ୟୁନୁସଙ୍କ ମାନଚିତ୍ର

ଏକ ବିଡ଼ମ୍ବନା ହେଲା ଯେ ମହମ୍ମଦ ୟୁନୁସଙ୍କ ଭଳି ପ୍ରବୀଣ ଅର୍ଥନୀତିଜ୍ଞ ଏକ ଅନ୍ଧ ତୁଲ୍ୟ ଆଚରଣ ଦେଖାଇ ପାକିସ୍ତାନ ଓ ଚୀନକୁ ଅବଲମ୍ବନ କରିଛନ୍ତି; ଯହିଁରୁ ଗୋଟିଏ ଭାରତ ବିରୋଧୀ ଆତଙ୍କବାଦରେ ମଗ୍ନ ରହି ଏବେ ପ୍ରାୟ ସର୍ବସ୍ବାନ୍ତ ଏବଂ ଆରଟି ହୃଦୟହୀନ ଲାଭଖୋର....

samp1

ଏକ ବିଡ଼ମ୍ବନା ହେଲା ଯେ ମହମ୍ମଦ ୟୁନୁସଙ୍କ ଭଳି ପ୍ରବୀଣ ଅର୍ଥନୀତିଜ୍ଞ ଏକ ଅନ୍ଧ ତୁଲ୍ୟ ଆଚରଣ ଦେଖାଇ ପାକିସ୍ତାନ ଓ ଚୀନକୁ ଅବଲମ୍ବନ କରିଛନ୍ତି; ଯହିଁରୁ ଗୋଟିଏ ଭାରତ ବିରୋଧୀ ଆତଙ୍କବାଦରେ ମଗ୍ନ ରହି ଏବେ ପ୍ରାୟ ସର୍ବସ୍ବାନ୍ତ ଏବଂ ଆରଟି ହୃଦୟହୀନ ଲାଭଖୋର ମହାଜନ ଭଳି ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ସୁଧ ଓ ମୂଳ ଶୋଷଣ କରିଥାଏ। କିନ୍ତୁ କଥାରେ କହନ୍ତି ବାଡ଼ି ନ ହଜାଇଲା ପର୍ଯ୍ୟନ୍ତ ଦୃଷ୍ଟିହୀନର ଚେତା ପଶି ନ ଥାଏ।

ଗଲା କିଛି ଦିନ ଧରି ବାଂଲାଦେଶରେ ଘଟି ଚାଲିଥିବା ଘଟଣାମାନ ସେ ଦେଶରେ କ୍ଷମତାସୀନ ସରକାରର ଭାରତ ବିରୋଧୀ ମନୋଭାବକୁ ଯେ କେବଳ ଅଧିକ ସ୍ପଷ୍ଟ କରିଥାଏ, ତାହା ନୁହେଁ, ଭାରତ ସକାଶେ ଏକ ବିରକ୍ତିକର ପରିସ୍ଥିତି ସୃଷ୍ଟି କରିବାରେ ପ୍ରବୃତ୍ତ ଭଳି ମଧ୍ୟ ମନେ ହୋଇଥାଏ; ଯେମିତି ଏକ ସମାସ୍କନ୍ଧ ମୁକାବିଲାର ସାମାନ୍ୟତମ ସୁଯୋଗ ନ ଦେଖି ଭ୍ରମରଟିଏ ହାତୀର କାନ ପାଖରେ ଗୁଂଜନ ସୃଷ୍ଟି କରିଥାଏ। ଉପର ବର୍ଣ୍ଣିତ ଏହି ସବୁ ଘଟଣାଗୁଡ଼ିକ ହେଲା ଜାକୀର ନାଏକକୁ ସେଠାରେ ଭବ୍ୟ ସଂବର୍ଧନା ପ୍ରଦାନ, ଯାହାର ଭାରତ ପ୍ରବେଶକୁ ସାଂପ୍ରଦାୟିକ ଘୃଣା ସୃଷ୍ଟି କରୁଥିବା କାରଣରୁ ନିଷେଧ କରାଯାଇଛି ବା‌ ବାଂଲାଦେଶ ଗସ୍ତ କରିଥିବା ପାକିସ୍ତାନୀ ଜେନେରାଲ ସହୀଦ ସମସଦ ମୀର୍ଜାଙ୍କୁ ସେଠାକାର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଦ୍ବାରା ଏକ ପୁସ୍ତକର ଉପହାର, ଯାହାର ପ୍ରଚ୍ଛଦରେ ଥିବା ବାଂଲାଦେଶର ମାନଚିତ୍ରରେ ଅନ୍ତର୍ଭୁକ୍ତ ହୋଇଛି ଭାରତର ଉତ୍ତର-ପୂର୍ବୀୟ ରାଜ୍ୟଗୁଡ଼ିକର ଅନେକ ଅଂଶ ବା ଭାରତରେ ଆଶ୍ରିତ ବାଂଲାଦେଶର ବିତାଡ଼ିତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବିଧିବଦ୍ଧ ଭାବେ ପଳାତକ ବୋଲି ଘୋଷଣା, ଯଦ୍ଦ୍ବାରା ତାଙ୍କୁ ପ୍ରତ୍ୟର୍ପଣ କରିବାର ଚାପ ଭାରତ ଅନୁଭବ କରିପାରେ। ୧୯୭୧ ମସିହାରେ ସ୍ବାଧୀନ ବାଂଲାଦେଶର ଜନ୍ମ ପରେ ଏକ ମିତ୍ର ପଡ଼ୋଶୀ ଭଳି ରହି ଆସିଥିବା ଏହି ଦେଶ ସହସା ଏକ ଶତ୍ରୁ ରୂପେ ଶିରୋତ୍ତୋଳନ କରୁଥିବା ପରିପ୍ରେକ୍ଷୀରେ ଦକ୍ଷିଣ ଏସୀୟ ଅଞ୍ଚଳ ଓ ବିଶେଷ କରି ଭାରତ ସକାଶେ କିଭଳି ଆହ୍ବାନ ସୃଷ୍ଟି ହୋଇପାରେ, ତାକୁ ନେଇ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ମୁମ୍ବାଇ ଜନ୍ମିତ ଜାକୀର ନାଏକର ଚରମ ମୌଳବାଦୀ ଆଭିମୁଖ୍ୟ ଏବଂ ଘୃଣା ରଂଜିତ ଉଗ୍ରବାଦର ପ୍ରସାର ଜମାତ-ଏ -ଇସଲାମୀ ଭଳି ସଂଗଠନ ସକାଶେ ଅତ୍ୟନ୍ତ ସ୍ବାଗତଯୋଗ୍ୟ ହୋଇଥିବାରୁ ବାଂଲାଦେଶରେ ତାକୁ ଅଭ୍ୟର୍ଥନା ପ୍ରଦାନ ଏକ ସ୍ବାଭାବିକତା ମାତ୍ର; ଏବଂ ଏହା ସହିତ ସାଂପ୍ରତିକ ବାଂଲାଦେଶରେ ଜମାତ-ଏ-ଇସଲାମୀର ପ୍ରଭାବ କିଭଳି ଦୃଢ଼ମୂଳ ହେଲାଣି, ତାହା ଅଧିକ ସ୍ପଷ୍ଟ ହୋଇଥାଏ। ଅବଶ୍ୟ, ସେଠାରେ ଗଲା ବର୍ଷର ବିଦ୍ରୋହ ଛାତ୍ରଙ୍କ ଦ୍ବାରା ସଂଘଟିତ ବିକ୍ଷୋଭ ଭଳି ଦିଶୁଥିଲେ ହେଁ ବାସ୍ତବରେ ତାହା ଜମାତ-ଏ -ଇସଲାମୀ ଦ୍ବାରା ପରିଚାଳିତ ହୋଇଥିଲା ବୋଲି ବର୍ତ୍ତମାନ ସ୍ପଷ୍ଟ ହୋଇସାରିଲାଣି। ଏଥିରେ ବିଡ଼ମ୍ବନାଟି ହେଲା, ସପ୍ତମ ଦଶକର ପ୍ରାରମ୍ଭରେ ତତ୍କାଳୀନ ପୂର୍ବ-ପାକିସ୍ତାନ ପ୍ରତ୍ୟକ୍ଷ କରିଥିବା‌ ଅକଥନୀୟ ରକ୍ତପାତ, ଧର୍ଷଣ ଓ ଅତ୍ୟାଚାରରେ ସେ ସମୟର ପଶ୍ଚିମ-ପାକିସ୍ତାନ ସାମରିକ ବାହିନୀ ସହିତ ଯେଉଁ ଜମାତ-ଏ-ଇସଲାମୀ ସଂପୃକ୍ତ ଥିଲା, ତାହା ସଂପ୍ରତି ସେଠାରେ ତ୍ରାଣକର୍ତ୍ତା ରୂପେ ଆବିର୍ଭୂତ। ସ୍ବାଭାବିକ ଭାବେ ବର୍ତ୍ତମାନ ବାଂଲାଦେଶର ପାଠ୍ୟ ପୁସ୍ତକରୁ ଆରମ୍ଭ କରି ଗଣ ବ୍ୟାଖ୍ୟାନରେ ପାକିସ୍ତାନକୁ ଶୁଭାକାଂକ୍ଷୀ ‘ବଡ଼ ଭାଇ’ ଏବଂ ଭାରତକୁ ଉପଦ୍ରବୀ ଅତିକ୍ରମଣକାରୀ ରୂପେ ଚିତ୍ରଣ କରାଯାଉଛି, ଯଦିଓ ଏହା ଉତ୍ତମ ଭାବେ ନଥିକୃତ ଯେ ଉର୍ଦ୍ଦୁ ଭାଷାର ପ୍ରଭାବକୁ ପ୍ରତିହତ କରି ବାଂଲା ଭାଷାର ପ୍ରାଧାନ୍ୟ ପ୍ରତିଷ୍ଠା କରିବା ଲାଗି ସୃଷ୍ଟ ଛାତ୍ର ଆନ୍ଦୋଳନ କ୍ରମେ ସଶସ୍ତ୍ର ମୁକ୍ତି ‌ଯୁଦ୍ଧରେ ପରିଣତ ହୋଇଥିଲା ଏବଂ ପାକସ୍ତାନୀ ସାମରିକ ବାହିନୀର ବର୍ବରତା ଓ ତୀବ୍ର ସଂଘର୍ଷମୟ ପରିସ୍ଥିତିରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଭାରତକୁ ପଳାୟନ କରୁଥିବା ଶରଣାର୍ଥୀ ସମସ୍ୟାରେ ଅତିଷ୍ଠ ହୋଇ ଭାରତ ପକ୍ଷରୁ ହସ୍ତକ୍ଷେପ କରାଯାଇଥିଲା, ଯାହା ଫଳରେ ସ୍ବାଧୀନ ବାଂଲାଦେଶ ଜନ୍ମ ଲାଭ କରିଥିଲା। କିନ୍ତୁ ଅତୀତ ବିସ୍ମୃତ ବାଂଲାଦେଶରେ ସେ ସମୟର ଉତ୍ପୀଡ଼କ ଓ ଘୃଣାର ପାତ୍ର ଜମାତ-ଏ-ଇସଲାମୀ ଏବେ ସେଠାକାର ତ୍ରାଣକର୍ତ୍ତା ରୂପେ ବିଦ୍ୟମାନ। ଏଣେ ଭାରତ ସପକ୍ଷବାଦୀ ରାଜନୈତିକ ଦଳ ଆୱାମୀ ଲିଗ୍‌ ସଂପ୍ରତି ବାଂଲାଦେଶରେ ନିଷିଦ୍ଧ ଓ ନିଶ୍ଚିହ୍ନ ହେବା ପଥରେ। ଏଥିରୁ ବୁଝି ହୁଏ ଯେ ବାଂଲାଦେଶର ଭବିଷ୍ୟତ୍‌ ରାଜନୈତିକ ଦୃଶ୍ୟପଟ ଯାହା ବି ହେଉ ନା କାହିଁକି, ତାହା ଭାରତ ବିରୋଧୀ ହେବା ପ୍ରାୟ ଅନିବାର୍ଯ୍ୟ। 
କେଇ ମାସ ତଳେ ଚୀନ ଗସ୍ତ କାଳରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଅତ୍ୟନ୍ତ ସ୍ପଷ୍ଟ ଗଳାରେ ଚୀନକୁ ବାର୍ତ୍ତାଟିଏ ଦେଇଥିଲେ ଯେ ଭାରତର ଉତ୍ତର-ପୂର୍ବୀୟ ରାଜ୍ୟଗୁଡ଼ିକୁ ବାହ୍ୟ ପ୍ରଭାବାପନ୍ନ କରାଯାଇପାରେ। କହିବା ବାହୁଲ୍ୟ ଯେ ଭାରତର ଉତ୍ତର-ପୂର୍ବୀୟ ରାଜ୍ୟଗୁଡ଼ିକ ଦୀର୍ଘ କାଳରୁ ହିଂସ୍ର ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଦ୍ବାରା ଜର୍ଜର ହୋଇ ଆସିଥିଲା, ଯହିଁରେ ଅସ୍ତ୍ରଶସ୍ତ୍ର ଓ ପ୍ରଶିକ୍ଷଣର ସହାୟତା ପ୍ରଚ୍ଛନ୍ନ ଭାବେ ବାଂଲାଦେଶ ଭୂମିରୁ ମିଳୁଥିଲା। ବାଂଲାଦେଶରେ ସର୍ବାଧିକ କାଳ କ୍ଷମତାସୀନ ହୋଇ ରହିଥିବା ଆୱାମୀ ଲିଗ ସରକାର ଭାରତ ବିରୋଧୀ ଅନ୍ତର୍ଘାତର ଉଦ୍ୟମକୁ ପ୍ରଶ୍ରୟ ଦେଉ ନ ଥିବାରୁ ସେ ସବୁ ଗୋପନ‌େର ଚାଲୁଥିଲା। ଯଦିଓ ଏଭଳି କାର୍ଯ୍ୟକଳାପରେ ସଂପ୍ରତି ବିରାମ ଲାଗିଛି, ତାହା ଶୀଘ୍ର ପୁନର୍ବାର ଆରମ୍ଭ ହୋଇଯାଇପାରେ; କାରଣ ଶାସନ ମୁଖ୍ୟ ମହମ୍ମଦ ୟୁନୁସ ଓ ଜମାତ-ଏ-ଇସଲାମୀଙ୍କ ଏ‌ହା ଏକ ମିଳିତ ପ୍ରକଳ୍ପ ହେବ। ଇତିମଧ୍ୟରେ ମହମ୍ମଦ ୟୁନୁସଙ୍କ ବିସ୍ତାରବାଦୀ ମାନସିକତା ମଧ୍ୟ ଦିଶି ସାରିଲାଣି, ଯାହା ତାଙ୍କ ପୁସ୍ତକର ପ୍ରଚ୍ଛଦରେ ମାନଚିତ୍ରରୁ ପ୍ରାଂଜଳ ହୋଇଥାଏ। ଏଠାରେ ପ୍ରଣିଧାନଯୋଗ୍ୟ ଯେ ମାନଚିତ୍ରରେ ସୀମା ସଂପ୍ରସାରଣ କରି ପଡ଼ୋଶୀ ରାଷ୍ଟ୍ର ସକାଶେ ଅସ୍ବସ୍ତି ସୃଷ୍ଟି କରିବା ହେଉଛି ଚୀନର ପୁରୁଣା ଅଭ୍ୟାସ, ଯେଉଁ ପରଂପରାର ଶିକ୍ଷାନବିସ ବୋଧହୁଏ ୟୁନୁସ। ସ୍ମରଣଯୋଗ୍ୟ ଯେ ଆଜିକୁ ଦୁଇ ବର୍ଷ ତଳେ ନେପାଳ ସରକାର ମଧ୍ୟ ଏକ ପରିବର୍ତ୍ତିତ ମାନଚିତ୍ରକୁ ତାଙ୍କ ସଂସଦରେ ପାରିତ କରାଇଥିଲେ, ଯହିଁରେ ମଧ୍ୟ ଭାରତର କେତେକ ଅଂଶ ଅନ୍ତର୍ଭୁକ୍ତ ଥିଲା ଏବଂ ଏଭଳି ଉଦ୍ୟମ ପଛରେ ମଧ୍ୟ ଚୀନର ପ୍ରୋତ୍ସାହନ ଥିଲା। ତେବେ, ଏ ସଂଦର୍ଭରେ ଯାହା ତୀବ୍ର ଉଦ୍‌ବେଗ ସୃଷ୍ଟି କରେ, ତାହା ହେଲା ପା‌କିସ୍ତାନୀ ସାମରିକ ବାହିନୀର ‌ଜଣେ ଉଚ୍ଚ ଅଧିକାରୀଙ୍କୁ ସେହି ପୁସ୍ତକକୁ ଉପହାର ଭାବେ ଦିଆଯିବା। ମହମ୍ମଦ ୟୁନୁସଙ୍କ ତତ୍ତ୍ବାବଧାନରେ ବାଂଲାଦେଶ ଓ ପାକିିସ୍ତାନ ମଧ୍ୟରେ ସଂପର୍କ ଘନିଷ୍ଠ ହେବାରେ ଲାଗିଛି; ପାକିସ୍ତାନ ସାମରିକ ବାହିନୀ ଏବଂ ଆଇ.ଏସ.ଆଇ.ର ଉଚ୍ଚ ପଦାଧିକାରୀମାନେ ତିନି ଥର ବାଂଲାଦେଶ ଗସ୍ତ କରିସାରିଲେଣି, ବାଂଲାଦେଶ ପ୍ରବେଶ କରିବା ଲାଗି ପାକିସ୍ତାନୀମାନଙ୍କ ସକାଶେ ଆଉ ଭିସାର ଆବଶ୍ୟକତା ନାହିଁ, ଜଳ ପଥରେ ଢାକା ବନ୍ଦର ଏବେ କରାଚୀ ବନ୍ଦର ସହିତ ସଂଯୁକ୍ତ। ପୂର୍ବରୁ ଏହି ସଂପର୍କ ଅତ୍ୟନ୍ତ କ୍ଷୀଣ ଥିଲା। ସୁତରାଂ, ଏଭଳି ଏକ ପରିସ୍ଥିତିରେ ଭାରତର ସଛିଦ୍ର ଉତ୍ତର-ପୂର୍ବୀୟ ସୀମାନ୍ତ ଦେଇ ଆତଙ୍କବାଦୀଙ୍କ ଅନୁପ୍ରବେଶ ଓ ଉତ୍ପାତ ବୃଦ୍ଧି ପାଇବ। ହୁଏତ ଚୀନ-ପାକିସ୍ତାନ-ବାଂଲାଦେଶର ଭାରତ ବିରୋଧୀ କୁମନ୍ତ୍ରଣାର କେନ୍ଦ୍ର ପା‌ଲଟିବ ବାଂଲାଦେଶ। 
ପ୍ରକାଶ ଥାଉ କି ଉତ୍ତର-ପୂର୍ବୀୟ ରାଜ୍ୟଗୁଡ଼ିକ ବିଭିନ୍ନ କାରଣରୁ ମୁଖ୍ୟ ଭାରତ ଭୂଖଣ୍ଡ ଠାରୁ ଉଭୟ ଭୌଗୋଳିକ ଓ ଆ‌ତ୍ମିକ ସ୍ତରରେ ଦୂର ବୋଲି ମନେ କରନ୍ତି। ଏହି ଭାବ ଦୂର ନ ହେଲେ ତହିଁରୁ ବିଚ୍ଛିନ୍ନତାବାଦୀ ଅପଶକ୍ତି ବଳ ପାଇ‌େବ। ତେଣୁ ଏହି ରାଜ୍ୟଗୁଡ଼ିକ ଉପରେ ପଲକହୀନ ସତର୍କ ଦୃଷ୍ଟି ରଖିବାକୁ ହେବ। ଏକ ବିଡ଼ମ୍ବନା ହେଲା ଯେ ମହମ୍ମଦ ୟୁନୁସଙ୍କ ଭଳି ପ୍ରବୀଣ ଅର୍ଥନୀତିଜ୍ଞ ଏକ ଅନ୍ଧ ତୁଲ୍ୟ ଆଚରଣ ଦେଖାଇ ପାକିସ୍ତାନ ଓ ଚୀନକୁ ଅବଲମ୍ବନ କରିଛନ୍ତି; ଯହିଁରୁ ଗୋଟିଏ ଭାରତ ବିରୋଧୀ ଆତଙ୍କବାଦରେ ମଗ୍ନ ରହି ଏବେ ପ୍ରାୟ ସର୍ବସ୍ବାନ୍ତ ଏବଂ ଆରଟି ହୃଦୟହୀନ ଲାଭଖୋର ମହାଜନ ଭଳି ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ସୁଧ ଓ ମୂଳ ଶୋଷଣ କରିଥାଏ। କିନ୍ତୁ କଥାରେ କହନ୍ତି ବାଡ଼ି ନ ହଜାଇଲା ପର୍ଯ୍ୟନ୍ତ ଦୃଷ୍ଟିହୀନର ଚେତା ପଶି ନ ଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe