ସୁରଞ୍ଜନଙ୍କ ଡାଏରି: ଜଉ କଣ୍ଢେଇ ବାହାଘର

Advertisment

ମୁଣ୍ଡ ଉପରେ ମେଘୁଆ ଆକାଶ କେଉଁ ଅନାସକ୍ତ ଅଭିଭାବକଙ୍କ ଗମ୍ଭୀର ମୁହଁ ପରି ଦିଶୁଥିଲା। ବାଟ ସରୁ ନ ଥିଲା। ଭଦ୍ରକ, ସୋରୋ, ବାହାନଗା, ଖନ୍ତାପଡ଼ା, ଶେରଗଡ଼ ଡେଇଁ ପାଖାପାଖି ୨୦୦ କିଲୋମିଟରର କ୍ଳାନ୍ତିପ୍ରଦ ଯାତ୍ରା ପରେ ବାଲେଶ୍ୱର ସହରରେ ପହଞ୍ଚିଲା ବେଳକୁ ସଞ୍ଜ ନଇଁ ଆସିଥିଲା।

ମୁଣ୍ଡ ଉପରେ ମେଘୁଆ ଆକାଶ କେଉଁ ଅନାସକ୍ତ ଅଭିଭାବକଙ୍କ ଗମ୍ଭୀର ମୁହଁ ପରି ଦିଶୁଥିଲା। ବାଟ ସରୁ ନ ଥିଲା। ଭଦ୍ରକ, ସୋରୋ, ବାହାନଗା, ଖନ୍ତାପଡ଼ା, ଶେରଗଡ଼ ଡେଇଁ ପାଖାପାଖି ୨୦୦ କିଲୋମିଟରର କ୍ଳାନ୍ତିପ୍ରଦ ଯାତ୍ରା ପରେ ବାଲେଶ୍ୱର ସହରରେ ପହଞ୍ଚିଲା ବେଳକୁ ସଞ୍ଜ ନଇଁ ଆସିଥିଲା।

sdsdxcxc

ଧନଞ୍ଜୟ ସ୍ୱାଇଁ

ମୁଣ୍ଡ ଉପରେ ମେଘୁଆ ଆକାଶ କେଉଁ ଅନାସକ୍ତ ଅଭିଭାବକଙ୍କ ଗମ୍ଭୀର ମୁହଁ ପରି ଦିଶୁଥିଲା। ବାଟ ସରୁ ନ ଥିଲା। ଭଦ୍ରକ, ସୋରୋ, ବାହାନଗା, ଖନ୍ତାପଡ଼ା, ଶେରଗଡ଼ ଡେଇଁ ପାଖାପାଖି ୨୦୦ କିଲୋମିଟରର କ୍ଳାନ୍ତିପ୍ରଦ ଯାତ୍ରା ପରେ ବାଲେଶ୍ୱର ସହରରେ ପହଞ୍ଚିଲା ବେଳକୁ ସଞ୍ଜ ନଇଁ ଆସିଥିଲା। ପଥ ଧାରେ ରୌଦ୍ରଦଗ୍‌ଧ ମାଟିରେ ଦୁବଘାସର କେରାଏ କେରାଏ ନିର୍ଲିପ୍ତ ସବୁଜିମା ସଂଘର୍ଷ ଓ ସଂଘାତ ଭିତରେ ଗତି କରୁଥିବା ଜୀବନରେ ଆଶା ସଞ୍ଚାର କରୁଥିଲା। ବାଟରେ ସ୍ୱପ୍ନମୟ ନଈର କ୍ଷୀଣ ଜଳଧାରା ଉପରେ ଅସ୍ତରାଗର ଆଭା ଯେତିକି ରହସ୍ୟମୟ ଲାଗୁଥିଲା, ଘରବାହୁଡ଼ା ଚଢ଼େଇଙ୍କ କଳରବ, ଗୋଧୂଳି ସଞ୍ଜକୁ ସେତିକି ଉଦାସ କରିଥିଲା। ସୁରଞ୍ଜନ ବାବୁଙ୍କ କବିତାଂଶଟିଏ ମନେ ପଡୁଥିଲା, 
“ଢାଳିଦେଇ ଶୁଦ୍ଧ ସୁବର୍ଣ୍ଣ ଅଂଶୁମାନ ଚଳିଲେ
ସନ୍ଧ୍ୟାଦୀପ ଜାଳି ଗୃହିଣୀ ଶଙ୍ଖଧ୍ୱନି ତୋଳିଲେ
ଗାଇଲେ ସ୍ୱସୁରେ ବିହଙ୍ଗେ ତୋଳି ବିଦାୟୀ ରାଗ
ନୀଳ ନଭେ ଘୋଟି ଆସିଲା ନୀଳ ମାୟାବୀ ରଙ୍ଗ।”
ବାଲେଶ୍ୱର ସହରର ଫକୀରମୋହନ ଗୋଲେଇ ଛକ ଡେଇଁ ସହରର କେନ୍ଦ୍ର ସ୍ଥଳରେ ଅବସ୍ଥିତ ମିସନ ହାଇସ୍କୁଲ ପଡ଼ିଆ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ବିପଣି ଓ ଆଲୋକ ମାଳାରେ ଝଲସି ଉଠୁଥିଲା। ସୁରଞ୍ଜନ ବାବୁ ଜଉ କଣ୍ଢେଇ ଉତ୍ସବ ସମିତିର କର୍ମକର୍ତ୍ତାମାନଙ୍କ ସହ ଜଉ କଣ୍ଢେଇ ବିବାହ ଶୋଭାଯାତ୍ରାରେ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ପ୍ରାଣବନ୍ଧୁ କରଙ୍କ ଚର୍ଚ୍ଚିତ ଗଳ୍ପ ‘ସୁଅ ମୁହଁରେ ପତର’ର ଅପର୍ତ୍ତି ଓ ଗୁରେଇ ଚରିତ୍ର ନାମରେ ଏ ବର୍ଷ ଜଉ କଣ୍ଢେଇ ବରକନ୍ୟାଙ୍କୁ ନାମିତ କରାଯାଇଥିଲା। ଶତ ଅଭାବ ଓ ଅନଟନ ସତ୍ତ୍ୱେ ଧନୀ ସାହୁକାରର ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଅପର୍ତ୍ତି ଓ ଗୁରେଇ ଯେପରି ଏକ ଆଦର୍ଶ, ସୁଖମୟ ଦାମ୍ପତ୍ୟ ଜୀବନ ଜିଇ ପାରିଥିଲେ, ସେଥି ନେଇ ଉତ୍ସବ କମିଟି ସାହିତ୍ୟ ପୃଷ୍ଠାରୁ ଚରିତ୍ର ଦୁଇଟିକୁ ଚୟନ କରିଥିଲେ। ମିସନ ହାଇସ୍କୁଲ ପଡ଼ିଆରୁ ଉତ୍ସବ କମିଟିର କର୍ମକର୍ତ୍ତାଙ୍କ ସହିତ ଶହଶହ ବରଯାତ୍ରୀ ସହର ପରିକ୍ରମା କରି ଲୋକନାଥ ମନ୍ଦିରରେ ପହଞ୍ଚିଥିଲେ। ପ୍ରମୁଖ ଛକ ଜାଗାମାନଙ୍କରେ ସହରବାସୀ ଜାତି, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ବରଯାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ। ଶୋଭାଯାତ୍ରା ସମୟରେ ପୁରୀର ସାହିଯାତ, ବାଲେଶ୍ୱରର ରଙ୍ଗ ଢୋଲ, ଦୁବଲାଗଡ଼ିର ପିତୁଳା ନାଚ, ମାଣିକଖମ୍ବର ପାଇକ ଆଖଡ଼ା, ଭଦ୍ରକର ଲଉଡ଼ି, ନୀଳଗିରିର ଆଦିବାସୀ ନୃତ୍ୟ ଦେଖଣାହାରିଙ୍କ ମନୋରଞ୍ଜନ କରୁଥିଲା। ଗୁରେଇର କନ୍ୟା ଦାନ କରିଥିଲେ ନୀଳମଣି ମଣ୍ଡଳ ଓ ଉମାମଣି ମହନୀ। ବିବାହ କାର୍ଯ୍ୟ ଲୋକନାଥ ମନ୍ଦିରରେ ସମ୍ପନ୍ନ ହେଲାପରେ ବର ପିତାମାତା, ପୀତାମ୍ବର ଦାସ ଓ ସୁକାନ୍ତିଲତା ଦାସ ପୁଅ-ବୋହୂଙ୍କୁ ସାଥିରେ ଧରି ମିସନ ହାଇସ୍କୁଲ ପଡ଼ିଆକୁ ଫେରି ଆସିଥିଲେ। ଲେଉଟାଣି ବାଟରେ ଜଉ କଣ୍ଢେଇ ଦୁଇଟି ସୁସଜ୍ଜିତ ବରକନ୍ୟା ବେଶରେ ନିର୍ଜୀବ ଲାଗୁ ନ ଥିଲେ, ବରଂ ଚେତନା ଆରୋପିତ ଦୁଇଟି ଜୀବନ୍ତ ଚରିତ୍ର ପରି ପ୍ରତୀୟମାନ ହେଉଥିଲେ।
ଜଉ କଣ୍ଢେଇ ବାହାଘର ଉତ୍ସବ କମିଟି, ବାଲେଶ୍ୱରର ମୁଖ୍ୟ ଉପଦେଷ୍ଟା ଓ ପ୍ରତିଷ୍ଠାତା ସଂପାଦକ ଶିଳ୍ପୀ କେଶୁ ଦାସ କହୁଥିଲେ, “ପୋଡ଼ା ମାଟିର କଣ୍ଢେଇ ଉପରେ ଜଉ ରଙ୍ଗର ପ୍ରଲେପ ଦେଇ ସରୁ ସରୁ ଜଉ ରଙ୍ଗ ବୁଣା (ସୂତା)ରେ କାରୁକାର୍ଯ୍ୟ କରାଯାଉଥିବା କଣ୍ଢେଇ ହେଲେ ଜଉ କଣ୍ଢେଇ। ଏହି ବାଲେଶ୍ୱରୀ ଜଉ କଣ୍ଢେଇ କହିଲେ ବର-କନିଆଁ ଜଉ କଣ୍ଢେଇକୁ ବୁଝାଏ। ଜଗନ୍ନାଥ ଯେମିତି ଆଦିମ ବନବାସୀ ପୂଜିତ ନୀଳମାଧବଙ୍କ ରୂପାନ୍ତରିତ ରୂପ, ଠିକ୍ ସେମିତି ବର-କନିଆଁ ଜଉ କଣ୍ଢେଇ ଆଦିବାସୀ ଧାଙ୍ଗଡ଼ା-ଧାଙ୍ଗଡ଼ୀ (ବୁଢ଼ାବୁଢ଼ୀ)ଙ୍କ ମାଟି କଣ୍ଢେଇର ରୂପାନ୍ତରିତ ରୂପ।” ‘ବାଲେଶ୍ୱରୀ ଲୋକ ପରମ୍ପରାରେ ଜଉ କଣ୍ଢେଇ’ ଶୀର୍ଷକ ଏକ ପ୍ରବନ୍ଧରେ ଡ. କୁଞ୍ଜବିହାରୀ ଧଳ ପ୍ରକାଶ କରିଛନ୍ତି ଯେ, “ମୟୂରଭଞ୍ଜର ଆଦିମ ଅଧିବାସୀ ଧାଙ୍ଗଡ଼ା, ଧାଙ୍ଗଡ଼ୀ କଣ୍ଢେଇ ରଖି ପୂଜା କରୁଥିଲେ। ସମୟ କ୍ରମେ ବାଲେଶ୍ୱରର ବାରବାଟୀ ଅଞ୍ଚଳରେ ବାସ କରୁଥିବା ଶଙ୍ଖାରୀମାନେ ଜଉ ରଙ୍ଗରେ ରଙ୍ଗାଇ ଜଉବୁଣାରେ କୁଟିକମ କରି ବର-କନିଆଁ ଜଉ କଣ୍ଢେଇ ଭାବରେ ଗଢ଼ିଲେ। ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ବାଲେଶ୍ୱରୀ ଜଉ କଣ୍ଢେଇ ଭାବେ ପରିଚିତ ହେଲା।” ଏହା ଛଡ଼ା ବାଲେଶ୍ୱରର ଲୋକବିଶ୍ୱାସ ଅନୁଯାୟୀ ନବ ବିବାହିତାଙ୍କ ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ପାଇଁ, କନିଆଁ ଘରୁ ଦିଆଯାଇଥିବା ପେଡ଼ିରେ ଜଉ କଣ୍ଢେଇ ଉପହାର ମଧ୍ୟ ଦିଆଯାଇଥାଏ।
୨୦୧୧ ମସିହାରେ କବି ସ୍ୱର୍ଗତ ବ୍ରଜନାଥ ରଥ ଓ ସହରର କେତେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମାର୍ଗଦର୍ଶନ ଓ ଶିଳ୍ପୀ କେଶୁ ଦାସଙ୍କ କଳା କୁଶଳତାକୁ ଆଧାର କରି ବାଲେଶ୍ୱର ଜିଲ୍ଲାର ଲୁପ୍ତ ପ୍ରାୟ ଏହି ଲୋକକଳାକୁ ଉଜ୍ଜିବୀତ କରି ରଖିବା ପାଇଁ ଏକ ଜଉ କଣ୍ଢେଇ ବାହାଘର କମିଟି ଗଠନ କରାଯାଇଥିଲା। ସେହି ଦିନ ଠାରୁ ଏ ଯାବତ୍ ଜ୍ୟେଷ୍ଠ ଅମାବାସ୍ୟା ବା ସାବିତ୍ରୀ ଅମାବାସ୍ୟାର ୫ ଦିନ ପୂର୍ବରୁ ଏହା ଜାକଜମକରେ ପାଳିତ ହୋଇ ଏକ ଲୋକପର୍ବର ମାନ୍ୟତା ପାଇ ଆସୁଅଛି। ଏବେ ଜଉ କଣ୍ଢେଇ କେବଳ ଡାକ ବିଭାଗର ପୋଷ୍ଟକାର୍ଡରେ ମୁଦ୍ରିତ ହୋଇ ନାହିଁ, ଓଡ଼ିଶା ସରକାରଙ୍କ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଲୋକ କଳାର ମାନ୍ୟତା ପାଇ ଚିଲିକାସ୍ଥିତ ଓଡ଼ିଶା ଆର୍ଟ ମ୍ୟୁଜିଅମ୍‌, ଓଡ଼ିଶା ରାଜ୍ୟ ମ୍ୟୁଜିଅମ୍‌, କଳାଭୂମି ମ୍ୟୁଜିଅମ୍ ଓ ବାଲେଶ୍ୱର ସହରର ପ୍ରମୁଖ ଛକ ଜାଗାମାନଙ୍କରେ ସ୍ଥାନିତ ହୋଇ ଜନସାଧାରଣଙ୍କର ଆଦୃତି ଲାଭ କରିପାରିଛି।
ଆମ ଲୋକ କଥା, ଲୋକ ଗୀତ, ଲୋକ ନାଟ୍ୟ, ଲୋକ ଚିତ୍ର, ଲୋକ ପର୍ବଗୁଡ଼ିକର ମୂଳ ଆଧାର ହେଲା ଲୋକ ସଂସ୍କୃତି। ଗୋଟିଏ ଜାତିର ସମନ୍ୱିତ ସାଧନା ରୂପାୟିତ ହୋଇଥାଏ ତା’ର ସଂସ୍କୃତି ମାଧ୍ୟମରେ। ତଥ୍ୟ କହେ, ଭୌଗୋଳିକ ଅବସ୍ଥିତି, ଜଳବାୟୁ ତଥା ସାମାଜିକ ପରିବେଶ ଉପରେ ନିର୍ଭର କରି ବିଭିନ୍ନ ଅଞ୍ଚଳରେ ଭିନ୍ନଭିନ୍ନ ଲୋକ କଳା ଗଢ଼ି ଉଠିଥାଏ। ଜୀବନକୁ ସରସ, ସୁନ୍ଦର କରିବା ଏହି ଲୋକ କଳାର ମୁଖ୍ୟ ବୈଶିଷ୍ଟ୍ୟ। ଏହି ଲୋକ କଳା ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳର ଅସ୍ମିତାର ବାହକ ହୋଇ ଗୌରବର ଗାଥା ଗାନ କରେ। ସେହି ଦୃଷ୍ଟିରୁ ଏହି ପ୍ରାଚୀନ ବାଲେଶ୍ୱରୀ ଲୋକ କଳାର ପୁନରୁଦ୍ଧାର ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବା ସହିତ ଆମର ନୂତନ ପିଢ଼ି ମଧ୍ୟରେ ଏହି ପ୍ରାଚୀନ କଳା ପ୍ରତି କିପରି ଆଗ୍ରହ ବୃଦ୍ଧି ପାଇବ, ସେଥି ପ୍ରତି ସାମୂହିକ ଉଦ୍ୟମ ହେବା ଉଚିତ।
ଜଉ କଣ୍ଢେଇ ବର-କନିଆଁ ଧରି ଉତ୍ସବ କମିଟିର କର୍ମକର୍ତ୍ତାମାନେ ମିସନ ହାଇସ୍କୁଲ ପଡ଼ିଆରେ ପହଞ୍ଚି ସାରିଥିଲେ। ଏକ ଖୁସି ଓ ଆନନ୍ଦର ପରିବେଶ ଭିତରେ ମନୋରଞ୍ଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିଲା। ସୁରଞ୍ଜନ ବାବୁ ସଭା ମଞ୍ଚରୁ ବିନୋଦିନୀ ଦେବୀଙ୍କ ରଚନାର ‘ତଅପୋଇ’ ଚଳଚ୍ଚିତ୍ରର ସେଇ ଗୀତଟି ଶୁଣି ଆମୋଦିତ ହେଉଥିଲେ।
‘ଆ ବଉଳ ବୋହୂବୋହୂକା ଖେଳ ଖେଳିବା,
ମିଛିମିଛିକା ବାଡୁଅ ସୂତା ସଜ କରିବା,
ନାଲି ନାଲି ଫୁଲ କୁଲେଇ
ବାହା କଉଡ଼ି ନାଲି ଧାନ ଦେଲି ଚଲେଇ
ତୋ କୁଲେଇ; ମୋ କୁଲେଇ ଅମାରେ ସାଇତି ଦେବା
ଆ ବଉଳ....।’
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୦୦୬୩୬

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe