ସତ କହୁଛି: କୁକୁରମାନଙ୍କର ମଧ୍ୟ ଦିନ ଆସିବ

ଥରେ ମହାରାଜା ଆକବର ବୀରବଲଙ୍କ ସହିତ ଉଦ୍ୟାନ ଭ୍ରମଣ କରୁଥିବାବେଳେ ଗୁଡ଼ାଏ କାଉ ଉପଦ୍ରବ କରୁଥିବାର ଦେଖି ବିରକ୍ତି ପ୍ରକାଶ କଲେ ଓ ତୁରନ୍ତ ଏହାର ପ୍ରତିକାର ନିମନ୍ତେ ବୀରବଲଙ୍କୁ ତାଙ୍କ ରାଜ୍ୟରେ କାଉମାନଙ୍କ ସଂଖ୍ୟା କେତେ ବୋଲି ଜାଣିବାକୁ ଚାହିଁଲେ।

fshfhsfxbvvb

ଶ୍ୟାମସୁନ୍ଦର ଅଗ୍ରୱାଲା

ଥରେ ମହାରାଜା ଆକବର ବୀରବଲଙ୍କ ସହିତ ଉଦ୍ୟାନ ଭ୍ରମଣ କରୁଥିବାବେଳେ ଗୁଡ଼ାଏ କାଉ ଉପଦ୍ରବ କରୁଥିବାର ଦେଖି ବିରକ୍ତି ପ୍ରକାଶ କଲେ ଓ ତୁରନ୍ତ ଏହାର ପ୍ରତିକାର ନିମନ୍ତେ ବୀରବଲଙ୍କୁ ତାଙ୍କ ରାଜ୍ୟରେ କାଉମାନଙ୍କ ସଂଖ୍ୟା କେତେ ବୋଲି ଜାଣିବାକୁ ଚାହିଁଲେ। ବୀରବଲ କାଉମାନଙ୍କ ସଂଖ୍ୟା ଗଣିବା ନିମନ୍ତେ ଦୁଇ ସପ୍ତାହ ସମୟ ନେଲେ ଓ ପରେ ଦରବାରରେ ଉପସ୍ଥିତ ହୋଇ ରାଜ୍ୟରେ କାଉମାନଙ୍କ ସଂଖ୍ୟା ସମୁଦାୟ ସତାନବେ ହଜାର ଚାରିଶହ ଛଅଷଠି ବୋଲି କହିଲେ। ଏମିତି ଏକ ଅଛିଣ୍ଡା ସଂଖ୍ୟା ଶୁଣି ଆକବର ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ବୀରବଲଙ୍କୁ ପଚାରିଲେ, “ତୁମେ ଏମାନଙ୍କୁ ଏତେ ସଠିକ୍ ଗଣିଲ କେମିତି?” ବୀରବଲ କହିଲେ, “ମହାରାଜ, ମୁଁ ମୁଣ୍ଡ ଗଣତି ହିସାବରେ ଗୋଟି ଗୋଟି କରି କାଉମାନଙ୍କୁ ଗଣିଛି ଏବଂ ମୋର ଗଣତି ନିର୍ଭୁଲ୍‌।”
ଆକବର ପଚାରିଲେ, “ଯଦି ମୋ ନିର୍ଦ୍ଦେଶରେ ପୁନର୍ଗଣତି ଦ୍ୱାରା କାଉଙ୍କ ସଂଖ୍ୟା ଅଧିକ ବାହାରନ୍ତି?” ବୀରବଲ କହିଲେ, “ମହାରାଜ ଯଦି ଅଧିକ ବାହାରନ୍ତି ତେବେ ମାନି ନେବାକୁ ପଡ଼ିବ ଯେ ଆମ ପଡ଼ୋଶୀ ରାଜ୍ୟମାନଙ୍କରୁ କିଛି କାଉ ଆମ ରାଜ୍ୟକୁ ଭ୍ରମଣ କରିବାକୁ ଆସିଛନ୍ତି।” “ଆଉ ଯଦି କମ୍ ବାହାରନ୍ତି?” ଆକବରଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ବୀରବଲ କହିଲେ, “ହଜୁର, ଏହାର ଅର୍ଥ ହେବ ଯେ ଆମ ରାଜ୍ୟର କିଛି କାଉ ପଡ଼ୋଶୀ ରାଜ୍ୟମାନଙ୍କୁ ଭ୍ରମଣ କରିବାକୁ ଯାଇଛନ୍ତି।”
ଏତାଦୃଶ ବର୍ତ୍ତମାନ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ବୁଲା କୁକୁରମାନଙ୍କର ମୁଣ୍ଡ ଗଣତି କରି କହିଛନ୍ତି ଯେ ସହରରେ ସତଚାଳିଶ ହଜାର ଶହେ ଛବିଶଟି ବୁଲା କୁକୁର ଅଛନ୍ତି। ଏହି ସଂଖ୍ୟା ଠିକ୍ ଆଉ ଏହାଠାରୁ ଯଦି ଅଧିକ ବାହାରନ୍ତି ତେବେ ଭାବି ନେବାକୁ ପଡ଼ିବ ଯେ ପଡ଼ୋଶୀ ସହରରୁ କିଛି କୁକୁର ଭୁବନେଶ୍ୱରକୁ ଭ୍ରମଣ କରିବାକୁ ଆସିଛନ୍ତି ଆଉ ଯଦି କମ୍ ବାହାରେ ତେବେ ଭୁବନେଶ୍ୱରର କିଛି କୁକୁର ପଡ଼ୋଶୀ ସହରମାନଙ୍କୁ ଭ୍ରମଣ କରିବାକୁ ଯାଇଛନ୍ତି। ବନ୍ଧୁଗଣ, ବୀରବଲ କାଉଙ୍କ ସଂଖ୍ୟା ଲକ୍ଷେ ଓ ମହାନଗର ନିଗମ କୁକୁରଙ୍କ ସଂଖ୍ୟା ପଚାଶ ହଜାର କହିପାରିଥାନ୍ତେ କିନ୍ତୁ ବୋଧହୁଏ କୌଣସି ଗୋଲାକାର ସଂଖ୍ୟା ଏତେ ବିଶ୍ୱସନୀୟ ହୋଇପାରି ନଥାନ୍ତା, ତେଣୁ ସେମାନେ ଏଭଳି ଅଛିଣ୍ଡା ସଂଖ୍ୟା କହି ପ୍ରମାଣିତ କରିଦେଲେ ଯେ ସେମାନେ ଗୋଟି ଗୋଟି କରି ଗଣତି କରିଛନ୍ତି।
ତେବେ ସେ ଗଣତି ଯେମିତି ହେଉ ନା କାହିଁକି, ବୁଲା କୁକୁରମାନଙ୍କ ସଂଖ୍ୟା ଲୋକମାନଙ୍କ ସଂଖ୍ୟା ଅନୁପାତରେ ଯେ ଅଧିକ ଏଥିରେ ସନ୍ଦେହ ନାହିଁ। ଏବେ ଭୁବନେଶ୍ବରରେ ପ୍ରତି ହଜାରେ ଲୋକରେ ପ୍ରାୟ ଛତିଶ କୁକୁର ଅଛନ୍ତି, ଯାହା ଜାତୀୟ ହାର ଏଗାର ଠାରୁ ଖୁବ୍ ଅଧିକ। କୁକୁର ଶୂନ୍ୟ ସହର କିମ୍ବା ସଂପୂର୍ଣ୍ଣ ସ୍ଥାନାନ୍ତରଣ ଏହାର ସମାଧାନ ନୁହେଁ। ଏହାର ଏକମାତ୍ର ସମାଧାନ ହେଉଛି ବନ୍ଧ୍ୟାକରଣ ଓ ଟିକାକରଣ। ସଂପୂର୍ଣ୍ଣ ସ୍ଥାନାନ୍ତରଣ ସପକ୍ଷରେ ସୁପ୍ରିମ୍ କୋର୍ଟ ପ୍ରଥମେ ଏକ ରାୟ ଦେଇ କହିଥିଲା ଯେ ଦିଲ୍ଲୀ, ଗୁରୁଗ୍ରାମ, ନୋଏଡ଼ା ଓ ଗାଜିଆବାଦ ଅଞ୍ଚଳରେ ଯେତେ ବୁଲା କୁକୁର ଅଛନ୍ତି ସେମାନଙ୍କୁ ତୁରନ୍ତ ଧରି ନିଆଯାଇ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଇ ବନ୍ଧ୍ୟାକରଣ କରାଯାଉ ଏବଂ ଏହି ସହରଗୁଡ଼ିକୁ କୁକୁର ଶୂନ୍ୟ କରାଯାଉ। ସାରା ଭାରତବର୍ଷରେ ଯେତେବେଳେ ଏହା ବିରୁଦ୍ଧରେ ହୋ ହଲ୍ଲା ହେଲା ସେତେବେଳେ ସୁପ୍ରିମ୍ କୋର୍ଟର ଅନ୍ୟ ଏକ ବେଞ୍ଚ ଏହି ରାୟକୁ ପରିବର୍ତ୍ତନ କରିଦେଇ କହିଲା ଯେ ବୁଲା କୁକୁର ଶୂନ୍ୟ ସହର ସମ୍ଭବପର ନୁହେଁ, ତେଣୁ ସମସ୍ତ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଟିକାକରଣ କରାଯାଇ ଯିଏ ଯେଉଁଠି ଅଛି ସେଇଠି ତାଙ୍କୁ ଛାଡ଼ି ଦିଆଯାଉ।
ସୁପ୍ରିମ୍ କୋର୍ଟର ଏହି ଦୁଇଟି ରାୟ ପ୍ରମାଣିତ କରିଦେଉଛି ଯେ ସ୍ଥାନାନ୍ତରଣ ନୁୁହେଁ, ବନ୍ଧ୍ୟାକରଣ ଓ ଟିକାକରଣ ହିଁ ଏହାର ଏକମାତ୍ର ସମାଧାନ। ତଥ୍ୟ ଅନୁଯାୟୀ ଭୁବନେଶ୍ୱର ସହରରେ ଗତ ପାଞ୍ଚ ବର୍ଷ ଭିତରେ ବୁଲା କୁକୁରମାନଙ୍କ ସଂଖ୍ୟା ତିନିଗୁଣା ବୃଦ୍ଧି ପାଇଛି। ଯଦି ଠିକ୍ ଢଙ୍ଗରେ ବନ୍ଧ୍ୟାକରଣ ହୋଇଥାନ୍ତା ତେବେ ଏହିପରି ଅହେତୁକ ବୃଦ୍ଧି ସମ୍ଭବପର ହୋଇ ନଥାନ୍ତା। ତଥ୍ୟ ପୁନଶ୍ଚ କହୁଛି ଯେ ଏହି ସତଚାଳିଶ ହଜାର କୁକୁରଙ୍କ ମଧ୍ୟରୁ ମାତ୍ର ସାତ ହଜାର ପାଞ୍ଚ ଶହ କୁକୁରଙ୍କର ବନ୍ଧ୍ୟାକରଣ ହୋଇଛି ଓ ବାକି ଚାଳିଶ ହଜାର କୁକୁର ବିନା ବନ୍ଧ୍ୟାକରଣ ଓ ଟିକାକରଣରେ ଭୁବନେଶ୍ୱରର ସହରଯାକ ବୁଲୁଛନ୍ତି। 
କୁକୁର ବିଶେଷଜ୍ଞମାନେ କୁହନ୍ତି ଯେ ଭୋକିଲା କୁକୁର ପେଟ ଭରି ଖାଇଥିବା କୁକୁର ଠାରୁ ଅଧିକ ଭୟାନକ ଓ ଆକ୍ରମଣାତ୍ମକ ହୋଇଥାଏ। ତେଣୁ ଏହି ପରିସ୍ଥିତିରେ ଦୟା ପରବଶ ହୋଇ ଯେଉଁମାନେ ଭୋକିଲା କୁକୁରମାନଙ୍କୁ ରାସ୍ତାରେ ଘାଟରେ କିଛି ଖାଇବାକୁ ଦେଇ ଦଉଛନ୍ତି କର୍ତ୍ତୃପକ୍ଷ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବା ପୂର୍ବରୁ ବିଭିନ୍ନ ସ୍ଥାନ ଓ ଏକ ନିର୍ଦ୍ଦିଷ୍ଟ ସମୟରେ ଏମାନଙ୍କ ପାଇଁ ଯଥେଷ୍ଟ ଖାଇବା ପିଇବାର ବ୍ୟବସ୍ଥା କରନ୍ତୁ। ଲକ୍ଷ୍ୟ କରାଯାଇଥାଏ ଯେ ଅଧିକାଂଶ କୁକୁର ଥରେ ପେଟ ଭରି ଖାଇପିଇ ଆତ୍ମସନ୍ତୁଷ୍ଟିରେ ରହିବା ପରେ ଅନ୍ୟ କିଏ ଖାଦ୍ୟ ଯାଚିଲେ ମଧ୍ୟ ଏମାନେ ମୁହଁ ଉଠେଇ ଉପରକୁ ଅନେଇ ନଥାନ୍ତି।
ବନ୍ଧୁଗଣ, ପ୍ରକୃତିର ଇକୋ-ସିଷ୍ଟମ ନାମକ ଏକ ଶୃଙ୍ଖଳା ରହିଛି। କୁକୁର ଏହି ଶୃଙ୍ଖଳାର ଏକ ଅଭିନ୍ନ ଅଙ୍ଗ। ଏମାନଙ୍କୁ ଆପଣ ନିୟନ୍ତ୍ରଣ କରିପାରନ୍ତି କିନ୍ତୁ ବିନାଶ ନୁହେଁ। ଇଣ୍ଡୋନେସିଆ ଦେଶର ଏକ ସତ କଥା କହୁଛି। ଥରେ ଇଣ୍ଡୋନେସିଆରେ ଅତ୍ୟଧିକ ମଶା ଯୋଗୁଁ ମ୍ୟାଲେରିଆ ବ୍ୟାପିବାକୁ ଲାଗିଲା। ମଶାମାନଙ୍କୁ ନିପାତ କରିବାକୁ ସରକାର ଚାରିଆଡ଼େ ଡିଡିଟି ସ୍ପ୍ରେ କଲେ। ଫଳରେ ମଶା ତ ମଲେ ଓ ମଶା ସହିତ ମାଛି ବି ମଲେ। ଝିଟିପିଟିମାନେ ବିଷାକ୍ତ ମଶାମାଛିମାନଙ୍କୁ ଖାଇକି ମଲେ। ବିଲେଇମାନେ ବିଷାକ୍ତ ମଲା ଝିଟିପିଟିମାନଙ୍କୁ ଖାଇକି ମଲେ। କ୍ରମଶଃ ବିଲେଇ ବଂଶ ଧ୍ୱଂସ ପାଇଗଲା। ବିଲେଇ ଅନ୍ତର୍ଦ୍ଧାନ ହୋଇଯିବା ପରେ ମୂଷାମାନଙ୍କର ସଂଖ୍ୟା ଓ ଉତ୍ପାତ ବଢ଼ି ଚାଲିଲା ଓ ସାରା ଦେଶରେ ପ୍ଲେଗ ରୋଗରେ ଶହ ଶହ ଲୋକ ମରିବାକୁ ଲାଗିଲେ। ଶେଷକୁ ପରିସ୍ଥିତି ଏପରି ହେଲା ଯେ ଇଣ୍ଡୋନେସିଆକୁ ବିଦେଶରୁ ବିଲେଇ ଆମଦାନି କରିବାକୁ ପଡ଼ିଥିଲା। ବନ୍ଧୁଗଣ, ବିଲେଇ ହେଉ କି କୁକୁର ହେଉ, ଏମାନେ ପ୍ରକୃତିର ଗୋଟିଏ ଗୋଟିଏ ଅଭିନ୍ନ ଅଙ୍ଗ। ଏମାନଙ୍କୁ ନିୟନ୍ତ୍ରଣ କରନ୍ତୁ, ବିନାଶ ନୁହେଁ, ନଚେତ ହାମଲେଟ ନାଟକରେ ସେକ୍‌ସପିଅର କହିଲା ଭଳି ଶେଷକୁ “କୁକୁରମାନଙ୍କର ମଧ୍ୟ ଦିନ ଆସିବ” ଓ ଆମକୁ ମଧ୍ୟ ବିଦେଶରୁ କୁକୁର ଆମଦାନି କରିବାକୁ ପଡ଼ିବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe