ଏବେ ଯଦିଓ ନ୍ୟୁୟର୍କ ମହାନଗରୀର ଅର୍ଥନୈତିକ ଓ ପ୍ରାଶାସନିକ ପରିଚାଳନା ଜୋହରାନଙ୍କ କରାୟତ୍ତ, ତାଙ୍କ ଦ୍ବାରା ପ୍ରଦତ୍ତ ପ୍ରତିଶ୍ରୁତି ପୂରଣ ଲାଗି ଆବଶ୍ୟକ ପ୍ରଚୁର ବିତ୍ତର ବନ୍ଦୋବସ୍ତ ତାଙ୍କ ସକାଶେ ଏକ ବିଶାଳ ଆହ୍ବାନ ହେବ। ଏଣେ ଟ୍ରଂପ କହିସାରିଲେଣି ଯେ କେନ୍ଦ୍ରୀୟ ପାଣ୍ଠିରୁ ଗୋଟିଏ ଡଲାର ମଧ୍ୟ ସେ ନ୍ୟୁୟର୍କକୁ ଦେବେ ନାହିଁ, ଯଦିଓ ତାହା ତାଙ୍କ ନିଜ ସହର!
ଜୋହରାନ କିଏ? ଏହା ନିଃସନ୍ଦେହ େଯ ଶୀର୍ଷକ ଦେଖି ଏହି ସ୍ତମ୍ଭର ଅନେକ ପାଠକପାଠିକା ଏହି ପ୍ରଶ୍ନ ପଚାରିବେ। ଉତ୍ତର ହେଲା ଗଲା ବୁଧବାର ଦିନ ନ୍ୟୁୟର୍କ ମହାନଗରୀରର ନବ ନିର୍ବାଚିତ ମେୟରଙ୍କ ନାମ ହେଉଛି ଜୋହରାନ ମମଦାନୀ। ଏହି ଉତ୍ତର ବର୍ତ୍ତମାନ ଆଉ ଏକ ପ୍ରଶ୍ନର ସ୍ଫୁଲିଙ୍ଗ ସୃଷ୍ଟି କରିବ ଯେ ନ୍ୟୁୟର୍କ ପୃଥିବୀର ବୃହତ୍ତମ ନଗରୀ ହୋଇଥିଲେ ହେଁ ଗୋଟିଏ ସହରର ମେୟର ନିର୍ବାଚନର ଫଳାଫଳକୁ ନେଇ ଆଟଲାଣ୍ଟିକ ସେପାରି ପ୍ରାୟ ୧୩ ହଜାର କିଲୋମିଟର ଦୂରସ୍ଥ ଏକ କ୍ଷୁଦ୍ର ପ୍ରଦେଶର ଆଞ୍ଚଳିକ ଦୈନିକଟିଏରେ ସଂପାଦକୀୟ ଲେଖାଯିବ କାହିଁକି? ତେେବ, କେବଳ ଏଠାରେ ନୁହେଁ, ପୃଥିବୀର ଅନ୍ତତଃ ୧୮୫ଟି ରାଷ୍ଟ୍ରରେ ଏଭଳି ପ୍ରଶ୍ନ ଶିରୋତ୍ତୋଳନ କରୁଥିବ, ଯେଉଁଠି ଜୋହରାନ ମମଦାନୀ ଅତର୍କିତ ଭାବେ ଗଣମାଧ୍ୟମର ଶିରୋନାମା ଓ ସଂପାଦକୀୟରେ ଆବିର୍ଭୂତ ହୋଇଥିବେ। ଏହା ପଛରେ ଅନେକ କାରଣ ନିହିତ, ଯାହାକୁ ନେଇ ଏକ କ୍ଷୁଦ୍ର ଆଲୋଚନା ସମୀଚୀନ ଭଳି ମନେ ହୋଇଥାଏ।
ଯୁକ୍ତରାଷ୍ଟ୍ର ଆମେରିକା ସକାଶେ ଏହି ବିଜୟ ଇତିହାସ ସୃଷ୍ଟିକାରୀ, କାରଣ ନ୍ୟୁୟର୍କର ମେୟର ଭାବେ ଜୋହରାନ ଏକାଧିକ ଦୃଷ୍ଟିରୁ ପ୍ରଥମ: କନିଷ୍ଠତମ(୩୪ ବର୍ଷ ବୟସ), ମୁସଲମାନ ଧର୍ମାବଲମ୍ବୀ, ଭାରତୀୟ ମୂଳୋଦ୍ଭବ, ଆଫ୍ରିକା(ଉଗାଣ୍ଡାର କାଂପାଲା ସହର) ଜନ୍ମିତ। କିନ୍ତୁ, କେବଳ ଏହି ବିଶେଷତ୍ବଗୁଡ଼ିକ ହେତୁ ତାଙ୍କ ପରିଚିତି ଆମେରିକା ଅତିକ୍ରମୀ ଏବଂ ବିଶ୍ବବ୍ୟାପୀ ହୋଇନାହିଁ। ଯେଉଁ କାରଣରୁ ଏଭଳି ଘଟିଛି, ତାହା ହେଲା ଏକ ମେୟର ନିର୍ବାଚନର ଫଳାଫଳକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ ପରାଭବ ଭଳି ଦେଖା ଯାଉଛି ଏବଂ ସ୍ବୟଂ ଟ୍ରଂପ ମଧ୍ୟ ସେହି ଧାରଣାର ଶରବ୍ୟ ହୋଇ ଅପମାନ ଜର୍ଜର! ପ୍ରକାଶ ଥାଉ କି ମେୟର ପଦ ଲାଗି ଡେମୋକ୍ରାଟ୍ ଦଳର ପ୍ରାର୍ଥିତ୍ବ ନେଇ ଅନୁଷ୍ଠିତ ପ୍ରାଥମିକ ପ୍ରତିଦ୍ବନ୍ଦ୍ବିତାରେ ନବାଗତ ଜୋହରାନଙ୍କ ଦ୍ବାରା ପରାଜିତ ହୋଇ ପୁରୁଖା ଆଣ୍ଡୃ କୁଓମୋ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିଲେ, ଯାହାଙ୍କ ପଛରେ ଥିଲା ବାରାକ ଓବାମାଙ୍କ ସମେତ ଡେମୋକ୍ରାଟ୍ ଦଳର ଅତି ବିଶିଷ୍ଟମାନଙ୍କ ସମର୍ଥନ। ରିପବ୍ଲିକାନ ଦଳର ପ୍ରାର୍ଥୀ କର୍ଟିସ ସିଲଭା ଦୌଡ଼ରେ ଥିଲେ ହେଁ ଜୋହରାନଙ୍କୁ କୌଣସିମତେ ପରାସ୍ତ କରିବା ଲାଗି ଚରମ ବିକଳ ଟ୍ରଂପଙ୍କ ଆହ୍ବାନ ଥିଲା ଯେ ଶ୍ରଦ୍ଧା କରୁ ନ ଥିଲେ ବି ରିପବ୍ଲିକାନମାନେ କୁଓମୋଙ୍କୁ ସେମାନଙ୍କ ‘ଦ୍ବିତୀୟ ପସନ୍ଦ’ର ଭୋଟ ଦିଅନ୍ତୁ। ଆମେରିକୀୟ ପଦ୍ଧତି ଅନୁସାରେ ଯଦି କୌଣସି ହେଲେ ପ୍ରାର୍ଥୀଙ୍କୁ ୫୦%ରୁ ଅଧିକ ଭୋଟ ମିଳେନାହିଁ, ତେବେ ‘ଦ୍ବିତୀୟ ପସନ୍ଦ’ର ଭୋଟ ଗଣତି କରାଯାଏ। କିନ୍ତୁ, ସେହି ସୁଯୋଗ ଏହି ନିର୍ବାଚନରେ ଆସି ନ ଥିଲା! ଅବଶ୍ୟ, ଏ କଥା ମଧ୍ୟ ସତ ଯେ ଯେ ନ୍ୟୁୟର୍କ ସର୍ବଦା ଡେମୋକ୍ରାଟଙ୍କ ଦୁର୍ଗ ହୋଇ ରହି ଆସିଛି। କିନ୍ତୁ, ଏଥରର ପ୍ରଭେଦଟି ହେଲା କୁଓମୋଙ୍କ ହେତୁ ଡେମୋକ୍ରାଟ ଦଳରେ ଘଟିଥିବା ଭୋଟ ବିଭାଜନକୁ ନିଷ୍ଫଳ କରିଦେବା ଲାଗି ବାହାର ପ୍ରଦେଶରେ କାର୍ଯ୍ୟରତ ଅସଂଖ୍ୟ ନ୍ୟୁୟର୍କ ଭୋଟର ଘରକୁ ଫେରିଥିଲେ। ଉଲ୍ଲେଖଯୋଗ୍ୟ ଯେ ନ୍ୟୁୟର୍କ ମେୟର ନିର୍ବାଚନର ଇତିହାସରେ ଏଥରର ଭୋଟ ସଂଖ୍ୟା ରେକର୍ଡ ସୃଷ୍ଟିକାରୀ।
ଗଲା ଜୁଲାଇ ମାସରୁ ଟ୍ରଂପଙ୍କ ପ୍ରଦତ୍ତ ବିଭିନ୍ନ ମନ୍ତବ୍ୟରୁ ସ୍ପଷ୍ଟ ଯେ ଜୋହରାନଙ୍କୁ ଜଣେ ରାଜନୈତିକ ପ୍ରତିପକ୍ଷ ଭାବେ ନ ଦେଖି ସେ ବ୍ୟକ୍ତିଗତ ଶତ୍ରୁ ରୂପେ ଦେଖନ୍ତି ଏବଂ ତାଙ୍କ ବିଚାରରେ ଜୋହରାନ ଜଣେ ‘ପାଗଳ କମ୍ୟୁନିଷ୍ଟ’, ଦେଶାନ୍ତର ଅଥବା ଜେଲରେ ଭର୍ତ୍ତି ହେବା ଯୋଗ୍ୟ! କାରଣ ଜୋହରାନ ଅତି ଦୃଢ଼ କଣ୍ଠରେ ତାଙ୍କ ଆଦର୍ଶକୁ ସ୍ପଷ୍ଟ କରିଛନ୍ତି ଯେ ସେ ପ୍ରବାସୀମାନଙ୍କ ଅଟଳ ପକ୍ଷଧର, ଇସ୍ରାଏଲର ତୀବ୍ର ବିରୋଧୀ ତଥା ପାଲେଷ୍ଟାଇନ ଅଧିକାରର ଦୃଢ଼ ସମର୍ଥକ ଏବଂ ଅତି ଧନୀକଙ୍କ ଉପରେ ଅଧିକ ଟିକସରୁ ଅର୍ଜିତ ଅର୍ଥରେ ଜନସାଧାରଣଙ୍କ ଜୀବନକୁ ସାବଲୀଳ କରିବା ଲାଗି ଆଗ୍ରହୀ; ଯେଉଁ ସମସ୍ତ ବିଷୟ ଟ୍ରଂପଙ୍କ ସକାଶେ ଅସହନୀୟ ହୋଇଥାଏ। ପ୍ରାୟ ୬୦% ପ୍ରବାସୀଙ୍କ ଦ୍ବାରା ଭରପୂର ନ୍ୟୁୟର୍କରେ ଯଦିଓ ଜୋହରାନଙ୍କ ଆଦର୍ଶ ସମର୍ଥନ ଲାଭ କରିବା ସ୍ବାଭାବିକ, ନ୍ୟୁୟର୍କବାସୀଙ୍କ ମଧ୍ୟରେ ସର୍ବବୃହତାଂଶ ଇହୁଦୀ ହୋଇଥିଲେ ହେଁ ଇସ୍ରାଏଲର ଗାଜା ଆକ୍ରମଣ ବିରୋଧରେ ଜୋହରାନଙ୍କ ତୀବ୍ର ସମାଲୋଚନା ସତ୍ତ୍ବେ ସେ ଅଧିକାଂଶ ଇହୁଦୀ ଭୋଟ ଲାଭ କରିବା ଏହା ମଧ୍ୟ ପ୍ରମାଣ କରିଛି ଯେ ଇସ୍ରାଏଲୀ ଆକ୍ରମଣକୁ ସମର୍ଥନରେ ଆମେରିକାରେ ସୃଷ୍ଟ ବ୍ୟାଖ୍ୟାନ ବଳହୀନ; କାରଣ ଅସଂଖ୍ୟ ଇହୁଦୀ ତାକୁ ନାପସନ୍ଦ କରନ୍ତି।
ନିର୍ବାଚନ ଜିଣିବା ପରେ ନ୍ୟୁୟର୍କର ଜନାରଣ୍ୟ ଛକ ଓ ପ୍ରଶସ୍ତ ଏଭିନ୍ୟୁର ଉତ୍ସବମୁଖର ପରିବେଶରେ ଜୋହରାନଙ୍କ ଭାଷଣରେ ଶୁଣିବାକୁ ମିଳିଥିଲା ପଣ୍ଡିତ ଜୱାହରଲାଲ ନେହରୁଙ୍କ ସୁପ୍ରସିଦ୍ଧ ଅଭିଭାଷଣ ‘ଏ ଟ୍ରାଇଷ୍ଟ ୱିଥ୍ ଡେଷ୍ଟିନି’(ଭାରତର ସ୍ବାଧୀନତା ଲାଭ ପରେ)ର ଉଦ୍ଧୃତାଂଶ। ଏହା ଏଠାରେ ଅସଂଖ୍ୟ ଭାରତୀୟଙ୍କୁ ଚମତ୍କୃତ କରିଛି, କାରଣ ନେହରୁଙ୍କୁ ତାଙ୍କ ନିଜ ଦେଶର ଗୋଟିଏ ବର୍ଗ ସଂଦର୍ଭ-ଚ୍ୟୁତ କରି ଏବଂ ସ୍ବାଧୀନତା ପରବର୍ତ୍ତୀ ଭାରତର ଆବଶ୍ୟକତା ଓ ଦୁର୍ବଳତା ବିଷୟ ବିଚାରକୁ ନ ନେଇ ତୀବ୍ର ଘୃଣା-ରଂଜିତ ସମାଲୋଚନାର ପାତ୍ର କରି ଚାଲିଛି! ଜୋହରାନଙ୍କ ବିଜୟ ଉତ୍ସବକୁ ଆଉ ଯେଉଁ ଭାରତୀୟ ଛୁଙ୍କ ସ୍ବାଦିଷ୍ଠ କରିଥିଲା, ତାହା ହେଉଛି ଲୋକପ୍ରିୟ ବଲିଉଡ୍ ହିଟ୍ ‘ଧୁମ ମଚାଲେ’ର ସାଂଗୀତିକ ବିସ୍ଫୋରଣ, ଯାହାର ପ୍ରତିଧ୍ବନିତ ହୋଇଥିଲା ରୁଣ୍ଡ ହୋଇଥିବା ଜନ ସମୁଦାୟଙ୍କ କରତାଳି ଓ ଉନ୍ମାଦିତ କଣ୍ଠ ଫଟା ଚିତ୍କାରରେ। ପ୍ରବାସୀମାନଙ୍କ ଦ୍ବାରା ଗଠିତ ଓ ସମୃଦ୍ଧ ନ୍ୟୁୟର୍କର ଆତ୍ମା କିଭଳି ବିବିଧତାର ରସରେ ଦ୍ରବୀଭୂତ ହୋଇଥାଏ, ଏହା ଥିଲା ତା’ର ଏକ ଦୃଷ୍ଟାନ୍ତ। ଏହି ଦୃଶ୍ୟକୁ ଟ୍ରଂପ ଦେଖୁଥିବା ସୁନିଶ୍ଚିତ ବୋଲି ଜାଣି ଟ୍ରଂପଙ୍କ ଉଦ୍ଦେଶ୍ୟରେ ଜୋହରାନ ଉଚ୍ଚ କଣ୍ଠରେ କହିଥିଲେ: ଟର୍ନ ଦ ଭଲ୍ୟୁମ ଅପ୍ ବା ଭଲ୍ୟୁମ(ଆବାଜ) ବଢ଼ାଅ, ଯାହାର କିଛି କ୍ଷଣ ପରେ ଟ୍ରଂପଙ୍କ ଟ୍ରୁଥ ସୋସିଆଲରେ ପୋଷ୍ଟଟି ଥିଲା, ‘ଖେଳ ଆରମ୍ଭ ହେଲା।’
ପ୍ରକାଶ ଥାଉ କି ନ୍ୟୁୟର୍କ ହେଉଛି ପୃଥିବୀର ବୃହତ୍ତମ ଓ ସର୍ବାଧିକ ବିତ୍ତଶାଳୀ ସହର, ଯେଉଁଠି କେବଳ ଅର୍ବପତିଙ୍କ ସଂଖ୍ୟା ହେଉଛି ପ୍ରାୟ ସାଢ଼େ ତିନି ଲକ୍ଷ। ଏ ସହରର ଜିଡିପି ହେଉଛି ପ୍ରାୟ ୨.୩୫ ଟ୍ରିଲିଅନ ଏବଂ ବଜେଟ୍ ହେଉଛି ୧.୫ ବିଲିଅନ ଡଲାର (ମହାରାଷ୍ଟ୍ର ଭଳି ରାଜ୍ୟ ଠାରୁ ମଧ୍ୟ ଅଧିକ)। ଏହି ସହରରେ ଦାରିଦ୍ର୍ୟର ଉପସ୍ଥିତି ମଧ୍ୟ ବେଶ୍ ପ୍ରାଂଜଳ। ଏବେ ଯଦିଓ ନ୍ୟୁୟର୍କ ମହାନଗରୀର ଅର୍ଥନୈତିକ ଓ ପ୍ରାଶାସନିକ ପରିଚାଳନା ଜୋହରାନଙ୍କ କରାୟତ୍ତ, ତାଙ୍କ ଦ୍ବାରା ପ୍ରଦତ୍ତ ପ୍ରତିଶ୍ରୁତି ପୂରଣ ଲାଗି ଆବଶ୍ୟକ ପ୍ରଚୁର ବିତ୍ତର ବନ୍ଦୋବସ୍ତ ତାଙ୍କ ସକାଶେ ଏକ ବିଶାଳ ଆହ୍ବାନ ହେବ। ଏଣେ ଟ୍ରଂପ କହିସାରିଲେଣି ଯେ କେନ୍ଦ୍ରୀୟ ପାଣ୍ଠିରୁ ଗୋଟିଏ ଡଲାର ମଧ୍ୟ ସେ ନ୍ୟୁୟର୍କକୁ ଦେବେ ନାହିଁ, ଯଦିଓ ତାହା ତାଙ୍କ ନିଜ ସହର! ଇତିମଧ୍ୟରେ ଟ୍ରଂପଙ୍କ ଅମଣିଆ ଅପରିଣାମଦର୍ଶୀ ଓ ଅହଙ୍କାରୀ ସ୍ବଭାବକୁ ପୃଥିବୀ ଦେଖିସାରିଲାଣି। ସୁତରାଂ, ସଂଘାତ ଯେ ତୀବ୍ର ହେବ, ତାହା କହିବା ଅନାବଶ୍ୟକ। ଭବିଷ୍ୟତରେ ହୁଏତ ଏଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପରେ, ଯାହା ଆମେରିକା ପୂର୍ବରୁ କେବେ ହେଲେ ପ୍ରତ୍ୟକ୍ଷ କରି ନ ଥିବ!
ଆମେରିକାରେ ଗଲା ଫେବ୍ରୁଆରି ମାସରେ ହୋଇଥିବା ଏକ ସର୍ଭେରେ ମାତ୍ର ୧% ଭୋଟ ପାଇ ନଅ ଜଣ ନେତାଙ୍କ ତାଲିକାରେ ସର୍ବ ନିମ୍ନରେ ଥିଲେ ଜୋହରାନ ମମଦାନୀ। ସେତେବେଳେ ପ୍ରଶ୍ନ ଉଠିଥିଲା ‘ଜୋହରାନ?’ ତା ପରେ ପ୍ରାଥମିକ ବା ପ୍ରାଇମେରିରେ ନିଜ ଦଳର ପ୍ରବୀଣ ନେତା କୁଓମୋଙ୍କୁ ହରାଇବା ପରେ ବିସ୍ମୟଭରା କଣ୍ଠମାନ କହିବା ଶୁଣାଯାଇଥିଲା ‘ଜୋହରାନ!’ ତେବେ, ଜଣେ ଅପେକ୍ଷାକୃତ ନୂଆ ପ୍ରବାସୀ(୧୯୯୯) ଭାବେ ଜୋହରାନ ସେଇ ‘ପ୍ରଶ୍ନସୂଚକ’ ଓ ‘ବିସ୍ମୟସୂଚକ’ ଚିହ୍ନ ସବୁକୁ ଅତିକ୍ରମ କରି ପରିଶେଷରେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିଛନ୍ତି। ଆମେରିକାର ରାଷ୍ଟ୍ରପତି ହେବା ସକାଶେ ଏହି ତରୁଣଙ୍କ ଠାରେ ଭରପୂର ସମ୍ଭାବନା ଥିଲେ ହେଁ ଆମେରିକାରେ ଭୂମିଷ୍ଠ ହୋଇ ନ ଥିବାରୁ ତାହା ଆଦୌ ସମ୍ଭବ ହେବ ନାହିଁ। କିନ୍ତୁ ମେୟର ଭାବେ ଯଦି ତାଙ୍କ ପ୍ରଦର୍ଶନ ଉତ୍ତମ ହୁଏ, ତେବେ ତାଙ୍କ ଆବିର୍ଭାବ ସହିତ ଡେମୋକ୍ରାଟ ଦଳରେ ଆସିଥିବା ଚିନ୍ତନଗତ ସଂସ୍କାର ତାଙ୍କୁ ଦୀର୍ଘ କାଳ ଯାଏ ପ୍ରାସଙ୍ଗିକ କରି ରଖିବ।
ଭାରତ ଜନ୍ମିତ ଉଗାଣ୍ଡା ଅଧିବାସୀ ଶିକ୍ଷାବିତ୍ ମେହମୁଦ ମମଦାନୀଙ୍କୁ ଭାରତୀୟ ମହିଳା ମୀରା ନାୟାରଙ୍କ ବିବାହ, ତା’ ପରେ ଉଗାଣ୍ଡାର ରାଜଧାନୀ କାଂପାଲାରେ ଜୋହରାନଙ୍କ ଜନ୍ମ ଏବଂ ତା’ର କିଛି ବର୍ଷ ପରେ ନ୍ୟୁୟର୍କରେ ସ୍ଥାୟୀ ବସବାସର ସିଦ୍ଧାନ୍ତ ପଛରେ ରହିଛି ମମଦାନୀ ପରିବାରର ଦୀର୍ଘ ଅପ୍ରବାସନର ଯାତ୍ରା। ସେଥି ଲାଗି ପ୍ରବାସୀଙ୍କ ମହାନଗର ନ୍ୟୁୟର୍କ ସତେ ଯେମିତି ତାଙ୍କୁ ବାହୁ ପ୍ରସାରି କୋଳାଗ୍ରତ କରିଛି। ଅପ୍ରବାସନର ଏହି ସୁଦୀର୍ଘ ଯାତ୍ରାର ଖିଅଟିଏ ଆମ ରାଜ୍ୟକୁ ମଧ୍ୟ ଲମ୍ବି ଆସିଥାଏ। ଜୋହରାନଙ୍କ ମା’ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶିକା ମୀରା ନାୟାରଙ୍କ ପିତା ଥିଲେ ଓଡ଼ିଶା କ୍ୟାଡରର ଆଇଏଏସ ଅଧିକାରୀ ଏବଂ ମୀରାଙ୍କ ସ୍କୁଲ ଜୀବନର ଏକ ଅଂଶ କଟିଛି ରାଉରକେଲାର ଇସ୍ପାତ୍ ଇଂଲିସ ମିଡିଅମ ସ୍କୁଲ ଏବଂ ଭୁବନେଶ୍ବରର ଷ୍ଟୁଆର୍ଟ ସ୍କୁଲରେ; ଅର୍ଥାତ୍ ପଦ ଚିହ୍ନ କେଉଁଠୁ କେଉଁଠାକୁ ଲମ୍ବିଛି!
Follow Us