ସତ କହୁଛି: ଗଣତନ୍ତ୍ର ଉପରେ ରଚନା

Advertisment

ଶ୍ୟାମସୁନ୍ଦର ଅଗ୍ରୱାଲା

ଶ୍ୟାମସୁନ୍ଦର ଅଗ୍ରୱାଲା

ସତ କହୁଛି: ଗଣତନ୍ତ୍ର ଉପରେ ରଚନା

ଗଣତନ୍ତ୍ର ଏକ ସୁଶାସନ ବ୍ୟବସ୍ଥା। ଏହାର ଚାରିଟି ଗୋଡ଼। ଏଗୁଡ଼ିକ ହେଲେ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା, ନ୍ୟାୟପାଳିକା ଓ ପତ୍ରକାରିତା। ଭାରତବର୍ଷ ଏହି ଶାସନ ବ୍ୟବସ୍ଥାକୁ ଗ୍ରହଣ କରିଛି ଓ ଆଜିକୁ ଦୀର୍ଘ ସତସ୍ତରି ବର୍ଷ ହେଲା ଏହି ଚାରିଟି ଗୋଡ଼ ଉପରେ ଛିଡ଼ା ହୋଇ ରହିଛି। ଏହି ଚାରିଟି ଗୋଡ଼ରୁ ପ୍ରଥମ ତିନିଟି ଗୋଡ଼ ଊଣାଅଧିକ ପରସ୍ପର ଛନ୍ଦାଛନ୍ଦି ହୋଇ ରହି ଆସିଥିଲା ବେଳେ ଚତୁର୍ଥ ଗୋଡ଼ ପତ୍ରକାରିତା ସ୍ୱାଧୀନ ରହି ବାକି ତିନି ଗୋଡ଼କୁ ସର୍ବଦା ସମ୍ଭାଳି ରଖିବା ପାଇଁ ଦାୟିତ୍ୱ ବହନ କରି ଆସିଛି। ଦୁଃଖର କଥା ଯେ ଏହି ଗୋଡ଼ଟି ମଧ୍ୟ ଅନେକ ସମୟରେ ଡଗମଗ ହୋଇଯାଉଥିବାର ଲକ୍ଷ୍ୟ କରାଯାଉଛି ଯାହା ଫଳରେ ଗଣତନ୍ତ୍ର ଭୁଶୁଡ଼ି ପଡ଼ିବାର ଆଶଙ୍କା ରହୁଛି।

ପତ୍ରକାରିତାକୁ ଇଂରେଜୀରେ ‘ପ୍ରେସ’ କୁହାଯାଉଛି ଏବଂ ଏହାର ଡଗମଗ ହେବାର କାରଣ ହେଲା ଏହା ଉପରେ ସର୍ବଦା ଅନ୍ୟ ଗୋଡ଼ଗୁଡ଼ିକର କୋପଦୃଷ୍ଟି ପଡୁଛି। ଏହି ପ୍ରକାର ଏକ କୋପଦୃଷ୍ଟି ଊଣେଇଶଶହ ପଞ୍ଚସ୍ତରି ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଜରୁରୀ ପରିସ୍ଥିତି ସମୟରେ ପଡ଼ିଥିଲା। ଯେଉଁ ଦିନ ଜରୁରୀ ପରିସ୍ଥିତି ଜାରି କରାଗଲା ସେହି ଦିନ ‘ଟାଇମସ୍ ଅଫ ଇଣ୍ଡିଆ’ର ବମ୍ବେ ସଂସ୍କରଣରେ ଗଣତନ୍ତ୍ରର ଏକ ମୃତ୍ୟୁଲେଖ ପ୍ରକାଶ ପାଇଥିଲା। ଏଥିରେ ଲେଖାଯାଇଥିଲା “ଆଜି ଭାରତବର୍ଷରେ ‘ସତ୍ୟ’ର ସ୍ୱାମୀ, ‘ସ୍ୱାଧୀନତା’ର ପିତା ଓ ‘ନ୍ୟାୟ’ର ଭ୍ରାତା, ‘ଗଣତନ୍ତ୍ର’ର ମୃତ୍ୟୁ ଘଟିଲା।” ଏହାକୁ ତାଳ ଦେଇ ରାମନାଥ ଗୋଏଙ୍କାଙ୍କ ‘ଇଣ୍ଡିଆନ ଏକ୍ସପ୍ରେସ’ ତାହାର ସଂପାଦକୀୟରେ ଗୋଟିଏ ବି ଶବ୍ଦ ନ ଲେଖି ପୂରା ସ୍ତମ୍ଭଟିକୁ ଶୂନ୍ୟ ଛାଡ଼ି ଦେଇଥିଲା। ଏହା ଇନ୍ଦିରା ଗାନ୍ଧୀ ଓ ତାଙ୍କ ପୁତ୍ର ସଞ୍ଜୟ ଗାନ୍ଧୀଙ୍କୁ ଏତେ କ୍ଷୁବ୍‌ଧ କଲା ଯେ ସେମାନେ ଏହି ଦୁଇଟି ଖବରକାଗଜକୁ କଳେ ବଳେ କୌଶଳେ କାବୁ କରିଦେବାକୁ ଚେଷ୍ଟା କରିଥିଲେ। ଊଣେଇଶ ଶହ ଅଠାଅଶି ମସିହାରେ ଯେତେବେଳେ ବୋଫର୍ସ କାଣ୍ଡ ଖବରକାଗଜମାନଙ୍କର ଶୀର୍ଷ ସ୍ଥାନ ହାସଲ କଲା ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏହି ଗୋଡ଼ ଉପରେ ପୁନର୍ବାର ଏକ ଚୋଟ ପ୍ରହାର କରିବାକୁ ଚେଷ୍ଟା କରି ପାର୍ଲିଆମେଣ୍ଟରେ ଏକ ମାନହାନି ବିଲ୍‌ ଆଗତ କରିଥିଲେ ଯାହା ଦ୍ୱାରା କୌଣସି ବ୍ୟକ୍ତିର ପ୍ରତିଷ୍ଠା ଓ ଚରିତ୍ରକୁ ଆକ୍ଷେପ କରିବା ଏକ ଧର୍ତ୍ତବ୍ୟ ଅପରାଧ ହେବ ବୋଲି ପ୍ରସ୍ତାବ ରଖାଯାଇଥିଲା। ରକ୍ଷା ହେଇଛି ତାଙ୍କୁ ସୁବୁଦ୍ଧି ଜୁଟିଲା ଏବଂ ଏହିପରି ଏକ ଭୟଙ୍କର ବିଲ୍ ପାସ ହେବା ପୂର୍ବରୁ ପ୍ରତ୍ୟାହାର କରିନିଆଗଲା ଓ ଗଣତନ୍ତ୍ରର ଚତୁର୍ଥ ଗୋଡ଼ଟି କଟୁ କଟୁ ବଞ୍ଚିଯାଇଥିଲା।

ବର୍ତ୍ତମାନର ଏନଡିଏ ସରକାରଙ୍କର ମଧ୍ୟ ଏହି ଗୋଡ଼ଟି ଉପରେ କୋପ ଦୃଷ୍ଟି ରହିଛି। ଦୁଇହଜାର ଅଠର ମସିହାରେ ବହୁଳ ପ୍ରସାରିତ ମିଥ୍ୟା ଓ ଛଳନାତ୍ମକ ଖବରଗୁଡ଼ିକୁ ନିୟନ୍ତ୍ରଣ କରିବା ନିମନ୍ତେ ଏହି ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ନିୟମାବଳୀ ଜାରି କଲା ଏବଂ ଯେଉଁ ପତ୍ରକାରମାନେ ଏହାର ଉଲ୍ଲଙ୍ଘନ କରିବେ ସେମାନଙ୍କର ପତ୍ରକାରିତାର ସ୍ୱୀକୃତି ପତ୍ର ପ୍ରତ୍ୟାହାର କରିନିଆଯିବ ବୋଲି ଧମକ ଦିଆଗଲା। ଏହା ଉପରେ ସମଗ୍ର ଗଣମାଧ୍ୟମ ଜଗତରେ ଯେତେବେଳେ ହୋହାଲ୍ଲା ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଏହି ଘୋଷଣାନାମାଟିକୁ ତୁରନ୍ତ ପ୍ରତ୍ୟାହାର କରିନିଆଗଲା। ଗଣତନ୍ତ୍ରର କେବଳ ପ୍ରଥମ ଦୁଇଟି ଗୋଡ଼ ନୁହେଁ, ଏହାର ତୃତୀୟ ଗୋଡ଼ ନ୍ୟାୟପାଳିକାର ମଧ୍ୟ ଏହି ଗୋଡ଼ଟି ଉପରେ ଅନେକ ସମୟରେ କୋପଦୃଷ୍ଟି ପଡ଼ିଥାଏ। ଊଣେଇଶ ଶହ ଅଠସ୍ତରି ମସିହା କଥା। ଜରୁରୀକାଳୀନ ପରିସ୍ଥିତି ପ୍ରତ୍ୟାହାର ହୋଇଯାଇଥାଏ ଏବଂ ଜନତା ସରକାରଙ୍କ ଶାସନ ଚାଲିଥାଏ। ଏହି ସମୟରେ ଜରୁରୀକାଳୀନ ପରିସ୍ଥିତି ବେଳେ ସୁପ୍ରିମ୍‌ କୋର୍ଟ ବିଚାରପତିମାନଙ୍କର ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାରଙ୍କ ପ୍ରତି ଅହେତୁକ ଆନୁଗତ୍ୟକୁ ନେଇ ‘ଇଣ୍ଡିଆନ ଏକ୍ସପ୍ରେସ’ରେ ଏକ ଲେଖା ପ୍ରକାଶ ପାଇଲା। ଯେଉଁ ନ୍ୟାୟମୂର୍ତ୍ତି ମିର୍ଜା ବେଗ୍ ଏହି ଆନୁଗତ୍ୟ ପ୍ରକାଶ କରିଥିଲେ ଓ ପୁରସ୍କାର ସ୍ୱରୂପ ମୂଖ୍ୟ ବିଚାରପତିର ସ୍ଥାନ ଗ୍ରହଣ କରିଥିଲେ, ସେ ତୁରନ୍ତ ତାଙ୍କ ନିଜ ତରଫରୁ ଖବରକାଗଜର ସଂପାଦକ ମୁଲଗାଓଁଙ୍କରଙ୍କ ବିରୋଧରେ ଏକ ମକଦମା ରୁଜୁ କରି କ୍ଷମା ପ୍ରାର୍ଥନା ଦାବି କରିଥିଲେ। ଆଶ୍ଚର୍ଯ୍ୟର କଥା ଜଷ୍ଟିସ ମିର୍ଜା ବେଗ୍‌ଙ୍କ ସହିତ ଥିବା ଅନ୍ୟ ଦୁଇ ସାଥି ବିଚାରପତି ତାଙ୍କ ସହିତ ଏକମତ ହୋଇନଥିଲେ ଓ ଏକ ଭିନ୍ନ ରାୟ ଦେଇ ମୁଲଗାଓଁଙ୍କରଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦେଇଥିଲେ।

ଏସବୁ ସତ୍ତ୍ବେ ଅତ୍ୟନ୍ତ ଦୁଃଖର ସହିତ ଲେଖିବାକୁ ପଡୁଛି ଯେ ଏ ବର୍ଷ ଭାରତ ଗଣମାଧ୍ୟମର ସ୍ୱାଧୀନତା ତାଲିକାରେ ପୃଥିବୀର ଶହେ ଅଶି ଦେଶରୁ ଶହେ ଏକଷଠି ସ୍ଥାନ ହାସଲ କରିଛି। ଗତବର୍ଷ ଏହାର ସ୍ଥାନ ଶହେ ପଚାଶରେ ଥିଲା ବେଳେ ଏ ବର୍ଷ ଏହା ଆହୁରି ଏଗାରଟି ସ୍ଥାନ ତଳକୁ ଖସି ଆସିଛି। ଆଶ୍ଚର୍ଯ୍ୟର କଥା ଯେ ଏହି ଗୋଡ଼ଟି ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ଥିଲେ ହେଁ ସମସ୍ତେ ଏ ବିଷୟରେ ଚୁପ୍‌ ରହୁଛନ୍ତି ଏବଂ ମାଡ଼ ଭୟରେ କେହି ପାଟି ଫିଟଉନାହାନ୍ତି। ମାଡ଼ ଭୟରେ ଚୁପ୍‌ ରହିବା କଥା ଉଠିଲେ ଜଣେ ପହିଲମାନର କଥା ମନେ ପଡ଼ିଯାଏ। ଥରେ ଜଣେ ପହିଲମାନ ଘରକୁ ଆସି ତା’ ସ୍ତ୍ରୀକୁ କହିଲା, “ଆଜି ମୁଁ ବଜାରରେ ଗୋଟେ ବାଜି ଜିତିକି ଆସିଛି।” ସ୍ତ୍ରୀ କହିଲା, “କେଉଁ ବାଜି?” ପହିଲମାନ କହିଲା, “ସେ ମୂର୍ଖ ମାଂସ ଦୋକାନୀ କହୁଥିଲା ଛେଳିର ଚାରିଟା ଗୋଡ଼ ଆଉ ମୁଁ କହିଲି ଛେଳିର ତିନିଟି ଗୋଡ଼। ଶେଷକୁ ବାଜି ମୁଁ ଜିତିଲି।” ସ୍ତ୍ରୀ କହିଲା, “ମାଂସ ଦୋକାନୀ ଠିକ୍‌ କହୁଥିଲା। ଛେଳିର ତ ଚାରିଟା ଗୋଡ଼ ଆଉ ତୁମେ ବାଜି ଜିତିଲ କେମିତି?” ଏ କଥା ଶୁଣି ପହିଲମାନ ହଠାତ୍ କ୍ରୋଧାନ୍ୱିତ ହୋଇପଡ଼ି ତା’ ସ୍ତ୍ରୀକୁ ନିର୍ଘାତ ପିଟିବାକୁ ଲାଗିଲା। ପହିଲମାନର ମାଡ଼ ଖାଇ ତା’ ସ୍ତ୍ରୀ ଅଧା ମଲା ହୋଇପଡ଼ିଲା ଆଉ ଡରରେ ଥରି ଥରି କହିଲା, “ହଉ ହେଲା, ମୁଁ ତୁମ କଥାରେ ରାଜି, ଛେଳିର ତିନିଟି ଗୋଡ଼।” ପହିଲମାନ ମାଡ଼ ବନ୍ଦ କରିଦେଇ କହିଲା, “ଏବେ ରାଜି ହେଲୁ ତ? ସେ ମାଂସ ଦୋକାନୀ ବି ଏମିତି ଗୁଡ଼େ ମାଡ଼ ଖାଇ ଶେଷକୁ ରାଜି ହୋଇଥିଲା।” ବନ୍ଧୁଗଣ, ଆମ୍ଭେ ମଧ୍ୟ ଆଜି ମାଡ଼ ଭୟରେ ମାନୁଛୁ ଯେ ଛେଳିର ତିନିଟି ଗୋଡ଼ ଓ ଆମ ଦେଶରେ ଗଣତନ୍ତ୍ରର ଚତୁର୍ଥ ଗୋଡ଼ଟି ଅତ୍ୟନ୍ତ ସୁରକ୍ଷିତ ଅଛି।
ମୋ: ୯୪୩୭୦୬୭୫୬୭

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe