ଅବିସ୍ମରଣୀୟ ଶରତ

Advertisment

ଅମିୟ ଭୂଷଣ ତ୍ରିପାଠୀ

ଅମିୟ ଭୂଷଣ ତ୍ରିପାଠୀ

ଅବିସ୍ମରଣୀୟ ଶରତ

ଜଣେ ସଫଳ ପୁଲିସ ଅଧିକାରୀ, ବିଦ୍ବାନ ଓ ବହୁପାଠୀ, ସୁଲେଖକ ଏବଂ ବନ୍ଧୁବତ୍ସଳ ପୂର୍ବତନ ପୁଲିସ ଡି.ଜି. ଶରତ ଚନ୍ଦ୍ର ମିଶ୍ର ଥିଲେ ଜଣେ ବହୁ ଆୟାମୀ ବ୍ୟକ୍ତିତ୍ବ। ଦୈନିକ ‘ସମ୍ବାଦ’ର ଜଣେ ନିୟମିତ ସ୍ତମ୍ଭକାର ଭାବେ ସେ ମଧ୍ୟ ଅନେକ ପାଠକୀୟ ଆଦୃତି ଲାଭ କରିଥିଲେ। ଏହି ଦିବଂଗତ ଆତ୍ମା ପ୍ରତି ଆମର ବିନମ୍ର ଶ୍ରଦ୍ଧାଞ୍ଜଳି।

ଆମେ ଥିଲୁ ୧୯୩୦ ଦଶକର ତତ୍‌କାଳୀନ ଓଡ଼ିଶାର ଅନ୍ଧାରିଆ ଗଡ଼ଜାତ ମୁଲକର ନିବାସୀ। ତାଙ୍କ ବାପା ଥିଲେ ତାଳଚେରରେ ଏବଂ ମୋ ବାପା ଥିଲେ ସୋନପୁରରେ। ତାଳଚେରରେ ଛାତ୍ର ଜୀବନ ସମାପ୍ତ କରି ସେ ରେଭେନ୍‌ସା କଲେଜରେ ତାଙ୍କ ଉଚ୍ଚ ଶିକ୍ଷା ସମାପନ କରିଥିଲେ। ଅର୍ଥନୀତିରେ ଏମ.ଏ.ର ପ୍ରଥମ ଶ୍ରେଣୀ ପାଇ, ପାରଳାଖେମୁଣ୍ଡି କଲେଜରେ କିଛିଦିନ ଅଧ୍ୟାପକ ରୂପେ କାର୍ଯ୍ୟ କରି ଭାରତୀୟ ପୁଲିସ ସେବାରେ ଯୋଗ ଦାନ କଲେ ୧୯୫୯ରେ। ମୁଁ ଆଇ.ପି.ଏସ୍‌.ରେ ଯୋଗ ଦାନ ‌କଲି ୧୯୬୨ରେ। ଏ ପରୀକ୍ଷାରେ କୃତକାର୍ଯ୍ୟ ହେବା ଦିନ ଠାରୁ ମୁଁ ତାଙ୍କ ସଂସ୍ପର୍ଶରେ ଆସିଲି ଓ ସେ ‌େଯଉଁ ସମ୍ବନ୍ଧ ଓ ବନ୍ଧୁତା ଗଢ଼ି ଉଠିଥିଲା ତାହା ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଅତୁଟ ରହିଥିଲା।

ଓଡ଼ିଶାରେ ବିଭିନ୍ନ ପଦରେ କାର୍ଯ୍ୟ ସମାପନ କରି ସେ ଗଲେ ଭାରତ ସରକାରଙ୍କ ଅଧୀନକୁ। ପ୍ରଥମେ କେନ୍ଦ୍ର ଗୋଇନ୍ଦା ସଂସ୍ଥାରେ ଯୋଗ ଦାନ କଲେ ଓ ତା’ପରେ କ୍ୟାବିନେଟ୍‌ ସେକ୍ରେଟେରିଏଟ୍‌କୁ ଯାଇ ଢାକା ଓ ୱାସିଂଟନରେ ଅବସ୍ଥାପିତ ହୋଇଥିଲେ। ମୁଁ ୧୯୭୭ରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ଗଲି ଓ ସେଠାରେ ୧୯୮୩ ପର୍ଯ୍ୟନ୍ତ ରହି, ଦିଲ୍ଲୀରେ ଅବସ୍ଥାନ ସମୟରେ ଶରତ ବାବୁ ଓ ଅନ୍ୟାନ୍ୟ ବନ୍ଧୁମାନଙ୍କ ସଙ୍ଗେ ଯୋଗାଯୋଗ ଥିଲା। ଦିଲ୍ଲୀରେ ଥିବା ଓଡ଼ିଶା କ୍ୟାଡରର ଆଇ.ପି.ଏସ୍‌.ମାନଙ୍କ ବନ୍ଧୁମିଳନ ବିଭିନ୍ନ ସମୟରେ ହେଉଥିଲା ଯାହା ଏକ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥିଲା। ୧୯୭୭ରେ ମୁଁ ଦିଲ୍ଲୀରେ ଯୋଗଦାନ କରିବା ପରେ ଆଇ.ପି.ଏସ୍‌. ଅଫିସରମାନଙ୍କ ସଂଖ୍ୟା ବହୁତ ବଢ଼ିଗଲା। ଜରୁରୀକାଳୀନ ପରିସ୍ଥିତିରେ କ୍ଷମତାର ନିକଟବର୍ତ୍ତୀ ରୂପେ ନଅ ଜଣ ଅଫିସରଙ୍କୁ ଚିହ୍ନଟ କରି ଭାରତ ସରକାରଙ୍କ ଅଧୀନକୁ ପଠାଗଲା। ସେମାନଙ୍କ ମଧ୍ୟ‌େର ୧୯୫୦ ମସିହାର ଅଫିସର ତତ୍‌କାଳୀନ ପୁଲିସ ମୁଖ୍ୟ ନରସିଂହ ସ୍ବାଇଁ, ୧୯୫୨ ମସିହାର ବି.କେ. ପାଣିଗ୍ରାହୀଙ୍କ ଠାରୁ ଆରମ୍ଭ କରି ୧୯୬୪ର ବି.ବି. ନନ୍ଦୀ ଓ ଆପ୍ପା ରାଓ ଥିଲେ। ମୋର ଜରୁରୀକାଳୀନ ପରିସ୍ଥିତିରେ କୌଣସି ଭୂମିକା ନ ଥିଲେ ମଧ୍ୟ ନରସିଂହ ସ୍ବାଇଁଙ୍କ ବିଶ୍ବସ୍ତ ରୂପେ ମୋତେ ସେ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଗଲା। ଏମାନଙ୍କୁ କୁହାଗଲା ନବରତ୍ନ। ଆମେ ୬ ଜଣ ଦିଲ୍ଲୀ ଆସିଲା ପରେ ସଂଖ୍ୟା ୨୪ ପାଖାପାଖି ହୋଇଗଲା, ଯାହା ଥିଲା ଅଭୂତପୂର୍ବ। ଶରତବାବୁ ଦିଲ୍ଲୀରୁ ଢାକା ଓ ତା’ପରେ ୱାସିଂଟନ ଗଲେ। ମୁଁ ଓଡ଼ିଶାକୁ ଫେରିଲି ୧୯୮୩ରେ। ଶରତ ବାବୁ ଫେରିଲେ ୧୯୯୦ ଦଶକର ଆରମ୍ଭରେ ସେତେବେଳେ ପୁଲିସରେ ଡିଜି ପଦ ସୃଷ୍ଟି ହୋଇଯାଇଥିଲା ଓ ଅଶୀ ଦଶକର ଶେଷ ବେଳକୁ ଅତିରିକ୍ତ ଡିଜି ପଦ ମଧ୍ୟ ସୃଷ୍ଟି ହେଲା। କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ଏ ପଦ ମାନ ସୃଷ୍ଟି କଲେ। କିନ୍ତୁ ଓଡ଼ିଶା ପଛରେ ପଡ଼ି ରହିଲା। ତତ୍‌କାଳୀନ ଡିଜିଙ୍କ ଏ ଦିଗରେ ଆଗ୍ରହ ନ ଥିବାରୁ ପ୍ରସ୍ତାବ ମଧ୍ୟ ସରକାରଙ୍କ ପାଖକୁ ଯାଇନଥିଲା। ଶରତବାବୁ ଦିଲ୍ଲୀରୁ ଥରେ କଟକ ଆସିଲେ। ମୁଁ ଅପରାଧ ନିବାରଣ ବିଭାଗର ଆଇଜି ଥିଲି। କେନ୍ଦ୍ରରେ ଓ ରାଜ୍ୟରେ ଆଇ.ପି.ଏସ୍‌. ସଂଘର ମୁଁ ଜଣେ ସକ୍ରିୟ ସଭ୍ୟ ଥିଲି। ଶରତବାବୁ ମୋ ପାଖକୁ ଆସି ଆଲୋଚନା କଲେ କିପରି ପ୍ରସ୍ତାବ ପଠାଯିବ। ସଂଘ ତରଫରୁ ପ୍ରସ୍ତାବ ପଠାଇ ଡିଜିଙ୍କୁ ଅନୁରୋଧ କରାଯିବ ତା’ର ରୂପାୟନ ପାଇଁ। ଏକ ସଭାରେ ପ୍ରସ୍ତାବ ପାରିତ ହୋଇ ଡିଜି ଓ ସରକାରଙ୍କ ପାଖକୁ ପଠାଗଲା। ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ବିଜୁ ପଟ୍ଟନାୟକ ଓ ତାଙ୍କ ସଚିବ ଥିଲେ ମୋର ବନ୍ଧୁ ପ୍ୟାରୀମୋହନ ମହାପାତ୍ର। ସରକାର ପ୍ରସ୍ତାବ ଅନୁମୋଦନ କଲେ ଓ ୨ଟି ପଦ ସୃଷ୍ଟି ହେଲା। ଶରତ ବାବୁ ଓଡ଼ିଶା ଫେରି ଗୋଇନ୍ଦା ବିଭାଗର ଅତିରିକ୍ତ ଡିଜି ରୂପେ ଯୋଗ ଦେଲେ। ପରେ ପଦୋନ୍ନତି ପାଇ ଡିଜି, ଗୋଇନ୍ଦା ବିଭାଗ ହେଲେ। ପୁଲିସ ଡିଜିରୁ ଅବସର ଗ୍ରହଣ ପରେ ଷ୍ଟାଫ୍‌ ସିଲେକ୍‌ସନ କମିସନର ଅଧ୍ୟକ୍ଷ ରୂପେ ଦାୟିତ୍ବ ନିର୍ବାହ କଲେ ଓ ତା’ପରେ ଭୁବନେଶ୍ବରରେ ତାଙ୍କ ଘରେ ଆସି ରହିଲେ।

ଜଣେ ଗୋଇନ୍ଦା ଓ ପୁଲିସ ଅଫିସର ରୂପେ ଶରତ ବାବୁ ଓଡ଼ିଶା ଓ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ। ତା’ଛଡ଼ା ସେ ଥିଲେ ଜଣେ ବିବିଧବର୍ଣ୍ଣା ବ୍ୟକ୍ତିତ୍ବ। ବିଭିନ୍ନ କ୍ଷେତ୍ରରେ ତାଙ୍କ ଜ୍ଞାନ ଥିଲା ଅଗାଧ ଓ ତା’ ସଙ୍ଗେ ଯାହାକୁ ଇଂରେଜୀରେ କୁହାଯାଏ ‘କମନ ସେନସ୍‌’ ଥିଲା ପ୍ରଚୁର, ଯାହାର ସମ୍ମିଶ୍ରଣ ତାଙ୍କୁ ଏକ ସ୍ବୟଂସମ୍ପୂର୍ଣ୍ଣ ବ୍ୟକ୍ତିତ୍ବର ମର୍ଯ୍ୟାଦା ଦେଉଥିଲା। ସାହିତ୍ୟ, ରାଜନୀତି, ସଂସ୍କୃତି ଓ କଳା, କୂଟନୀତି, ଅର୍ଥନୀତି ଆଦି ବିଭିନ୍ନ କ୍ଷେତ୍ରରେ ସେ ପ୍ରତିଷ୍ଠା ଲାଭ କରିଥିଲେ। ଜଣେ ସାହିତ୍ୟିକ ରୂପେ ସେ ଅନେକ ପୁସ୍ତକ ରଚନା କରିଛନ୍ତି। ଜଣେ ସୁବକ୍ତା ରୂ‌େପ ସେ ତାଙ୍କ ଜ୍ଞାନ ବିତରଣ କରିଛନ୍ତି ଓ ଜଣେ ସମାଜସେବୀ ରୂପେ ନିଜକୁ ବିଭିନ୍ନ ସାମାଜିକ ଯୋଜନାରେ ଅଂଶୀଦାର ‌କରିଛନ୍ତି। ଭାରତୀୟ ପ୍ରଶାସନ ସଂଘ (ଓଡ଼ିଶା ଶାଖା)ର ଅଧ୍ୟକ୍ଷ ରୂପେ ବିଭିନ୍ନ ଗଠନମୂଳକ ପଦକ୍ଷେପ ନେଇଛନ୍ତି। ମୁଁ ଓ ମୋର ସହଧର୍ମିଣୀ ୩ ତାରିଖରେ ଇନ୍ଦୋର ଗଲୁ। ଗଲା ଆଗରୁ ତାଙ୍କ ସଙ୍ଗେ ଏକ ରାତ୍ରିଭୋଜନରେ ଦେଖା ହୋଇଥିଲା। ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ଇନ୍ଦୋରରେ ଶୁଣିଲୁ ସେ ଅସୁସ୍ଥ ହୋଇ କଳିଙ୍ଗ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଆମେ ଫେରିଲୁ ୯ ତାରିଖ ରାତିରେ ଓ ସେ ୧୦ ତାରିଖ ସକ‌େଳ ଇହଧାମ ତ୍ୟାଗ କଲେ। ଏହା ଆମ ପାଇଁ କଳ୍ପନାତୀତ ଥିଲା। ତାଙ୍କ ବି‌େୟାଗରେ ମୁଁ ଜଣେ ବନ୍ଧୁ ଓ ଶୁଭେଚ୍ଛୁଙ୍କୁ ହରାଇଲି ଓ ଓଡ଼ିଶା ହରାଇଲା ଜଣେ କୃତୀ ସନ୍ତାନଙ୍କୁ।
(ଲେଖକ ଓଡ଼ିଶାର ପୂର୍ବତନ ପୁଲିସ ଡି.ଜି.)
abtripathy@yahoo.com

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe