ଟ୍ରାଫିକ୍‌ ଛକରେ ଧୈର୍ଯ୍ୟ ପରୀକ୍ଷା

Advertisment

ଝରକା

ଝରକା

ଟ୍ରାଫିକ୍‌ ଛକରେ ଧୈର୍ଯ୍ୟ ପରୀକ୍ଷା

telegraphindia.com

ସଡ଼କରେ ଯାନବାହନ ଚଳାଉଥିବା ଲୋକଙ୍କ ପାଖରେ ଦେଖାଯାଉଥିବା ଅନେକ ବିରକ୍ତିକର ଆଚରଣ ଭିତରୁ ଗୋଟିଏ ହେଲା ଟ୍ରାଫିକ୍ ଛକରେ ନାଲି ଆଲୁଅ ଜଳୁଥିବା ସତ୍ତ୍ବେ ସେମାନେ ଅକାରଣରେ ହର୍ଣ୍ଣ ବଜାଇ ଚାଲିବା। ଏହା କେତେକଙ୍କ ଲାଗି ଦୁର୍ବାର ଅଭ୍ୟାସରେ ପଡ଼ିଗଲାଣି। ଏହା ନିଶ୍ଚିତ ଭାବେ ଏକ ବିରକ୍ତିକର ପରିସ୍ଥିତି ସୃଷ୍ଟି କରିଥାଏ। ତେବେ ଏଭଳି ଏକ ସ୍ଥିତିରୁ ଅନ୍ୟ ପଥଚାରୀମାନଙ୍କୁ ମୁକ୍ତି ଦେବା ନିମନ୍ତେ ମୁମ୍ବାଇ ଟ୍ରାଫିକ୍ ପୁଲିସ୍ ଏକ ଅଭିନବ ଉପାୟ ବାହାର କରିଛନ୍ତି।

ଗତ ଶୁକ୍ରବାର ଦିନ ମୁମ୍ବାଇ ପୁଲିସ୍ ସାମାଜିକ ଗଣମାଧ୍ୟମ ‘ଟୁଇଟର୍‍’ରେ ସ୍ବଳ୍ପ ଅବଧିର ଏକ ମଜାଦାର ଭିଡିଓ ଜାରି କରିଛନ୍ତି। ସେଥିରେ ଦେଖିବାକୁ ମିଳିଛି ଯେ ଏକ ଟ୍ରାଫିକ୍ ଛକରେ ପୁଲିସ୍ ଶବ୍ଦ ପ୍ରଦୂଷଣ ମାପକ ଯନ୍ତ୍ର ବା ଡେସିବଲ୍ ମିଟର ଲଗାଇ ଦେଇଛନ୍ତି। ଯଦି ଟ୍ରାଫିକ୍ ଆଲୁଅ ସବୁଜ ହେବା ପୂର୍ବରୁ ଛକ‌େର ଲୋକେ ହର୍ଣ୍ଣ ବଜାଇ ଶବ୍ଦ ପ୍ରଦୂଷଣର ସ୍ତରକୁ ୮୫ ଡେସିବଲ୍‍ରୁ ଉପରକୁ ନେଇଯାଉଛନ୍ତି ତେବେ ନାଲି ବତି ଜଳି ରହିବାର ସମୟସୀମା ଆପଣା ଛାଏଁ ଅତିରିକ୍ତ ୯୦ ସେକେଣ୍ଡ ବା ଦେଢ଼ ମିନିଟ୍‌ ଯାଏ ବଢି ଯାଉଛି। ତେବେ ପରୀକ୍ଷାମୂଳକ ଭାବେ ଏବେ ମୁମ୍ବାଇର ମେରାଇନ୍ ଡ୍ରାଇଭ ଓ ସିଏସ୍‍ଟିଏମ୍ ଟ୍ରାଫିକ୍‌ ଛକରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏହା ଦ୍ବାରା ଅନେକ ସୁଫଳ ମିଳିଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି। ତେଣୁ ଏବେ ସାରା ସହରର ୨୦ଟି ଛକରେ ଏଭଳି ବ୍ୟବସ୍ଥା କରାଯିବ ବୋଲି ମୁମ୍ବାଇ ପୁଲିସ୍ ପକ୍ଷରୁ କୁହାଯାଇଛି।

ଦୈନନ୍ଦିନ ଜୀବନରେ ଅବାଧରେ ଅନେକ ସମୟ ନଷ୍ଟ କରୁଥିବା ଭାରତୀୟମାନେ ସାଧାରଣ ଶୃଙ୍ଖଳା ଦାୟରେ ସଡ଼କ ଉପରେ କ୍ଷଣଟିଏ ବି ଅତିରିକ୍ତ ସମୟ ଦେବାକୁ ଅମଙ୍ଗ। ସେଥିଲାଗି ଅନେକ ଦୁର୍ଘଟଣା ଘଟେ ଓ ସଡ଼କର ଶୃଙ୍ଖଳା ମଧ୍ୟ ନଷ୍ଟ ହୁଏ। ତେଣୁ ସେମାନଙ୍କ ସହନଶୀଳତା ଓ ଧୈର୍ଯ୍ୟର ପରୀକ୍ଷା ନେଉଥିବା ଏ ବ୍ୟବସ୍ଥା ସେମାନଙ୍କ ଭିତରେ ଶୃଙ୍ଖଳା ବୃଦ୍ଧି କରୁଥିବାରୁ ଏହାକୁ ନିଶ୍ଚିତ ଭାବେ ଏକ ଅଭିନବ ଉପାୟ ବୋଲି କହିହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe