ମୁମ୍ବାଇ: ଅଗଷ୍ଟ ୧୧ରେ ରିଲିଜ୍ ହୋଇଥିଲା ଆମୀର ଖାନଙ୍କ ଫିଲ୍ମ 'ଲାଲ ସିଂ ଚଢ଼ା'। ଫିଲ୍ମକୁ ଲୋକେ ବଏକଟ କରୁଥିବା ବେଳେ ଏବେ ବକ୍ସ ଅଫିସରେ ଫିଲ୍ମଟି ଫ୍ଲପ ହେବା ଭଳି ଲାଗିଲାଣି। ଦିନକୁ ଦିନ ବକ୍ସ ଅଫିସ ଆୟ କମ ହେଉଥିବା ବେଳେ ଚିନ୍ତାରେ ପଡ଼ିଛନ୍ତି ଫିଲ୍ମର କଳାକାର ଓ ପ୍ରଯୋଜକ । ୨୦୨୨ ଆରମ୍ଭରୁ ବଲିଉଡର କୌଣସି ଫିଲ୍ମ ସେଭଳି ଭଲ ବ୍ୟବସାୟ କରିପାରି ନଥିବା ବେଳେ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ'ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଟ୍ବିଟ କରି ଏହା ପଛର କାରଣ ଜଣାଇଛନ୍ତି।
୬୦ବର୍ଷ ବୟସର ହିରୋ ଯଦି ୩୦ବର୍ଷୀୟା ନାୟିକାଙ୍କ ସହ ରୋମାନ୍ସ କରିବାକୁ ବ୍ୟାକୁଳ ହେବେ ତେବେ ବଲିଉଡର ଅବସ୍ଥା ଏଭଳି ହେବ ବୋଲି କହିଛନ୍ତି ବିବେକ ଅଗ୍ନିହୋତ୍ରୀ। ଶୁକ୍ରବାର ଦିନ ଏକ ଟ୍ୱିଟରେ ଅଗ୍ନିହୋତ୍ରୀ ଲେଖିଛନ୍ତି, 'ବଲିଉଡରେ ଚଳଚ୍ଚିତ୍ରର ଗୁଣବତ୍ତା ବିଷୟରେ ଭୁଲିଯାଅ, ଯେତେବେଳେ ଜଣେ ୬୦ବର୍ଷ ବୟସ୍କ ହିରୋ ୨୦-୩୦ ବର୍ଷ ବୟସ୍କା ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ବ୍ୟାକୁଳ ହେଉଛନ୍ତି, ଯୁବକ ଭଳି ଦେଖାଯିବା ପାଇଁ ଫଟୋସପର ସାହାରା ନେଉଛନ୍ତି, ଏହାକୁ ଦେଖିଲେ ଲାଗୁଛି ଯେ ବଲିଉଡରେ କିଛି ମୌଳିକ ତ୍ରୁଟି ରହିଛି। ଯୁବକ ଭଳି ଦେଖାଯିବାର ନିଶା ବଲିଉଡକୁ ଧ୍ୱଂସ କରିଦେଇଛି ଏବଂ ଏଥିପାଇଁ କେବଳ ଜଣେ ବ୍ୟକ୍ତି ଦାୟୀ।
ତେବେ ଯେଉଁ ବ୍ୟକ୍ତିଙ୍କୁ ଟାର୍ଗେଟ କରି ବିବେକ ଅଗ୍ନିହୋତ୍ରୀ ଏହି କଡା ଟୁଇଟ୍ କରିଛନ୍ତି ସେ କିଏ ତାହା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିନ୍ତୁ ଜଣେ ବ୍ୟକ୍ତି କିଏ, ତାହା ବିବେକ ନିଜ ଟ୍ବିଟରେ ସ୍ପଷ୍ଟ କରିନାହାନ୍ତି।
Follow Us