Ommcom News
୧୯୯୬ ମସିହାରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରଥିଲେ ପିଣ୍ଟୁ ନନ୍ଦ। ପରଦାରେ ସେ ପ୍ରାୟତଃ ହାସ୍ୟାଭିନେତା ଭୂମିକାରେ ହସ ଏବଂ ଖଳନାୟକ ଭୂମିକାରେ ରାଗ ବାଣ୍ଟୁଥିବା ଜଣେ ପରିଚିତ କଳାକାର। ଅଭିନେତା ପିଣ୍ଟୁ ନନ୍ଦ ଏବେ ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଉଚ୍ଚମାନର ଚିକିତ୍ସା ପାଇଁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ତାଙ୍କର ଚିକିତ୍ସା ପାଇଁ ଅନ୍ୟୂନ ୫୦ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଡାକ୍ତର ଆକଳନ କରି କହିଛନ୍ତି। ହେଲେ ଏତେ ଅର୍ଥ ଯୋଗାଡ଼ କରିବା ପିଣ୍ଟୁଙ୍କ ପାଇଁ ଅସମ୍ଭବ। ତାଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ସୋସିଆଲ ମିଡିଆରେ ଅନେକ କଳାକାର ଓ ପିଣ୍ଟୁଙ୍କ ପ୍ରଶଂସକମାନେ ନିବେଦନ କରିଛନ୍ତି। ଏହା ଭିତରେ କିଛି ସହୃଦୟ ବ୍ୟକ୍ତି ମଧ୍ୟ ନିଜ ସାମର୍ଥ୍ୟ ଅନୁଯାୟୀ ତାଙ୍କୁ ସହଯୋଗର ହାତ ବଢ଼ାଇଲେଣି। ପିଣ୍ଟୁଙ୍କ ଆରୋଗ୍ୟ ପାଇଁ ଓଡ଼ିଶା ସିନେ କଳାକାର ସଙ୍ଘର ସଦସ୍ୟମାନେ ମଧ୍ୟ ଏକାଠି ହେଇଛନ୍ତି।
ଚଳଚ୍ଚିତ୍ର ଜଗତ ମନୋରଂଜନ ଦୁନିଆ ପାଇଁ ପିଣ୍ଟୁ ନନ୍ଦଙ୍କର ଯଥେଷ୍ଟ ଗୁରୁତ୍ବ ରହିଛି। ଏଇ କିଛିଦିନ ହେବ କିଛି ଚଳଚ୍ଚିତ୍ରରେ ବାପା ଚରିତ୍ର ପାଇଁ ପିଣ୍ଟୁ ନନ୍ଦଙ୍କୁ ଖୋଜା ପଡ଼ୁଥିଲା। ହେଲେ ହଠାତ୍ ସେ ଏଭଳି ଦୁରାରୋଗ୍ୟର ଶିକାର ହେବେ କିଏ ଜାଣିଥିଲା। ଶୁଣାଯାଉଛି ଦିନକୁଦିନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଛି। ପିଣ୍ଟୁ ନନ୍ଦ ଅନେକ ଚଳଚ୍ଚିତ୍ର, ଆଲବମ୍ ଓ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି। ପରଦା ଦୁନିଆରେ ପ୍ରବେଶ କରିଥିବା ପିଣ୍ଟୁ ନନ୍ଦ ପ୍ରଥମେ ‘କୋଇଲି’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଦୂରଦର୍ଶନରେ ପ୍ରସାରିତ ବ୍ୟାସକବି ଫକୀର ମୋହନଙ୍କ ଗଳ୍ପ ‘ରାଣ୍ଡି ପୁଅ ଅନନ୍ତା’ରେ ପିଣ୍ଟୁଙ୍କ ଅଭିନୟ ହଜାର ହଜାର ଦର୍ଶକଙ୍କୁ ଭାବବିହ୍ବଳିତ କରିଥିଲା। ପରେ ରଙ୍ଗ୍ ନମ୍ବର, ବାହୁଡ଼ିବେ ମୋ ଜଗାବଳିଆ, ପ୍ରେମଋତୁ ଆସିଲାରେ, ଦୋସ୍ତି, ହାତ ଧରି ଚାଲୁଥା, ରୁମ୍କୁ ଝୁମାନା, କଥା ଦେଲି ମଥା ଛୁଇଁ ପରି ୪୦ରୁ ଅଧିକ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି।
ତାଙ୍କ ଅଭିନୟ ଜୀବନର ସବୁଠୁ ସ୍ମରଣୀୟ ଭୂମିକା ଥିଲା ସବ୍ୟସାଚି ମହାପାତ୍ରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଜୟ ଜଗନ୍ନାଥ’। ଏହି ପୌରାଣିକ ଚଳଚ୍ଚିତ୍ରଟି ଓଡ଼ିଆ ସମେତ ବିବିଧ ଆଞ୍ଚଳିକ ଭାଷାରେ ସାରା ଭାରତରେ ମୁକ୍ତିଲାଭ କରି ବେଶ୍ ଦର୍ଶକାଦୃତ ହେଇଥିଲା। ଏଥିରେ ଶ୍ରୀତମ ଦାସ ଜଗନ୍ନାଥ, ଜ୍ୟୋତି ମିଶ୍ର ମହାଲକ୍ଷ୍ମୀ ଭୂମିକାରେ ଥିବାବେଳେ ବଳରାମଙ୍କ ଭୂମିକାରେ ଅବତୀର୍ଣ୍ଣ ହେଇଥିଲେ ପିଣ୍ଟୁ ନନ୍ଦ। ଓଡ଼ିଆ ଆଲ୍ବମ୍ ‘ଏ ଗୌରା ଆଜିକାଲି କ’ଣ ଖାଉଚୁ’ରେ ଅଭିନୟ କରି ସେ ବହୁ ଦର୍ଶକଙ୍କୁ ମନୋରଂଜନ ଦେଇଥିଲେ। ଏହା ବ୍ୟତୀତ ଅବସର ସମୟରେ ଅନାଥ ଲୋକମାନଙ୍କ ସେବା କରୁଥିଲେ। ହସ ଓ ରାଗ ବାଣ୍ଟି ଆସୁଥିବା ପିଣ୍ଟୁଙ୍କୁ ଲିଭର ସିରୋସିସ୍ ହତାଶ କରିଛି। ବହୁ କଳାକାର ଓ ଦର୍ଶକ ଦୁଃଖପ୍ରକାଶ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
Follow Us