ଓଡ଼ିଶ‌ାରେ ଶକ୍ତି ଉପାସନା ଓ ମା’ ବିମଳା

ପ୍ରାଚୀନ ଯୁଗରୁ ଭାରତବର୍ଷରେ ଶାକ୍ତ ଉପାସନାର ପ୍ରଚଳନ ବହୁଳ ଭାବେ ପରିଦୃଷ୍ଟ। କୁଶାଣ ଯୁଗରୁ ଗୁପ୍ତ ଯୁଗ ମଧ୍ୟରେ ଅର୍ଥାତ୍ ପଞ୍ଚମ ଓ ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ଆଗମର ପ୍ରାଧାନ୍ୟ ଥିବାବେଳେ ପରେ ‘ଯାମଳ’ ଗ୍ରନ୍ଥାଦିରେ ଦେବତାଙ୍କ ଶକ୍ତି ରୂପେ ବିଭିନ୍ନ ଦେବୀ ଗୃହୀତ ହେଲେ।

dghafhfshfsh

ପ୍ରଶାନ୍ତ କୁମାର ଆଚାର୍ଯ୍ୟ

ପ୍ରାଚୀନ ଯୁଗରୁ ଭାରତବର୍ଷରେ ଶାକ୍ତ ଉପାସନାର ପ୍ରଚଳନ ବହୁଳ ଭାବେ ପରିଦୃଷ୍ଟ। କୁଶାଣ ଯୁଗରୁ ଗୁପ୍ତ ଯୁଗ ମଧ୍ୟରେ ଅର୍ଥାତ୍ ପଞ୍ଚମ ଓ ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ଆଗମର ପ୍ରାଧାନ୍ୟ ଥିବାବେଳେ ପରେ ‘ଯାମଳ’ ଗ୍ରନ୍ଥାଦିରେ ଦେବତାଙ୍କ ଶକ୍ତି ରୂପେ ବିଭିନ୍ନ ଦେବୀ ଗୃହୀତ ହେଲେ। ବିଶ୍ୱର ସର୍ବପ୍ରାଚୀନ ଧର୍ମଗ୍ରନ୍ଥ ‘ଋଗ୍‌ବେଦ’ ଓ ‘ସାମ୍‌ବେଦ’ରେ ଦୁର୍ଗା ଆରାଧନା ସମ୍ବନ୍ଧରେ ସୂଚନା ମିଳିଥାଏ। ଭାରତୀୟ ଶକ୍ତି ଉପାସନା ପରମ୍ପରାରେ ଦୁର୍ଗାପୂଜାର ପ୍ରାଧାନ୍ୟ ସର୍ବତ୍ର ଉପଲବ୍‌ଧ। 
ବୈଦିକ ଋଷିମାନେ ମଧ୍ୟ ଦୈବୀ ଶକ୍ତି ସତ୍ତାର ସ୍ଥିତି ଉପଲବ୍‌ଧି କରିଥିଲେ। ଶକ୍ତିଙ୍କ ଅସ୍ତିତ୍ୱ ବିଷୟରେ ଆଚାର୍ଯ୍ୟ ଶଙ୍କର କହିଥିଲେ- ଶିବ ଶକ୍ତି ଯୁକ୍ତ ହେଲେ ହିଁ ସେ ଈଶ୍ୱରଙ୍କ କାର୍ଯ୍ୟ କରିବାକୁ ସମର୍ଥ ହୋଇଥାନ୍ତି, ଅନ୍ୟଥା ତାଙ୍କର ସ୍ପନ୍ଦିତ ହେବାକୁ ସାଧ୍ୟ ରହେ ନାହିଁ। ‘ମାର୍କଣ୍ଡେୟ ପୁରାଣ’ ଅନୁସାରେ ଚେଦି ବଂଶର ମହାମେଘବାହନ ଐର ଖାରବେଳଙ୍କ ବଂଶଧର ରାଜା ସୁରଥ ପ୍ରଥମେ ଉତ୍କଳରେ ଦୁର୍ଗାପୂଜା ଆରମ୍ଭ କରିଥିଲେ। ଭୌମକର, କେଶରୀ, ଗଙ୍ଗ, ସୂର୍ଯ୍ୟ ଓ ଭୋଇ ବଂଶ ରାଜାମାନଙ୍କ ରାଜତ୍ବ କାଳରେ ଶକ୍ତି ପୂଜାର ପ୍ରାଧାନ୍ୟ ପ୍ରଜାମାନଙ୍କୁ ଆଧ୍ୟାତ୍ମିକ ମାର୍ଗରେ ଆକର୍ଷିତ କରିଥିଲା। ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରେ ପୁରୁଷୋତ୍ତମ କ୍ଷେତ୍ରର ବିମଳା, ବାଙ୍କୀର ଚର୍ଚ୍ଚିକା, ଯାଜପୁରର ବିରଜା, ବାଣପୁରର ଭଗବତୀ, କାକଟପୁରର ମଙ୍ଗଳା, ଝଙ୍କଡ଼ର ସାରଳା, ତାଳଚେରର ହିଙ୍ଗୁଳା ଓ ସମ୍ବଲପୁରର ସମଲେଶ୍ୱରୀ ପୀଠ ଅନ୍ୟତମ। ଏହି ଦେବୀ ବିଗ୍ରହମାନେ ସ୍ଥଳ ବିଶେଷରେ କେଉଁଠି ଦ୍ୱିଭୁଜା, ଚତୁର୍ଭୁଜା ତ ଅନ୍ୟ କେଉଁଠି ଅଷ୍ଟଭୁଜା ରୂପେ ଉପାସିତ ହେଉଛନ୍ତି। 
କାଳିକା ପୁରାଣ ଅନୁସାରେ ଉଡ୍‌ଡୀୟାନ ପୀଠର ଅଧିଶ୍ୱରୀ ହେଉଛନ୍ତି ସ୍ୱୟଂ କାତ୍ୟାୟିନୀ ବା ମା’ ବିମଳା। ଓଡ଼ିଶାର ସର୍ବ ପ୍ରାଚୀନ ପୀଠ ଶକ୍ତି ଦେବୀ ବିମଳା ହେଉଛନ୍ତି ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ପ୍ରାଚୀନତମ ଦେବୀ। ତନ୍ତ୍ର ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କୁ ଦକ୍ଷିଣକାଳିକା, ଶ୍ରୀବଳଭଦ୍ରଙ୍କୁ ତାରା, ଦେବୀ ସୁଭଦ୍ରାଙ୍କୁ ଭୁବନେଶ୍ୱରୀ, ଶ୍ରୀସୁଦର୍ଶନଙ୍କୁ ଷୋଡ଼ଶୀ ଏବଂ ରତ୍ନସିଂହାସନକୁ ଶ୍ରୀଯନ୍ତ୍ର ରୂପେ ବର୍ଣ୍ଣନା କରାଯାଇଛି। କାଳିକା ପୁରାଣ ଅନୁସାରେ ଏଠାରେ କାତ୍ୟାୟନୀ (ବିମଳା) ଓ ଶ୍ରୀଜଗନ୍ନାଥ ହେଉଛନ୍ତି ଉପାସ୍ୟ ଦେବତା। ତାନ୍ତ୍ରିକମାନଙ୍କ ମତରେ ତନ୍ତ୍ର ପୀଠର ପୀଠେଶ୍ୱରୀ ହେଉଛନ୍ତି ମା’ ବିମଳା। ସେ କ୍ଷେତ୍ରେଶ୍ୱରୀ ଏବଂ ସ୍ୱୟଂ ଶ୍ରୀଜଗନ୍ନାଥ କ୍ଷେତ୍ରେଶ୍ୱର। ଉଭୟ ଶ୍ରୀଚକ୍ର ଉପରେ ଆସୀନ। ତେଣୁ କ୍ଷେତ୍ରର ନାମ ଶ୍ରୀକ୍ଷେତ୍ର। ଏହି ପୀଠରେ ସତୀଙ୍କ ପାଦ ପଡ଼ିଥିବାରୁ ଏହା ପ୍ରାଚୀନ ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ। ଏହି ପାଦ ପୀଠ ପରମ ଗୋପନୀୟ ସିଦ୍ଧତନ୍ତ୍ର ପୀଠ ଓ ଦେବୀ ବିମଳା ତାନ୍ତ୍ରିକ ଦେବୀମାନଙ୍କ ମଧ୍ୟରେ ଶ୍ରେଷ୍ଠା ବୋଲି ଦେବୀ ଭାଗବତ, ‘କାଳିକା ପୁରାଣ’ ଓ ବିଭିନ୍ନ ଶାକ୍ତ ଗ୍ରନ୍ଥମାନଙ୍କରେ ବର୍ଣ୍ଣନା ରହିଛି। 
ପ୍ରାୟ ୬୦ ଫୁଟ ଉଚ୍ଚର ଏହି ମନ୍ଦିର ଗର୍ଭଗୃହର ମଧ୍ୟ ଭାଗରେ ପ୍ରସ୍ତର ନିର୍ମିତ ଶକ୍ତି ପୀଠରେ ପ୍ରସ୍ଫୁଟିତ ଶ୍ୱେତପଦ୍ମ ଉପରେ ଦଣ୍ଡାୟମାନ ଚତୁର୍ଭୁଜା ମା’ ବିମଳାଙ୍କର ତ୍ରିନେତ୍ର ରହିଛି। ପ୍ରାୟ ୫ ଫୁଟ ଉଚ୍ଚର ଦେବୀ ବିଗ୍ରହର ଦକ୍ଷିଣ ପାର୍ଶ୍ବରେ ମାୟା ଓ ବାମ ପାର୍ଶ୍ବରେ ଛାୟା ଦେବୀ ବିରାଜିତା। ଦେବୀଙ୍କର ହସ୍ତରେ ଆୟୁଧ ରୂପେ ଅକ୍ଷମାଳା, ପାଶ, ସୁଧା କଳସ ଓ ଅଭୟ ମୁଦ୍ରା ସୁଶୋଭିତ। ବିମଳା ମନ୍ଦିରର ନାଟମଣ୍ଡପର କାନ୍ଥରେ ଷୋଡ଼ଶ ମାତୃକା ଓ ଯୋଗିନୀଗଣଙ୍କର ଚିତ୍ର ପ୍ରତିମା ରହିଛି। ମା’ ବିମଳାଙ୍କର ଭୋଗ ତିଆରି ପାଇଁ ଶ୍ରୀମନ୍ଦିର ବେଢ଼ା ପରିସରରେ ସ୍ୱତନ୍ତ୍ର ରୋଷଘର ନାହିଁ। ଶ୍ରୀମନ୍ଦିରର ବଲ୍ଲଭ ଭୋଗ ଓ ଅନ୍ୟାନ୍ୟ ଧୂପ (ରାଜଭୋଗ) ସମାପନ ପରେ ଏହି ମନ୍ଦିର ଠାରେ ସମର୍ପଣ ହେବାର ବିଧି ରହିଛି। ପରମ୍ପରା ପ୍ରକାରେ ବଳଭଦ୍ରଙ୍କ ବାଡ଼ର ବଲ୍ଲଭ ପିଙ୍ଗଣ ଏଠାକୁ ସମର୍ପଣ ନିମନ୍ତେ ଆସିବା ସହିତ ବଳଭଦ୍ର ଦେବଙ୍କର ଲାଗି ପ୍ରସାଦ ପଦକ ଓ ଅଧର ମାଳାଦି ବିମଳାଙ୍କୁ ଲାଗି କରାଯାଇଥାଏ। ଧୂପ ସମୟରେ ଥାଳି ଖେଚେଡ଼ି ମହାପ୍ରସାଦ ବିମଳାଙ୍କୁ ସମର୍ପଣ ହୋଇଥାଏ। ବିମଳା ଦେବୀଙ୍କର ପହୁଡ଼ ନୀତିରେ କୋଠରୁ ଏକ ଗୋଟି ପଇଡ଼ ଓ ଘଷାଜଳ ଯୋଗାଯାଇଥାଏ। ଶ୍ରୀଜଗନ୍ନାଥାଦି ଦେବ ବିଗ୍ରହମାନଙ୍କର ପହୁଡ଼ ନୀତି ପରେ ଶୟନ ଠାକୁରଙ୍କ ଚନ୍ଦନ ଓ ପୁଷ୍ପ ସମର୍ପଣ ପରେ ମା’ ବିମଳାଙ୍କ ପହୁଡ଼ ହୋଇଥାଏ। ଏହି ମନ୍ଦିରର ଦୈନନ୍ଦିନ ନୀତି ମଧ୍ୟରେ ବିମଳାଙ୍କ ପୂଜକଙ୍କ ଦ୍ୱାରା ସକାଳ ସମୟରେ ମଙ୍ଗଳ ଆଳତି, ମଇଲମ, ସ୍ନାନ, ମାଜଣା, ବେଶ ଇତ୍ୟାଦି ସମାହିତ ହୋଇଥାଏ।
ପରମ ବୈଷ୍ଣବୀ ମା’ ବିମଳାଙ୍କର ଶ୍ରେଷ୍ଠ ତଥା ମୁଖ୍ୟ ପର୍ବ ଆଶ୍ୱିନ ମାସରେ ପାଳନ କରାଯାଇଥାଏ। ଏହା ଷୋଡ଼ଶ ଦିନାତ୍ମକ ପୂଜା ଭାବରେ ପ୍ରସିଦ୍ଧ। ପୁରୀ ଜିଲ୍ଲାର ବୀରନରସିଂହପୁର ବ୍ରାହ୍ମଣ ଶାସନର ରଥ ସାମନ୍ତ ସଂଜ୍ଞାଧାରୀ ଶ୍ରୋତ୍ରୀୟ ବ୍ରାହ୍ମଣମାନେ ଷୋଡ଼ଶ ଉପଚାରରେ ମା’ ବିମଳାଙ୍କ ପୂଜା ଏହି ସମୟରେ କରିଥାନ୍ତି। ବିମଳା ଠାକୁରାଣୀଙ୍କର ସହସ୍ର କୁମ୍ଭାଭିଷେକ ଓ ଷୋଡ଼ଶ ପୂଜାର ଆରମ୍ଭ ୧୨ ଦିନ ଗଣତିରେ ଆଶ୍ୱିନ କୃଷ୍ଣପକ୍ଷ ସପ୍ତମୀ ବା ଅଷ୍ଟମୀ ଦିନଠାରୁ ଆରମ୍ଭ ହୋଇଥାଏ। 
ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିରରେ ଅନ୍ୟାନ୍ୟ ଦେବଦେବୀଙ୍କର ବାହାର ଦେଉଳୀ ଭୋଗର ବନ୍ଦୋବସ୍ତ ଥିବାବେଳେ ମା’ ବିମଳାଙ୍କର ଏଠାରେ ବ୍ୟବସ୍ଥା ନାହିଁ। ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡର ୪ର୍ଥ ଅଧ୍ୟାୟରେ କୁହାଯାଇଛି ଯେ, ଅଷ୍ଟଶକ୍ତି ମଧ୍ୟରେ ପ୍ରଥମା ଶକ୍ତି ବିମଳାଙ୍କୁ ଦର୍ଶନ ଓ ବନ୍ଦନା କଲେ ସମସ୍ତ ପାପ ନାଶ ହୋଇ ଅଶ୍ୱମେଧ ଫଳପ୍ରାପ୍ତି ହୋଇଥାଏ। ଭାରତବର୍ଷର ବିଭିନ୍ନ ଅଂଚଳରୁ ଆଗମନ କରୁଥିବା ତାନ୍ତ୍ରିକ, ସାଧାରଣ ଭକ୍ତ ମା’ ବିମଳାଙ୍କୁ ଦର୍ଶନ କରି ଅଶେଷ କୃପା ଲାଭ ପୂର୍ବକ ନିଜକୁ କୃତାର୍ଥ ମଣିଥାନ୍ତି।
(ମତାମତ ଲେଖକଙ୍କ ନିଜସ୍ବ)
ଜ୍ୟୋସ୍ନା, ଏଚ୍‌ଆଇଜି, ୨୧୮, ବରମୁଣ୍ଡା, ଭୁବନେଶ୍ୱର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe