ମୁମ୍ବାଇ: ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେ କୋଭିଡ-୧୯ରେ ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ହେବା ପରେ ହର୍ଷବର୍ଦ୍ଧନ ହୋମ୍ କ୍ଵାରେଣ୍ଟାଇନରେ ଅଛନ୍ତି।
ହର୍ଷବର୍ଦ୍ଧନ ରାଣେ ସୋମବାର ରାତିରେ ଟ୍ୱିଟ କରି ଜଣାଇଥିଲେ କି ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କିଛିଦିନ ହେବ ତାଙ୍କର ଜ୍ୱର ଓ ପେଟରେ ଯନ୍ତ୍ରଣା ହେଉଥିଲା। ଏହାପରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଡାକ୍ତର କରୋନା ପରୀକ୍ଷା ପାଇଁ କହିଥିଲେ। କରୋନା ପରୀକ୍ଷା କରିବା ପରେ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଥିଲା। ଆରୋଗ୍ୟ ସେତୁ ଆପ ଅନୁସାରେ ବର୍ତ୍ତମାନ କରୋନା ସଂକ୍ରମିତ ଥିବାରୁ ଆଗାମୀ ୧୦ ଦିନ ସେ କ୍ଵାରେଣ୍ଟାଇନରେ ରହିବେ ବୋଲି କହିଛନ୍ତି।
ଏଥିସହିତ ଅଭିନେତା ହର୍ଷବର୍ଦ୍ଧନ ଶୀଘ୍ର ସୁସ୍ଥ ହୋଇ ଫେରିଲେ ତାଙ୍କ ପ୍ରଶଂସକମାନଙ୍କୁ ଏକ ଭଲ ଖବର ଦେବେ ବୋଲି କହିଛନ୍ତି।
ଏପର୍ଯ୍ୟନ୍ତ ବଲିଉଡରେ ଅନେକ କରୋନା ମାମଲା ସାମ୍ନାକୁ ଆସିଛି। ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାରଠାରୁ ଆରମ୍ଭ କରି ମଲାଇକା ଆରୋରା, ତମନ୍ନା ଭାଟିଆ, ଅର୍ଜୁନ କପୁର, ଆଫତବ ଶିବଦାସାନି, ଜେନେଲିଆ ଡି’ସୁଜା, କିରଣ କୁମାର ପର୍ଯ୍ୟନ୍ତ ବହୁ ସେଲିବ୍ରିଟି କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିସାରିଛି।
Follow Us