ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଓଡ଼ିଶାରୁ ୩

ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଓଡ଼ିଶାରୁ ୩

odiageetlyrics.blogspot.com

‘ଶଲାବୁଢ଼ାର ବଦଲା’, ‘କାଲିର ଅତୀତ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର
କଳା-ସଂସ୍କୃତି ଚଳଚ୍ଚିତ୍ର ଭାବେ ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ମନୋନୀତ

ନୂଆଦିଲ୍ଲୀ : ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା କରାଯାଇଛି। ଏହି ପୁରସ୍କାର ଓଡ଼ିଶା ଲାଗି ଆଣିଛି ଖୁସି ଖବର। ଆଞ୍ଚଳିକ ଭାଷା‌ରେ ଦିଆଯାଉଥିବା ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଯୁଗ୍ମ ଭାବେ ପୁରସ୍କାର ଲାଗି ମନୋନୀତ ହୋଇଛି ଡ.ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଶଲାବୁଢ଼ାର ବଦଲା’ ଏବଂ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ‘କାଲିର ଅତୀତ’। ସେହିପରି ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଅଣ-ଫିଚର ବର୍ଗରେ ଶ୍ରେଷ୍ଠ କଳା-ସଂସ୍କୃତି ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି ଓଡ଼ିଆ ପ୍ରାମାଣିକ ଛବି ‘ଶ୍ରୀକ୍ଷେତ୍ରରୁ ସାହିଯାତ’। ଏହାର ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି ଆଶୁତୋଷ ପଟ୍ଟନାୟକ। ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରାଯାଇଛି।

ଡ. ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଶଲାବୁଢ଼ାର ବଦଲା’ ତାଙ୍କର ପୂର୍ବ ଚଳଚ୍ଚିତ୍ର ‘ଶଲାବୁଢ଼ା’ର ସିକ୍ବେଲ ହୋଇଥିବାବେଳେ ନ୍ୟୁ ଜେନେରେସନ ଫିଲ୍ମସ ଏହାର ପ୍ରଯୋଜନା କରିଛନ୍ତି। ସେହିପରି ପାରିବେଶିକ ସଙ୍କଟର ଜନଜୀବନ ଉପରେ ପ୍ରଭାବ ଭଳି ଗୁରୁତ୍ବପୂର୍ଣ୍ଣ କଥାବସ୍ତୁ ଆଧାରିତ ନୀଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’ ଏଲେନୋରା ଇମେଜେସ ପ୍ରାଇଭେଟ ଲିମିଟେଡ ଦ୍ବାରା ପ୍ରଯୋଜିତ ହୋଇଛି। ଅନ୍ୟପକ୍ଷରେ ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ଲୋକକଳା ଓ ସଂସ୍କୃତି ଉପରେ ଆଧାରିତ ଛବି ଶ୍ରୀକ୍ଷେତ୍ରରୁ ସାହିଜାତ ମଧ୍ୟ ଶ୍ରେଷ୍ଠ କଳା-ସଂସ୍କୃତି ଚଳଚ୍ଚିତ୍ର ଭାବେ ପୁରସ୍କୃତ ହେବା ଆନନ୍ଦର ବିଷୟ।

publive-image

ଖ୍ୟାତନାମା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଶଲାବୁଢ଼ାର ବଦ୍‌ଲା’ ଚଳଚ୍ଚିତ୍ର ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ଟ୍ରାଇଲୋଜି ଭାବେ ପ୍ରଦର୍ଶିତ ହୋଇଥିଲା। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ଆଦର୍ଶକୁ ନେଇ ଏହି ଚଳଚ୍ଚିତ୍ର ତିଆରି କରାଯାଇଥିବା ଶ୍ରୀ ମହାପାତ୍ର କହିଛନ୍ତି। ଏହି ଚଳଚ୍ଚିତ୍ରର ନା‌ୟକ ହେଉଛନ୍ତି ୯୨ ବର୍ଷୀୟ ବୃଦ୍ଧ ଅଟଳ ବିହାରୀ ପଣ୍ଡା। ଚଳଚ୍ଚିତ୍ରଟି ସଙ୍ଗୀତରେ ଭରପୂର। ଏହି ଚଳଚ୍ଚିତ୍ର ୨୦୨୦ ମସିହା ଅକ୍ଟୋବର ୧୯ରେ ମୁକ୍ତିଲାଭ କରିଥିଲା। ସବ୍ୟସାଚୀ ମହାପାତ୍ରଙ୍କର ଏହା ହେଉଛି ୩ୟ ଚଳଚ୍ଚିତ୍ର ଯାହାକି ଜାତୀୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛି। ପୂର୍ବରୁ ତାଙ୍କର ‘ପାହାଡ଼ର ଲୁହ’ ଓ ‘ଆଦିମ ବିଚାର’ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇସାରିଛି। ପୂର୍ବରୁ ତାଙ୍କ ଦ୍ବାରା ନିର୍ମିତ ‘ଭୁକା’ ଚଳଚ୍ଚିତ୍ର ଆନ୍ତର୍ଜତୀୟ ପୁରସ୍କାର ବି ପାଇସାରିଛି।

ଏହି ‘ଶଳାବୁଢ଼ାର ବଦ୍‌ଲା’ ଚଳଚ୍ଚିତ୍ରରେ ତାଙ୍କ ମୁଖ୍ୟ ଅଭିନେତା ଶ୍ରୀ ପଣ୍ଡାଙ୍କ ସହ ରହିଛନ୍ତି ଚନ୍ଦନା ସିଂହ, ଲୋଚନୀ ବାଗ୍‌ ଓ ମୁନିଆ ପାଣିଗ୍ରାହୀ ପ୍ରମୁଖ। ଓଡ଼ିଶାର କଳା ସଂସ୍କୃତିକୁ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ରରେ ଗୁରୁତ୍ୱ ଦେଇଥିବା ନିର୍ମାତା ଶ୍ରୀ ମହାପାତ୍ର କହିଛନ୍ତି। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପଙ୍କଜ ଜାଲ। ପଶ୍ଚିମ ଓଡ଼ିଶାରେ ମୁକ୍ତିଲାଭ ହେବା ପରେ ୫ ସପ୍ତାହ ଧରି ଏହି ଚଳଚ୍ଚିତ୍ର ସିନେମା ହଲ୍‌‌ରେ ଚାଲିଥିଲା। କରୋନା ମହାମାରୀ ପାଇଁ ଏବେ ଚଳଚ୍ଚିତ୍ର‌ଟି ସିନେମା ହଲ୍‌ରେ ପ୍ରଦର୍ଶିତ ହୋଇପାରୁନଥିବାରୁ ନିର୍ମାତାମାନେ ଆଗକୁ ଏହି ଚଳଚ୍ଚିତ୍ରକୁ ସବୁ ସ୍ଥାନରେ ମୁକ୍ତିଲାଭ କରାଇବାର ଲକ୍ଷ୍ୟ ରଖିଛନ୍ତି। ଭଲ ଚଳଚ୍ଚିତ୍ର ତିଆରି କଲେ ବ୍ୟବସାୟିକ ସଫଳତା ମିଳିବା ସହିତ ଦର୍ଶକଙ୍କ ଆଦୃତି ମିଳିପାରିବ। ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ରରେ ଓଡ଼ିଆତ୍ୱ ମରି ମରି ଯାଉ ଥିବାରୁ ଯେଉଁ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି ସେଥିରେ ଓଡ଼ିଆ ବାସ୍ନା ରହିବା ଦରକାର। ସମଗ୍ର ଓଡ଼ିଶାବାସୀଙ୍କ ଆର୍ଶୀବାଦ ରହିଥିବାରୁ ଏହି ସମ୍ମାନ ସବୁ ମିଳିପାରୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

publive-image swabhimaniodia.com

ସେହିଭଳି ନୀଳମାଧବ ପଣ୍ଡାଙ୍କ ନିର୍ମିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିବା ପରେ ସେ ଖୁସିବ୍ୟକ୍ତ କରିବା ସହ ଏକ ସମୟରେ ତିନିଟି ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ପୁରସ୍କୃତ ଜିତିଥିବାରୁ ଏହା ଓଲିଉଡ୍‌ର ପାଇଁ ଏକ ଭଲ ମୁହୂର୍ତ୍ତ ବୋଲି କହିଛନ୍ତି। ଧୀରେ ଧୀରେ କିପରି ଜନସଂଖ୍ୟା ବଢ଼ିବା ସହିତ ଉଭୟ ଗାଁ ଓ ସହରର କଳେବର ବୃଦ୍ଧି ପାଉଛି। ଲୋକେ ନିଜ ସୁବିଧା ପାଇଁ ପରିବେଶର ହାନି ପହଞ୍ଚାଉଛନ୍ତି। ଫଳରେ ପରିବେଶ ପରିବର୍ତ୍ତନ ଯୋଗୁଁ ଜନବସତି ସମୁଦ୍ରର କରାଳ ଗର୍ଭରେ ଲୀନ ହୋଇଯାଉଛି। ଏହି ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଚଳଚ୍ଚିତ୍ର ସଂପୂର୍ଣ୍ଣ ସୁଟିଂ ସାତଭାୟାରେ ହୋଇଥିବା ସେ କହିଛନ୍ତି।

publive-image

ପୁରୀ ଜିଲ୍ଲାର ଲୋକକଳା, ଶ୍ରୀକ୍ଷେତ୍ରର ଭାବାଧାରକୁ ନେଇ ତିଆରି ହୋଇଥିବା ଚଳଚ୍ଚିତ୍ର ‘ଶ୍ରୀକ୍ଷେତ୍ରରୁ ସାହିଯାତ’ କଳା ଓ ସଂସ୍କୃତିରେ ଶ୍ରେଷ୍ଠ ଭାବେ ପୁରସ୍କୃତ ହୋଇଛି। ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ପଟ୍ଟନାୟକ ଏନେଇ କହନ୍ତି, ରାଜ୍ୟରେ ପୁରୀର ଲୋକକଳା ହିଁ ନିଆରା। ପୁରୀର ଆଖଡ଼ା, ସାହି ଭାଇର ସଂପର୍କ, ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଲୋକଙ୍କ ଆଗ୍ରହକୁ ସାରା ବିଶ୍ବରେ ଆଦୃତ ହେବା ପରେ ଜାତୀୟ ପୁରସ୍କାର ପାଇବା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe