ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିୟର୍ ଏବଂ ମାଲାୟାଲମ୍ ଚଳଚ୍ଚିତ୍ର ‘ଓରୁ ଅଦର୍ ଲଭ୍’ର ପ୍ରଯୋଜକ ମିଶି ସୋମବାର ସୁପ୍ରିମ୍କୋର୍ଟରେ ଏକ ଯାଚିକା ଦାୟର କରିଛନ୍ତି। ନିକଟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ‘ଓରୁ ଅଦର୍ ଲଭ୍’ର ଗୀତ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ଖାରଜ କରିବାକୁ ସେମାନେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି। ସେମାନେ ଯାଚିକାରେ କହିଛନ୍ତି କି ପ୍ରତ୍ୟେକ ନାଗରିକର ଭାବପ୍ରକାଶ କରିବାର ଅଧିକାର ରହିଛି। ନିକଟରେ ଗୀତ ବିରୋଧରେ ରୁଜୁ ହୋଇଥିବା ମାମଲା ନାଗରିକର ଅଭିବ୍ୟକ୍ତି ଅଧିକାର କ୍ଷୁର୍ଣ୍ଣ କରୁଛି।
ଯାଚିକାରେ ଆହୁରି ବି କୁହାଯାଇଛି ଯେ ଅସଲି ଗୀତ ହେଉଛି କେରଳର ଆଞ୍ଚଳିକ ସଂସ୍କୃତିର ଏକ ଅଂଶ। ଏଥିରେ କୌଣସି ବିବାହ ହେବା ପରି ଦୃଶ୍ୟ ନାହିଁ। ମହାପୁରୁଷ ମହମ୍ମଦ ଏବଂ ତାଙ୍କ ପ୍ରଥମ ପତ୍ନୀଙ୍କ ପ୍ରେମ କାହାଣୀକୁ ଚଳଚ୍ଚିତ୍ରରେ ନିଚ୍ଛକ ଭାବେ ପ୍ରଦର୍ଶନ କରାଯାଇଛି ବୋଲି ନିର୍ମାତା କହିଛନ୍ତି। ତେବେ, ସୁପ୍ରିମ୍କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଗଠିତ ଏକ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ।
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ମାଲାୟାଲାମ୍ ଚଳଚ୍ଚିତ୍ର ‘ଓରୁ ଅଦର୍ ଲଭ୍’ର ଏକ ଗୀତରେ ଥିବା ଅଭିନେତ୍ରୀ ପ୍ରିୟାଙ୍କ ୨୦ ସେକେଣ୍ଡ୍ର ଆଖିମରା ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଥିଲା। ସେହି ଗୋଟାଏ ଭିଡିଓ ପାଇଁ ପ୍ରିୟା ରାତାରାତି ପାଲଟିଗଲେ ଲୋକପ୍ରିୟ ଅଭିନେତ୍ରୀ। ମାତ୍ର ଫେବ୍ରୁଆରି ୧୪ ତାରିଖ ଦିନ ହାଇଦ୍ରାବାଦ୍ର ଫଲକୁନାମା ପୁଲିସ୍ ଥାନାରେ ଏକ ଦଳ ମିଶି ଏହି ଗୀତ ବିରୋଧରେ ଅଭିଯୋଗ ଆଣିଥିଲେ। ସେମାନେ ଅଭିଯୋଗରେ ଦର୍ଶାଇଥିଲେ କି ଗୀତରେ ପ୍ରୋଫେଟ୍ ମହମ୍ମଦଙ୍କୁ ଅପମାନିତ କରାଯାଇଛି। ପୁଲିସ୍ ଏ ନେଇ ଏକ ମାମଲା ରୁଜୁ କରିଥିଲା। ସରକାର ଚଳଚ୍ଚିତ୍ରରୁ ଏହି ଗୀତଟିକୁ ହଟାଇ ଦିଅନ୍ତୁ ବୋଲି ଦାବି କରି ତା’ପରଦିନ ଅର୍ଥାତ ୧୫ ତାରିଖରେ ହାଇଦ୍ରାବାଦ୍ର ଇସ୍ଲାମିକ୍ ସେମିନାରି ଜମିଆ ନିଜାମିଆ ପକ୍ଷରୁ ଅନ୍ୟ ଏକ ଫତଓ୍ଵା ଜାରି କରାଯାଇଥିଲା।
Follow Us