ଏସ.ଆଇ.ଆର. ବିବାଦରେ ଅଭିଯୋଗ ହୋଇଛି ଯେ ଏହାର ପ୍ରସ୍ତୁତି କାଳରେ ଅଭିସନ୍ଧିମୂଳକ ଭାବେ ୪୩ ଲକ୍ଷ ଭୋଟରଙ୍କ ନାମକୁ ଅନୁପ୍ରବେଶକାରୀ ବୋଲି ଦର୍ଶାଇ ଭୋଟର ତାଲିକାରୁ ବାଦ ଦିଆଯାଇଛି। ଏସ.ଆଇ.ଆର. ପ୍ରସ୍ତୁତ ହୋଇ ସାରିବା ପରେ ଅନେକ ଗୁରୁତର ତ୍ରୁଟି ଦୃଷ୍ଟିଗୋଚର ହେବା, ଅଭିଯୋଗଗୁଡ଼ିକୁ ନିର୍ବାଚନ କମିସନ କର୍ଣ୍ଣପାତ ନ କରିବା ଏବଂ ମାମଲା ସର୍ବୋଚ୍ଚ ଅଦାଲତକୁ ଯାଇ ସେଠାରୁ କିଛି ଆଶ୍ବାସନା ମିଳିବା ଭଳି ବିଷୟ ଏହି ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରେ ଏକ ରୋମାଞ୍ଚ ସୃଷ୍ଟି କରିଥିଲା, ଯାହା ମଧ୍ୟ ହୋଇପାରେ ମତଦାତାଙ୍କ ସଂଖ୍ୟାବହୁଳତାର ଏକ କାରଣ!
ବିହାର ବିଧାନସଭା ନିର୍ବାଚନର ପ୍ରଥମ ପାଦ ମତଦାନ ଗଲା ଗୁରୁବାର ଦିନ ସମାପ୍ତ ହୋଇଛି, ଯହିଁରେ ମତଦାନର ହାର ଏକ ରେକର୍ଡ ସୃଷ୍ଟି କଲା ଭଳି ୬୪.୬୬% ହୋଇ ଏହାର କାରଣ ଓ ପରିଣାମ ସମ୍ବନ୍ଧରେ ବିଭିନ୍ନ ପ୍ରକାର ପୂର୍ବାନୁମାନ ଏବଂ ଅଟକଳକୁ ଜନ୍ମ ଦେଲାଣି। ପ୍ରକାଶ ଥାଉ କି ଗତ ବର୍ଷ ତୁଳନାରେ ଏହା ପ୍ରାୟ ୧୦% ଅଧିକ, ଯଦିଓ ଦ୍ବିତୀୟ ପର୍ଯ୍ୟାୟର ମତଦାନ ପରେ ଯାଇ ସ୍ଥିତି ସ୍ପଷ୍ଟ ହେବ। କହିବା ବାହୁଲ୍ୟ, ବିହାରରେ ରାଜନୈତିକ ସମର୍ଥନ ଓ ସମୀକରଣର ସୂତ୍ରମାନ ଜଟିଳ, ଜାତି ଆଧାରରେ ବଣ୍ଟିତ ହୋଇଥିଲେ ହେଁ ବିବର୍ତ୍ତନଶୀଳ ଓ ଅନେକ ସମୟରେ ପରିବର୍ତ୍ତନକ୍ଷମ ଓ ଅନ୍ଦାଜ ଅଯୋଗ୍ୟ। ବିହାରର ସାଧାରଣ ନାଗରିକମାନଙ୍କ ଶୋଣିତ ପ୍ରବାହରେ ରାଜନୀତି ଏକ କଣିକା ଭଳି ଘୂରି ବୁଲୁଥିବାରୁ ଏହି ପ୍ରଦେଶରେ ନିର୍ବାଚନର ଚିତ୍ର ଓ ଚରିତ୍ର ବିଶେଷ ଆକର୍ଷଣର କେନ୍ଦ୍ର ହୋଇଥାଏ।
ପ୍ରଥମ ପର୍ଯ୍ୟାୟର ମତଦାତାଙ୍କ ମଧ୍ୟରେ ମହିଳାମାନଙ୍କ ସଂଖ୍ୟାଧିକ୍ୟକୁ ନେଇ ଅନୁମାନ-ଭିତ୍ତିକ ସଂଦର୍ଭଟିଏ ସୃଷ୍ଟି ହୋଇଛି ଯେ ଏହା ଦ୍ବାରା ଜେଡି(ୟୁ) ନେତା ନୀତୀଶ କୁମାରଙ୍କ ଦୁଇ ଦଶନ୍ଧିର ଶାସନ ଅଧିକ ପ୍ରଲମ୍ବିତ ହେବ। ମଧ୍ୟପ୍ରଦେଶ(୨୦୨୩) ଓ ମହାରାଷ୍ଟ୍ର ବିଧାନସଭା(୨୦୨୪) ନିର୍ବାଚନର ଦୃଷ୍ଟାନ୍ତ ଦେଇ କୁହାଯାଉଛି ଯେ କ୍ଷମତାସୀନ ସରକାରଙ୍କୁ ପୁନର୍ବାର ଶାସନାରୂଢ଼ କରି ରଖିବାର ଏକ ଧାରା ଅଧିକ ମହିଳା ଭୋଟରଙ୍କ ଅଂଶ ଗ୍ରହଣରେ ଦୃଷ୍ଟିଗୋଚର ହେଉଛି। ବିଶେଷଜ୍ଞମାନଙ୍କ ମତରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଉଭୟ ସରକାର ଯେମିତି ଯଥାକ୍ରମେ ‘ଲାଡଲୀ ବହେନ’ ଓ ‘ଲଡକୀ ବହୀନ’ ଭଳି ମହିଳା କଳ୍ୟାଣକାରୀ କାର୍ଯ୍ୟକ୍ରମ ଦ୍ବାରା ମହିଳାମାନଙ୍କ ଠାରେ ପ୍ରିୟପାତ୍ର ହୋଇଥିଲେ, ନୀତୀଶ କୁମାରଙ୍କ ସରକାର ସେମିତି ମଦ ନିଷେଧ ଓ ଝିଅମାନଙ୍କୁ ସାଇକେଲ ପ୍ରଦାନ ଭଳି ଯୋଜନା ଦ୍ବାରା ମହିଳାଙ୍କ ଦୃଢ଼ ସମର୍ଥନର ପାତ୍ର ହୋଇ ରହିଆସିଛି। ଏତିକି ବେଳେ ନିର୍ବାଚନ ଘୋଷଣା ହେବାର ଠିକ୍ ପୂର୍ବରୁ ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’ ମାଧ୍ୟମରେ ପ୍ରତ୍ୟେକ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରେରଣ ସେହି ସମର୍ଥନକୁ ଅଧିକ ଦୋରସ୍ତ କରିଥିବା ସୁନିଶ୍ଚିତ। ଯେହେତୁ, ବିଶେଷ କଳ୍ୟାଣକାରୀ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଜାତି, ଧର୍ମ ଓ ସଂପ୍ରଦାୟ ନିର୍ବିଶେଷରେ ରାଜନୈତିକ ସମର୍ଥନ ପ୍ରଦାନରେ ଏକୀଭୂତ କରାଯାଇପାରିଲାଣି, ଯେ କୌଣସି କ୍ଷମତାସୀନ ସରକାର ଏହି ବ୍ୟାପାରରେ ବିରୋଧୀ ଦଳଗୁଡ଼ିକ ତୁଳନାରେ ଅଧିକ ସୁବିଧାଜନକ ସ୍ଥିତିରେ ରହିବା ଅବଧାରିତ। ସେହି ଦୃଷ୍ଟିରୁ ଏନଡିଏ ମେଣ୍ଟ ପୁଲକିତ ହୋଇ ଉଠୁଥିବା ସ୍ବାଭାବିକ। ତେବେ, ଶଂସିତ ପ୍ରସଙ୍ଗରେ ଏକ ଭିନ୍ନ ବ୍ୟାଖ୍ୟାନ ମଧ୍ୟ ବେଶ୍ ବିଶ୍ବସନୀୟ ଢଙ୍ଗରେ ଉପସ୍ଥାପିତ ହୋଇଥାଏ ଯେ ପେଟପାଟଣା ଲାଗି ରାଜ୍ୟରୁ ନିଷ୍କ୍ରାନ୍ତ ହୋଇଥିବା ଏକ ବିଶାଳ ସଂଖ୍ୟକ ପୁରୁଷ ବର୍ଗର ନିର୍ବାଚନ ସମୟରେ ଅନୁପସ୍ଥିତି ହିଁ ଏହାର କାରଣ। ଛଟ୍ ପୂଜାର ସପ୍ତାହକ ପରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ପୂଜା ଲାଗି ଘରକୁ ବାହୁଡ଼ିଥିବା ପୁରୁଷ ଶ୍ରମିକମାନେ ଅଗତ୍ୟା ଭୋଟ ଦେବା ଲାଗି ରହି ପାରି ନ ଥିଲେ, ଯାହାର ପରିଣାମ ହେଉଛି ମହିଳା ଭୋଟରଙ୍କ ଦୃଶ୍ୟମାନତାରେ ବୃଦ୍ଧି। ବିହାରର ଆର୍ଥିକ ଦୁରବସ୍ଥା ତୀବ୍ର ହେବା ସହିତ ଜୀବିକା ଲାଗି ପୁରୁଷଙ୍କ ପଳାୟନରେ ବୃଦ୍ଧି ଘଟୁଥିବା କାରଣରୁ ୨୦୧୦, ୨୦୧୫ ଓ ୨୦୨୦ ମସିହାର ନିର୍ବାଚନରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟଦାତାଙ୍କ ହାର ଯଥାକ୍ରମେ ୧୦%, ୨୦% ଓ ୧୮% ଅଧିକ ହୋଇଥିଲା; ସୁତରାଂ, ସେମାନଙ୍କ ମତରେ ଗଲା ଗୁରୁବାର ଦିନ ଯାହା ଦେଖିବାକୁ ମିଳିଛି, ତାହା ହେଉଛି ଏକ ପ୍ରଚଳିତ ଧାରାର ଅଂଶ ମାତ୍ର, ଯହିଁରୁ କୌଣସି ସଂଗୁପ୍ତ ବିଶେଷ ଅର୍ଥ ପଢ଼ିବାର ଉଦ୍ୟମ କେବଳ ଅପରିପକ୍ବତା ହିଁ ହେବ।
ମହିଳାଙ୍କ ଭଳି ଏଥର ଯୁବ ଭୋଟରଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବା ଭଳି ପ୍ରତୀତ ହୋଇଛି, ଯେଉଁ ଧାରଣା କେତେ ଦୂର ଠିକ୍, ତାହା ଅବଶ୍ୟ ନିର୍ବାଚନ ପରେ ନିର୍ବାଚନ କମିସନଙ୍କ ଦ୍ବାରା ପ୍ରଦତ୍ତ ବର୍ଗୀକୃତ ପରିସଂଖ୍ୟାନରୁ ସ୍ପଷ୍ଟ ହେବ। କିନ୍ତୁ, ବିହାରର ଆର୍ଥିକ ଦୁଃସ୍ଥିତି, ଶିକ୍ଷା, ସ୍ବାସ୍ଥ୍ୟ ଓ ରୋଜଗାର ଭଳି େକ୍ଷତ୍ରରେ ଘନୀଭୂତ ନିରାଶା, ମାନବ ବିକାଶରେ ଅସମର୍ଥ ଦୁର୍ବଳ ରାଜନୈତିକ ଇଚ୍ଛା ଶକ୍ତି ବିରୋଧରେ ତରୁଣ ବର୍ଗ ଆପଣା ମତ ରଖିବାକୁ ବ୍ୟଗ୍ର ହେବାରେ ବିସ୍ମୟର ବିଶେଷ କାରଣ ନାହିଁ। ନିର୍ବାଚନ ପ୍ରଚାର କାଳୀନ ହିଂସାକାଣ୍ଡର ଘନଘଟା ଦୃଷ୍ଟିରୁ ଏଥରର ନିର୍ବାଚନ ପୂର୍ବାପେକ୍ଷା ଏ ଯାବତ୍ ତୁଳନାତ୍ମକ ଭାବେ ଶାନ୍ତ ରହିଛି, ଯାହା ଏହି ନିର୍ବାଚନକୁ ଗାମ୍ଭୀର୍ଯ୍ୟ ପ୍ରଦାନ କରିଥାଏ। ସେମିତି ଏହି ନିର୍ବାଚନକୁ ଅଧିକ ଚଳଚଞ୍ଚଳ କରିଛନ୍ତି ପ୍ରଶାନ୍ତ କିଶୋର ଏବଂ ତାଙ୍କ ନେତୃତ୍ବାଧୀନ ଜନ ସୁରାଜ ପାର୍ଟି। ଏକ ଶ୍ରମିକ ଚାଳାଣକାରୀ ରାଜ୍ୟ ରୂପେ ବିହାରର ଲଜ୍ଜାଜନକ ପରିଚିତି ସକାଶେ ଏ ଯାବତ୍ କ୍ଷମତାସୀନ ହୋଇ ରହି ଆସିଥିବା ଦଳଗୁଡ଼ିକ ପ୍ରତି ତର୍ଜନୀ ନିର୍ଦ୍ଦେଶ କରି ସେ କରୁଥିବା ଆକ୍ରମଣ ଯୁବ ବର୍ଗଙ୍କୁ ପ୍ରଭାବିତ କରୁଛି ବୋଲି ଅନେକ ପର୍ଯ୍ୟବେକ୍ଷକଙ୍କ ମତ। ପ୍ରଶାନ୍ତ କିଶୋରଙ୍କ ପୃଷ୍ଠଭୂମିରେ ବିଦ୍ୟମାନ ଅଛି ଜାତିସଂଘରେ ତାଙ୍କ କ୍ୟାରିଅର ଏବଂ ନିର୍ବାଚନ ରଣନୀତିକାର ଭାବେ ୨୦୧୨ ମସିହାର ଗୁଜରାଟ ବିଧାନସଭା ଓ ୨୦୧୪ ମସିହାର ଜାତୀୟ ନିର୍ବାଚନରେ ନରେନ୍ଦ୍ର ମୋଦୀ, ୨୦୧୫ ମସିହାର ବିହାର ନିର୍ବାଚନରେ ନୀତୀଶ କୁମାର ଏବଂ ୨୦୨୧ ମସିହାର ପଶ୍ଚିମବଙ୍ଗ ନିର୍ବାଚନରେ ମମତା ବାନାର୍ଜୀଙ୍କ ବିଜୟର ଶ୍ରେୟ। ସୁତରାଂ, ବିହାରର ଏଭଳି ଜଣେ କରିତ୍କର୍ମା ସନ୍ତାନଙ୍କ ତୃଣମୂଳ ରାଜନୀତିକୁ ପ୍ରବେଶ, ଯୁବ ବର୍ଗଙ୍କୁ ଆଲୋଡ଼ିତ କରୁଥିବା ସ୍ବାଭାବିକ, ଯାହାର ପରିଣାମ ସ୍ବରୂପ ହୁଏତ ଅଧିକ ସଂଖ୍ୟକ ଯୁବ ଭୋଟରଙ୍କୁ ଦେଖିବାକୁ ମିଳିଛି।
ଏହି ନିର୍ବାଚନର ବାତାବରଣରେ ଏକ ପ୍ରକାର ବୈଦ୍ୟୁତିକ ଚାଞ୍ଚଲ୍ୟ ସୃଷ୍ଟି କରିଛି ଏସ.ଆଇ.ଆର. ବିବାଦ ଏବଂ ‘ଭୋଟ ଚୋରି’ ଓ ‘ସରକାର ଚୋରି’ ଭଳି ଶୀର୍ଷକ ସହିତ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ଦ୍ବାରା ସପ୍ରମାଣ ଅଣାଯାଇଥିବା ନିର୍ବାଚନ ଦୁର୍ନୀତି ନେଇ ଅତ୍ୟନ୍ତ ଗମ୍ଭୀର ଅଭିଯୋଗ, ଯାହା ଅନୁସାରେ ବିଜେପି ଓ ନିର୍ବାଚନ କମିସନ ଏକ ଅପବିତ୍ର ସଂପର୍କରେ ଛନ୍ଦା, ଯଦ୍ଦ୍ବାରା ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନରେ ବିଜେପି ସଫଳ ହୋଇଛି। ସେହି ଭଳି ଏସ.ଆଇ.ଆର. ବିବାଦରେ ଅଭିଯୋଗ ହୋଇଛି ଯେ ଏହାର ପ୍ରସ୍ତୁତି କାଳରେ ଅଭିସନ୍ଧିମୂଳକ ଭାବେ ୪୩ ଲକ୍ଷ ଭୋଟରଙ୍କ ନାମକୁ ଅନୁପ୍ରବେଶକାରୀ ବୋଲି ଦର୍ଶାଇ ଭୋଟର ତାଲିକାରୁ ବାଦ ଦିଆଯାଇଛି। ଏସ.ଆଇ.ଆର. ପ୍ରସ୍ତୁତ ହୋଇ ସାରିବା ପରେ ଅନେକ ଗୁରୁତର ତ୍ରୁଟି ଦୃଷ୍ଟିଗୋଚର ହେବା, ଅଭିଯୋଗଗୁଡ଼ିକୁ ନିର୍ବାଚନ କମିସନ କର୍ଣ୍ଣପାତ ନ କରିବା ଏବଂ ମାମଲା ସର୍ବୋଚ୍ଚ ଅଦାଲତକୁ ଯାଇ ସେଠାରୁ କିଛି ଆଶ୍ବାସନା ମିଳିବା ଭଳି ବିଷୟ ଏହି ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରେ ଏକ ରୋମାଞ୍ଚ ସୃଷ୍ଟି କରିଥିଲା, ଯାହା ମଧ୍ୟ ହୋଇପାରେ ମତଦାତାଙ୍କ ସଂଖ୍ୟାବହୁଳତାର ଏକ କାରଣ!
ନିବିଷ୍ଟ ପର୍ଯ୍ୟବେକ୍ଷକଙ୍କ ମତରେ ବିହାରର ସାଧାରଣ ନାଗରିକ ସେମାନଙ୍କ ରାଜନୈତିକ ସମର୍ଥନ ଓ ପସନ୍ଦ ନେଇ ନିଷ୍କପଟ ଏବଂ ମୁଖର ଥାଆନ୍ତି, ଯାହା ଏହି ନିର୍ବାଚନରେ ଅନେକାଂଶରେ ଅନୁପସ୍ଥିତ। ଏଭଳି ଏକ ନିରବତା ଆସନ୍ନ ଝଡ଼ର ସଙ୍କେତ ବହନ କରିଥାଏ କି? କ୍ଷମତାରୂଢ଼ଙ୍କ ସକାଶେ କିନ୍ତୁ ଏହା ଅସ୍ବସ୍ତିିକର ହୋଇଥାଏ। ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା କହ୍ନୈୟା କୁମାର କହନ୍ତି ଯେ ବିହାରକୁ ଏକ ‘ସପ୍ଟୱେର ହବ୍’ରେ ପରିଣତ କରିବା ପରିବର୍ତ୍ତେ ଜୀବିକା ଲାଗି ପଳାୟନ କରୁଥିବା ଶ୍ରମିକମାନଙ୍କ ଲାଗି ଅଧିକ ସଂଖ୍ୟାରେ ରେଳଗାଡ଼ି ଚଳାଇବାକୁ ଯେଉଁମାନେ ଏକ ଉପଲବ୍ଧି ବୋଲି ବିଚାର କରନ୍ତି, ସେମାନଙ୍କ ଲାଗି ଏକ ନିରବ ଆଘାତ ପ୍ରସ୍ତୁତି ପଥରେ! କିଏ ଜାଣେ? କହ୍ନୈୟାଙ୍କ ଧାରଣା ପରୀକ୍ଷିତ ହେବ ୧୪ ତାରିଖ ଦିନ, ଯେଉଁ ଦିନ ଫଳାଫଳ ପ୍ରକାଶ ପାଇବ।
Follow Us