ସୁରଞ୍ଜନଙ୍କ ଡାଏରି: ଧନୁଯାତ୍ରାରେ ଏକ ସ୍ମରଣୀୟ ସନ୍ଧ୍ୟା

Advertisment

ଆଗରେ କୁହୁଡ଼ି ଓ ରାଜପଥର ଦୁଇ କଡ଼େ କଟା ଧାନ ଫସଲର କ୍ଷେତ। ଘନ କୁହୁଡ଼ିରେ ଉଇଁ ଆସୁଥିବା ଚେନାଏ ସୂର୍ଯ୍ୟ ଯେମିତି ବାଟ କଢ଼ାଉଥିଲେ। ପୌଷ ପୂର୍ଣ୍ଣମୀର ଅବ୍ୟବହିତ ପୂର୍ବରୁ ପଞ୍ଚାବନ ନମ୍ବର ଜାତୀୟ ରାଜପଥରେ ରେଢ଼ାଖୋଲ...

ଆଗରେ କୁହୁଡ଼ି ଓ ରାଜପଥର ଦୁଇ କଡ଼େ କଟା ଧାନ ଫସଲର କ୍ଷେତ। ଘନ କୁହୁଡ଼ିରେ ଉଇଁ ଆସୁଥିବା ଚେନାଏ ସୂର୍ଯ୍ୟ ଯେମିତି ବାଟ କଢ଼ାଉଥିଲେ। ପୌଷ ପୂର୍ଣ୍ଣମୀର ଅବ୍ୟବହିତ ପୂର୍ବରୁ ପଞ୍ଚାବନ ନମ୍ବର ଜାତୀୟ ରାଜପଥରେ ରେଢ଼ାଖୋଲ...

fhfhfhbb

ଧନଞ୍ଜୟ ସ୍ୱାଇଁ

ଆଗରେ କୁହୁଡ଼ି ଓ ରାଜପଥର ଦୁଇ କଡ଼େ କଟା ଧାନ ଫସଲର କ୍ଷେତ। ଘନ କୁହୁଡ଼ିରେ ଉଇଁ ଆସୁଥିବା ଚେନାଏ ସୂର୍ଯ୍ୟ ଯେମିତି ବାଟ କଢ଼ାଉଥିଲେ। ପୌଷ ପୂର୍ଣ୍ଣମୀର ଅବ୍ୟବହିତ ପୂର୍ବରୁ ପଞ୍ଚାବନ ନମ୍ବର ଜାତୀୟ ରାଜପଥରେ ରେଢ଼ାଖୋଲ, ସମ୍ବଲପୁର ଡେଇଁ ହୀରାକୁଦ ରାସ୍ତାରେ ବରଗଡ଼ ସହରରେ ସୁରଞ୍ଜନ ବାବୁ ପହଞ୍ଚିଲା ବେଳକୁ ମ୍ଳାନ ଗୋଧୂଳିର ସ୍ତିମିତ ଆଲୋକ ଧରା ପୃଷ୍ଠରୁ ଲିଭି ନ ଥିଲା। ରାସ୍ତାର ଗୋଟିଏ ପାର୍ଶ୍ବରେ ଘନ ସବୁଜ ଶାଳ ବିଥିର ଅରଣ୍ୟ, ଆର ପାଖରେ ହୀରାକୁଦ ନଦୀ ବନ୍ଧର ପଛୁଆ ପାଣିରେ କଅଁଳ ଧାନ ପହ୍ଲାଗୁଡ଼ିକ ସବୁଜ ହୋଇ ଆସୁଥିଲା। ପଥୁରିଆ ଭୂଇଁ, ଦୋ-ଫସଲି କ୍ଷେତ, ପଛରେ ଛାଇ ପରି ପାହାଡ଼। ନ ଥିଲା ଲଘୁଚାପ କି ଲେଡ଼ା ପୋକର ଭୟ। ମଝିରେ ମଝିରେ ନାଲି ପଥରରେ ଗଁା ଦେବତାଙ୍କ ମନ୍ଦିର, ନଡ଼ା ଚାଳର ଧାଡ଼ି ଧାଡ଼ି ଘର। ସ୍ୱଳ୍ପ ଆଲୋକିତ ପୌଷ ସଞ୍ଜରେ ଢଳ ଢଳ ପୋଖରୀ ପାଣିରେ ମୁହଁ ଦେଖୁଥିଲା ଡେଙ୍ଗା ଡେଙ୍ଗା ନଡ଼ିଆ ଓ ଗୁଆ ଗଛ।
ଝଲମଲ ଆଲୋକମାଳାରେ ନବବଧୂ ପରି ସଜେଇ ହୋଇଥିଲା ବରଗଡ଼ର ମଥୁରା ନଗରୀ। ଛକ ଜାଗାମାନଙ୍କରେ କଂସ ମହାରାଜାଙ୍କର ବଡ଼ ବଡ଼ କଟ୍ ଆଉଟ୍ ଓ ସ୍ୱାଗତ ତୋରଣ। ସହର ସାରା ଉତ୍ସବମୁଖର ପରିବେଶ। ସୁରଞ୍ଜନ ବାବୁ କଂସ ମହାରାଜାଙ୍କ ରଙ୍ଗସଭା ନିକଟରେ ପହଞ୍ଚିଲା ବେଳକୁ କଂସଙ୍କ ହସ୍ତୀ ପୃଷ୍ଠରେ ନଗର ପରିକ୍ରମା ଚାଲୁଥିଲା। ସେପଟେ କୃଷ୍ଣ ବଳରାମଙ୍କୁ ଧନୁଯାତ୍ରାକୁ ନିମନ୍ତ୍ରଣ ପାଇଁ ଅକ୍ରୁରଙ୍କ ଗୋପପୁର ଗମନ। ସୁରଞ୍ଜନ ବାବୁ ସମସ୍ତ ଜାଗତିକତା ଭୁଲି ଯେମିତି ଅନୁଭବ କରି ପାରୁଥିଲେ ଦେବକୀଙ୍କ ଅମୋକ୍ଷ ଆଖି ହଳକରେ ଅନ୍ଧାରୀ ବେଦନା। ଚତୁର୍ଦ୍ଦିଗରେ କହ୍ନାଇର ଜୟ ଜୟକାର। ପୁତ୍ର ପ୍ରେମରେ ଅନ୍ଧ ଯଶୋଦେଈ ଆଉ ବ୍ରଜନାରୀମାନେ ଗୋପ ନଗରୀର ସୀମାକୁ ଚାହିଁଛନ୍ତି ଯେ ଚାହିଁଛନ୍ତି, କିନ୍ତୁ କହ୍ନାଇ ଆଉ ଫେରୁନାହିଁ। ସୁରଞ୍ଜନ ବାବୁଙ୍କ ମନେ ପଡୁଥିଲା ମଥୁରା ମଙ୍ଗଳ କାବ୍ୟର ପଙ୍‌କ୍ତିଟିଏ-
“ଦାଣ୍ଡରେ ଶୁଭିଲା ରାମ-କୃଷ୍ଣ ବେନି ଭାଇ
ଅକ୍ରୁର ଆସିଛି ତାଙ୍କୁ ଧରିନେବା ପାଇଁ
ବେଳ ହେଉଛି ଉଛୁର,
ଧନୁଯାତ୍ରା କରିଯିବେ ମାମୁ କଂସାସୁର।”
ସୁଶୀଳ କୁମାର ବାଗଙ୍କ ଦ୍ୱାରା ସଂପାଦିତ ‘ବରଗଡ଼ ପରିଚୟ’ ପୁସ୍ତକରେ ଲେଖକ ଲକ୍ଷ୍ମୀନାରାୟଣ ହୋତା ଲେଖିଛନ୍ତି, “ସ୍ୱାଧୀନତା ପ୍ରାପ୍ତିର ସୁଖଦ ଅନୁଭବରୁ ହୁଏତ ପରିକଳ୍ପିତ ଏଇ ଧନୁଯାତ୍ରା ମହୋତ୍ସବ। ଇଂରେଜ ସରକାର, ରାଜାରାଜୁଡ଼ା, ଜମିଦାର, ଗୌନ୍ତିଆ ଓ ପୁଞ୍ଜିବାଦର ପ୍ରତୀକ କଂସ ବିରୁଦ୍ଧରେ ଚାଷୀ-ମୂଲିଆର ପ୍ରତୀକ ସରଳ, ଅସହାୟ ମଣିଷର ତ୍ରାଣକର୍ତ୍ତା କୃଷ୍ଣ-ବଳରାମଙ୍କର ଯୁଦ୍ଧ ଡାକରା। କଂସ ବଧର ବିଜୟୋଲ୍ଲାସ ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ପର୍ବ ପୁଷ୍‌ପୁନି ପାଳନ। ଧନୁଯାତ୍ରା ମହୋତ୍ସବ ସହ ତେଣୁ ଏ ଅଞ୍ଚଳର ଲୋକଧାରାର ରହିଛି ନିବିଡ଼ ସମ୍ପର୍କ।”
ସୁରଞ୍ଜନ ବାବୁ ବରଗଡ଼-ମଥୁରା ନଗରୀର ନିଶାମଣି ପଡ଼ିଆରେ ଆୟୋଜିତ ଧନୁଯାତ୍ରାରେ କଂସାସୁର ଭୂମିକାରେ ଅବତୀର୍ଣ୍ଣ ଭୁବନେଶ୍ୱର ପ୍ରଧାନଙ୍କର ଅଭିନୟ ପଟୁତା ଦେଖି ଭାବୁଥିଲେ କଂସ କେବଳ ମାତ୍ର ଦୁର୍ଗୁଣ ସବୁର ଅଧିକାରୀ ନୁହନ୍ତି, ତାଙ୍କ ଭିତରେ ପ୍ରଜାମଙ୍ଗଳ କାମନା କରୁଥିବା ହୃଦୟଟିଏ ମଧ୍ୟ ରହିଛି। ତା’ ଭିତରେ ଅନୈତିକ ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ହୁଂକାର ଓ ଅସହାୟ, ଦୁଃଖୀ, ଦରିଦ୍ରଙ୍କ ପାଇଁ ସ୍ନେହ ଓ ସଦ୍‌ଭାବ ରହିଛି। ଏହି ନାଟକରେ କଂସ ପ୍ରଜାପୀଡ଼କ ନୁହନ୍ତି। ଜଣେ ପ୍ରଜାମଙ୍ଗଳକାରୀ ରାଜା ଭାବରେ ଦର୍ଶକ ସମ୍ମୁଖରେ ଉପସ୍ଥାପିତ। ଧନୁଯାତ୍ରାର ବିଶେଷତ୍ୱ ହେଲା ଯେ ଏଠାରେ ବିଷ୍ଣୁଙ୍କ ଆରାଧନା ନିଷେଧ କରାଯାଏ। ଆରାଧନା ସମ୍ପର୍କିତ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଥୁରାର ରଙ୍ଗମହଲରେ ଅନୁମତି ମିଳେନାହିଁ। ଏ ଅନୁସଙ୍ଗରେ କଂସ ରାଜାଙ୍କର ନଗର ପରିକ୍ରମା ଓ ନିୟମର ବ୍ୟତିକ୍ରମ ଦେଖି ଅର୍ଥ ଜୋରିମାନା- ଏ ଯାତ୍ରାର ମଜାଦାର ପ୍ରସଙ୍ଗ। ଏହା ସତ୍ତ୍ୱେ କଂସ ନିଧନ ପରେ କୃଷ୍ଣଙ୍କ ପ୍ରତି କଟୁ ଓ ଅଶାଳୀନ ଶବ୍ଦ ପ୍ରୟୋଗ କରିଥିବାରୁ ପାପ ପ୍ରକ୍ଷାଳନ ପାଇଁ ମହୋଦଧିରେ ସ୍ନାନ ପୂର୍ବକ ଜଗନ୍ନାଥଙ୍କ ପାଖରେ ଶରଣାପନ୍ନ ହୋଇ କ୍ଷମା ଯାଚନା କରନ୍ତି କଂସ ମହାରାଜ। ଭାଗବତର ପଙ୍‌କ୍ତିଟିଏ ମନେ ପଡୁଥିଲା;
“ଅନେକ ବାର ମୋତେ ମାରି,
ମୋକ୍ଷ ନ ଦେଲେ ନରହରି।
ଏବେ ମାରିବେ ଯେବେ ହସ୍ତେ,
ସୌଭାଗ୍ୟ ଲଭିବି ମୁଁ ଅନ୍ତେ।।”
ତଥ୍ୟ ଅନୁସାରେ ପ୍ରତି ବର୍ଷ ପୌଷ ଶୁକ୍ଳ ପକ୍ଷ ପଞ୍ଚମୀ ଠାରୁ ଧନୁଯାତ୍ରାର ଶୁଭାରମ୍ଭ ହୋଇ ପୌଷ ପୂର୍ଣ୍ଣିମା ଦିନ ଉଦ୍‌ଯାପିତ ହୁଏ। ଦେବକୀ ପରିଣୟ ଠାରୁ କଂସ ବଧ ପର୍ଯ୍ୟନ୍ତ- ଏକାଦଶ ଦିବସ ବ୍ୟାପୀ ଏ ମାଧୁର୍ଯ୍ୟ ଲୀଳା ବରଗଡ଼ ଧନୁଯାତ୍ରାରେ ନାଟ୍ୟ ରୂପରେ ପରିବେଷଣ କରାଯାଇଥାଏ। କଂସ ନିଧନ ପରେ ବରଗଡ଼ବାସୀ ସୁମିଷ୍ଟ ବଣ୍ଟନରେ ଏହି ଉତ୍ସବକୁ ଆହୁରି ମୁଖର କରିଥାନ୍ତି। ସେଥିପାଇଁ ପଶ୍ଚିମ ଓଡ଼ିଶାରେ କଂସ ମୃତ୍ୟୁଜନିତ ଏକ ଲୋକବାଣୀ ଶୁଣିବାକୁ ମିଳେ।
“କଂସ ରାଜାର ବଅଁସ ବୁଡୁ,
କଂସ ମଲେ ଖାଏମା ଲଡୁ।।”
ଲେଉଟାଣି ରାସ୍ତାରେ ଗଙ୍ଗାଧରଙ୍କ ଗଁା ବରପାଲି (ଭୁଲିଆପଡ଼ା) ବୁଲି ଦେଖିବାକୁ ସୁରଞ୍ଜନ ବାବୁ ମନ ବଳାଇଲେ। ବରଗଡ଼ ଠାରୁ ବରପାଲି ମାତ୍ର ୨୩ କିଲୋମିଟରର ରାସ୍ତା। କିନ୍ତୁ କବିତୀର୍ଥକୁ ସହଜରେ ପହଞ୍ଚିବା ପାଇଁ କେଉଁଠି ସାଇନ ବୋର୍ଡ କିମ୍ବା କବିଙ୍କର ପ୍ରତିମୂର୍ତ୍ତିଟିଏ ଦେଖିବାକୁ ମିଳିଲା ନାହିଁ। ଭୁଲିଆପଡ଼ାରେ ପହଞ୍ଚିଲା ପରେ ଅପରିଚିତ ଭାବି ମୁ‌େଣ୍ଡ ଓଢ଼ଣାରେ ସ୍ତ୍ରୀଲୋକମାନେ ସଲ୍ଲଜ, ନିରୀହ ଦୃଷ୍ଟିରେ ଚାହୁଁଥିଲେ। ବୁଢ଼ା ଲୋକମାନେ ନାତିନାତୁଣୀ ଧରି, ଖରାପିଠିଆ ହୋଇ ପୌଷ ସକାଳର କଅଁଳ ଶୀତକୁ ଉପଭୋଗ କରୁଥିଲେ। ଗଙ୍ଗାଧରଙ୍କ ସ୍ମୃତି ଭବନରେ ନା ଥିଲା ତାଙ୍କ ସାହିତ୍ୟ କୃତି, ନା ତାଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଯାହା ଖାଲି ଏକ ସଦ୍ୟ ନିର୍ମିତ ଅଟ୍ଟାଳିକା ଭିତରେ ତାଙ୍କ ପୈତୃକ ଝିଙ୍କର ଘରଟିକୁ ସଂରକ୍ଷିତ କରି ରଖାଯାଇଛି। ସ୍ମୃତିରକ୍ଷା ପାଇଁ କୋଣଠେସା ହୋଇ ପଡ଼ିରହିଛି ତାଙ୍କ ଧୂଳିମଖା ପ୍ରତିମୂର୍ତ୍ତିଟି। ଏବେ ଗ୍ରାମୀଣ ପର୍ଯ୍ୟଟନ ପ୍ରତି ଆଗ୍ରହ ବଢ଼ିଥିବାରୁ ବରପାଲିର ଭୁଲିଆମାନଙ୍କର ପରମ୍ପରା, ସଂସ୍କୃତି, ଖାଦ୍ୟପେୟ, ପର୍ବପର୍ବାଣି, ଜୀବିକା ଓ ଜୀବନଶୈଳୀ ସମ୍ପର୍କରେ ପର୍ଯ୍ୟଟକମାନଙ୍କୁ ସରକାରଙ୍କ ତରଫରୁ ଅବଗତ କରାଯାଇପାରିଲେ ଏ କବିତୀର୍ଥଟିର ମହତ୍ତ୍ୱ ଆହୁରି ବୃଦ୍ଧି ପାଆନ୍ତା ବୋଲି ସୁରଞ୍ଜନ ବାବୁ ଅନୁଭବ କରୁଥିଲେ। ଗଙ୍ଗାଧରଙ୍କ ସ୍ମୃତି ଭବନରେ ଯେଉଁ ସାହିତ୍ୟିକ ଓ ସାଂସ୍କୃତିକ ବାତାବରଣ ରହିବା କଥା, ତାହା ଦେଖିବାକୁ ମିଳିଲା ନାହିଁ। ଏବେ ଓଡ଼ିଆ ଅସ୍ମିତାକୁ ନେଇ ତମ୍ବିତୋଫାନ ହେଲା ବେଳେ ଗଙ୍ଗାଧରଙ୍କ ଜନ୍ମ ସ୍ଥାନର ଜୀର୍ଣ୍ଣ ମାଟିକାନ୍ଥରେ ବହୁ ବର୍ଷ ତଳେ ତାଙ୍କ ଦ୍ୱାରା ଲିଖିତ କାଳଜୟୀ ଲେଖାଟି ପଢ଼ି ସୁରଞ୍ଜନ ବାବୁ ଭାବୁକ ହେବା ସହ ଏତେବଡ଼ ଜଣେ କବିଙ୍କ ଜନ୍ମପୀଠ ପ୍ରତି ଅବହେଳା ଓ ହତାଦର ତାଙ୍କୁ ବିମର୍ଷ କରି ଦେଉଥିଲା:
“ମାତୃଭୂମି ମାତୃଭାଷାର ମମତା
ଯା’ ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ।”
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୦୦୬୩୬

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe