କ’ଣ କହେ ସୁଇସାଇଡ୍ ନୋଟ୍?

Advertisment

ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟରେ ଆତ୍ମହତ୍ୟାକୁ ଏକ ଭୟଙ୍କର ମହାମାରୀ ସହ ତୁଳନା କରାଯାଇଛି। ସବୁ ବର୍ଗ ଏଥିରେ ପ୍ରଭାବିତ ହେଉଥିବାବେଳେ, ଭାରତୀୟ ଯୁବବର୍ଗ ପାଇଁ ଏହା ଏକ ନିରବ ମହାମାରୀ।

ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟରେ ଆତ୍ମହତ୍ୟାକୁ ଏକ ଭୟଙ୍କର ମହାମାରୀ ସହ ତୁଳନା କରାଯାଇଛି। ସବୁ ବର୍ଗ ଏଥିରେ ପ୍ରଭାବିତ ହେଉଥିବାବେଳେ, ଭାରତୀୟ ଯୁବବର୍ଗ ପାଇଁ ଏହା ଏକ ନିରବ ମହାମାରୀ।

sfsfxxcxc

ଅବଶ ପରିଡ଼ା

ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟରେ ଆତ୍ମହତ୍ୟାକୁ ଏକ ଭୟଙ୍କର ମହାମାରୀ ସହ ତୁଳନା କରାଯାଇଛି। ସବୁ ବର୍ଗ ଏଥିରେ ପ୍ରଭାବିତ ହେଉଥିବାବେଳେ, ଭାରତୀୟ ଯୁବବର୍ଗ ପାଇଁ ଏହା ଏକ ନିରବ ମହାମାରୀ। ଆତ୍ମହତ୍ୟା ଓ ଆତ୍ମହତ୍ୟା ପ୍ରବୃତ୍ତି ଉପରେ ନିରନ୍ତର ଅଧ୍ୟୟନ ସତ୍ତ୍ବେ ସୁଇସାଇଡ୍ ନୋଟ୍ ଉପରେ ସାମାଜିକ ବିଜ୍ଞାନରେ କମ୍ ଗବେଷଣା ହୋଇଛି।
ସମାଜଶାସ୍ତ୍ରରେ ‘ସୁଇସାଇଡ୍ ନୋଟ୍‌’ ବା ‘ଆତ୍ମହତ୍ୟା ଚିଠି’କୁ ଏକ ଗୁରୁତ୍ୱପୂର୍ଣ୍ଣ ସଂଶ୍ଳେଷଣ ଭାବରେ ବିବେଚନା କରାଯାଏ। ଏହି ଚିଠିଗୁଡ଼ିକ କେବଳ ବ୍ୟକ୍ତିଗତ ଦୁଃଖର ଭାଷାଗତ ପ୍ରତିଫଳନ ନୁହେଁ, ବରଂ ଆତ୍ମ-ଧ୍ୱଂସକାରୀ ଆଚରଣକୁ ପ୍ରଭାବିତ କରୁଥିବା ବ୍ୟାପକ ସାମାଜିକ, ସାଂସ୍କୃତିକ ଓ ଗଠନମୂଳକ କାରକର ଭାବପ୍ରବଣ ଉପସ୍ଥାପନା। ଚୁମ୍ବକରେ କହିବାକୁ ଗଲେ ଆତ୍ମହତ୍ୟାକୁ ସାମାଜିକ ସମ୍ପର୍କ, ମାନଦଣ୍ଡ ଓ ସାମୂହିକ ଚେତନାରେ ନିହିତ ଏକ ଘଟଣା ଭାବରେ ଦେଖୁଥିବା ବ୍ୟକ୍ତିଗତ ସାକ୍ଷ୍ୟ ହେଉଛି ସୁଇସାଇଡ୍ ନୋଟ୍। 
ସମାଜଶାସ୍ତ୍ରୀଙ୍କ ମତରେ ସୁଇସାଇଡ୍ ନୋଟ୍ କେବଳ ବ୍ୟକ୍ତିଗତ ଅଭିବ୍ୟକ୍ତି ନୁହେଁ; ଏହା ଏକ ସାମାଜିକ ଦଲିଲ। ସାମାଜିକ ବ୍ୟବସ୍ଥା ଓ ପରିସ୍ଥିତିରେ ବ୍ୟକ୍ତିବିଶେଷର ସମ୍ପୃକ୍ତି କିମ୍ବା ବିଚ୍ଛିନ୍ନତାର ଭାବନା ଓ ମାନସିକ ଅବସ୍ଥା ଉପରେ ଏହା ଏକ ଅନୁଶୀଳନ। ଏହା ବ୍ୟତୀତ ସାମାଜିକ ସମନ୍ୱୟ କିମ୍ବା ନିୟନ୍ତ୍ରଣର ପ୍ରଭାବକୁ ମଧ୍ୟ ସୁଇସାଇଡ୍ ନୋଟ୍ ଆଲୋକପାତ କରେ। 
ଅଧ୍ୟୟନରୁ ଜଣାପଡ଼ିଛି ଯେ ଆତ୍ମହତ୍ୟା ଚିଠି ହେଉଛି ମାନବ ଭାବନାରେ ପରିପୂର୍ଣ୍ଣ। ପ୍ରାୟତଃ କ୍ଷମା ପ୍ରାର୍ଥନା, ଲଜ୍ଜା, ଦୋଷ, ଘନିଷ୍ଠ ଲୋକଙ୍କ ପାଇଁ କିଛି ଆବେଗିକ ବାର୍ତ୍ତା ସହିତ ପ୍ରେମ ଓ ପ୍ରାୟଶ୍ଚିତ୍ତର ସନ୍ଦେଶ ଏଥିରେ ଥାଏ। ଅସମାହିତ ସମସ୍ୟାର ଦୁଃଖ, ଅନ୍ୟ କାହାକୁ ଦାୟିତ୍ୱ ଦେବାର ଅନୁରୋଧ କିମ୍ବା କ୍ଷମା ମାଗିବାର ଏକ ପ୍ରୟାସ ଭଳି ଉପାଦାନ ମଧ୍ୟ ଏଠାରେ ଦେଖାଯାଇପାରେ।
ବୟସ, ଲିଙ୍ଗ, ବୈବାହିକ ସ୍ଥିତି ଓ ସାଂସ୍କୃତିକ ପୃଷ୍ଠଭୂମି ଅନୁଯାୟୀ ସୁଇସାଇଡ୍ ନୋଟ୍‌ର ବିଷୟବସ୍ତୁ, ଲେଖିବାର ଶୈଳୀ ଓ ସ୍ୱର ଭିନ୍ନ ହୋଇଥାଏ ବୋଲି ବିଶାରଦମାନେ ମତ ରଖନ୍ତି। ଏହା ବ୍ୟତୀତ ବ୍ୟକ୍ତିର ସାମାଜିକ ଭୂମିକା ଓ ପରିଚୟ ସହିତ ଚିଠିର ଲେଖିବା ଶୈଳୀ ସିଧାସଳଖ ସମ୍ପର୍କିତ।
ସମାଜବିଜ୍ଞାନର ଏକ ଗବେଷଣାରୁ ଜଣାପଡ଼ିଛି ଯେ ଆତ୍ମହତ୍ୟା ଚିଠି ଆମ ସାମାଜିକ ଢାଞ୍ଚାକୁ ପ୍ରତିଫଳିତ କରେ। ଉଦାହରଣ ସ୍ୱରୂପ, ମାନସିକ ରୋଗ ଓ ଆତ୍ମହତ୍ୟା ପ୍ରବୃତ୍ତି ନଥିବା ବ୍ୟକ୍ତିଙ୍କ ମଧ୍ୟରେ ଯୁବତୀ, ବିଧବା ନ ହୋଇଥିବା ବ୍ୟକ୍ତି ଓ ଧାର୍ମିକ ବିଶ୍ୱାସ ଥିବା ଲୋକମାନେ ସୁଇସାଇଡ୍ ନୋଟ୍ ଛାଡ଼ିବାର ସମ୍ଭାବନା ଅଧିକ। ସେହିପରି ଆତ୍ମହତ୍ୟା ଚିଠିର ବିଷୟବସ୍ତୁ ଓ ଶୈଳୀ ବୟସ ଅନୁସାରେ ଭିନ୍ନ ହୋଇଥାଏ। ଯୁବବର୍ଗ କ୍ଷମା ପ୍ରାର୍ଥନା କରି ଲମ୍ବା ଓ ଅଧିକ ଭାବପ୍ରବଣ ନୋଟ୍ ଲେଖୁଥିବାବେଳେ ବୟସ୍କ ବ୍ୟକ୍ତିମାନେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ସହିତ ଛୋଟ ଓ କମ୍ ଭାବପ୍ରବଣ ନୋଟ୍ ଲେଖନ୍ତି। ସେହିପରି ଅନେକ ସୁଇସାଇଡ୍ ନୋଟ୍‌ରେ ମୃତ୍ୟୁ ସମୟରେ ମନରେ ଚାଲୁଥିବା ସାମାଜିକ ବନ୍ଧନ ଓ ଦାୟିତ୍ୱ ମଧ୍ୟ ପ୍ରତିଫଳିତ ହୁଏ। 
ଆତ୍ମହତ୍ୟା ଚିଠିର ଭୂମିକା ଉଭୟ ବ୍ୟାଖ୍ୟାମୂଳକ ଓ ସମ୍ଭାବ୍ୟ ଚିକିତ୍ସାମୂଳକ। ଏକ ପକ୍ଷରେ ଏହା ସମ୍ପର୍କୀୟମାନଙ୍କୁ ଆତ୍ମହତ୍ୟାର କାରଣ ବୁଝିବାରେ ସାହାଯ୍ୟ କରୁଥିବାବେଳେ ଅନ୍ୟ ପଟେ ଏହା ଆତ୍ମହତ୍ୟା ନିବାରଣ ପ୍ରୟାସ ପାଇଁ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ମଧ୍ୟ ପ୍ରଦାନ କରେ। ଅବଶ୍ୟ, ସମସ୍ତ ଆତ୍ମହତ୍ୟା ମାମଲାରେ ସୁଇସାଇଡ୍ ନୋଟ୍ ମିଳେ ନାହିଁ କିମ୍ବା ସମସ୍ତ ସୁଇସାଇଡ୍ ନୋଟ୍‌ରେ ପ୍ରାସଙ୍ଗିକ ସୂଚନା ମଧ୍ୟ ନଥାଏ। ଲଣ୍ଡନରେ ସୁଇସାଇଡ୍ ନୋଟ୍‌କୁ ନେଇ ହୋଇଥିବା ଏକ ଗବେଷଣାରେ ଉଲ୍ଲେଖ ଥିଲା ଯେ ସର୍ବେକ୍ଷଣରେ ଅନ୍ତର୍ଭୁକ୍ତ ସମସ୍ତ ଆତ୍ମହତ୍ୟା କିମ୍ବା ଆତ୍ମହତ୍ୟା ଉଦ୍ୟମ ମାମଲାରେ କେବଳ ୧୫ ପ୍ରତିଶତ ଲୋକ ହିଁ ଆତ୍ମହତ୍ୟା ନୋଟ୍ ଛାଡ଼ିଥିଲେ। ତେଣୁ ସବୁ ମାମଲାର ବ୍ୟକ୍ତିଗତ କାରଣ ବିଷୟରେ ସୂଚନା ମିଳିବାର ସମ୍ଭାବନା ଖୁବ୍‌ କମ୍‌ ଥିଲା। ଏହା ବ୍ୟତୀତ ମିଳିଥିବା ସମସ୍ତ ନୋଟଗୁଡ଼ିକରେ ସେମିତି କିଛି ଉପଯୋଗୀ ସୂଚନା ମଧ୍ୟ ନଥିଲା ଯାହା ଆତ୍ମହତ୍ୟା ନିବାରଣ ରଣନୀତି ପାଇଁ ସାହାଯ୍ୟ କରିପାରିଥାନ୍ତା। 
ମାନସିକ ରୋଗ ବିଶେଷଜ୍ଞଙ୍କ ମତ କିନ୍ତୁ ସମାଜବିଜ୍ଞାନୀଙ୍କ ଠାରୁ ଅଲଗା। ଆତ୍ମହତ୍ୟା ଚିଠିରେ ସାମାଜିକ ବ୍ୟବସ୍ଥା ଅପେକ୍ଷା ବ୍ୟକ୍ତିର ମାନସିକ ଢାଞ୍ଚା ଅଧିକ ପ୍ରକାଶିତ ହୁଏ ବୋଲି ସେମାନେ ମତ ରଖନ୍ତି। ଆତ୍ମହତ୍ୟା ଚିଠିଗୁଡ଼ିକୁ ବ୍ୟାଖ୍ୟା କରିବାର କିଛି ପାରମ୍ପରିକ ପଦ୍ଧତି ଅଛି ଯଥା ବହୁ-ଦୃଷ୍ଟିକୋଣବାଦୀ, ଉଦ୍ଦେଶ୍ୟବାଦୀ ଓ ମନୋବିଶ୍ଳେଷଣାତ୍ମକ। ଆତ୍ମହତ୍ୟା ଚିଠିରେ ଥିବା ସବୁଠାରୁ ସାଧାରଣ ବିଷୟବସ୍ତୁଗୁଡ଼ିକ ହେଉଛି ଜୀବନ ସହିତ ମୁକାବିଲା କରିବାରେ କଷ୍ଟ ଓ ସନ୍ତୁଳନ ରଖିବାରେ ଅସାମର୍ଥ୍ୟ। ଅନ୍ୟଗୁଡ଼ିକ ହେଉଛି ପ୍ରତ୍ୟାଖ୍ୟାନ, କ୍ରୋଧ, ଅତ୍ୟଧିକ ଭାବପ୍ରବଣ ଯନ୍ତ୍ରଣା ଓ ଅହଂକାର। 
ଭାରତରେ ହୋଇଥିବା କିଛି ଗବେଷଣାରେ ପ୍ରକାଶ ହୋଇଛି ଯେ ସୁଇସାଇଡ୍ ନୋଟ୍‌ମାନଙ୍କରେ ମାନସିକ ପାର୍ଥକ୍ୟ ଥିବା ସତ୍ତ୍ବେ ଅଧିକ ସମାନତା ଥାଏ। ପରିବାର ଓ ସମ୍ପ୍ରଦାୟର ସଦସ୍ୟଙ୍କ ସାହାଯ୍ୟ ନେଇ ଆତ୍ମହତ୍ୟାକୁ ରୋକିବା ଏବଂ ସାମାଜିକ- ଜନସଂଖ୍ୟାଗତ ପ୍ରକୃତିକୁ ବୁଝିବା ଥିଲା ଏହି ଅଧ୍ୟୟନର ଲକ୍ଷ୍ୟ।
ଭାରତର ମହିଳାମାନଙ୍କ ଦ୍ୱାରା ଲିଖିତ ସୁଇସାଇଡ୍ ନୋଟ୍‌କୁ ଅନ୍ବେଷଣ କରି ଲେଖିକା ଓ ଆନ୍ଥ୍ରୋପୋଲୋଜିଷ୍ଟ୍ ଡାନିଏଲା ବର୍ଟି କିଛି ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ଡାନିଏଲାଙ୍କ ମତରେ ସୁଇସାଇଡ୍ ନୋଟ୍ ତିନିଟି ମୁଖ୍ୟ ଭାଗରେ ବିଭକ୍ତ। ପ୍ରଥମଟି ହେଉଛି ମୃତ ବ୍ୟକ୍ତିଙ୍କ ଶେଷ ଚିନ୍ତାଧାରା। ବ୍ୟକ୍ତିଙ୍କ ପ୍ରତି ସାଥୀ ଓ ସମାଜର ଆଭିମୁଖ୍ୟ ହେଉଛି ଦ୍ବିତୀୟ ଉପାଦାନ। ତୃତୀୟଟି ହେଉଛି କୋର୍ଟରେ ନିଷ୍ପତ୍ତି ନେବା ପାଇଁ ବିଚାରପତିମାନଙ୍କ ଚିନ୍ତାଧାରା। ବିସ୍ତୃତ ଭାବରେ ବିଶ୍ଳେଷଣ କରି ସେ ଦେଖିଥିଲେ ଯେ ଆତ୍ମହତ୍ୟା ଚିଠି ସହିତ ଜଡ଼ିତ ସମସ୍ତ ଆଲୋଚନା ଶେଷରେ ଆଇନଗତ କ୍ଷେତ୍ରରେ ଏବଂ ଏହା ଅସଲି ନା ନକଲି ତା’ ଉପରେ ହିଁ ଶେଷ ହୁଏ। ଏଠି କହିରଖିବା ଉଚିତ ଯେ ପୂର୍ବର ଅଧିକାଂଶ ଅଧ୍ୟୟନରେ ଆତ୍ମହତ୍ୟା ଚିଠିକୁ ମନସ୍ତାତ୍ତ୍ୱିକ କିମ୍ବା ଭାଷାଗତ ଦୃଷ୍ଟିକୋଣରୁ ଆଲୋଚନା କରାଯାଉଥିଲା। କିନ୍ତୁ ପରବର୍ତ୍ତୀ କାଳର ନୂତନ ଅଧ୍ୟୟନରେ ଏହି ନୋଟଗୁଡ଼ିକର ଏକ ଭିନ୍ନ ଦିଗ ଆଗକୁ ଆସିଲା ଏବଂ ଏହାକୁ ସାମାଜିକ ପାଠ୍ୟ ଭାବରେ ବିବେଚନା କରାଯିବା ଉଚିତ ବୋଲି ଦାବି ମଧ୍ୟ କରାଗଲା।
ସୁଇସାଇଡ୍ ନୋଟ୍‌ଗୁଡ଼ିକର ଏକ ଶକ୍ତିଶାଳୀ ସାମାଜିକ ଦିଗ ଅଛି। ଅନେକ କ୍ଷେତ୍ରରେ ବ୍ୟକ୍ତିବିଶେଷ ଆତ୍ମହତ୍ୟା ପାଇଁ କ୍ୱଚିତ୍ ଅନ୍ୟମାନଙ୍କୁ ଦୋଷ ଦିଅନ୍ତି। ଅନ୍ୟ କିଛି କ୍ଷେତ୍ରରେ ଆତ୍ମହତ୍ୟାକୁ ଘେରି ରହିଥିବା ଜଟିଳ ସାମାଜିକ ଓ ବ୍ୟକ୍ତିଗତ ଗତିବିଧିକୁ ପ୍ରକାଶ କରିବା ସହ ମୃତକ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ସୁଇସାଇଡ୍ ନୋଟ୍‌ର ବ୍ୟବହାର ମଧ୍ୟ କରନ୍ତି। 
ଆତ୍ମହତ୍ୟା ହେଉଛି ସାମାଜିକ ସମ୍ପର୍କ ଓ ସାମାଜିକ ଗଠନ ନେଇ ଏକ ବ୍ୟକ୍ତିଗତ ଦୃଷ୍ଟିକୋଣ। ତେଣୁ ବ୍ୟକ୍ତିଗତ ସ୍ତରର ଓ ସାମୂହିକ ସ୍ତରର ଅଧ୍ୟୟନ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ସମାଜଶାସ୍ତ୍ରରେ ସୁଇସାଇଡ୍ ନୋଟ୍‌କୁ ନେଇ ଆହୁରି ଗଭୀର ଗବେଷଣା ହେବା ଜରୁରି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୮୪୫୬୮୭୯୫୨୨

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe