ଅଭିନେତ୍ରୀ ଡୋନଲଙ୍କ ଅଭିଯାନ

ଅଭିନେତ୍ରୀ  ଡୋନଲଙ୍କ ଅଭିଯାନ

Woman's era

ନିଜର ଭାଗ୍ୟ ସହ କର୍ମ ଯେବେ ଏକ ସରଳରେଖାରେ ରହିଯାଏ, ସେତେବେଳେ ସ୍ବପ୍ନ ବାସ୍ତବ ରୂପ ନେଇଥାଏ। ଅଗ୍ରଣୀ ଅଭିନେତ୍ରୀ ଡୋନଲ ବିଷ୍ଟଙ୍କ ଭାଗ୍ୟରେ ସେପରି କିଛି ଘଟିଚାଲିଛି ଯାହା ତାଙ୍କର ସ୍ବପ୍ନକୁ ସାକାର କରିବାରେ ସହାୟକ ହୋଇଛି। ରାଜସ୍ଥାନର ଅଲଵାର ଠାରେ ୧୯୯୪ ଅଗଷ୍ଟ ୨୭ରେ ଜନ୍ମିତା ଡୋନଲ୍‌ ପିତାମାତାଙ୍କ ପରାମର୍ଶକ୍ରମେ ଗଣଯୋଗାଯୋଗ ପାଠ୍ୟକ୍ରମରେ ସ୍ନାତକ ଡିଗ୍ରି ସାରିଥିଲେ। ତେବେ ଭବିଷ୍ୟତରେ ଜଣେ ଅଭିନେତ୍ରୀ ହୋଇ ଗ୍ଲାମର ଜଗତ୍‌ରେ ପ୍ରତିଷ୍ଠିତ ହେବା ଲାଗି ତାଙ୍କ ମନକୁ ଏକ ଅବ୍ୟକ୍ତ କଳ୍ପନା ଆଲୋଡ଼ିତ କରି ଚାଲିଥିଲା। ସୌଭାଗ୍ୟକୁ ସ୍ନାତକ ପଢ଼ିଲା ବେଳେ ସେ କିଛି ବିଜ୍ଞାପନରେ ମଡେଲିଂ କରିବାର ସୁଯୋଗ ପାଇଥିଲେ। ପରେ ଏକ ଟିଭି ଚ୍ୟାନେଲର ସାମ୍ବାଦିକା ସାଜି ସେ ନିଜର ପେସାଗତ ଜୀବନ ଆରମ୍ଭ କରିଥିଲେ। ଦୂରଦର୍ଶନରେ ପ୍ରସାରିତ ମନୋରଞ୍ଜନଧର୍ମୀ ଧାରାବାହିକ ‘ଚିତ୍ରହାର’ର ଉପସ୍ଥାପିକା ସାଜି ସେ ନିଜ ସ୍ବପ୍ନର ପ୍ରଥମ ପାହାଚରେ ପାଦ ରଖିଥିଲେ। ଏହା ପରେ ସେ ମୁମ୍ବାଇ ଚାଲି ଆସିଥିଲେ। ସେଠାରେ ତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା ୨୦୧୪ରୁ ପ୍ରସାରିତ ଟିଭି ଧାରାବାହିକ ‘ଏୟାରଲାଇନ୍‌ସ: ହର ଉଡ଼ାନ ଏକ ତୁଫାନ’ ମାଧ୍ୟମରେ। ଏହାପରେ ମାଲାୟଲୀ ଫିଲ୍ମ ‘ଡି କମ୍ପାନି’ରେ ଏକ ସଂକ୍ଷିପ୍ତ ତଥା ସ୍ବତନ୍ତ୍ର ଭୂମିକା ନିର୍ବାହ କରି ସେ ପ୍ରଥମ ଥର ବଡ଼ ପରଦାରେ ଦେଖା ଦେଇଥିଲେ।

ଏହାପରେ ‘କଲାସ-ଏକ ବିଶ୍ବାସ’, ‘ଏ ଜିନ୍ଦଗୀ’ ଓ ଲାଲ୍‌ ଇସ୍କ’ ଆଦି ଧାରାବାହିକ ଡୋନଲ୍‌ଙ୍କ ଲୋକପ୍ରିୟତାକୁ ଆଉ ପାଦେ ଆଗକୁ ନେଇଥିଲା। ତେବେ ‘ଏକ ଦିଵାନା ଥା’ ଧାରାବାହିକରେ ତାଙ୍କ ଅଭିନୀତ ଶରନ୍ୟା ବିଷ୍ଟ ଚରିତ୍ର ଓ ‘ରୂପ- ମର୍ଦ କା ନୟା ସ୍ବରୂପ’ରେ ଇସିକା ପଟେଲ ଭୂମିକା ତାଙ୍କୁ ଅଭିନୟ ଦୁନିଆରେ ପ୍ରତିଷ୍ଠିତ କରାଇବା ସହ ସେ ଏକ ପରିଚିତ ନାଁ ପାଲଟିଯାଇଥିଲେ। ନିଜର ଦକ୍ଷତା ଓ କାମ କରିବାର କ୍ଷୁଧା ପାଇଁ ୨୦୨୦ ତାଙ୍କର ସବୁଠୁ ବ୍ୟସ୍ତବହୁଳ ବର୍ଷ ପାଲଟିଥିଲା। ସେହି ବର୍ଷ ଡୋନଲ୍‌ ହିନ୍ଦୀ ଫିଲ୍ମ ‘ପ୍ୟାର ବନାମ ଖାପ ପଞ୍ଚାୟତ’ ଓ ‘ଦୁନିଆ’ରେ ଅଭିନୟ କରିବା ସହ ୱେବ୍‌ ଧାରାବାହିକ ‘ଟିଆ ଆଣ୍ଡ୍‌ ରାଜ୍‌’ରେ ମଧ୍ୟ ପ୍ରଥମ ପଦାର୍ପଣ କରିଥିଲେ। ଏଥି ସହିତ ସଂଗୀତ ଭିଡିଓ ‘ବେପତା’, ‘ଅଲଗ ମେରା ୟେ ରଙ୍ଗ ହୈ’, ‘ତେରି ପତଲି କମର’ରେ ମଧ୍ୟ ନିଜର ଦକ୍ଷତା ଦେଖାଇଥିଲେ। ଚଳିତବର୍ଷ ସେ ତେଲୁଗୁ/କନ୍ନଡ଼ ସିନେମା ‘କୁମ୍ଭକର୍ଣ୍ଣ’ରେ ପ୍ରଥମ କରି ଅବତୀର୍ଣ୍ଣ ହୋଇଛନ୍ତି ଯାହାର ସୁଟିଂ ପରବର୍ତ୍ତୀ କାମ ଚାଲୁ ରହିଛି। ତେବେ ଏପରି ଧୀରେ ଧୀରେ ନିଜର ଅଭିନୟ ଜୀବନକୁ ରଙ୍ଗାୟିତ କରି ଚାଲିଥିବା ଡୋନଲ ଆଗକୁ ଜଣେ ଶ୍ରେଷ୍ଠ କଳାକାର ଭାବେ ବିଦିତ ହେବେ ବୋଲି ତାଙ୍କ ପ୍ରଶଂସକମାନେ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe