମୂଳକ ସ୍ଥିର ସଂପର୍କ ପ୍ରତିଷ୍ଠା କରିପାରେ, ତାହା ପାଶ୍ଚାତ୍ୟ ପ୍ରତିରୋଧର ସମ୍ମୁଖୀନ ହେବା ପାଇଁ ସେମାନଙ୍କ ମଧ୍ୟରେ ଏକ ଦୁର୍ବାର ଐକ୍ୟର ରୂପ ପରିଗ୍ରହଣ କରନ୍ତା।
ଏଭଳି ସହଯୋଗ ପ୍ରତିଷ୍ଠା ଲାଗି ଉଭୟଙ୍କ ମଧ୍ୟରେ ପରସ୍ପରର ପରିପୂରକ ସାବ୍ୟସ୍ତ ହେବା ପାଇଁ ଅନେକ ସମ୍ଭାବନା ଉପଲବ୍‌ଧ ଅଛି। ଚୀନା ଦ୍ରବ୍ୟ ଓ ନିବେଶ ପାଇଁ ଭାରତରେ ଏକ ବିଶାଳ ବଜାର ଅପେକ୍ଷା କରି ରହିଛି। ବିଶେଷ କରି ଭିତ୍ତିଭୂମି ଓ ପ୍ରାବିଧିକ କ୍ଷେତ୍ରରେ ନିବେଶ ପାଇଁ ଚୀନ୍ ଲାଗି ଏଠାରେ ବିଶାଳ ସୁଯୋଗମାନ ଉପଲବ୍‌ଧ ଅଛି। ପରିବେଶ ସୁରକ୍ଷାରୁ ବାଣିଜ୍ୟ ନୀତିନିର୍ଦ୍ଧାରଣ ପର୍ଯ୍ୟନ୍ତ କ୍ଷେତ୍ରମାନଙ୍କରେ କାର୍ଯ୍ୟକାରୀ ହେଉଥିବା ନିୟମକାନୁନ ଆଦିକୁ ଏ ଦୁଇ ଦେଶ ଚାହିଁଲେ ମିଳିତ ଭାବରେ ନିଜର ସ୍ବାର୍ଥରକ୍ଷା ଲାଗି ପ୍ରଭାବିତ କରିପାରିବେ, ଯାହା ଏକାକୀ ହାସଲ କରିବା ସମ୍ଭବ ହୁଅନ୍ତା ନାହିଁ। ଉଭୟ ଦେଶ ଯଦି ପରସ୍ପର ମଧ୍ୟରେ ବୁଝାମଣା ମାଧ୍ୟମରେ ସେମାନଙ୍କ ମଧ୍ୟରେ ଥିବା ୩,୫୦୦ କିମି ବ୍ୟାପି ସୁଦୀର୍ଘ ସୀମାରେ ଉତ୍ତେଜନା ହ୍ରାସ କରିବାରେ ସଫଳ ହୁଅନ୍ତି, ତେବେ ସେମାନେ ସେଠାରେ ସମ୍ବଳ ଓ ସମୟ ଅପଚୟ ନ କରି ତାହାକୁ ନିଜ ନିଜ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ନିୟୋଜିତ କରିବାକୁ ସମର୍ଥ ହେବେ। ସେହିପରି ଉଭୟ ଦେଶ ମଧ୍ୟରେ ବନ୍ଦ ହୋଇଯାଇଥିବା ସିଧାସଳଖ ବିମାନ ଚଳାଚଳ ଯଦି ପୁଣି ଆରମ୍ଭ କରାଯାଏ, ତେବେ ଉଭୟ ଦେଶର ଅର୍ଥନୀତି ଏହାଦ୍ବାରା ଲାଭବାନ ହେବେ। ଚୀନ୍ ହେଉଛି ବର୍ତ୍ତମାନ ପୃଥିବୀର ଦ୍ବିତୀୟ ବୃହତ୍ତମ ବିମାନ ଯାତ୍ରା ବଜାର ଓ ଭାରତ ହେଉଛି ତୃତୀୟ ବୃହତ୍ତମ। ଉଭୟ ବଜାର ମଧ୍ୟରେ ପ୍ରତ୍ୟକ୍ଷ ଯୋଗାଯୋଗ ସ୍ଥାପନ ସ୍ବାଭାବିକ ଭାବରେ ଉଭୟ ଦେଶ ପାଇଁ ଲାଭପ୍ରଦ ହେବ। ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବର୍ତ୍ତମାନ ଅତ୍ୟନ୍ତ ଅସମତୁଲ ଅବସ୍ଥ‌ାରେ ଅଛି; ଯେଉଁଥିରେ ଭାରତ ଏକ ବିଶାଳ ନିଅଣ୍ଟର ସମ୍ମୁଖୀନ ହୋଇଆସିଛି। ଉଭୟ ଦେଶ ମଧ୍ୟରେ ସଂପର୍କରେ ଉନ୍ନତି ଘଟିଲେ ଭାରତରେ ନିବେଶ ବୃଦ୍ଧି ମାଧ୍ୟମରେ ଚୀନ୍ ଏହି ନିଅଣ୍ଟରେ ହ୍ରାସ ଘଟାଇବା ସମ୍ଭାବନା ସୃଷ୍ଟି ହୁଅନ୍ତା।
ତେବେ ଏ ସମସ୍ତ ସମ୍ଭବ ହେବ ଯଦି ଭାରତ ଓ ଚୀନ୍ ମଧ୍ୟରେ ସଂପର୍କର ପୁନରୁଦ୍ଧାର ଏକ ସରଳରେଖା ଦେଇ ଗତି କରେ। କିନ୍ତୁ ଏକ ଅସୁବିଧାଜନକ ସତ୍ୟ ହେଲା ଏହା ଯେ, ଅତୀତରେ ଉଭୟ ପଡ଼ୋଶୀଙ୍କ ମଧ୍ୟରେ ସଂପର୍କ କେବେହେଲେ ଏଭଳି ଏକ ସରଳରେଖା ଦେଇ ଗତି କରିନାହିଁ। ଉଦାହରଣ ସ୍ବରୂପ ୧୯୫୦ ଦଶକର ‘ହିନ୍ଦୀ-ଚୀନୀ ଭାଇ ଭାଇ’ ଅବିଳମ୍ବେ ୧୯୬୨ରେ ଯୁଦ୍ଧର ରୂପ ପରିଗ୍ରହଣ କରିଥିଲା, ନିକଟ ଅତୀତରେ ଚୀନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କର ବନ୍ଧୁତ୍ବପୂର୍ଣ୍ଣ ଭାରତ ଗସ୍ତ ପରେ ପରେ ୨୦୧୭ରେ ଡୋକ୍‌ଲାମ୍‌ ଠାରେ ସୀମା ସଂଘର୍ଷ ଓ ୨୦୨୦ରେ ଗଲ୍‌ୱାନ୍‌ ଠାରେ ତା’ର ପୁନରାବୃତ୍ତି ଘଟିଥିଲା। ‘ବେଲ୍‌ଟ ଅାଣ୍ଡ୍ ରୋଡ୍ ଇନିସିଏଟିଭ୍’ରୁ ଆରମ୍ଭ କରି ଦକ୍ଷିଣ ଚୀନ୍ ସାଗରରେ ତା’ର ଦେହବଳିଆ ଶକ୍ତି ପ୍ରଦର୍ଶନ ପର୍ଯ୍ୟନ୍ତ ଚୀନ୍‌ର ସାମ୍ରାଜ୍ୟବାଦୀ ଅଭିଳାଷାର ସ୍ବାକ୍ଷର ବହନ କରିଥାନ୍ତି। ସେଇଭଳି ତା’ର ନେତୃତ୍ବରେ ଗଠିତ ‘ଆର୍‌ସିଇପି’ ଭଳି ବାଣିଜ୍ୟ ଗୋଷ୍ଠୀ ଚୀନ୍‌ର ଅର୍ଥନୈତିକ ଆଧିପତ୍ୟକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ।
ଭାରତକୁ ତେଣୁ ଚୀନ୍ ସହିତ ସଂପର୍କର ପୁନରୁଦ୍ଧାର କରିବାବେଳେ ସମସ୍ତ ପ୍ରକାର ଭାବପ୍ରବଣତା ଠାରୁ ଦୂରେଇ ରହି ଅତ୍ୟନ୍ତ ସାବଧାନତା ସହିତ ଅଗ୍ରସର ହେବାକୁ ପଡ଼ିବ। ଯେଉଁଠି ଯେଉଁଠି ଉଭୟ ପକ୍ଷର ସ୍ବାର୍ଥ ମେଳ ଖାଉଥିବ ସେଠାରେ ଭାରତ ଚୀନ୍ ସହିତ ହାତ ମିଳାଇ ଆଗେଇବା ଉଚିତ ହେବ- ଅକ୍ଷୟ ଶକ୍ତିରୁ ବାଣିଜ୍ୟ ଓ ନିବେଶ ସଂପ୍ରସାରଣ, ଜଳବାୟୁ କୂଟନୀତି ଏବଂ ‘ବ୍ରିକ୍‌ସ’ କାର୍ଯ୍ୟକ୍ରମମାନ ପର୍ଯ୍ୟନ୍ତ। କିନ୍ତୁ ସଂପର୍କରେ ଉନ୍ନତି ଯୋଗୁଁ ସୀମାରେ ନିରାପତ୍ତା ହୁଗୁଳା କରାଯିବାର ପ୍ରଶ୍ନ ଉଠୁନାହିଁ। ମନେ ରଖିବା କଥା ଯେ ଉଭୟ ଦେଶ ମଧ୍ୟରେ କେବଳ ସଂପର୍କରେ ଉନ୍ନତି ଆମର ଲକ୍ଷ୍ୟ ହୋଇ ନ ପାରେ; ଏକ ବୃହତ୍ତର ଲକ୍ଷ୍ୟ ହାସଲ ପାଇଁ ଏହା ହେଉଛି ଏକ ମାଧ୍ୟମ ମାତ୍ର। ସେଇ ବୃହତ୍ତର ଲକ୍ଷ୍ୟ ହେଉଛି ଅର୍ଥନୈତିକ ପ୍ରଗତି ଓ ନିରାପତ୍ତା ନିଶ୍ଚିତ କରିବା, ଯେଉଁଥିପାଇଁ ଉଭୟ ଦେଶ ମଧ୍ୟରେ ଉତ୍ତମ ସଂପର୍କ ସହାୟକ ହେବ।
ସାଂପ୍ରତିକ ପୃଥିବୀ ବର୍ତ୍ତମାନ ଯେଉଁଭଳି ଅସ୍ଥିର ଅବସ୍ଥା ଦେଇ ଗତି କରୁଛି, ଦ୍ବିତୀୟ ବିଶ୍ବଯୁଦ୍ଧ ଅନ୍ତ ହେବା ପରଠାରୁ ସେଭଳି କେବେ ଦେଖାଯାଇ ନ ଥିଲା। ଚୀନ୍ ଓ ଭାରତ ସାବଧାନତା ସହିତ ହାତ ମିଳାଇଲେ, ଏହି ବିକ୍ଷୁବ୍‌ଧ ଅବସ୍ଥା ପାରି ହେବା ଉଭୟଙ୍କ ପାଇଁ ଅପେକ୍ଷାକୃତ ସହଜ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe