ସାଧନା ଓ ସିଦ୍ଧି ବିଷୟେର କହିବାକୁ ଯାଇ ୟୁ.ଜି.କେ. ତାଙ୍କ ଅନୁଗାମୀମାନଙ୍କୁ କହୁଥିଲେ ଏହି କଥା।
ଥରେ ଜଣେ ପରିଚାରକକୁ ରାଜାଙ୍କ ଆଦେଶରେ ବନ୍ଦୀ କରାଗଲା। କିନ୍ତୁ କଥା ହେଲା, ସେହି ପରିଚାରକ ରାଜାଙ୍କ ବହୁତ ସେବା କରୁଥିଲା ଏବଂ ଏଭଳି ଏକ ଅଭିଯୋଗ ଆସିଲା ଯେ ତାକୁ ବନ୍ଦୀ କରିବାର ଆଦେଶ ଦେବାକୁ ରାଜା ବାଧ୍ୟ ହେଲେ। ତେବେ ରାଜାଙ୍କ ସେବକ ହୋଇଥିବାରୁ ବିଶେଷ ବ୍ୟବସ୍ଥା ଭାବେ ସେହି ଦଣ୍ଡରୁ ମୁକ୍ତି ପାଇବାର ଏକ ବାଟ ମଧ୍ୟ ରହିଲା। ତାକୁ ଏକ ବିଶାଳ କକ୍ଷରେ ବନ୍ଦୀ କରାଗଲା। ତହିଁରେ ଏକ ସହସ୍ର ଦରଜା ଥିଲା। କେବଳ ଗୋଟିଏକୁ ଛାଡ଼ି ବାକି ସବୁ ବନ୍ଦ ଥିଲା। ଆଖିରେ ଅନ୍ଧୁ ପୁଟୁଳି ପିନ୍ଧାଇ ଦିଆଯାଇ ସେହି ପରିଚାରକ ଆଉଜା ଥିବା ଏକମାତ୍ର ଦରଜା ଦେଇ ବାହାରକୁ ଚାଲିଆସିବାର ସୁଯୋଗ ରହିଲା।
ପରିଚାରକ ଗୋଟିକ ପରେ ଗୋଟାଏ ଦରଜା ଠେଲି ଆଗକୁ ବଢ଼ିଲା। ସେ ଭାବିଲା ପ୍ରତି ଥର ଗୋଟିଏ ଦରଜା କମି ଯାଉଥିବାରୁ ମୁକ୍ତିି ଲାଗି ସୁଯୋଗ ପାଖେଇ ଆସିଛି। ଏମିତି ନଅ ଶହ ଅନେଶତଟି ଦରଜା ସେ ପରୀକ୍ଷା କରି ସାରିବା ପରେ ଶେଷ ଦରଜା ପାଖରେ ପହଞ୍ଚିବା ପାଳି। ସେ କ୍ଳାନ୍ତ ହୋଇ ସାରିଥିଲା। ଏଭଳି ସମୟରେ ତା’ ନାକ ଉପରେ ମାଛିଟିଏ ବସିଲା। ସେ ଅନ୍ୟମନସ୍କ ହୋଇ ମାଛିଟିକୁ ଘଉଡ଼ାଇ ଦେଇ ଆଗେଇ ଗଲା ବେଳେ ଅନ୍ତିମ ଦରଜାଟିକୁ ଛାଡ଼ିଗଲା। ଏବେ ସେ ଯେଉଁ ଦରଜା ପାଖରେ ପହଞ୍ଚିଲା, ତାହା ବନ୍ଦ ଥିଲା। ଏଣୁ ସେ ଜାଣିଲା ପୁଣି ନଅ ଶହ ଅନେଶତ ଦରଜା ଯାଞ୍ଚ କରିବାର ପ୍ରକରଣ ଆରମ୍ଭ ହୋଇଗଲା। ଏହା ତାକୁ ମ୍ରିୟମାଣ କରି ଦେଲା।
ଏହା କହି ୟୁ.ଜି.କେ. କହିଲେ ସିଦ୍ଧି ପାଇବା ପୂର୍ବ କ୍ଷଣ ହିଁ ସବୁଠାରୁ ଅଧିକ ସତର୍କ ରହିବାର ବେଳ। ପୂରା ଶୃଙ୍ଗ ଆରୋହଣ କରି ସାରିବା ପରେ ପାଦ ସତର୍କତାର ସହିତ ନ ପକାଇଲେ ଭୂପତିତ ହେବାକୁ ପଡ଼େ ଏବଂ ପୁନର୍ବାର ଯାତ୍ରା ଆରମ୍ଭ କରିବାକୁ ପଡ଼ିପାରେ।
କଥାଟିଏ-ଯାଯାବର: ସିଦ୍ଧି ଲାଭର ପୂର୍ବ କ୍ଷଣ
Advertisment
Follow Us