ଜଣେ ଜିଦ୍‌ଖୋର ଝିଅ ବନାମ ପୁରୁଷତନ୍ତ୍ର

Advertisment

ଜାତିବାଦ, ଅନର୍‌ କିଲିଂ, ଅନ୍ଧବିଶ୍ବାସ, ପୁରୁଷପ୍ରାଧାନ୍ୟ ଆଦି ଭାରତୀୟ ସମାଜର କଳଙ୍କିତ ପ୍ରସଙ୍ଗ ନେଇ ଅନେକ ସିନେମା ନିର୍ମିତ ହୋଇଛି, କିନ୍ତୁ ୩୬ ବର୍ଷୀୟ ତାମିଲ ନିର୍ଦେଶକ ପି. ଏସ୍‌. ବିନୋଦରାଜ ‘କୋଟ୍ଟୁକ୍କଲୀ’ ଚଳଚ୍ଚିତ୍ରରେ ଏ ସମସ୍ତ ବିଷୟକୁ ସ୍ପର୍ଶ କରିବା ସହିତ କାହାଣୀ କଥନକୁ ଏକ ନୂଆ...

ଜାତିବାଦ, ଅନର୍‌ କିଲିଂ, ଅନ୍ଧବିଶ୍ବାସ, ପୁରୁଷପ୍ରାଧାନ୍ୟ ଆଦି ଭାରତୀୟ ସମାଜର କଳଙ୍କିତ ପ୍ରସଙ୍ଗ ନେଇ ଅନେକ ସିନେମା ନିର୍ମିତ ହୋଇଛି, କିନ୍ତୁ ୩୬ ବର୍ଷୀୟ ତାମିଲ ନିର୍ଦେଶକ ପି. ଏସ୍‌. ବିନୋଦରାଜ ‘କୋଟ୍ଟୁକ୍କଲୀ’ ଚଳଚ୍ଚିତ୍ରରେ ଏ ସମସ୍ତ ବିଷୟକୁ ସ୍ପର୍ଶ କରିବା ସହିତ କାହାଣୀ କଥନକୁ ଏକ ନୂଆ...

dgjjgjgdjg

ଜାତିବାଦ, ଅନର୍‌ କିଲିଂ, ଅନ୍ଧବିଶ୍ବାସ, ପୁରୁଷପ୍ରାଧାନ୍ୟ ଆଦି ଭାରତୀୟ ସମାଜର କଳଙ୍କିତ ପ୍ରସଙ୍ଗ ନେଇ ଅନେକ ସିନେମା ନିର୍ମିତ ହୋଇଛି, କିନ୍ତୁ ୩୬ ବର୍ଷୀୟ ତାମିଲ ନିର୍ଦେଶକ ପି. ଏସ୍‌. ବିନୋଦରାଜ ‘କୋଟ୍ଟୁକ୍କଲୀ’ ଚଳଚ୍ଚିତ୍ରରେ ଏ ସମସ୍ତ ବିଷୟକୁ ସ୍ପର୍ଶ କରିବା ସହିତ କାହାଣୀ କଥନକୁ ଏକ ନୂଆ କଳାତ୍ମକ ଶିଖରକୁ ନେଇଯାଇଛନ୍ତି। ଫଳସ୍ବରୂପ ‘କୋଟ୍ଟୁକ୍କଲୀ’ ଏକ ଗତିଶୀଳ କବିତାର ରୂପ ନେଇଛି।
ପ୍ରଥମରୁ ସ୍ପଷ୍ଟ କରିଦେବା ଜରୁରି ଯେ ଜୀବନର କ୍ରୂର ବାସ୍ତବରୁ ବାହାରି କିଛି ଘଣ୍ଟା ଲାଗି ମନୋରଂଜନ ଦୁନିଆରେ ହଜିଯିବାର ମାଧ୍ୟମ ରୂପେ ସିନେମାକୁ ଦେଖୁଥିବା ଦର୍ଶକଙ୍କ ଲାଗି ‘କୋଟ୍ଟୁକ୍କଲୀ’ରେ କୌଣସି ଆକର୍ଷଣୀୟ ଉପାଦାନ ନାହିଁ। ଚରିତ୍ରମାନଙ୍କ ବାର୍ତ୍ତାଳାପ ଓ ପ୍ରଚ୍ଛଦ ସଂଗୀତରୁ ଦୃଶ୍ୟକୁ ବୁଝିବାରେ ଅଭ୍ୟସ୍ତ ଦର୍ଶକଙ୍କୁ ମଧ୍ୟ ଦେଢ଼ ଘଣ୍ଟାର ଏହି ସିନେମା ତିନି-ଚାରିଘଣ୍ଟାର ନିର୍ଯାତନା ପରି ମନେ ହୋଇପାରେ।

କାରଣ ଏହି ସିନେମାର ମୁଖ୍ୟ ଚରିତ୍ର ସମଗ୍ର ସିନେମାରେ ମାତ୍ର ଗୋଟିଏ ଧାଡ଼ିର ସଂଳାପ କହିଛନ୍ତି, ତାହା ବି ସିେନମା ଆରମ୍ଭ ହେବାର ଏକ ଘଣ୍ଟା ଅଠର ମିନିଟ୍‌ ପରେ! ସେହିପରି ଏଥିରେ କୌଣସି ପ୍ରଚ୍ଛଦ ସଂଗୀତ ମଧ୍ୟ ନାହିଁ; ସିନେମାସାରା ବିଚ୍ଛୁରିତ ଅଳ୍ପ କେତେକ ସଂଳାପକୁ ଛାଡ଼ିଦେଲେ ଅତିରିକ୍ତ ସମୟରେ ଶୁଣାଯାଉଛି ନିରବତା, ପରିବେଶର ଶବ୍ଦ ଅଥବା ଶ୍ରୁତିକଟୁ କୋଳାହଳ। ଅପରପକ୍ଷେ, ସିନେମାକୁ ସମାଜର ଦର୍ପଣ ରୂପେ ଦେଖିବାକୁ ଚାହୁଥିବା ଦର୍ଶକଙ୍କୁ ‘କୋଟ୍ଟୁକ୍କଲୀ’ ଯେମିତି ଏକାସମୟରେ ସ୍ତମ୍ଭୀଭୂତ ଓ ଚମତ୍କୃତ କରେ ତାହା କରିବାରେ ଖୁବ୍‌ କମ୍ ନିର୍ଦେଶକ ସକ୍ଷମ ହୋଇଥାନ୍ତି। 

ଏହି କାହାଣୀ କେନ୍ଦ୍ରରେ ଅଛନ୍ତି ୨୧ ବର୍ଷୀୟା ‘ମୀନା’ (ଆନ୍ନା ବେନ), ଯିଏ ଜାତିର ସୀମା ଡେଇଁ ଅଲଗା ଜାତିର ଜଣେ ଯୁବକଙ୍କ ପ୍ରେମରେ ପଡ଼ିଯାଇଛି ଓ ତାକୁ ବିବାହ କରିବାର ଜିଦ୍‌ରେ ଅଟଳ ରହିଛି (ଯେଉଁ କାରଣରୁ ତାମିଲ ଭାଷାରେ ଚଳଚ୍ଚିତ୍ରର ନାମ ରଖାଯାଇଛି ‘ଜିଦ୍‌ଖୋର ଝିଅ’)। ହେଲେ ପରିବାରର ପରମ୍ପରା ଅନୁଯାୟୀ ମୀନା ତା’ ମାମୁ ‘ପାଣ୍ଡି’ (ସୁରି)କୁ ବିବାହ କରିବା ବହୁ ପୂର୍ବରୁ ଧାର୍ଯ୍ୟ ହୋଇଯାଇଛି। ଉଭୟଙ୍କ ପରିବାର ଭାବୁଛନ୍ତି ମୀନାର ପ୍ରେମିକ ଗୁଣି ବିଦ୍ୟାରେ ତାକୁ ବଶୀଭୂତ କରି ରଖିଛି। ତେଣୁ ମୀନାକୁ ‘ଠିକ୍ କରିବା’ ଲାଗି ଉଭୟ ପରିବାର ଜଣେ ବାବା ପାଖକୁ ଯାଉଛନ୍ତି। ଗୋଟିଏ ଦିନର ସେହି ଯାତ୍ରା ଭିତରେ ଯାହା କିଛି ଘଟୁଛି ତାହା ହେଉଛି ଏହି ସିନେମାର କାହାଣୀ।

ଏହାର ନିର୍ଦେଶନା, ଅଭିନୟ, ଚିତ୍ରନାଟ୍ୟ, ଚିତ୍ରୋତ୍ତୋଳନ ସବୁକିଛି ନିଖୁଣ ସ୍ତରର। ମଲାୟାଲମ୍ ଅଭିନେତ୍ରୀ ଆନ୍ନା ବେନ କେବଳ ମୁଖମଣ୍ଡଳର ଭାବଭଙ୍ଗୀରେ ଜଣେ ବିଷାଦଗ୍ରସ୍ତ ଯୁବତୀର ଅସହାୟତାକୁ ଖୁବ୍ ବିଶ୍ବସନୀୟ ଢଙ୍ଗରେ ରୂପାୟିତ କରିଛନ୍ତି। ଅଭିଜ୍ଞ ତାମିଲ ଅଭିନେତା ସୁରି ମଧ୍ୟ ପୁରୁଷତନ୍ତ୍ରର ଜଣେ କ୍ରୋଧୀ ପ୍ରତିନିଧି ଭାବେ ନିଜ ଚରିତ୍ରର ଅନ୍ତଃକରଣ କରିପାରିଛନ୍ତି। ଉଭୟଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସମର୍ଥନ କରିଛି ଅନ୍ୟାନ୍ୟ ପାର୍ଶ୍ବ ଚରିତ୍ରଙ୍କ ଜୀବନ୍ତ ଅଭିନୟ। ଦୁଇ ଜଣ ଶିଶୁ ଚରିତ୍ର ଓ ଦୁଇଟି ଜୀବ (ବଳି ପଡ଼ିବାକୁ ଯାଉଥିବା ଗଞ୍ଜା ଓ ରାସ୍ତା ମଝିରେ ଛିଡ଼ା ହୋଇ ରହିଥିବା ବଳଦ) ମଧ୍ୟରେ ନିରୀହ ସମ୍ପର୍କର ଅବତାରଣା ଜରିଆରେ ନିର୍ଦେଶକ ଏହି କାହାଣୀର ଦାରୁଣ ଆଘାତକୁ ଅଧିକ ଅର୍ଥପୂର୍ଣ୍ଣ କରିଛନ୍ତି। ସୁଟିଂରେ ଧ୍ବନିର ଲାଇଭ୍‌ ରେକର୍ଡିଂ ଦର୍ଶାଇଥାଏ ଯେ ନିଜ ସେଟ୍‌ ଉପରେ ନିର୍ଦେଶକଙ୍କର ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ସିନେମାଟି ସମାପ୍ତ ହୋଇଛି ଏକ ଦ୍ବନ୍ଦ୍ବାତ୍ମକ ସ୍ଥିତିରେ ଯାହା ଦର୍ଶକଙ୍କୁ ଦୀର୍ଘ କାଳ ଧରି ଭାବିବାକୁ ବାଧ୍ୟ କରିବ। ‘କୋଟ୍ଟୁକ୍କଲୀ’ ଭାଷା ଓ ସଂସ୍କୃତିର ସୀମା ଅତିକ୍ରମ କରି ମାନବୀୟ ଚେତନାକୁ ସ୍ପର୍ଶ କରିଥିବାରୁ ଏହାକୁ ସହଜରେ ଏ ବର୍ଷର ଶ୍ରେଷ୍ଠ ସିେନମା ଭାବରେ ପରିଗଣିତ କରାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe