ସରଳ କୁମାର ଦାସ
ଅନେକଙ୍କ ଧାରଣା ଦାରିଦ୍ର୍ୟ ଦୂରୀକରଣ ପାଇଁ ସରକାରଙ୍କ ଏତେ ଯୋଜନା କାର୍ଯ୍ୟକାରୀ ହେଉଛି ଯେ ବୋଧହୁଏ ଦେଶରେ ଆଉ କେହି ଗରିବ ଲୋକ ନ ଥିବେ। ତେବେ ବାସ୍ତବତା ହେଉଛି ଦାରିଦ୍ର୍ୟର ବ୍ୟାପକତା ହ୍ରାସ ପାଇଥିଲେ ବି ଏବେ ମଧ୍ୟ ଅନେକ ପରିବାର ନଗଡ଼ା ଲୋକଙ୍କ ଭଳି ଚରମ ଦାରିଦ୍ର୍ୟରେ କାଳାତିପାତ କରୁଛନ୍ତି। ଯୋଜନାଗୁଡ଼ିକର ଲାଭ ଦାରିଦ୍ର୍ୟ ସିଡ଼ିର ଉପର ପାହାଚରେ ଥିବା ଲୋକଙ୍କ ନିକଟରେ ଏମିତି ଅଟକି ଯାଉଛି ଯେ ବିଭିନ୍ନ କାରଣରୁ ତାହା ତଳ ପାହାଚର ଲୋକଙ୍କ ଯାଏଁ ପହଞ୍ଚି ପାରୁନାହିଁ। ତେବେ ନଭେମ୍ୱର ୧ ତାରିଖରେ ଦେଶର ପ୍ରଥମ ରାଜ୍ୟ ରୂପେ କେରଳ ଚରମ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବାର ବିରଳ କୃତିତ୍ୱ ହାସଲ କରିଛି। ଚୀନ ପରେ ଏହା ଚରମ ଦାରିଦ୍ର୍ୟ ଦୂର କରିଥିବା ବିଶ୍ୱର ଦ୍ୱିତୀୟ ଅଞ୍ଚଳ ହେଲା। ‘ଜଣେ ହେଲେ ପଛେଇ ନ ରହୁ’- ଏହି ଲକ୍ଷ୍ୟ ସହ ସମାବେଶୀ ବିକାଶ ପ୍ରତି କଟିବଦ୍ଧ କେରଳ ସରକାର ରାଜ୍ୟରୁ କିପରି ଚରମ ଦାରିଦ୍ର୍ୟର ଉନ୍ମୁଳନ କରିବାକୁ ସମର୍ଥ ହେଲେ, ତାହା ଅନୁଧ୍ୟାନଯୋଗ୍ୟ ଓ ଅନୁକରଣୀୟ ମଧ୍ୟ।
ଦାରିଦ୍ର୍ୟର ସ୍ୱରୂପ ଅନେକ। ଅନେକ ବିକଶିତ ଦେଶରେ ମଧ୍ୟ, ତୀବ୍ର ଭାବେ ନ ହେଲେ ବି, ଦାରିଦ୍ର୍ୟ ରହିଛି। ସାଧାରଣତଃ ଦାରିଦ୍ର୍ୟକୁ ମାପିବା ଲାଗି ଜଣେ ବ୍ୟକ୍ତି ବା ପରିବାର ନିକଟରେ ଥିବା ଆର୍ଥିକ ସମ୍ୱଳକୁ ବିବେଚନାକୁ ନିଆଯାଇଥାଏ, ଯେମିତି କି ତା’ର ରୋଜଗାର କେତେ, ସେ କେତେ ଖର୍ଚ୍ଚ କରିପାରୁଛି ଇତ୍ୟାଦି। କିନ୍ତୁ ସେହି ରୋଜଗାରରେ ତା’ର ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଘର ଭଳି ସର୍ବନିମ୍ନ ଆବଶ୍ୟକତାଗୁଡ଼ିକ ପୂରଣ ହୋଇ ନ ପାରିଲେ ସେଥିରୁ ସେ ବଞ୍ଚିତ ହୁଏ ଓ ଆଉ ଦାରିଦ୍ର୍ୟରୁ ମୁକୁଳି ପାରେ ନାହିଁ। ତେଣୁ ଦାରିଦ୍ର୍ୟକୁ ମାପିବା ଲାଗି ଉଭୟ ଆର୍ଥିକ ଓ ଅଣ-ଆର୍ଥିକ ଦିଗଗୁଡ଼ିକ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି, ଯାହା ବହୁ-ପରିସରୀୟ ଦାରିଦ୍ର୍ୟ ସୂଚକାଙ୍କ (ମଲ୍ଟିଡାଇମେନ୍ସନାଲ ପଭର୍ଟି ଇଣ୍ଡେକ୍ସ- ଏମ୍ପିଆଇ) ଦ୍ୱାରା ସମ୍ଭବ। ଏଣିକି ସାରା ବିଶ୍ୱରେ ଏହି ପଦ୍ଧତିରେ ଦାରିଦ୍ର୍ୟ ମପାଯାଉଛି। ଅନ୍ୟ ପକ୍ଷରେ ବିଶ୍ୱବ୍ୟାଙ୍କ ଅନୁଯାୟୀ ଜଣେ ବ୍ୟକ୍ତି ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ଲାଗି ସର୍ବନିମ୍ନ ୨.୧୫ ଡଲାର (୨୦୧୭ ପିପିପି- କ୍ରୟକ୍ଷମତା ସମତା ଆଧାରିତ) ବା ଭାରତୀୟ ମୁଦ୍ରାରେ ୪୩.୩୨ ଟଙ୍କା ବ୍ୟୟ କରିବାକୁ ଅସମର୍ଥ ଥିଲେ ସେ ତା’ର ଖାଦ୍ୟ, ସ୍ୱାସ୍ଥ୍ୟ ଓ ବାସସ୍ଥାନ ଭଳି ମୌଳିକ ଆବଶ୍ୟକତାଗୁଡ଼ିକୁ ପୂରଣ କରିପାରିବ ନାହିଁ। ଫଳରେ ତାକୁ ଚରମ ଦାରିଦ୍ର୍ୟରେ ଉତ୍ପୀଡ଼ିତ ବୋଲି ଗ୍ରହଣ କରିବାକୁ ହେବ। ୨୦୨୫ ମସିହାରେ ବିଶ୍ୱବ୍ୟାଙ୍କ ଏହି ରାଶିକୁ ୩ ଡଲାର (୨୦୨୧ ପିପିପି- କ୍ରୟକ୍ଷମତା ସମତା ଆଧାରିତ) ବା ଭାରତୀୟ ମୁଦ୍ରାରେ ୬୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଭାରତରେ ୨୦୦୫-୦୬ ବର୍ଷରୁ ଏମ୍ପିଆଇ ଆଧାରରେ ଦାରିଦ୍ର୍ୟ ମପାଯାଉଛି। ସେହି ବର୍ଷ ହୋଇଥିବା ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ଭେ (ଏନ୍ଏଫ୍ଏଚ୍ଏସ୍-୩)ରେ ଦେଶର ୫୫.୩୪ ପ୍ରତିଶତ ଲୋକ ଗରିବ ଥିଲେ, ଯାହା ୨୦୧୫-୧୬ ଓ ୨୦୧୯-୨୧ରେ ହୋଇଥିବା ଏନ୍ଏଫ୍ଏଚ୍ଏସ୍-୪ ଓ ଏନ୍ଏଫ୍ଏଚ୍ଏସ୍-୫ରେ ଯଥାକ୍ରମେ ୨୪.୮୫ ଓ ୧୪.୯୬ ପ୍ରତିଶତକୁ ହ୍ରାସ ପାଇଛି। ସାରା ବିଶ୍ୱରେ ଏମ୍ପିଆଇ ସୂଚକାଙ୍କରେ ପୁଷ୍ଟି, ଶିଶୁ ମୃତ୍ୟୁହାର, ବିଦ୍ୟାଳୟରେ କେତେ ବର୍ଷର ଶିକ୍ଷାଲାଭ, ବିଦ୍ୟାଳୟରେ ଉପସ୍ଥାନ, ରୋଷେଇ ଇନ୍ଧନ, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ବାସଗୃହ, ବିଦ୍ୟୁତ ଉପଲବ୍ଧତା ଓ ଉପଲବ୍ଧ ସମ୍ୱଳ ଭଳି ୧୦ଟି ସୂଚକ ଥିବାବେଳେ ଭାରତରେ ସେଥିରେ ଆଉ ଦୁଇଟି ସୂଚକ- ମାତୃ ମୃତ୍ୟୁହାର ଓ ବ୍ୟାଙ୍କ ଆକାଉଣ୍ଟକୁ ଯୋଗ କରାଯାଇଛି। ଜନମଙ୍ଗଳକାରୀ ରାଷ୍ଟ୍ରରେ ଏଥିରୁ ଅନେକ ସୁବିଧା ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରୟାସ କରାଯାଉଛି। ନିତିଆୟୋଗର ୨୦୨୩ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କେରଳ, ଗୋଆ, ତାମିଲନାଡୁ ରାଜ୍ୟରେ ସର୍ବନିମ୍ନ ଦାରିଦ୍ର୍ୟ ଥିବାବେଳେ ସର୍ବାଧିକ ଦାରିଦ୍ର୍ୟ ରହିଛି ବିହାର, ଝାଡ଼ଖଣ୍ଡ, ମେଘାଳୟ, ଉତ୍ତର ପ୍ରଦେଶରେ।
୨୦୧୫-୧୬ ବର୍ଷରେ କେରଳରେ ୦.୭୦ ପ୍ରତିଶତ ଲୋକ ଚରମ ଦାରିଦ୍ର୍ୟରେ ଥିଲେ। ନିତିଆୟୋଗର ୨୦୨୩ରେ ପ୍ରକାଶିତ ରିପୋର୍ଟରେ ତାହା ୦.୫୫ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୨୧ ମସିହାରେ ସାରା ଦେଶ ଯେତେବେଳେ କୋଭିଡ୍ ସଂକ୍ରମଣର ମୁକାବିଲାରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା, ଠିକ୍ ସେତିକିବେଳେ କେରଳର ନବ ନିର୍ବାଚିତ ସରକାର ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରୁ ଚରମ ଦାରିଦ୍ର୍ୟର ସମ୍ପୂର୍ଣ୍ଣ ଉନ୍ମୁଳନ କରିବା ଲାଗି ପ୍ରଥମ କ୍ୟାବିନେଟ ନିଷ୍ପତ୍ତି ନେଲେ। ଏଥିପାଇଁ ଏକ ଉଚ୍ଚାକାଙ୍କ୍ଷୀ ଇପିଇପି (ଏକ୍ସଟ୍ରିମ ପଭର୍ଟି ଇରାଡିକେସନ ପ୍ରୋଗ୍ରାମ) କାର୍ଯ୍ୟକ୍ରମ ପ୍ରସ୍ତୁତ ହେଲା। ତେବେ ସାଧାରଣ ଦାରିଦ୍ର୍ୟ ଓ ଚରମ ଦାରିଦ୍ର୍ୟ ମଧ୍ୟରେ ଫରକ କରିବା ଥିଲା ଏକ ବଡ଼ ଆହ୍ୱାନ। ମାତ୍ରାଧିକ ସରକାରୀ ସହାୟତା ନ ମିଳିଲେ ବଞ୍ଚି ରହିବାର ମୌଳିକ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାକୁ ଅସମର୍ଥ ବ୍ୟକ୍ତି ବା ପରିବାର ହେଲେ ‘ଚରମ ଦରିଦ୍ର’। ଖାଦ୍ୟ ସୁରକ୍ଷା (ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଇବା), ସ୍ୱାସ୍ଥ୍ୟ ସେବା (ଦୀର୍ଘସ୍ଥାୟୀ ଅସୁସ୍ଥତା ବା ଶାରୀରିକ ଅକ୍ଷମତା କାରଣରୁ), ରୋଜଗାର (ନିରନ୍ତର ରୋଜଗାରର ପନ୍ଥା ନ ଥିଲେ ବା ସେଥିପାଇଁ ଅସମର୍ଥ ଥିଲେ) ଓ ନିରାପଦ ବାସସ୍ଥାନ ଭଳି ୪ଟି ମୌଳିକ ଆବଶ୍ୟକତାରୁ କେହି ବଞ୍ଚିତ ଥିଲେ ତାକୁ ଚରମ ଦରିଦ୍ର ରୂପେ ଗଣାଗଲା। ଏହି ଚିହ୍ନଟ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସଠିକ୍ କରିବା ଲାଗି ଏଥିରେ ସ୍ଥାନୀୟ ଲୋକଙ୍କ ସମେତ ଅଂଶଗ୍ରହଣ କରିଥିବା ଲକ୍ଷାଧିକ ଲୋକଙ୍କୁ ତାଲିମ ପ୍ରଦାନ କରାଗଲା। ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ଦ୍ୱାରା ହୋଇଥିବା ସର୍ଭେରେ ରାଜ୍ୟରେ ଥିବା ୬୪,୦୦୬ଟି ଅତି ଦରିଦ୍ର ପରିବାରକୁ ଚିହ୍ନଟ କରାଗଲା। ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କ ମୃତ୍ୟୁ ଓ କିଛି ଲୋକଙ୍କ ରାଜ୍ୟ ବାହାରକୁ ସ୍ଥାନାନ୍ତର କାରଣରୁ ସେଭଳି ପରିବାରକୁ ତାଲିକାରୁ ବାଦ ଦିଆଗଲା। ପ୍ରତିଟି ପରିବାରର ଦାରିଦ୍ର୍ୟର କାରଣ ଭିନ୍ନ ଭିନ୍ନ। ସେଗୁଡ଼ିକ ଜାଣି ତା’ର ସମାଧାନ ଲାଗି ପ୍ରୟାସ ଆବଶ୍ୟକ। ତେଣୁ ଚିହ୍ନିତ ପ୍ରତିଟି ପରିବାର ସହ ବିଚାରବିମର୍ଶ କରି ସେମାନଙ୍କ ଲାଗି ସ୍ୱତନ୍ତ୍ର ବିସ୍ତୃତ ଅଣୁ ଯୋଜନା ପ୍ରସ୍ତୁତ କରାଗଲା। ଏହି ଅଣୁ ଯୋଜନାଗୁଡ଼ିକୁ ତିନି ପର୍ଯ୍ୟାୟରେ ବିଭକ୍ତ କରାଗଲା। ପ୍ରଥମ ପର୍ଯ୍ୟାୟରେ ଖାଦ୍ୟ ଓ ସ୍ୱାସ୍ଥ୍ୟ ସେବା ଭଳି ତାତ୍କାଳିକ ସେବା ଉପରେ ଧ୍ୟାନ ଦିଆଗଲା। ଏଥିସହିତ ‘ଅବକାଶମ୍ ଅତିବେଗମ୍’ ଅଭିଯାନ ମାଧ୍ୟମରେ ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ରାସନ କାର୍ଡ, ସ୍ୱାସ୍ଥ୍ୟ ବୀମା, ଭିନ୍ନକ୍ଷମ ପରିଚୟ ପତ୍ର, ବ୍ୟାଙ୍କ ଆକାଉଣ୍ଟ, ନିଯୁକ୍ତି କାର୍ଡ ଭଳି ଅଧିକାର ସାବ୍ୟସ୍ତକାରୀ ନଥିପତ୍ର ଯୋଗାଇ ଦିଆଗଲା। ଦ୍ୱିତୀୟ ପର୍ଯ୍ୟାୟର ମଧ୍ୟବର୍ତ୍ତୀ ଯୋଜନାନୁସାରେ ଦୁଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହୋଇପାରୁଥିବା ଘରକୁ ବିଦ୍ୟୁତ ଓ ରନ୍ଧନ ଗ୍ୟାସ ସଂଯୋଗ, ପିଲାମାନଙ୍କୁ ମାଗଣା ଶିକ୍ଷାର ପ୍ରାବଧାନ ଓ ଆବଶ୍ୟକ ନିୟମିତ ସ୍ୱାସ୍ଥ୍ୟସେବା ଭଳି ମୌଳିକ ଭିତ୍ତିଭୂମି ଓ ସହାୟତା ପ୍ରଦାନ କରାଗଲା। ତୃତୀୟ ପର୍ଯ୍ୟାୟର ଦୀର୍ଘମିଆଦି ଯୋଜନାନୁସାରେ ଘରଡ଼ିହ ଓ ଘର ଯୋଗାଣ, ଘର ମରାମତି, ବେକାରମାନଙ୍କୁ ଜୀବିକାର୍ଜନରେ ସହାୟତା କରିବା, ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ପେନସନ ଓ ଅନ୍ୟ ବିକାଶମୂଳକ ସୁବିଧା ମିଳିବା ସୁଲଭ କରାଗଲା। ଏହି ଅଣୁ ଯୋଜନାଗୁଡ଼ିକ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାଗୁଡ଼ିକ ଦ୍ୱାରା କୁଡୁମ୍ୱଶ୍ରୀ, ଲାଇଫ ମିଶନ ଓ ବିଭିନ୍ନ ସରକାରୀ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟକାରୀ କରାଗଲା। ଜୀବିକାର୍ଜନ ପାଇଁ ଅସମର୍ଥ ନିରାଶ୍ରୟ, ବୃଦ୍ଧ ଓ ଦିବ୍ୟାଙ୍ଗମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରି ସେମାନଙ୍କ ଯତ୍ନ ନିଆଗଲା। ଜୀବିକାର୍ଜନର ଆବଶ୍ୟକତା ଥିବା ପରିବାରଙ୍କ ଲାଗି ‘କୁଡୁମ୍ୱଶ୍ରୀ’ (ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ)ର ‘ଉଜୀବନମ’କାର୍ଯ୍ୟକ୍ରମ ଜରିଆରେ ଆର୍ଥିକ ଓ ଅନ୍ୟାନ୍ୟ ହାତଧରା ସହାୟତା ପ୍ରଦାନ କରି ସେମାନଙ୍କୁ ରୋଜଗାରକ୍ଷମ କରାଗଲା। ପ୍ରତିବର୍ଷ ବାର୍ଷିକ ସମୀକ୍ଷା ପରେ ଯେଉଁ ପରିବାରଗୁଡ଼ିକ ଚରମ ଦାରିଦ୍ର୍ୟରୁ ଉପରକୁ ଉଠୁଥିଲେ, ସେମାନଙ୍କୁ କାର୍ଯ୍ୟକ୍ରମରୁ ବାଦ ଦିଆଯାଉଥିଲା। ସ୍ଥାନୀୟ ଗ୍ରାମ ପଞ୍ଚାୟତଗୁଡ଼ିକ ଜରିଆରେ ଦୁଇ ବର୍ଷରେ ଥରେ ସାମାଜିକ ନିରୀକ୍ଷଣ କରାଯାଉଥିଲା। ଫଳରେ ତୃଣମୂଳ ସ୍ତରରେ ଇପିଇପି କାର୍ଯ୍ୟକ୍ରମ ଏକ ସରକାରୀ କାର୍ଯ୍ୟକ୍ରମ ହୋଇ ନ ରହି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହେଲା। ଏହାର ନେତୃତ୍ୱ ସ୍ୱାୟତ୍ତ ଶାସନ ସଂସ୍ଥା ମାଧ୍ୟମରେ ସରକାର ନେଉଥିଲେ ବି ଏନ୍ଜିଓ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସାମାଜିକ କର୍ମୀ, ଲୋକ ପ୍ରତିନିଧି ଓ ସାଧାରଣ ନାଗରିକମାନେ ପୂର୍ଣ୍ଣ ସହଯୋଗ ପ୍ରଦାନ କଲେ। ଫଳରେ ୫ ବର୍ଷରେ ପୂରଣ ହେବାକୁ ଥିବା ଲକ୍ଷ୍ୟ ୪ ବର୍ଷ ମଧ୍ୟରେ ହାସଲ ହୋଇଗଲା। ଉଲ୍ଲେଖଯୋଗ୍ୟ ଯେ ଏଭଳି ଏକ ଉଚ୍ଚାକାଙ୍କ୍ଷୀ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ବଜେଟରୁ ୩ ବର୍ଷ ମଧ୍ୟରେ ମାତ୍ର ୧୬୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା। ଏଠାରେ ପ୍ରଶ୍ନ ଉଠିପାରେ ଏକ ସ୍ୱଳ୍ପାବଧି କାର୍ଯ୍ୟକ୍ରମ ମାଧ୍ୟମରେ କ’ଣ ଚରମ ଦାରିଦ୍ର୍ୟ ଚିରଦିନ ଲାଗି ଦୂରୀଭୁତ ହୋଇପାରିବ? ସେଭଳି ଲୋକେ ବା ପରିବାର ପୁଣି ଥରେ ଯେ ଚରମ ଦାରିଦ୍ର୍ୟର ବଳୟ ଭିତରକୁ ଖସି ନ ଆସିବେ ତା’ର ଗ୍ୟାରେଣ୍ଟି କ’ଣ? ଏଥିପାଇଁ ସ୍ୱଳ୍ପାବଧି କାର୍ଯ୍ୟକ୍ରମ ସହ ଦୀର୍ଘାବଧି କାର୍ଯ୍ୟକ୍ରମକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ପ୍ରତିଟି ପରିବାରର ଅଗ୍ରଗତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଉଥିବାରୁ ସେମାନେ ପୁଣି ଥରେ ତଳକୁ ଖସିଯିବାର ଆଶଙ୍କା ଦୂର ହୋଇଛି।
ନିତି ଆୟୋଗ ଦ୍ୱାରା ୨୦୨୩ ମସିହାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଚରମ ଦାରିଦ୍ର୍ୟ ଥିବା ରାଜ୍ୟଙ୍କ ମଧ୍ୟରେ ଓଡ଼ିଶାର ସ୍ଥାନ ଅଷ୍ଟମ। ଏଠାରେ ୧୫.୬୮% ଲୋକ ଚରମ ଦାରିଦ୍ର୍ୟ ଭିତରେ ରହୁଛନ୍ତି। ୨୦୧୫-୧୬ ବର୍ଷ ତୁଳନାରେ ଏଠାରେ ଚରମ ଦାରିଦ୍ର୍ୟ ଦ୍ରୁତ ହ୍ରାସ ପାଇଥିଲେ ବି ଏବେ ମଧ୍ୟ ପ୍ରାୟ ୭୦ ଲକ୍ଷ ଲୋକ ଚରମ ଦାରିଦ୍ର୍ୟରେ ଉତ୍ପୀଡ଼ିତ। ତେବେ ଉପକୂଳବର୍ତ୍ତୀ ଓ ସହରୀକୃତ ଜିଲ୍ଲାଗୁଡ଼ିକରେ ଦାରିଦ୍ର୍ୟ ଯଥେଷ୍ଟ କମ୍ ଥିଲାବେଳେ ଦକ୍ଷିଣାଞ୍ଚଳ, ଉତ୍ତରାଞ୍ଚଳ, ପଶ୍ଚିମାଞ୍ଚଳର ୧୬ଟି ଆଦିବାସୀ ବହୁଳ ଜିଲ୍ଲାରେ ଏହା ରାଜ୍ୟ ହାରାହାରି ଠାରୁ ଅଧିକ ରହିଛି। ଏହି ତାଲିକାରେ ଭଦ୍ରକ ଭଳି ଏକ ଉପକୂଳବର୍ତ୍ତୀ ଜିଲ୍ଲା ରହିବା ଚିନ୍ତାର ବିଷୟ, ଯେଉଁଠାରେ ଦାରିଦ୍ର୍ୟ ହାର ୨୮ ପ୍ରତିଶତରୁ ବି ଅଧିକ। ମାଲକାନଗିରିରେ ସର୍ବାଧିକ ୪୫% ଦାରିଦ୍ର୍ୟ ଥିବା ବେଳେ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ମୟୂରଭଞ୍ଜ, ଗଜପତି, କେନ୍ଦୁଝର, କନ୍ଧମାଳ, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାରେ ତାହା ୩୦%ର ଆଖପାଖରେ ରହିଛି। ଅନ୍ୟ ପକ୍ଷରେ ପୁରୀରେ ସର୍ବନିମ୍ନ ୩.୨୯ ପ୍ରତିଶତ ଦାରିଦ୍ର୍ୟ ଥିବାବେଳେ ଜଗତସିଂହପୁର, ଖୋର୍ଦ୍ଧା, କଟକ ଓ ଗଞ୍ଜାମ ଜିଲ୍ଲାରେ ତାହା ୩.୫ରୁ ୬.୫ ପ୍ରତିଶତ ଭିତରେ ଅଛି। ଦାରିଦ୍ର୍ୟର ଏହି ଆଞ୍ଚଳିକ ବୈଷମ୍ୟ ସତ୍ତ୍ୱେ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଥିଲେ ଏକ ବିଶେଷ କାର୍ଯ୍ୟକ୍ରମ ଜରିଆରେ ସମୟବଦ୍ଧ ଭାବେ ସମଗ୍ର ରାଜ୍ୟରୁ ଚରମ ଦାରିଦ୍ର୍ୟ ଦୂର କରାଯାଇପାରିବ। ଜିଲ୍ଲା ଖଣିଜ ପାଣ୍ଠି, କମ୍ପାନିଗୁଡ଼ିକର ସିଏସ୍ଆର୍ ପାଣ୍ଠିର ଉପଯୋଗ କରାଗଲେ ଏଥିପାଇଁ ପାଣ୍ଠିର ଅଭାବ ରହିବ ନାହିଁ। ତେବେ ଚରମ ଦାରିଦ୍ର୍ୟଗ୍ରସ୍ତ ପରିବାରଗୁଡ଼ିକୁ ଚିହ୍ନଟ କରିବା ଲାଗି ପ୍ରଥମେ ଘରକୁ ଘର ବୁଲି ଏକ ବ୍ୟାପକ ସର୍ଭେ ହେବା ଜରୁରି। ଏଣିକି ଦାରିଦ୍ର୍ୟ ଦୂରୀକରଣ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନାର ପ୍ରଥମ ଲାଭାର୍ଥୀ ଏଇ ବଞ୍ଚିତ ବର୍ଗର ଲୋକମାନେ ହୁଅନ୍ତୁ। ଜନ ସହଯୋଗରେ ଏହି କାର୍ଯ୍ୟଟିକୁ ସୁଚାରୁ ରୂପେ ସମ୍ପାଦନ କରାଯାଇ ପାରିବ।
ଜାତିସଂଘର ସତତ ବିକାଶ ଲକ୍ଷ୍ୟର ପ୍ରଥମ ଲକ୍ଷ୍ୟଟି ହେଉଛି ୨୦୩୦ ମସିହା ସୁଦ୍ଧା ସାରା ବିଶ୍ୱରୁ ଚରମ ଦାରିଦ୍ର୍ୟର ଉନ୍ମୁଳନ। ଦେଶର ପ୍ରଥମ ରାଜ୍ୟ ରୂପେ କେରଳ ଏହି ଲକ୍ଷ୍ୟ ହାସଲ କରିସାରିଛି। ଅନ୍ତତଃ ୨୦୩୦ ସୁଦ୍ଧା ଓଡ଼ିଶା ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଆନ୍ତରିକ ଉଦ୍ୟମ କରିବା ଆବଶ୍ୟକ। ଚରମ ଦାରିଦ୍ର୍ୟରେ ଉତ୍ପୀଡ଼ିତ ଲୋକଙ୍କର ଉତ୍ଥାନ ବିନା ସମାବେଶୀ ବିକାଶ ହେବନାହିଁ କି ବିକଶିତ ଓଡ଼ିଶା ଗଠନର ସ୍ୱପ୍ନ ସାକାର ହୋଇପାରିବନି। ଆମର ସବୁ ସ୍ୱପ୍ନକୁ ଆମର ଦାରିଦ୍ର୍ୟ ଭଙ୍ଗ କରୁଥିବ ଓ ଆମେ ପ୍ରକୃତ ଅର୍ଥରେ ଆଗେଇ ପାରୁ ନ ଥିବା। ତେଣୁ ରାଜନୈତିକ ଇଚ୍ଛାଶକ୍ତି ପ୍ରଦର୍ଶନ ପୂର୍ବକ ଓଡ଼ିଶାରୁ ଚରମ ଦାରିଦ୍ର୍ୟ ଦୂର କରିବା ଆମର ଧ୍ୟେୟ ହେଉ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୩୮୦୧୫
Follow Us