ଦ୍ରୌପଦୀ ଯେଉଁ ବାଟରେ ଯିବେ

Advertisment

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଦ୍ରୌପଦୀ ଯେଉଁ ବାଟରେ ଯିବେ

ରାଷ୍ଟ୍ରପତି ପଦ ପାଇଁ ଏଥର ପ୍ରବଳ ଆଗ୍ରହ ମୁଖ୍ୟତଃ ଆଦିବାସୀମାନଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥିଲା ବେଳେ ଏହି ପଦ ପ୍ରଧାନମନ୍ତ୍ରୀଙ୍କ ପରି ସେତେ ଶକ୍ତି ବହନ କରିନଥାଏ। ତେବେ ଅନେକ କ୍ଷେତ୍ରରେ ରାଷ୍ଟ୍ରପତିମାନେ କ’ଣ କରିବେ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ହେଲା, ତାଙ୍କ ଦ୍ୱାରା ମନୋନୀତ ତଦାନୀନ୍ତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କର ତଦାନୀନ୍ତନ ପ୍ରଧାନମନ୍ତ୍ରୀ ଓ ଇନ୍ଦିରାଙ୍କ ପୁଅ ରାଜୀବ ଗାନ୍ଧୀଙ୍କ ସହ ସେତେ ବେଶୀ ସୁସମ୍ପର୍କ ରହିଲା ନାହିଁ। ରାଜୀବଙ୍କ କଥା ଅନୁସାରେ ସେ ଚଳିବାକୁ ରାଜି ହେଲେ ନାହିଁ। ଅଥଚ ତାଙ୍କୁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରପତି ରୂପେ ମନୋନୀତ କଲାବେଳେ ସେ ତାଙ୍କ ଝାଡୁଦାର ହେବାକୁ ରାଜି ବୋଲି ପ୍ରକାଶ୍ୟରେ କହିଥିଲେ। ଇନ୍ଦିରାଙ୍କୁ ହତ୍ୟା ପରେ ସେ ରାଜୀବଙ୍କୁ ତତ୍‌କ୍ଷଣାତ ପ୍ରଧାନମନ୍ତ୍ରୀ ରୂପେ ଶପଥ ଦେବାକୁ ରାଜି ହେଲେ ନାହିଁ।

ଅଥଚ ଇନ୍ଦିରାଙ୍କ ବେଳେ ରାଷ୍ଟ୍ରପତି ପଦ ମଣ୍ଡନ କରିଥିବା ୧୯୭୫ର ରାଷ୍ଟ୍ରପତି ଫଖରୁଦ୍ଦିନ ଅଲ୍ଲି ଅହମ୍ମଦ ଯେଉଁପରି ଭାବରେ ଜରୁରୀକାଳୀନ ଅବସ୍ଥା ଅଧ୍ୟାଦେଶଟିକୁ ସ୍ୱାକ୍ଷରିତ କଲେ ତାହା ତାଙ୍କର ଦୁର୍ବଳତା ଓ ଅଧସ୍ତନତାକୁ ପ୍ରମାଣିତ କଲା। ସମ୍ବିଧାନରେ ରାଷ୍ଟ୍ରପତି, କେନ୍ଦ୍ର ମନ୍ତ୍ରିମଣ୍ଡଳର ସାହାଯ୍ୟ ଓ ପରାମର୍ଶ ଅନୁସାରେ ନିଷ୍ପତ୍ତି ନେବାର ବ୍ୟବସ୍ଥା ଅଛି, କିନ୍ତୁ ଯେତେବେଳେ ଜରୁରୀକାଳୀନ ଅଧ୍ୟାଦେଶ ଲାଗୁ ହେବା ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ତାହା ପ୍ରେରିତ ହେଲା ସେତେବେଳେ କୌଣସି ମନ୍ତ୍ରିମଣ୍ଡଳର ବୈଠକ ବସିନଥିଲା ତଥା ଏହାଦ୍ୱାରା ଅଧ୍ୟାଦେଶ ବି ଅନୁମୋଦିତ ହୋଇନଥିଲା। ଏହା ପ୍ରମାଣିତ କଲା ଯେ, ଫଖରୁଦ୍ଦିନ ଅଲ୍ଲି ଅହମ୍ମଦ ଜଣେ ଅତ୍ୟନ୍ତ ଅନୁଗତ ରାଷ୍ଟ୍ରପତି ଥିଲେ। ଏହି ଅଧ୍ୟାଦେଶ ଦୀର୍ଘ ୨୧ ମାସ ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଚଳ କରି ରଖିଦେଇଥିଲା ଯେଉଁଥିରେ ସୁପ୍ରିମ୍‌ କୋର୍ଟର ୩ ଜଣ ବରିଷ୍ଠ ବିଚାରପତିଙ୍କୁ ଅବଜ୍ଞା କରି ତାଙ୍କ ତଳ ବିଚାରପତିଙ୍କୁ ମୁଖ୍ୟ ବିଚାରପତିର ଆସନ ଦିଆଯାଇଥିଲା ଯିଏ କି ଜରୁରୀକାଳୀନ ଅବସ୍ଥା ବେଳେ ନାଗରିକମାନଙ୍କର ‘ଜୀବନ ପ୍ରତି ଅଧିକାର ନାହିଁ’ ବୋଲି ମଧ୍ୟ କହିଥିଲେ।
ଅନ୍ୟ ପକ୍ଷରେ ଆଉ ଜଣେ ରାଷ୍ଟ୍ରପତି ହେଉଛନ୍ତି କେ. ଆର୍‌. ନାରାୟଣନ ଯିଏ ୧୯୯୭ରୁ ୨୦୦୨ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦ ମଣ୍ଡନ କରିଥିଲେ। ସେ ପୂର୍ବରୁ ଭାରତୀୟ ବିଦେଶ ସେବାରେ କାର୍ଯ୍ୟରତ ଥିଲେ ଓ ଦଳିତ ସମ୍ପ୍ରଦାୟରୁ ଆସିଥିଲେ। ସେ ଯେଉଁପରି କାର୍ଯ୍ୟ କରୁଥିଲେ ତାହା ଫଖରୁଦ୍ଦିନ ଅହମ୍ମଦଙ୍କ କାର୍ଯ୍ୟର ସଂପୂର୍ଣ୍ଣ ବିପରୀତ ଥିଲା। ଯେତେବେଳେ ୧୯୯୮ରେ ଅଟଳ ବିହାରୀ ବାଜପେୟୀ ସର୍ବବୃହତ୍‌ ଦଳ ବିଜେପିର ନେତା ରୂପେ ନିର୍ବାଚିତ ହେଲେ ସେତେବେଳେ ସାଧାରଣତଃ ତାଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ପଦ ପାଇଁ ନିମନ୍ତ୍ରଣ ଦେବା କଥା। କିନ୍ତୁ ତାହା ନକରି ସେ ବାଜପେୟୀଙ୍କୁ କହିଥିଲେ ଯେ ତାଙ୍କୁ ସମର୍ଥନ କରୁଥିବା ଦଳମାନଙ୍କଠାରୁ ସେ ସମର୍ଥନ ପତ୍ର ଆଣି ତାଙ୍କୁ ଦିଅନ୍ତୁ। ଅର୍ଥାତ୍‌, କେଉଁ ରାଜନୈତିକ ଦଳମାନେ ବାଜପେୟୀଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଚାହାନ୍ତି ସେମାନଙ୍କଠାରୁ ସେ ପତ୍ର ଆଣନ୍ତୁ। ଅଥଚ, ୧୯୯୬ରେ ବାଜପେୟୀଙ୍କ ଦଳ ଏକକ ସଂଖ୍ୟାଗରିଷ୍ଠତା ନ ପାଇଥିଲେ ମଧ୍ୟ ସର୍ବବୃହତ ଦଳ ହୋଇଥିବାରୁ ତଦାନୀନ୍ତନ ରାଷ୍ଟ୍ରପତି ଶଂକର ଦୟାଲ ଶର୍ମା ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଶପଥ ଦେଇଥିଲେ। ଅବଶ୍ୟ ଲୋକସଭାରେ ବାଜପେୟୀ ତାଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ କରିନପାରି ମାତ୍ର ୧୩ ଦିନ ମଧ୍ୟରେ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଏପରି ସବୁ ଘଟଣାମାନ ଘଟିଛି ଯେତେବେଳେ ରାଷ୍ଟ୍ରପତିମାନେ କେଉଁ ସ୍ଥିତିରେ କ’ଣ କରିବେ ତାହା ଏଯାଏ ସ୍ଥିର ହୋଇନାହିଁ। ସମ୍ବିଧାନରେ ମଧ୍ୟ ଏ ସମ୍ପର୍କରେ କିଛି ସ୍ପଷ୍ଟ ଲେଖା ହୋଇନାହିଁ, ସ୍ପଷ୍ଟ ଲେଖା ହେବା ସମ୍ଭବ ମଧ୍ୟ ନୁହେଁ। କେତେକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଲାଗିରହିଛି, ଯଦିଓ ରାଜ୍ୟପାଳମାନଙ୍କ କ୍ଷେତ୍ରରେ ସେହି ଦ୍ୱନ୍ଦ୍ୱ ଅତିରିକ୍ତ ଭାବରେ ପ୍ରକଟିତ ହୋଇଛି, ଯାହା ରାଷ୍ଟ୍ରପତିଙ୍କ ନିକଟରେ ହୋଇନାହିଁ।

ତେଣୁ ରାଷ୍ଟ୍ରପତିଙ୍କ ପାଇଁ ଶ୍ରେଷ୍ଠ ପନ୍ଥା ହେଉଛି ମଧ୍ୟମ ପନ୍ଥା, ଯାହା ବୁଦ୍ଧଙ୍କ ପନ୍ଥା ଅଟେ। ଏହି ମଧ୍ୟମ ପନ୍ଥା ଅତ୍ୟଧିକ ଉତ୍ସାହ ଓ ନିରବତା ମଧ୍ୟରେ ଅବସ୍ଥିତ। ଭାରତର ରାଷ୍ଟ୍ରପତି ଅତ୍ୟଧିକ ଆନୁଗତ୍ୟ ପ୍ରକାଶ କରିବା ଉଚିତ ନୁହେଁ ଅବା ଅତ୍ୟଧିକ କ୍ଷମତା ଇତ୍ୟାଦିର ପ୍ରତିଫଳନ କରିବା ଉଚିତ ନୁହେଁ। ଆତ୍ମ ନିୟନ୍ତ୍ରଣ ରାଷ୍ଟ୍ରପତିଙ୍କ ମୁଖ୍ୟ ଭୂମିକା ହେବା ଉଚିତ। ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ରୂପେ ମନୋନୀତ କରି ବିଜେପି ଅନ୍ୟ ଦଳମାନଙ୍କୁ ବଡ଼ ଅଡୁଆରେ ପକାଇ ଦେଇଥିଲା। ଉଦାହରଣ ସ୍ୱରୂପ ଶିବସେନାର ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଶେଷକୁ ବାଧ୍ୟ ହୋଇ ତାଙ୍କୁ ଭୋଟ ଦେଇଥିଲା ଯଦିଓ ଏନ୍‌.ଡି.ଏ. ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଉଦ୍ଧବ ଠାକରେଙ୍କ ପାଇଁ କୌଣସି ବାଧ୍ୟବାଧକତା ନଥିଲା। କିନ୍ତୁ ଉଦ୍ଧବ ଆଦିବାସୀ ଓ ଗରିବ ବିରୋଧୀ ବୋଲି ଉପସ୍ଥାପିତ ନ ହୁଅନ୍ତୁ ଏଥିପାଇଁ ଦ୍ରୌପଦୀଙ୍କୁ ତାଙ୍କ ଗୋଷ୍ଠୀ ଭୋଟ ଦେଲା। ସେହିପରି ଝାଡ଼ଖଣ୍ଡରେ କଂଗ୍ରେସ ସହ ମେଣ୍ଟ କରି ସରକାର ଗଢ଼ିଥିବା ଜେ.ଏମ୍‌.ଏମ୍‌. ଦଳ ମଧ୍ୟ ଆଦିବାସୀ ଓ ସାନ୍ତାଳ ବିରୋଧି ବୋଲି ଉପସ୍ଥାପିତ ନ ହେଉ ସେଥିପାଇଁ ଦ୍ରୌପଦୀଙ୍କୁ ଭୋଟ ଦେଲା।

ଏଠାରେ ଉଲ୍ଲେଖନୀୟ ଯେ ଅବଶ୍ୟ ରାଷ୍ଟ୍ରପତି ପଦ ହେଉଛି ଏକ ଆଳଂକାରିକ ଓ ସାମ୍ବିଧାନିକ ପଦ। ଏହି ପଦ ମଣ୍ଡନ କରିଥିବା ଦ୍ରୌପଦୀ ମୁର୍ମୁ ଜୀବନରେ ଘୋରତର ବିପଦ ମଧ୍ୟ ଦେଇ ଗତି କରିଛନ୍ତି। ଅଳ୍ପ ବ୍ୟବଧାନ ମଧ୍ୟରେ ତାଙ୍କ ପତି ଓ ଦୁଇ ପୁତ୍ର ପ୍ରାଣତ୍ୟାଗ କରିବା ଯେକୌଣସି ମହିଳାଙ୍କ ପାଇଁ ଅତି ଶୋଚନୀୟ ଘଟଣା। ସେ ଯେ ଏହି ଘୋରତର ବିପଦକୁ ଅତିକ୍ରମ କରି ପାରିଛନ୍ତି ଏହା ତାଙ୍କ ଚାରିତ୍ରିକ ଦୃଢ଼ତାକୁ ପ୍ରମାଣିତ କରୁଛି। ଯେତେବେଳେ ରଘୁବର ଦାସଙ୍କ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରିତ୍ୱ ବେଳେ ତାଙ୍କୁ ସେଠାକାର ରାଜ୍ୟପାଳ ପଦ ଦିଆଯାଇଥିଲା ସେତେବେଳେ ବିଧାନସଭାରେ ତାଙ୍କ ଦଳ ନେତୃତ୍ୱରେ ଗୃହୀତ ଦୁଇଟି ଭାଗଚାଷୀ ଆଇନକୁ ସେ ଅନୁମୋଦନ ନକରି ଫେରାଇ ଦେଇଥିଲେ। ତାହା ମଧ୍ୟ ତାଙ୍କର ଚାରିତ୍ରିକ ଦୃଢ଼ତାକୁ ପ୍ରମାଣିତ କରୁଛି।

କୌଣସି ରାଷ୍ଟ୍ରପତି ନିର୍ବାଚନ ବେଳେ ଏପରି ଆନନ୍ଦ ଉତ୍ସାହ ପ୍ରତିଫଳିତ ହୋଇନଥାଏ ଏଥର ଯେପରି ହୋଇଛି। ଦ୍ରୌପଦୀଙ୍କ ଗାଁ ଓ ଜିଲ୍ଲା ତଥା ରାଜ୍ୟରୁ ଅନେକ ବ୍ୟକ୍ତି ତାଙ୍କ ପ୍ରାର୍ଥୀପତ୍ର ଦାଖଲ ଓ ଶପଥ ଗ୍ରହଣ ଉତ୍ସବ ବେଳେ ଦିଲ୍ଲୀ ଯାଇଛନ୍ତି। ସେଠାକାର ଆନନ୍ଦପୂର୍ଣ୍ଣ ବାତାବରଣରେ ନିଜକୁ ମିଶାଇ ଦେଇଛନ୍ତି। ଏହାର ମୁଖ୍ୟ କାରଣ ହେଲା, ଭାରତର ୯% ଆଦିବାସୀମାନେ ଅତି ପଛୁଆ ହୋଇପଡ଼ିଛନ୍ତି ବୋଲି ସମସ୍ତଙ୍କ ମନରେ ଧାରଣା ଅଛି। ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ତାଙ୍କ ଗାଁକୁ ବିଜୁଳି ଯିବା ପ୍ରମାଣିତ କରିଛି ଯେ, ଆଦିବାସୀମାନେ କେତେ ପଛୁଆ ହୋଇ ରହିଛନ୍ତି। ମୁଖ୍ୟତଃ ତାଙ୍କରି ସମ୍ପ୍ରଦାୟର ଲୋକମାନେ ଚାହାନ୍ତି ଯେ ସେମାନଙ୍କର ଦାରିଦ୍ର୍ୟ ହଟାଇବା ପାଇଁ ସେ କିଛି ଉଲ୍ଲେଖନୀୟ କାର୍ଯ୍ୟ କରନ୍ତୁ।

ଗୋଟିଏ ଏନ୍‌.ଏଫ୍.ଏଚ୍‌.ଏସ୍‌.-୫ ସର୍ଭେ କରାଯାଇଥିଲା ଯେଉଁଥିରେ ୨୭ ଲକ୍ଷ ଆଦିବାସୀ ପରିବାରଙ୍କୁ ୫ଟି ଆର୍ଥିକ ବର୍ଗରେ ଭାଗ କରାଯାଇଥିଲା। ସେଥିରେ ଦେଖାଗଲା ଯେ ୭୧% ଆଦିବାସୀ ପରିବାରମାନେ ସଂବୃଦ୍ଧି ଦୃଷ୍ଟିରୁ ସବାତଳ ଦୁଇଟି ବର୍ଗରେ ଆସୁଛନ୍ତି। ଏହି ଧରଣର ସଂବୃଦ୍ଧି ବର୍ଗରେ ୪୯% ଅନୁସୂଚିତ ଜାତି ଓ ୩୬% ପଛୁଆ ଜାତିମାନେ ଆସୁଛନ୍ତି। ଅର୍ଥାତ୍‌, ସଂବୃଦ୍ଧିରେ ଆଦିବାସୀମାନେ ପଛୁଆ ବର୍ଗ (ଓ.ବି.ସି.) ଓ ଅନୁସୂଚିତ ଜାତିମାନଙ୍କଠାରୁ ମଧ୍ୟ ଅନେକ ପଛରେ ପଡ଼ିଛନ୍ତି। ବିଭିନ୍ନ ତଥ୍ୟମାନଙ୍କରୁ ଜଣାପଡ଼ିଛି ଯେ ମାଧ୍ୟମିକ ଶ୍ରେଣୀମାନଙ୍କରୁ ୨୧% ଆଦିବାସୀ ପିଲା ସ୍କୁଲ ଯିବା ବନ୍ଦ କରି ଦେଉଛନ୍ତି। ସାଧାରଣ ବର୍ଗର ଯେତେ ପିଲା ମଝିରେ ସ୍କୁଲ ଶିକ୍ଷା ଛାଡ଼ିଦେଉଛନ୍ତି, ଏହା ହେଉଛି ତା’ର ଦୁଇ ଗୁଣ। ମୁଖ୍ୟତଃ, ଅତିରିକ୍ତ ଦାରିଦ୍ର୍ୟ ଯୋଗୁଁ ଏକଥା ଘଟୁଛି। ଉଚ୍ଚ ଶିକ୍ଷାରେ ମାତ୍ର ୫.୬% ଆଦିବାସୀ ପିଲା ଯୋଗଦାନ କରୁଛନ୍ତି, ମୋଟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ। ଅଥଚ, ଦେଶରେ ସେମାନଙ୍କର ଜନସଂଖ୍ୟା ହେଉଛି ମୋଟ ଜନସଂଖ୍ୟାର ୯%। ଅର୍ଥାତ୍‌, ସେମାନଙ୍କ କ୍ଷେତ୍ରରେ ସବୁ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସରକାରମାନଙ୍କର ଘୋଷଣା ଆଦୌ କାର୍ଯ୍ୟକାରୀ ହେଉନାହିଁ। ସେମାନଙ୍କ ପାଖରେ ଧନର ଅଭାବ ଅତି ଉତ୍କଟ ହୋଇଥିଲା ବେଳେ ଅନ୍ତତଃ ଶିକ୍ଷା ସେମାନଙ୍କର ସାମାଜିକ ମର୍ଯ୍ୟାଦା ଓ ସମ୍ପନ୍ନତାକୁ ବଢ଼ାଇ ପାରିବ। ଶିକ୍ଷା ମଧ୍ୟ ଦାରିଦ୍ର୍ୟକୁ ହଟାଇ ପାରିବ। ଏହା ସତ୍ୟ ଯେ, ରାଷ୍ଟ୍ରପତି ଏକ ଆଳଂକାରିକ ପଦ ମାତ୍ର। କିନ୍ତୁ ରାଷ୍ଟ୍ରପତିଙ୍କ ଏକ ନୈତିକ ପ୍ରଭାବ ରହିଛି ସରକାରଙ୍କ ଉପରେ। ଦ୍ରୌପଦୀ ମୁର୍ମୁ ତାଙ୍କ ସମାଜର ଉତ୍‌ଥାନ ପାଇଁ ସରକାରଙ୍କ ଉପରେ ନୈତିକ ପ୍ରଭାବ ବିସ୍ତାର କରିପାରିବେ। ତାହା ତାଙ୍କ ଦଳ ଦ୍ୱାରା ଗଠିତ। ଏହା ହିଁ ତାଙ୍କ ନେତୃତ୍ୱ ଉପରେ ତାଙ୍କ ସମ୍ପ୍ରଦାୟ ଓ ସମସ୍ତଙ୍କର ପ୍ରତ୍ୟୟ ସୃଷ୍ଟି କରିପାରିବ।
ମୋ: ୯୪୩୭୦୨୦୨୯୦

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe