ଚନ୍ଦ୍ର ଭୂଷଣ

ପ୍ରତି ବର୍ଷ ଶୀତ ଋତୁରେ ପ୍ରଦୂଷଣର ବିତର୍କ ଘୋଷାପାଠ ପରି ହୋଇଯାଇଛି। ଆମେ ଏହା ପଛର ଖଳନାୟକମାନଙ୍କୁ ଖୋଜୁ, କାହାକୁ ଦୋଷାରୋପ କରିବା ସେ ନେଇ ତର୍କ କରୁ ଏବଂ ପ୍ରଦୂଷଣ ପଛର ବିଜ୍ଞାନ ଓ ସମାଧାନର ବାଟକୁ ଉପେକ୍ଷା କରୁ। ଏ ବର୍ଷ ମଧ୍ୟ କିଛି ବଦଳି ନାହିଁ, କିନ୍ତୁ ଏସବୁ ହାସ୍ୟାସ୍ପଦ ସ୍ତରକୁ ଚାଲିଯାଇଛି।
ପ୍ରଦୂଷଣ ଋତୁ ଆରମ୍ଭରେ ସୁପ୍ରିମ୍‌ କୋର୍ଟ ‘ସବୁଜ ବାଣ’ ପାଇଁ ଅନୁମତି ଦେଲେ, ତା’ ପରେ ଦିଲ୍ଲୀ ସରକାରଙ୍କ କୃତ୍ରିମ ବର୍ଷା ଉଦ୍ୟମ ବିଫଳ ହେଲା। ଏହା ପରେ ପରେ ସରକାରୀ ତଥ୍ୟ ଆସିଲା ଯେ ପଞ୍ଜାବ ଓ ହରିୟାଣାରେ ନଡ଼ା ପୋଡ଼ିର ମାତ୍ରା ୯୦% ହ୍ରାସ ପାଇଛି। ନଡ଼ା ପୋଡ଼ି ଆଉ ଏକ ସମସ୍ୟା ନୁହେଁ ବୋଲି ରାତାରାତି ଘୋଷଣା କରିଦିଆଗଲା। କିନ୍ତୁ ବୈଜ୍ଞାନିକ ପ୍ରମାଣ ଭିନ୍ନ କାହାଣୀ ବ୍ୟକ୍ତ କରୁଛି।
‘ଇସ୍ରୋ’ର ଏକ ଗବେଷଣାପତ୍ର ଓ ମୋ ସହକର୍ମୀଙ୍କ ସ୍ବାଧୀନ ବିଶ୍ଳେଷଣ ଦର୍ଶାଉଛି ଯେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ନଡ଼ା ପୋଡ଼ି ଜାରି ରହିଥିଲା, ଯାହା ଦିଲ୍ଲୀ-ଏନ୍‌ସିଆର୍‌ର ପ୍ରଦୂଷଣ ପାଇଁ ଅନେକାଂଶରେ ଦାୟୀ। ନଡ଼ା ପୋଡ଼ିର ସଠିକ୍ ନିରୀକ୍ଷଣର ଅଭାବ ହେଉଛି ଅସଲ ସମସ୍ୟା। ନିରୀକ୍ଷଣ କରୁଥିବା ଉପଗ୍ରହଟି ମଧ୍ୟାହ୍ନ ପରେ ପରେ ଭାରତ ଉପର ଦେଇ ଗତି କରିଥାଏ। କୃଷକମାନେ ନଡ଼ା ପୋଡ଼ି ସମୟକୁ ବିଳମ୍ବିତ ଅପରାହ୍‌ଣ ଓ ସନ୍ଧ୍ୟାକୁ ଘୁଞ୍ଚାଇ ଦେଇଥିବାରୁ ଅଧିକାଂଶ ନଡ଼ା ପୋଡ଼ି ଘଟଣା ଠାବ ହୋଇ ନଥାଏ। 
ନିରୀକ୍ଷଣ ବ୍ୟବସ୍ଥାକୁ ଠିକ୍ କରିବା ପରିବର୍ତ୍ତେ ଆମେ କିଛି ସପ୍ତାହ ଧରି ଆରୋପ ପ୍ରତ୍ୟାରୋପର ବିତର୍କରେ ବ୍ୟସ୍ତ ରହିଲୁ। ନଡ଼ା ନ ପୋଡ଼ିବା ପାଇଁ କୃଷକମାନଙ୍କୁ ପ୍ରୋତ୍ସାହନ ପ୍ରଦାନର ଯୋଜନା କାର୍ଯ୍ୟକାରୀ କରାଗଲା ନାହିଁ।  କମିଟି ଗଢ଼ାଯାଇଥିଲା, ରିପୋର୍ଟ ପ୍ରସ୍ତୁତ ହୋଇଥିଲା କିନ୍ତୁ ଆମେ ଏଥର ବି ଉତ୍ତରଦାୟୀ ଅନୁଷ୍ଠାନମାନଙ୍କ ଠାରୁ ବାସ୍ତବିକ ସମାଧାନ ଦାବି କରିବା ଭୁଲିଗଲୁ। 
ଏହା ଏଥିପାଇଁ ଅତ୍ୟନ୍ତ ବିରକ୍ତିକର ଲାଗିଥାଏ ଯେ ଭାରତର ବାୟୁ ପ୍ରଦୂଷଣ ସଂକଟର ମଞ୍ଜ କାରଣ କ’ଣ ଆମେ ଅନ୍ୟୂନ ୨୫ ବର୍ଷା ହେଲା ଭଲଭାବେ ଜାଣିଛୁ। ୧୯୯୯ରେ ପୃଥିବୀର ୨୦୦ରୁ ଅଧିକ ବୈଜ୍ଞାନିକ ‘ଇଣ୍ଡିଆନ ଓସନ ଏକ୍‌ସପେରିମେଣ୍ଟ’ରେ ଅଂଶଗ୍ରହଣ କରିଥିଲେ। ପ୍ରସିଦ୍ଧ ବାୟୁମଣ୍ଡଳ ବୈଜ୍ଞାନିକ ଭି. ରାମନାଥନ ଏହି ଦଳର ପ୍ରତିନିଧିତ୍ବ କରିଥିଲେ। ଏହି ଅଧ୍ୟୟନଟି ଅକ୍‌ଟୋବରରୁ ଫେବ୍ରୁଆରି ମଧ୍ୟରେ ଭାରତୀୟ ଉପମହାଦ୍ବୀପ ଆକାଶରେ ବିଶାଳ ଆକାରର ‘ଏସୀୟ ଧୂସର ମେଘମାଳା’ ଠାବ କରିଥିଲା। 
ସେମାନଙ୍କ ଅଧ୍ୟୟନର ନିଷ୍କର୍ଷ ବେଶ୍‌ ପ୍ରାଞ୍ଜଳ ଥିଲା। ଧୂସର ମେଘମାଳା ସୃଷ୍ଟି ପଛର କାରଣ ଥିଲା ବାସଗୃହ ଓ ଚାଷଜମିରେ ଜୈବିକ ପଦାର୍ଥ ଜାଳିବା ଏବଂ ଶିଳ୍ପ ଓ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରମାନଙ୍କରେ ଜୀବାଶ୍ମ ଇନ୍ଧନ ଦହନ କରିବା। ପ୍ରଦୂଷିତ ବାୟୁ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଯାଇ ବର୍ଷାର ଅବଧି ବଦଳାଇ ଦିଏ, ଶସ୍ୟ ଉତ୍ପାଦନ ହ୍ରାସ କରେ ଏବଂ ବିଭିନ୍ନ ଶ୍ବାସକ୍ରିୟା ଓ ରକ୍ତସଂଚାଳନ ଜନିତ ରୋଗର କାରଣ ହୁଏ।

Advertisment

Family Conflict: କୀଟନାଶକ ପିଇ ଦମ୍ପତି ମୃତ,୫ ବର୍ଷର ଶିଶୁପୁତ୍ର ଗୁରୁତର

୨୦୦୨ରେ ୟୁଏନ୍‌ଇପି ଯେତେବେଳେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ କଲା କେତେଜଣ ପ୍ରମୁଖ ଭାରତୀୟ ବୈଜ୍ଞାନିକ ତାହାର ପରିଭାଷା ଓ ଉଦ୍ଦେଶ୍ୟକୁ ପ୍ରଶ୍ନ କଲେ। ପ୍ରଦୂଷଣଜନିତ ଧୂସର ମେଘଗୁଡ଼ିକୁ ‘ବାୟୁମଣ୍ଡଳୀୟ ଧୂସର ମେଘମାଳା’ କହି ଖଣ୍ଡନ କରିଦିଆଗଲା- ନାମକରଣର ବିବାଦରେ ଏହା ସୀମିତ ରହିଗଲା। ଉକ୍ତ ଅଧ୍ୟୟନର ଚେତାବନୀଗୁଡ଼ିକୁ ସରକାର ପାଖାପାଖି ସଂପୂର୍ଣ୍ଣ ଅବଜ୍ଞା କଲେ। 
ଏହାର ଚଉଠ ଶତାବ୍ଦୀ ପରେ ବାୟୁ ପ୍ରଦୂଷଣ ଏକ ଜାତୀୟ ସଂକଟ ପାଲଟିଛି। ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ପରି ସହର, ଯେଉଁଠି ପୂର୍ବରୁ ଅପେକ୍ଷାକୃତ ସ୍ବଚ୍ଛ ବାୟୁ ଥିଲା, ସେଠାରେ ମଧ୍ୟ ବାୟୁର ମାନ ନିମୟିତ ଭାବେ ଜାତୀୟ ସର୍ବନିମ୍ନ ଗୁଣବତ୍ତାକୁ ଲଂଘନ କରୁଛି। ଏହି ସ୍ଖଳନ ଦୁର୍ଘଟଣାବଶତଃ ହୋଇନାହିଁ। ଏହା ହେଉଛି ଦୁଇ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ଠାବ ହୋଇଥିବା ମୁଖ୍ୟ କାରକଗୁଡ଼ିକୁ ଦୂର କରିବାରେ ବି​ଫଳତାର ସିଧାସଳଖ ଫଳ। 
ଭାରତକୁ ବାସ୍ତବରେ କ’ଣ ପ୍ରଦୂଷିତ କରୁଛି? ପାଞ୍ଚ ବର୍ଷରୁ ଅଧିକ ସମୟ ହେଲା ଭାରତୀୟ ବୈଜ୍ଞାନିକ ଅନୁଷ୍ଠାନମାନେ ଅନେକ ଗବେଷଣାପତ୍ର ପ୍ରକାଶ କରିଛନ୍ତି, ଯେଉଁଗୁଡ଼ିକୁ ନୀତିନିର୍ଦ୍ଧାରକମାନେ ପ୍ରାୟତଃ ଅଣଦେଖା କରିଛନ୍ତି। ଦେଶର ପ୍ରତିଷ୍ଠିତ ଅନୁଷ୍ଠାନମାନଙ୍କ ଗବେଷକମାନଙ୍କ ଦ୍ବାରା ୨୦୨୪ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ ଦିଲ୍ଲୀ ବାୟୁରେ ଉପସ୍ଥିତ ପିଏମ୍‌୧୦ ଓ ପିଏମ୍‌୨.୫ କଣିକାର ୫୦%ରୁ ଅଧିକର ଉତ୍ସ ହେଉଛି ଜୈବିକ ଜାଳେଣି ଓ ଆବର୍ଜନା ଦହନ। ଆଇଆଇଟି-କାନପୁର ୨୦୨୩ରେ କରିଥିବା ଅନ୍ୟ ଏକ ଗବେଷଣା ଦର୍ଶାଇଥିଲା ଯେ ଜୈବିକ ପଦାର୍ଥ ଦହନ(ବିଶେଷ କରି ବାସଗୃହକୁ ଗରମ ରଖିବା ପାଇଁ) ହେଉଛି ଜାନୁଆରି ଓ ଫେବ୍ରୁଆରିରେ ଦିଲ୍ଲୀରେ ଦେଖାଦେଉଥିବା ଘନ ଓ ରାତ୍ରିକାଳୀନ ଧୂଆଁ ମିଶ୍ରିତ କୁହୁଡ଼ି ପଛର ମୁଖ୍ୟ କାରକ। 
ଦେଶର ଅନ୍ୟ ପ୍ରାନ୍ତରେ ମଧ୍ୟ ଅନୁରୂପ ଚିତ୍ର ଦେଖିବାକୁ ମିଳେ। ଏଥିରୁ ମିଳୁଥିବା ସ୍ପଷ୍ଟ ନିଷ୍କର୍ଷ ହେଲା: ଖୋଲାରେ ଜୈବିକ ପଦାର୍ଥର ଦହନ(ରୋଷେଇ ପାଇଁ ବା ଗୃହକୁ ଉତ୍ତପ୍ତ ରଖିବା ପାଇଁ ହେଉ ବା କ୍ଷୁଦ୍ର ଶିଳ୍ପ ଓ ବ୍ୟାବସାୟିକ ପ୍ରତିଷ୍ଠାନରୁ ହେଉ ଅଥବା ନଡ଼ା ପୋଡ଼ି ହେଉ) ହେଉଛି ଭାରତରେ ବାୟୁ ପ୍ରଦୂଷଣର ବୃହତ୍ତମ ଉତ୍ସ। ଜୈବିକ ପଦାର୍ଥ ଦହନକୁ ତୀବ୍ର ବେଗରେ ହ୍ରାସ ନ କଲେ, ଦେଶର ବାୟୁ ସ୍ବଚ୍ଛ ହୋଇପାରିବ ନାହିଁ। 
ପ୍ରଦୂଷଣର ଦ୍ବିତୀୟ ବୃହତ୍ତମ ଉତ୍ସ ହେଉଛି ଶିଳ୍ପ ଓ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ କୋଇଲାର ଦହନ। ୨୦୨୩ରେ ମୋ ସହକର୍ମୀମାନେ କରିଥିବା ଏକ ଅଧ୍ୟୟନର ଆକଳନ ଅନୁସାରେ ଭାରତରେ ହେଉଥିବା ସମୁଦାୟ ପିଏମ୍‌୨.୫ ପ୍ରଦୂଷଣର ୩୭% ଶିଳ୍ପ ଓ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ଆସିଥାଏ। ଯାନବାହନରୁ ନିର୍ଗତ ଧୂଆଁ(ବିଶେଷ କରି ସହରାଞ୍ଚଳରେ) ହେଉଛି ପ୍ରଦୂଷଣର ତୃତୀୟ ବୃହତ୍ତମ ଉତ୍ସ। 
ତେଣୁ ଆମେ କେଉଁ ଇନ୍ଧନକୁ ସବୁଠାରୁ ଅଧିକ ବ୍ୟବହାର କରୁ ତାହା ଭାରତରେ ବାୟୁ ପ୍ରଦୂଷଣ ସଙ୍କଟକୁ ପରିଚାଳିତ  କରିଥାଏ। ପ୍ରତି ବର୍ଷ ଭାରତରେ ୨୦୦ କୋଟି ଟନ୍‌ ଜାଳେଣି ଓ ଆବର୍ଜନା ପୋଡ଼ାଯାଇଥାଏ। ସେଥିରୁ ୮୫% ହେଉଛି କୋଇଲା ଓ ଜୈବିକ ପଦାର୍ଥ। ରାସ୍ତା, ନିର୍ମାଣ ସ୍ଥଳ ଓ ଶୁଖିଲା ଭୂଇଁରୁ ଉଡୁଥିବା ଧୂଳିକୁ ଏହା ସହିତ ଯୋଡ଼ିଦେଲେ ଚିତ୍ରଟି ଅଧିକ ସ୍ପଷ୍ଟ ହୋଇଯାଏ।
ଭାରତର ବାୟୁ ପ୍ରଦୂଷଣ ସଙ୍କଟ ସମାଧାନର କୌଣସି ଗଳାବାଟ ନାହିଁ। ଏଥିପାଇଁ ଆବଶ୍ୟକ ଜୀବାଶ୍ମ ଇନ୍ଧନ ସ୍ଥାନରେ ସ୍ବଚ୍ଛ ଶକ୍ତିକୁ ଅଧିକରୁ ଅଧିକ ଆପଣାଇବା ଏବଂ ସବୁପ୍ରକାର କରଣୀୟ ଉପାୟ ଆପଣାଇବାର ଆଭିମୁଖ୍ୟ ପୋଷଣ କରିବା। 

Donald Trump : ଆମେରିକା ହିଁ ପ୍ରକୃତ ଜାତିସଂଘ : ଟ୍ରମ୍ପ

ସ୍ବଚ୍ଛ ଇନ୍ଧନର ବିକଳ୍ପ ଗ୍ରହଣ କରିବା ଦ୍ବାରା ବାସଗୃହମାନଙ୍କରେ ସବୁଠାରୁ ବଡ଼ ଲାଭ ଦେଖିବାକୁ ମିଳିବ। ରୋଷେଇ ଓ ଉତ୍ତାପ ପାଇଁ ଜାଳେଣି କାଠ ବଦଳରେ ଏଲ୍‌ପିଜି, ବାୟୋଗ୍ୟାସ୍‌ ବା ବିଦ୍ୟୁତ୍‌ ଶକ୍ତି ଉପଯୋଗ କରିବା ଦ୍ବାରା ପିଏମ୍‌୨.୫ କଣିକାର ଏକ ବଡ଼ ଉତ୍ସ ସମାପ୍ତ ହୋଇଯିବ ଏବଂ ଘରୋଇ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ବର୍ଷ ହେଉଥିବା ପ୍ରାୟ ୮,୦୦,୦୦୦ ଅକାଳ ମୃତ୍ୟୁକୁ ଏଡ଼ାଇ ଦିଆଯାଇପାରିବ। ଏହା ଏକ କଠିନ କାର୍ଯ୍ୟ କିନ୍ତୁ ଲକ୍ଷ୍ୟକୈନ୍ଦ୍ରିକ ନୀତି କାର୍ଯ୍ୟକାରୀ କରି ଆମେ ଏହା ହାସଲ କରିପାରିବା। ଉଦାହରଣ ସ୍ବରୂପ ନିମ୍ନ ଆୟ ବର୍ଗର ପରିବାରଙ୍କୁ କାଠ ଜାଳେଣି ସଂପୂର୍ଣ୍ଣ ରୂପେ ତ୍ୟାଗ କରାଇବା ପାଇଁ ପିଏମ୍‌ ଉଜ୍ଜ୍ବଳା ଯୋଜନାକୁ ଅଧିକ ଶକ୍ତିଶାଳୀ କରିବାକୁ ପଡ଼ିବ।
ଏହା ପରେ ଶିଳ୍ପ କ୍ଷେତ୍ର ଉପରେ ଗୁରୁତ୍ବ େଦବାକୁ ପଡ଼ିବ। ବିଦ୍ୟୁତ୍‌ଚାଳିତ ବଏଲର୍‌ ଓ ଫର୍ନେସ୍‌ ପରି ସ୍ବଚ୍ଛ ଇନ୍ଧନ ଓ ପ୍ରଯୁକ୍ତି ବ୍ୟବହାର କରିବା ଲାଗି ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଉତ୍ସାହିତ କରିବା ସହିତ କଠୋର ନିରୀକ୍ଷଣ ଜରିଆରେ ପ୍ରଦୂଷଣ ହ୍ରାସ କରାଯାଇପାରିବ। ବଡ଼ ଶିଳ୍ପ ଓ ଶକ୍ତି ଉତ୍ପାଦନ କେନ୍ଦ୍ରମାନଙ୍କରେ କଡ଼ା ଉତ୍ସର୍ଜନ ମାନଦଣ୍ଡ କାର୍ଯ୍ୟକାରୀ କରିବା ଏକ ବେସାଲିସ ନୀତି ହେବା ଆବଶ୍ୟକ। 
ଅକ୍‌ଟୋବର ଓ ନଭେମ୍ବର ମାସରେ ହେଉଥିବା ଉତ୍କଟ ପ୍ରଦୂଷଣ ସ୍ଥିତିକୁ ଏଡ଼ାଇବା ପାଇଁ ନଡ଼ା ପୋଡ଼ିକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ଅତ୍ୟାବଶ୍ୟକ। ଦେଶରେ ବର୍ଷ ସାରା ଯାନବାହନରୁ ସେତିକି ପରିମାଣର ପିଏମ୍‌୨.୫ କଣିକା ନିର୍ଗତ ହୁଏ, ମାତ୍ର ୪୫ ଦିନର ନଡ଼ା ପୋଡ଼ି କାରଣରୁ ସେତିକି ପରିମାଣର ପ୍ରଦୂଷକ ବାୟୁରେ ମିଶିଥାଏ। ଏହାର ସମାଧାନର ଉପାୟ ଯଥା ପ୍ରଯୁକ୍ତି, ବଜାର ଉପଲବ୍ଧତା, ପ୍ରୋତ୍ସାହନ, ଦଣ୍ଡବିଧାନ ଆଦି ବିଷୟରେ ସମସ୍ତେ ଜାଣନ୍ତି ଏବଂ ଏଗୁଡ଼ିକ ଫଳପ୍ରଦ ମଧ୍ୟ। 
ବ୍ୟକ୍ତିଗତ ଗାଡ଼ିମଟର ଓ ସାର୍ବଜନୀନ ପରିବହନ ବ୍ୟବସ୍ଥାରେ ବିଦ୍ୟୁତ୍‌ ଶକ୍ତିର ଉପଯୋଗକୁ ବ୍ୟାପକ କରିବା ଦ୍ବାରା ସହରୀ ପ୍ରଦୂଷଣକୁ ଲଗାତାର ହ୍ରାସ କରାଯାଇପାରିବ। ତେବେ ଏଥିପାଇଁ ସ୍ଲୋଗାନ୍‌ ନୁହେଁ, ଦୀର୍ଘକାଳୀନ ନୀତି, ଦୃଢ଼ ଆର୍ଥିକ ଅନୁଦାନ, ମହତ୍ତ୍ବାକାଂକ୍ଷୀ ଲକ୍ଷ୍ୟ ନିର୍ଦ୍ଧାରଣ ଆବଶ୍ୟକ। ଶେଷରେ, ବାୟୁ ପ୍ରଦୂଷଣର ସ୍ଥାନୀୟ ଉତ୍ସ(ଧୂଳି, ନିର୍ମାଣ, ଅଳିଆ ପୋଡ଼ି, ଗହଳି)ଗୁଡ଼ିକୁ ସଶକ୍ତ ଓ ଉତ୍ତରଦାୟୀ ପୌରପାଳିକା ଦ୍ବାରା ମୁକାବିଲା କରାଯିବା ଜରୁରି। 
ଉପରୋକ୍ତ ଯୋଜନାମାନଙ୍କରୁ ବାସ୍ତବିକ ଅଗ୍ରଗତି ସେବେ ଯାଇ ଦୃଷ୍ଟିଗୋଚର ହେବେ ଯେବେ ଆମେ ପ୍ରଦୂଷଣ ପଛର ବିଜ୍ଞାନକୁ ସ୍ବୀକାର କରି କଳହ ବନ୍ଦ କରିବା। ତେଣୁ ଆମ ପ୍ରଦୂଷଣ ସଂକଟର ବାସ୍ତବ ପ୍ରଭାବ ଓ ଉତ୍ସକୁ ହୃଦୟଙ୍ଗମ କରିବା ହେଉଛି ଅର୍ଥପୂର୍ଣ୍ଣ କାର୍ଯ୍ୟକ୍ରମ ଦିଗରେ ପ୍ରଥମ ପଦକ୍ଷେପ।
(ମତାମତ ଲେଖକଙ୍କ ନିଜସ୍ବ)
ପରିବେଶବିତ୍‌ ତଥା ‘ଆଇଫରେଷ୍ଟ’ର ସିଇଓ