Freepik
ଆମ ନ୍ୟାୟ ବ୍ୟବସ୍ଥା ଯେଉଁ ମୂଳ ଦର୍ଶନ ଉପରେ ଅଧିଷ୍ଠିତ ତାହା ହେଲା ‘ଶହେ ଅପରାଧୀ ବରଂ ଛାଡ଼ ପାଆନ୍ତୁ, ଜଣେ ନିରପରାଧ ଦଣ୍ତ ନ ପାଉ।’ ଅନେକ ସମୟରେ ମନେ ହୁଏ ଯେ ଏହି ମୂଳ ତତ୍ତ୍ବ ଅନେକ ଅପରାଧୀଙ୍କୁ ମୁକ୍ତି ଦେବାରେ ସହାୟକ ହୋଇଛି। କେବଳ ସେତିକି ନୁହେଁ ଏହା ଦ୍ବାରା ଅଦାଲତରେ ବିଚାର ପ୍ରକ୍ରିୟା ଅତ୍ୟନ୍ତ ଦୀର୍ଘ ହେବା ସହିତ କେବଳ ‘ତାରିଖ ପରେ ତାରିଖ’ ମିଳିବାରେ ଲାଗିଛି। ଏମିତି ତ ଭାରତୀୟ ପିଙ୍ଗଳ ସ˚ହିତା (ଆଇପିସି) ହେଉଛି ୧୮୬୦ ମସିହାର। ସେଥିରେ ରହିଛି ୨୬ଟି ଅଧୢାୟ ଓ ୫୧୧ଟି ଧାରା। ପୁଣି ପ୍ରତ୍ୟେକ ଧାରାର ଏକାଧିକ ପ୍ରକାର ବ୍ୟାଖ୍ୟା କରାଯାଇପାରିବ; ସୁତରାଂ, ସେଗୁଡ଼ିକ ନିର୍ଦ୍ଦିଷ୍ଟ ବା ସ୍ପଷ୍ଟ ନୁହନ୍ତି। କେବଳ ସେତିକି ନୁହେଁ, ଦେଢ଼ ଶହ ବର୍ଷ ପୂର୍ବର ଏହି ଦଣ୍ଡ ବିଧି ବର୍ତ୍ତମାନ ସମୟୋପଯୋଗୀ ହୋଇ ରହିନାହିଁ। ଏକ ବିଦେଶୀ ଶାସକ ତାର ଶାସିତମାନଙ୍କୁ ଜବତ କରିବା ଲାଗି ଯେଉଁ ଦଣ୍ଡ ବିଧିର ପ୍ରଚଳନ କରିଥିଲା, ତାହା ସ୍ବାଧୀନତୋତ୍ତର ଭାରତରେ ପ୍ରଚଳିତ ହୋଇ ରହିବା ଏକ ବିସ୍ମୟକର ବିଡ଼ମ୍ବନା।
ବର୍ତ୍ତମାନର ଆଇନ ବ୍ୟବସ୍ଥାର ସବୁଠାରୁ ଦୁଃଖଦାୟକ ଦିଗ ହେଲା ଏହାର ନିଷ୍ପାଦନ ପ୍ରକ୍ରିୟାରେ ମାତ୍ରାଧିକ ମନ୍ଥରତା ଓ ରାୟ ପ୍ରଦାନରେ ତଜ୍ଜନିତ ବିଳମ୍ବ। ଏହାର କାରଣ ଅନେକ। ଅଦାଲତ ଏବଂ ବିଚାରପତିଙ୍କ ସଂଖ୍ୟା ତୁଳନାରେ ମାମଲାର ସଂଖ୍ୟା ବହୁତ ଅଧିକ। ଗଲା ଏପ୍ରିଲ ମାସରେ ଏ ସଂଦର୍ଭରେ ବକ୍ତବ୍ୟ ଦେଇ ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଏନ୍. ଭି. ରମଣା ଦୁଃଖ ପ୍ରକାଶ କରିଥିଲେ ଯେ ଭାରତରେ ପ୍ରତି ୧୦ ଲକ୍ଷ ଲୋକଙ୍କ ଲାଗି ମାତ୍ର ୨୦ ଜଣ ବିଚାରପତି ରହିବା ହତାଶାଜନକ। ବର୍ତ୍ତମାନ ଆମ ଦେଶରେ ଉପର ଓ ତଳ କୋର୍ଟଗୁଡ଼ିକରେ ଯେତିକି ସଂଖ୍ୟକ ମାମଲା ବିଚାର ପାଇଁ ପଡ଼ି ରହିଛି, ସେ ସବୁର ଫଇସଲା ହେବା ଲାଗି ବର୍ତ୍ତମାନର ହାରରେ ୪୦୦ ବର୍ଷରୁ ଅଧିକ ସମୟ ଲାଗିବ ବୋଲି କୁହାଯାଉଛି। ଏଥିରୁ ପରିସ୍ଥିତିର ଗମ୍ଭୀରତା ନେଇ ଅନୁମାନ କରାଯାଇପାରେ।
କାଳେ ଉଚିତ ନ୍ୟାୟ ମିଳିବ ନାହିଁ, ସେହି କାରଣରୁ ଅଭିଯୁକ୍ତକୁ ତାର ପକ୍ଷ ରଖିବା ଲାଗି ଯଥେଷ୍ଟ ସମୟ ପ୍ରଦାନର ବ୍ୟବସ୍ଥା ରହିଛି। କିନ୍ତୁ ତାର ସୁଯୋଗ ନେଇ ଅନେକ ମାମଲାରେ ଦିନ ପରେ ଦିନ ଗଡ଼ାଇ ଜାଣିଶୁଣି ପ୍ରକ୍ରିୟାକୁ ଅଯଥାରେ ବିଳମ୍ବିତ ମଧ୍ୟ କରାଯାଇଥାଏ। ଆମ ଅଦାଲତଗୁଡ଼ିକରେ ଏଭଳି ମାମଲା ରହିଛି, ଯାହା ୧୯୫୦ ବା ୧୯୬୦ ମସିହାର ଏବଂ ଅନେକ ମାମଲାରେ ଅଭିଯୋଗକାରୀଙ୍କ ନାତି ବା ନାତୁଣୀମାନେ କେସ୍ ଲଢୁଛନ୍ତି।
ଏହି ପରିପ୍ରେକ୍ଷୀରେ ଆଉ ଏକ ସମସ୍ୟା ହେଲା ନ୍ୟାୟାଳୟଗୁଡ଼ିକ ପାଉଥିବା ଛୁଟି ବା ଅବକାଶ। ଗୋଟିଏ ବର୍ଷରେ ସୁପ୍ରିମ୍ କୋର୍ଟ ପ୍ରାୟ ୧୭୬ରୁ ୧୯୦ ଦିନ କାର୍ଯ୍ୟ କରିଥାଏ। ହାଇକୋର୍ଟଗୁଡ଼ିକ ବର୍ଷକୁ ପ୍ରାୟ ୨୧୦ ଦିନ ଓ ଟ୍ରାଏଲ୍ କୋର୍ଟମାନ ୨୪୫ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତି। ନ୍ୟାୟାଳୟଗୁଡ଼ିକ ଲାଗି ବର୍ଷକୁ ୧୦୪ ଦିନ ଶନିବାର ଓ ରବିବାର ଛୁଟି, ଦେଢ଼ ମାସ ଗ୍ରୀଷ୍ମ ଛୁଟି ଓ ୧୫ ଦିନ ଶୀତ ଅବକାଶର ବ୍ୟବସ୍ଥା ରହିଛି। ସୁତରାଂ, ନ୍ୟାୟାଳୟଗୁଡ଼ିକର ଛୁଟି ସଂଖ୍ୟା ହ୍ରାସ କରାଗଲେ ଯେ ବିଚାର ପ୍ରକ୍ରିୟା ଦ୍ରୁତ ହେବା ସହିତ ଲୋକଙ୍କୁ ନ୍ୟାୟ ମିଳିପାରିବ, ଏଥିରେ ସନ୍ଦେହ ନାହିଁ।
ବିଚାରାଳୟ ଉପରୁ ମାମଲାର ବୋଝ ହ୍ରାସ କରିବା ଲାଗି ଅନେକ ପ୍ରସ୍ତାବ, ସୁପାରିସ ଏବଂ ପରାମର୍ଶମାନ ଦିଆଯାଉଛି। ବିଚାର ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ଅନେକ କମିଟି ମଧ୍ୟ ଗଠନ କରାଯାଇଛି। ଦ୍ରୁତ ବିଚାର ପ୍ରକ୍ରିୟାକୁ ସମ୍ଭବ କରିବା ଲାଗି ଯେଉଁ ପ୍ରସ୍ତାବମାନ ଆସିଥାଏ, ତହିଁରୁ ଗୋଟିଏ ହେଲା ଯଥା ସମ୍ଭବ ହାଲୁକା ଏବଂ ସାଧାରଣ ମାମଲାଗୁଡ଼ିକୁ ଅଦାଲତ ବାହାରେ ଆପୋସ ମିଳାମିଶା ଜରିଆରେ ସମାଧାନ କରିବା। ସେହିଭଳି ଜନ ସ୍ବାର୍ଥ ମାମଲା ଆଳରେ ଅଜସ୍ର ଅନାବଶ୍ୟକ କେସ୍ ଦାୟର କରାଯାଉଥାଏ। ଏହି ଧାରାକୁ ମଧ୍ୟ ନିରୁତ୍ସାହିତ କରାଯିବା ଉଚିତ। ପ୍ରକାଶ ଥାଉ କି ଏଭଳି ଆଗ୍ରହାତିଶଯ୍ୟ ବିରୋଧରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ମଧ୍ୟ ଅନେକ ବାର ତାଙ୍କର ଅସନ୍ତୋଷ ବ୍ୟକ୍ତ କରି ସାରିଛନ୍ତି।
ଗୋଟିଏ ପଟେ ଆମ ଆଇନ ବ୍ୟବସ୍ଥା ନିର୍ଦ୍ଦୋଷକୁ କସ୍ମିନ କାଳେ ଦଣ୍ଡିତ କରିବାକୁ ଚାହି ନ ଥାଏ, ଏଣେ ଅନ୍ୟ ପଟେ ଅତି ଛୋଟ ମାମଲା ଲାଗି ଅଭିଯୁକ୍ତମାନେ ବର୍ଷ ବର୍ଷ ଧରି ବିଚାରାଧୀନ କଏଦୀ ଭାବେ ଜେଲ ଭିତରେ ଶଢ଼ନ୍ତି, ଯେଉଁମାନଙ୍କ ମଧ୍ୟରୁ ଅନେକ ଦୋଷ କରି ନ ଥିବା କଥା ମଧ୍ୟ ପରେ ଜଣାପଡ଼େ। ଏହା ଦୁର୍ଭାଗ୍ୟଜନକ ନୁହେଁ କି? ଏଭଳି କଏଦୀମାନଙ୍କୁ ଛାଡ଼ିଦେବା ସହିତ ସେମାନଙ୍କ ମାମଲାକୁ ବନ୍ଦ କରିବା ଲାଗି ଏବେ ଉଦ୍ୟମ କରାଯାଇଛି, ଯାହା ସ୍ବାଗତଯୋଗ୍ୟ। ଗଲା ମେ ମାସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ଗୁରୁତ୍ବ ଦେଇ କହିଥିଲେ ଯେ ଏଭଳି ଏକ ପଦ୍ଧତି ବାହାରୁ ଯେମିତି ଅନ୍ତତଃ ୩.୫ ଲକ୍ଷ ଏଭଳି କଏଦୀ ମୁକ୍ତ ହୋଇପାରିବେ ଏବଂ ସେମାନଙ୍କ ମାମଲା ଦଫାରଫା ହୋଇପାରିବ। କେବଳ ସେତିକି ନୁହେଁ, ବର୍ତ୍ତମାନର ସରକାର ଅନେକ ଅନାବଶ୍ୟକ ଆଇନକୁ ମଧ୍ୟ ହଟାଇ ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଭଳି କିଛି ପ୍ରୟାସ ଦ୍ବାରା ଅଦାଲତ ଉପରେ ମାମଲାର ବୋଝ କମି ପାରିବ। ଆମ ନ୍ୟାୟ ବ୍ୟବସ୍ଥାର ମୂଳରେ ଥିବା ଦର୍ଶନଟି ଅତ୍ୟନ୍ତ ମହାନ। କିନ୍ତୁ ଏହାକୁ ରୂପାୟନ କଲା ବେଳେ ଯେଉଁ ବାସ୍ତବ ସମସ୍ୟାମାନ ଉପୁଜୁଛି, ତାହା ନ୍ୟାୟ ପ୍ରଦାନକୁ ବିଳମ୍ବିତ କରିବା ସହିତ ବିଡ଼ମ୍ବିତ ମଧ୍ୟ କରୁଛି।
ମୋ-୯୪୩୭୭୪୨୪୯୯
Follow Us