Singer Trump: ଗାୟକ ଟ୍ରଂପ ଓ ପାଳିଆ ସରିଫ

ପାକିସ୍ତାନ ହେଉଛି ଗୋଟିଏ ତଥାକଥିତ ଲୋକତାନ୍ତ୍ରିକ ଦେଶ, ଯେଉଁଠି ଲୋକତନ୍ତ୍ର ଋତୁ ଆସିଲା ପରି ଆସେ ଓ ଯାଏ। ପ୍ରାୟ ପ୍ରତି ଦଶ ବର୍ଷରେ ଥରେ ଲୋକତନ୍ତ୍ର ଆସିବ ଓ ଅତି ବେଶୀରେ ପାଞ୍ଚ ଛଅ ବର୍ଷ ରହିଲା ପରେ ତାହା ପୁଣି ଅପହୃତ ହୋଇଯିବ ସେନା ଦ୍ବାରା।

fhfshfsfshxbvvb

ଗୋଧନେଶ୍ୱର ହୋତା

ପାକିସ୍ତାନ ହେଉଛି ଗୋଟିଏ ତଥାକଥିତ ଲୋକତାନ୍ତ୍ରିକ ଦେଶ, ଯେଉଁଠି ଲୋକତନ୍ତ୍ର ଋତୁ ଆସିଲା ପରି ଆସେ ଓ ଯାଏ। ପ୍ରାୟ ପ୍ରତି ଦଶ ବର୍ଷରେ ଥରେ ଲୋକତନ୍ତ୍ର ଆସିବ ଓ ଅତି ବେଶୀରେ ପାଞ୍ଚ ଛଅ ବର୍ଷ ରହିଲା ପରେ ତାହା ପୁଣି ଅପହୃତ ହୋଇଯିବ ସେନା ଦ୍ବାରା। ବିଗତ କିଛି ବର୍ଷ ହେଲାଣି ସେଠାରେ ଗଣତନ୍ତ୍ର ଅଛି, କିନ୍ତୁ ବାସ୍ତବ କ୍ଷମତା ସେନାର ଅକ୍ତିଆରରେ। ସଂପ୍ରତି ସେଠାକାର ନୂଆ ମୁନିବ ଫିଲ୍‌ଡ ମାର୍ଶାଲ ଅସୀମ ମୁନୀର। ଶୁଣାଯାଉଛି ପାକିସ୍ତାନରେ ସଂବିଧାନ ସଂଶୋଧନର ପ୍ରୟାସ ଚାଲିଛି, ଯେଉଁଥିଲେ ମୁନୀର ଯାବଜ୍ଜୀବନ ଫିଲ୍‌ଡ ମାର୍ଶାଲ ହୋଇ ରହିବେ। ଏବେ ସେଠାକାର ସ୍ଥିତି ହେଲା ନାମକୁ ମାତ୍ର ଲୋକତନ୍ତ୍ର ଅଛି, ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଅଛନ୍ତି, କିନ୍ତୁ ସେ ହେଉଛନ୍ତି ଫିଲ୍‌ଡ ମାର୍ଶାଲଙ୍କ ଅଧସ୍ତନ।
୧୯୪୭ ମସିହାରେ ଜନ୍ମ ପରଠାରୁ ପ୍ରାୟ ୩୦ ବର୍ଷ ଧରି ଚାରି ଥର ପାକିସ୍ତାନରେ ସେନା କ୍ଷମତା ଅକ୍ତିଆର କରିଛି। ଅଠେଇଶ ଜଣ ପ୍ରଧାନମନ୍ତ୍ରୀ ହେଲେଣି ଓ ଜଣେ ସୁଦ୍ଦା ଆଜି ଯାଏ ପୂରା ପାଞ୍ଚ ବର୍ଷର କାର୍ଯ୍ୟ ଭାର ସମାପ୍ତ କରିପାରିନାହାନ୍ତି। ନୱାଜ୍ ସରିଫ ଚାରି ଥର ପ୍ରଧାନମନ୍ତ୍ରୀ ହେଲା ପରେ ସାଢ଼େ ନଅ ବର୍ଷ ପୂରା କରିଛନ୍ତି। ପାକିସ୍ତାନର ରାଜନୈତିକ ଇତିହାସରୁ ଯଦି ଗୋଟିଏ ଧାରା ବାହାରେ, ତାହା ହେଲା ସେଠାରେ ଯେ କେହି ବି ପ୍ରଧାନମନ୍ତ୍ରୀ ହେବ, ସେ କିଛି ଦିନ ପରେ ହୁଏତ ଜେଲ୍ ଯିବ ନତୁବା ପ୍ରାଣ ନେଇ ବିଦେଶ ପଳାୟନ କରିବ। ଜୁଲଫିକର ଅଲ୍ଲୀ ଭୁଟ୍ଟୋ ଜେଲରେ ରହି ଶେଷରେ ଫାଶୀରେ ଝୁଲିଲେ ଏବଂ ଇମରାନ ଖାଁ ଏବେ ଜେଲରେ ଶଢୁଛନ୍ତି; ମୁକ୍ତି ପାଇବାର ଆଶା କ୍ଷୀଣ। ଏହା ହେଲା ସେଠାକାର ମିଜାଜ। 
ଆମ ଦେଶର ଲୋକତନ୍ତ୍ର ଠିକ୍ ଅଲଗା। ସେନା ତାଙ୍କ କର୍ତ୍ତବ୍ୟରେ ସଦା ମୁତୟନ ଓ ଶାସନ ଭାର ହାତକୁ ନେବାର କୌଣସି ଆଗ୍ରହ ନାହିଁ। ପ୍ରଧାନମନ୍ତ୍ରୀ ଭାବେ ପଣ୍ଡିତ ଜୱାହରଲାଲ ନେହରୁଜୀ ୧୭-୧୮ ବର୍ଷ, ଇନ୍ଦିରାଜୀ ୧୫-୧୬ ବର୍ଷ, ରାଜୀବଜୀ ୫ ବର୍ଷ ଓ ସଂପ୍ରତି ମୋଦୀଜୀ ୧୨-୧୩ ବର୍ଷ ରହିଲେଣି। ବିହାର ରାଜ୍ୟର ବିଧାନସଭା ନିର୍ବାଚନ ଏବେ ସରିଛି ଏବଂ ଏତେ ସଂଖ୍ୟକ ଲୋକ ଭୋଟ (୬୬.୯୧%) ଦେଇଛନ୍ତି ‌େଯ ଗର୍ବ ବୋଧ ହେଉଛି ଯେ ଲୋକତନ୍ତ୍ର ଆମ ରକ୍ତ ଓ ଶିରା ପ୍ରଶିରାରେ ପ୍ରବାହିତ। ତାହା ଆମ ଡିଏନଏରେ ଅଛି। ଅଥଚ, ପାକିସ୍ତାନରେ ଆୟୁବ ଖାଁ ଶାସନ କଲେ ପାଖାପାଖି ୧୧ ବର୍ଷ, ୟାହ୍ୟା ଖାଁ ଦୁଇ ବର୍ଷ, ଜିଆ ଉଲ୍ ହକ୍ ୧୧ ବର୍ଷ, ପରବେଜ ମୁସାରଫ ୮-୯ ବର୍ଷ ଶାସନରେ ରହିଲେ। ସେଠାରେ ସେନାର ଏକଛତ୍ରବାଦ ଅଧିକ ଲମ୍ବା ସମୟ ଧରି ଚାଲୁଥିବା ବେଳେ ଲୋକତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାର କମ୍ ସମୟ ଚାଲେ। ଏହା ହିଁ ଆମ ଦେଶ ଓ ପାକିସ୍ତାନ ମଧ୍ୟରେ ମିଜାଜ‌େର ଥିବା ଫରକ।
ପାକିସ୍ତାନ ଏବେ ଗୋଟାଏ ନାହିଁ ନାହିଁର ଦେଶରେ ପରିଣତ ହୋଇଛି। ଦେଶରେ ଖାଦ୍ୟର ଅଭାବ, ଅଧିକାଂଶ ଲୋକେ ମୌଳିକ ସୁଖ ସୁବିଧାରୁ ବଞ୍ଚିତ, ଦେଶର ‌େବୖଦେଶିକ ମୁଦ୍ରା ଭଣ୍ଡାରର ସ୍ଥିତି ଦୟନୀୟ। ସେ ଦେଶ ଆଇ.ଏମ.ଏଫ.ର ଋଣ ଉପରେ ଚଳୁଛି। ଏଣେ ସେନା ବାହିନୀର ଗୁଇନ୍ଦା ବିଭାଗ ଆଇ.ଏସ.ଆଇ. ଦ୍ବାରା ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ଭାରତ ବିରୋଧୀ କାର୍ଯ୍ୟକଳାପରେ ଅନେକ ବର୍ଷ ଧରି ଲିପ୍ତ ହେବା ପରେ ଅଣ୍ଟି ଛୁରୀ ତଣ୍ଟି କାଟିଲା ଭଳି ଏବେ ପାକିସ୍ତାନରେ ଉତ୍ପାତ କରୁଛନ୍ତି। ପାକିସ୍ତାନର ସନ୍ତାନ ତାଲିବାନ ଏବେ ହେଉଛି ତା’ର ଏକ ବଡ଼ ଶତ୍ରୁ। ସେ ଦେଶରେ ଶାନ୍ତି ନାହିଁ କି ସୁରକ୍ଷା ନାହିଁ। ନିଜ ଦେଶର ପରିସ୍ଥିତିକୁ ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ନିଜେ କହିଛନ୍ତି ଯେ ଅବସ୍ଥା ଏମିତି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅନ୍ୟ ଦେଶକୁ ଗଲେ ସେ ଦେଶର ଲୋକେ ଭାବୁଛନ୍ତି, ‘ପାକିସ୍ତାନ କିଛି ମାଗିବାକୁ ଆସିଛି’। 
ଏବେ ଆସିବା ଆମେରିକା ପ୍ରସଙ୍ଗକୁ। କାରଣ ଶାନ୍ତି ପାଇଁ ନୋବେଲ ପୁରସ୍କାର ଲାଭ କରିବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରଂପ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ସହୱାଜ ସରିଫଙ୍କ ପାଲା ଗାୟନ ବିଷୟ ଏବେ ସମସ୍ତଙ୍କୁ ଜଣା। ଅଚାନକ ଦିନେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ମହାଶୟଙ୍କୁ ମନେ ହେଲା ‌େଯ ସେ ହେଉଛନ୍ତି ଜଣେ ଶାନ୍ତି ଦୂତ ଓ ଆଠଟି ଯୁଦ୍ଧର ସେ ଅବସାନ ଘଟାଇଛନ୍ତି। ତେଣୁ ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ସର୍ବୋତ୍ତମ ବ୍ୟକ୍ତି। ପ୍ରଥମେ ପ୍ରଥମେ ବିଭିନ୍ନ ପ୍ରକାରରେ ନିଜର ମହନୀୟତା ଓ ବିଚକ୍ଷଣ ବୁଦ୍ଧିର ପ୍ରଭାବ ଓ ପ୍ରଚାର ଯୋଗେ ଆତ୍ମ ସୁପାରିସରେ ଲାଗିଲେ। ଯଦିଓ ଏ ବର୍ଷ ସେ ଉଦ୍ୟମ ବିଫଳ ହୋଇଛି, ତଥାପି ଆଶା ରହିଛି ଆସନ୍ତା ବର୍ଷକୁ ମିଳିପାରେ! ଏଇ ନିକଟ ଅତୀତରେ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ବିଶ୍ୱନେତାଙ୍କ ଏକ ସଭାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ମହୋଦୟ ଯେଉଁ ଚାଟୁକାରିତାର ପରାକାଷ୍ଠା ପ୍ରଦର୍ଶନ କରି ଆମେରିକାର ରାଷ୍ଟ୍ରପତିଙ୍କ ଗୁଣ କୀର୍ତ୍ତନ କଲେ, ତାହା ବିରଳ। ସେ କହିଲେ ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଯୋଗୁଁ ବିଶ୍ୱରେ ବିକାଶ ହେବା ସଙ୍ଗେ ସଙ୍ଗେ ଶାନ୍ତି ପ୍ରତିଷ୍ଠା ହୋଇପାରିଛି ଓ ରାଷ୍ଟ୍ରପତି ଟ୍ରମ୍ପ ପ୍ରକୃତରେ ଜଣେ ଶାନ୍ତିର ମଣିଷ ଓ ତାଙ୍କ ପରି ବ୍ୟକ୍ତି ହିଁ ବର୍ତ୍ତମାନ ବିଶ୍ୱ ଚାହୁଁଛି। ତେଣୁ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ୟାଲୁଟ୍ କରୁଛନ୍ତି। 
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କଥାରେ ଟ୍ରମ୍ପ ମହାଶୟଙ୍କ ପ୍ରତିକ୍ରିୟା ପ୍ରକୃତରେ କ’ଣ, ତାହା ହୁଏତ ବୁଝିବା କଷ୍ଟକର। ତେବେ ତାଙ୍କ ଶରୀରର ଭାଷାରୁ ଅନୁମାନ କରି ହେଉଛି ଯେ ସେ ବହୁତ ଉତ୍‌ଫୁଲ୍ଲିତ ଓ ଉତ୍ସାହିତ। 
ଏବେ ଆସିବା ନୋବେଲ ପୁରସ୍କାର ପାଇବା ପ୍ରସଙ୍ଗକୁ। କୌଣସି ପୁରସ୍କାର ମାଗିବାର କଥା ବିରଳ। ଅତୀତରେ ଅନେକ ରାଷ୍ଟ୍ରପତି, ରାଜନେତା‌ ଓ ଶାସନ ମୁଖ୍ୟ ନୋବେଲ ପୁରସ୍କାର ପାଇଛନ୍ତି, କିନ୍ତୁ କିଏ ଟ୍ରଂପଙ୍କ ଭଳି ଖୋଲାଖୋଲି ମାଗି ନାହାନ୍ତି। ଇଂଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ସାର୍ ଉଇନଷ୍ଟନ ଚର୍ଚ୍ଚିଲ ସାହିତ୍ୟ ପାଇଁ ଏହି ପୁରସ୍କାର ପାଇଥିଲେ। ଏହି ପୁରସ୍କାର ପାଇଁ ତାଙ୍କ ଯୋଗ୍ୟତା ବାବଦରେ ହୁଏତ କେହି ପ୍ରଶ୍ନ କରିପାରେ, କିନ୍ତୁ ସେ ଆତ୍ମ ସୁପାରିସ କରି ନ ଥିଲେ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଜ କୃତିର ବିବରଣୀ ବାରମ୍ବାର ଦେଇ ନ ଥିଲେ ବା ନିଜ ପାଇଁ ସୁପାରିସ କରି ନ ଥିଲେ। ଲୋକେ ଏବେ କହୁଛନ୍ତି ଟ୍ରଂପ ପ୍ରବଳ ଅହଙ୍କାରୀ, କିନ୍ତୁ ତାଙ୍କର ଆତ୍ମ ସମ୍ମାନବୋଧ ଟିକିଏ ହେଲେ ନାହିଁ। ଅବଶ୍ୟ, ନୋବେଲ ପୁରସ୍କାର ପାଇଁ ଅତୀତରେ ଘଟିଥିବା ଅଳ୍ପ କେତୋଟି ସମରୂପ ବିଚିତ୍ର ଘଟଣାବଳୀ ଘଟିଛି, ଯାହାକୁ ପ୍ରସଙ୍ଗ କ୍ରମେ ଉଲ୍ଲେଖ କରାଯାଇପାରେ। ସପ୍ତମ ଦଶକରେ ଜଣେ ବୈଜ୍ଞାନିକ ତତ୍କାଳୀନ ନୋବେଲ କମିଟିର ସଭାପତି ପ୍ରଫେସର ଆଣ୍ଡାର୍ସ ଓଷ୍ଟାର୍‌ଲିଂଙ୍କୁ ଲେଖିଥିଲେ ‘ମୋତେ ପୁରସ୍କାରଟି ପଠାଇଦିଅନ୍ତୁ। ବର୍ଷକ ଭିତରେ ମୁଁ ମୋର ଯୁଗାନ୍ତକାରୀ ଉଦ୍ଭାବନ ଆପଣଙ୍କୁ ଦେଖାଇବି।’ ଆଉ ଜଣେ ବ୍ୟକ୍ତି ବର୍ଷ ବର୍ଷ ଧରି ନୋବେଲ କମିଟିଙ୍କୁ ଜଣାଇ ଆସୁଛନ୍ତି ଯେ ସେ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇବାକୁ ହକ୍‌ଦାର। କାରଣ ସେ ହେଉଛନ୍ତି ଆଇଜାକ ନିଉଟନ ତଥା ଯୀଶୁଖ୍ରୀଷ୍ଟଙ୍କ ଅବତାର। ସବୁଠାରୁ ବେଶୀ ରୋଚକ ଘଟଣା ଘଟିଥିଲା ଯେଉଁ ବର୍ଷ ନୋବେଲ ପୁରସ୍କାର ପ୍ରବର୍ତ୍ତନ ହୋଇଥିଲା ୧୯୦୧ ମସିହାରେ। ସେହି ବର୍ଷ ଜଣେ ଆମେରିକାନ ‘ଲେଖକ’ ନିଜର ଗୋଟିଏ ଗଳ୍ପର କାର୍ବନ କପି ନୋବେଲ କମିଟିକୁ ପଠାଇଥିଲେ ଓ ତା’ ସହିତ ଏକ ଚିଠି ମଧ୍ୟ ଯୋଡ଼ିଥିଲେ ଯହିଁରେ ଲେଖାଥିଲା ‘ଆପଣମାନେ ମୋ ଗଳ୍ପ ପଢ଼ି ଯଦି ମୋତେ ନୋବେଲ ପୁରସ୍କାର ଦେବାକୁ ସ୍ଥିର କରିବେ, ମୁଁ କିନ୍ତୁ କଦାପି ତାହା ଗ୍ରହଣ କରିବି ନାହିଁ, ଜାଣି ରଖନ୍ତୁ।’ ଏବେ ମନେ ହେଉଛି ଯେ ଏହି ପୁରସ୍କାର ପାଇବା ଲାଗି ଟ୍ରଂପଙ୍କ ବୈକଲ୍ୟ ଏହି କଥାଗୁଡ଼ିକ ସହିତ ଯୋଡ଼ି ହୋଇଯିବ।
ପୁରସ୍କାର ପାଇଁ ଆଗ୍ରହୀ ରାଷ୍ଟ୍ରପତି ମହାଶୟ ଓ ତାଙ୍କୁ ଅନ୍ଧ ଭାବେ ସମର୍ଥନ କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ମହୋଦୟଙ୍କ ପରସ୍ପର ପ୍ରତି ନିବିଡ଼ତାକୁ ଦେଖିଲେ ଦୁଇ ବନ୍ଧୁଙ୍କ ଏକ କାହାଣୀ ମନେପଡ଼େ। ଜଣେ ତା’ ସାଙ୍ଗକୁ କହିଲା, ‘ବୁଝିଲୁ, ଥରେ ମୁଁ ନଦୀରେ ଗାଧୋଉଛି, ଦେଖିଲି ଗୋଟେ ମହାବଳ ବାଘ ଆସି କୂଳରେ ମୋତେ ଛକିଲା। ମୁଁ ବାଘ ଆଡ଼କୁ ହାବୁକାଏ ପାଣି ଛାଟିଦେଇ ଧମକ ଦେଲି- ଯାଉଛୁ ନା ଦେଖିବୁ! ବାଘଟି ଦୌଡ଼ି ପଳାଇଲା। ତା’ ସାଙ୍ଗଟି ଶୁଣି କହିଲା ଆରେ ସତ ସତ! ମୁଁ ନଈ ଆଡ଼େ ଆସୁ ଥିଲି। ମୋତେ ଦେଖି ବାଘଟି ଛାନିଆ ହୋଇଗଲା ଓ ମୁଁ ତା’ ନିଶରେ ହାତ ମାରି ଦେଖିଲି, ସେ ଯାଏ ତାହା ଓଦା ଥିଲା।’ 
ଆଠଟି ଯୁଦ୍ଧ ବନ୍ଦ କରିଦେଇଛନ୍ତି ଆମେରିକାର ରାଷ୍ଟ୍ରପତିଙ୍କ ଦାବିକୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ଏହି ଗୁଲି ପର୍ଯ୍ୟାୟର। ଯଦି ଆମେ ଏହାକୁ ପାଲାର ଉପମା ଦେବା ତେବେ ଟ୍ରଂପ ଜ‌େଣ ଅଥକ ଗାୟକ ଓ ସହୱାଜ ସରିଫ ଜଣେ ଅନୁରକ୍ତ ପାଳିଆ। ତେଣୁ ପୃଥିବୀ ଆଗାମୀ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଟ୍ରଂପ ଓ ସରିଫଙ୍କ ପାଲା ଗାୟନ ଦେଖିପାରେ!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୮୧୬୫୬୬୪

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe