3 Odia films premiere in Goa: ଗୋଆରେ ୩ ଓଡ଼ିଆ ଚଳଚ୍ଚିତ୍ରର ପ୍ରିମିୟର୍‌: ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଆ ଫିଲ୍ମ

୫୬ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଆସନ୍ତା ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରତିଥର ଭଳି ଚଳିତ ଥର ୩ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡିଆନ୍‌....

sfhfhfhfh

ଭୁବନେଶ୍ବର: ୫୬ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଆସନ୍ତା ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରତିଥର ଭଳି ଚଳିତ ଥର ୩ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡିଆନ୍‌ ପାନୋରମାର ଫିଚର୍‌ ଓ ଅଣଫିଚର୍‌ ବର୍ଗରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଥିବା ବେଳେ ୩ ଓଡ଼ିଆ ନିର୍ମାତାଙ୍କ ଅନ୍ୟ ଭାଷାର ସିନେମା‌ ମଧ୍ୟ ଏଥିରେ ପ୍ରଦର୍ଶନ ଲାଗି ମନୋନୀତ ହୋଇଛି। ଇଣ୍ଡିଆନ୍‌ ପାନୋରମା ଫିଚର୍‌ ଫିଲ୍ମ ବର୍ଗରେ ମନୋନୀତ ବିଭିନ୍ନ ଭାଷାର ୨୦ଟି ସିନେମା ମଧ୍ୟରେ ୧୭ ନମ୍ବରରେ ରହିଛି ଓଡ଼ିଆ ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡିଜ୍‌’। 

ଏହି ଚଳଚ୍ଚିତ୍ରର ପ୍ରଯୋଜନା ‘କୌସ୍ତଭ ଡ୍ରିମ୍‌ୱାର୍କସ୍‌ ଷ୍ଟୁଡିଓଜ୍‌’ କରିଥିବା ବେଳେ ବିଶାଳ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି। ସେହିଭଳି ଏହି ବର୍ଗର ଶେଷ ସ୍ଥାନରେ ରହିଛି ରାଜସ୍ଥାନୀ ସିନେମା ‘ୱିସ୍‌ପର୍ସ ଅଫ୍‌ ଦ ମାଉଣ୍ଟେନ୍ସ’। ଏହାର ପ୍ରଯୋଜନା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଶା ପ୍ରଯୋଜକ ଜିତେନ୍ଦ୍ର ମିଶ୍ର କରିଥିବା ବେଳେ ‘ସିନେମା ଫର୍‌ ଗୁଡ୍‌’ ବ୍ୟାନର୍‌ରେ ଏହା ନିର୍ମିତ ହୋଇଛି। ଜିଗର ନାଗଡ଼ା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ସେହିଭଳି ଇଣ୍ଡିଆନ୍‌ ପାନୋରାମା ଅଣଫିଚର୍‌ ଫିଲ୍ମ ବର୍ଗରେ କାଦମ୍ବିନୀ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପ୍ରଯୋଜିତ ଏବଂ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ମହିମା ଅଲେଖ’ ମନୋନୀତ ହୋଇଛି। 

ଏତତ୍‌ବ୍ୟତୀତ ଚଳଚ୍ଚିତ୍ର ମହୋତ୍ସବର ଗାଲା ପ୍ରିମିୟର୍‌ ଓ ରେଡ୍‌ କାର୍ପେଟ ବର୍ଗରେ ୩ଟି ସିନେମା ପ୍ରଦର୍ଶିତ ହେବ। ଯାହାର ସମ୍ପର୍କ ଓଡ଼ିଶା ଓ ଓଡ଼ିଆ ସିନେମା ସହ ରହିଛି। ଆସନ୍ତା ୨୨ ତାରିଖରେ ‘ସ୍ପାଇଂ ଷ୍ଟାର୍ସ’ର ଇଣ୍ଡିଆ ପ୍ରିମିୟର୍‌ ଓ ‘ପାପା ବୁକା’ର ଏସିଆ ପ୍ରିମିୟର୍‌ ଅନୁଷ୍ଠିତ ହେବ। ଏଥିସହ ‘ବିନ୍ଦୁସାଗର’ ଚଳଚ୍ଚିତ୍ରର ୱାର୍ଲ୍ଡ ପ୍ରିମିୟର୍‌ ୨୫ ତାରିଖ ଦିନ ଅନୁଷ୍ଠିତ ହେବ। ସମସ୍ତ ପ୍ରିମିୟର୍‌ ଗୋଆର ଆଇନକ୍ସ ପଞ୍ଜିମ, ପୁରୁଣା ଜିଏମ୍‌ସି ବିଲ୍ଡିଂର ବିଭିନ୍ନ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହେବ। ତେବେ ଇଂରାଜୀ ଓ ସିଂହଳୀ ଭାଷାରେ ପ୍ରସ୍ତୁତ ଫାଣ୍ଟିାସି ଏବଂ ୧୨୦ ମିନିଟ୍‌ ଅବଧି ବିଶିଷ୍ଟ ‘ସ୍ପାଇଂ ଷ୍ଟାର୍ସ’ର ପ୍ରଯୋଜନା ଓଡ଼ିଆ ସିନେ ନିର୍ମାତା ନୀଳମାଧବ ପଣ୍ଡା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ବିମୁକ୍ତି ଜୟସୁନ୍ଦର। ସେହିଭଳି ଓଡ଼ିଆ ସିନେ ନିର୍ମାତା ଅକ୍ଷୟ ପରିଜା ଓ ସାଥୀଙ୍କ ଦ୍ବାରା ପ୍ରଯୋଜିତ ଓ ବିଜୁ ଦାମୋଦରନ୍‌ଙ୍କ ଦ୍ବାରା ନିର୍ଦ୍ଦେଶିତ ଇଂରାଜୀ ଓ ଅନ୍ୟ ଭାଷାରେ ନିର୍ମିତ ଚଳଚ୍ଚିତ୍ର ‘ପାପା ବୁକା’ ବି ସେହିଦିନ ପ୍ରଦର୍ଶିତ ହେବ।

ଅନ୍ୟପଟେ ଓଡ଼ିଆ ଚଳଚ୍ଚିତ୍ର ‘ବିନ୍ଦୁସାଗର’ ‘ପ୍ଲାଟୋନ୍‌ ୱାନ୍‌ ଫିଲ୍ମସ୍‌’ ବ୍ୟାନର୍‌ରେ ନିର୍ମିତ ହୋଇଥିବା ବେଳେ ଏହା ଏକ ୧୩୫ ମିନିଟ୍‌ ଅବଧିର ପାରିବାରିକ ଚଳଚ୍ଚିତ୍ର ଅଟେ। ଏହି ଚଳଚ୍ଚିତ୍ର ମହୋତ୍ସବର ଉଦ୍‌ଯାପନୀ ସମାରୋହରେ କିମ୍ବଦନ୍ତୀ ଅଭିନେତା ରଜନୀକାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯିବ। ଉତ୍ସବରେ ୮୧ଟି ଦେଶରୁ ୨୪୦ରୁ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ବୋଲି ଶୁକ୍ରବାର ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍‌ ଗୁରୁଗନ୍‌ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe