‘ମହାଭାରତ’ର ଶକୁନି ଚରିତ୍ରରେ ଅଭିନୟ କରିଥିବା ଗୁଫୀ ପେଣ୍ଟଲ୍‌ଙ୍କ ଦେହାନ୍ତ

Advertisment
‘ମହାଭାରତ’ର ଶକୁନି ଚରିତ୍ରରେ ଅଭିନୟ କରିଥିବା ଗୁଫୀ ପେଣ୍ଟଲ୍‌ଙ୍କ ଦେହାନ୍ତ

ମୁମ୍ବାଇ: ବି. ଆର୍‌. ଚୋପ୍ରାଙ୍କ ଟେଲିଭିନ୍‌ ଧାରାବାହିକ ‘ମହାଭାରତ’ରେ ଶକୁନି ମାମୁ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ସରବ୍‌ଜୀତ୍‌ ଗୁଫୀ ପେଣ୍ଟଲ୍‌ଙ୍କର ଆଜି ଦେହାନ୍ତ ହୋଇଥିବା କଥା ତାଙ୍କ ପରିବାରସୂତ୍ରରୁ ଜଣାପଡ଼ିଛି।

ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ  ଏହି ୭୯ ବର୍ଷୀୟ ଅଭିନେତାଙ୍କର ମୃତ୍ୟୁ ଘଟିଛି ବୋଲି ତାଙ୍କ ପରିବାର ଲୋକେ ସୁନିଶ୍ଚିତ କରିଛନ୍ତି।

publive-image Image Courtesy of TimesNow

‘ନିଉଜ୍‌ ଏଜେନ୍‌ସି ପି.ଟି.ଆଇ.’କୁ ତାଙ୍କ ପୁତୁରା ହିତେନ୍‌ ପେଣ୍ଟଲ୍‌ କହିଛନ୍ତି, ଦୁଃଖର କଥା, ସେ ଆଉ ନାହାନ୍ତି। ଆଜି ସକାଳ ପ୍ରାୟ ୯ଟା ବେଳେ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଯାଇଛି। ଶୋଇଥିବା ଅବସ୍ଥାରେ ଶାନ୍ତିରେ ତାଙ୍କର ମୃତ୍ୟୁ ଘଟିଛି।

‘ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ ରିପୋର୍ଟ ଅନୁସାରେ ତାଙ୍କ ପରିବାର ଦେଇଥିବା ବିବୃତିରେ ଉଲ୍ଲେଖ ଅଛି, ଆମ ବାପା ଗୁଫୀ ପେଣ୍ଟଲ୍‌ଙ୍କର (ଶକୁନି ମାମୁ) ଦେହାନ୍ତ ହୋଇଥିବା ଖବର ଅତ୍ୟନ୍ତ ଦୁଃଖର ସହିତ କହୁଛୁ। ପରିବାର ଲୋକଙ୍କ ଗହଣରେ ଆଜି ସକାଳେ ସେ ଶାନ୍ତିରେ ଦେହ ତ୍ୟାଗ କରିଛନ୍ତି।

Gufi and Rishi in Rafoo Chakkar

ତାଙ୍କ ପୁତୁରା ହିତେନ୍‌ କହିଛନ୍ତି, ଆଜି ସକାଳ ପ୍ରାୟ ୯ଟା ବେଳେ ତାଙ୍କର ମୃତ୍ୟୁ ଘଟିଲା। ତାଙ୍କର ହୃଦ୍‌ପିଣ୍ଡ କାମ କରୁ ନ ଥିଲା। ଅଳ୍ପଦିନ ତଳେ ତାଙ୍କୁ ସଙ୍କଟଜନକ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଗୁଫୀଙ୍କର ପୁଅ-ବୋହୂ ଓ ନାତି ଅଛନ୍ତି। ଆଜି ଅପରାହ୍ଣ ୪ଟା ବେଳେ ମୁମ୍ବାଇର ଅନ୍ଧେରୀ ଉପନଗରୀସ୍ଥିତି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ଗୁଫୀ ଉଭୟ ଟେଲିଭିଜନ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ‘ବାହାଦୁର୍‌ ଶାହ ଜାଫର୍‌’, ‘ମହାଭାରତ’, ‘କାନୁନ୍‌’, ‘ଓଁ ନମଃ ଶିବାୟ’, ‘ସିଆଇଡି’, ‘ସସ୍‌ କୋଇ ହୈ’, ‘ଦ୍ବାରକାଧୀଶ ଭଗବାନ ଶ୍ରୀକୃଷ୍ଣ’, ‘ରାଧାକୃଷ୍ଣ’ ଏବଂ ‘ଜୟ କନିୟା ଲାଲ୍‌ କି’ ଆଦି ଅନେକ ଟେଲିଭିଜନ ଧାରାବାହିକରେ ସେ ଅଭିନୟ କରିଛନ୍ତି।

୧୯୭୫ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ‘ରଫୁ ଚକ୍କର୍‌’ରେ ଗୁଫୀ ସର୍ବପ୍ରଥମେ ଅଭିନୟ କରିଥିଲେ। ଏହାପରେ ‘ଦିଲ୍ଲଗି’, ‘ଦେଶ ପର୍‌ଦେଶ’ ଏବଂ ‘ସୁହାଗ’ ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe