The Hans India
କୌଣସି କ୍ଷେତ୍ରରେ ପୁରସ୍କାର ବା ସମ୍ମାନଟିଏ ମିଳିଲେ ତାହା ଜଣକୁ ସେ ଦିଗରେ ଶ୍ରେଷ୍ଠତ୍ବ ଆଣିବା ପାଇଁ ପ୍ରୋତ୍ସାହନ ଯୋଗାଇଥାଏ। ମୁହଁରେ ପ୍ରକାଶ ନକଲେ ମଧ୍ୟ ଏମିତି ପୁରସ୍କାର ଲାଭ କରିବା ପାଇଁ ସମସ୍ତଙ୍କ ମନରେ ଏକ ଗୋପନ ଆକାଂକ୍ଷା ରହିଥାଏ। ମାତ୍ର ସମସ୍ତଙ୍କ ଭାଗ୍ୟରେ ତାହା ଜୁଟିନଥାଏ। ଅପରପକ୍ଷେ, କେହି କେହି ମଧ୍ୟ ଏପରି ସମ୍ମାନର ଗନ୍ତାଘର ପାଲଟିଯାଇଥା’ନ୍ତି। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଜସ୍ମିନ୍ ମେରି ଜୋସେଫ୍ ଓରଫ୍ ମୀରା ଜସ୍ମିନ୍ ଏଭଳି ଜଣେ କଳାକାର ଯାହାଙ୍କୁ ଏ ଯାବତ୍ ଚବିଶ ଥର ଜାତୀୟସ୍ତରୀୟ ପୁରସ୍କାର ହାସଲ କରିବାର ବିରଳ ସୌଭାଗ୍ୟ ମିଳିସାରିଛି। ବିଶେଷ କରି ଚଳିତ ଶତାବ୍ଦୀର ପ୍ରଥମ ଦଶକରେ ସେ ଅଜସ୍ର ଲୋକପ୍ରିୟତା ହାସଲ ପୂର୍ବକ ଏପରି ଗରିମାର ଅଧିକାରିଣୀ ହୋଇପାରିଛନ୍ତି। ସଂଖ୍ୟାରେ କମ୍ ହେଲେ ମଧ୍ୟ ଏବେ ସୁଦ୍ଧା ସେ ଭିନ୍ନ ଭିନ୍ନ ଦକ୍ଷିଣ ଭାରତୀୟ ଭାଷାର ଚଳଚ୍ଚିତ୍ରରେ ନିଜ ଅଭିନୟ ଝଲକ ପରଷି ଚାଲିଛନ୍ତି।
gulte.comକେରଳର ତିରୁବାଲାରେ ୧୯୮୨ ଫେବ୍ରୁଆରି ୧୫ ତାରିଖରେ ଜନ୍ମିତ ଜସ୍ମିନ୍ ଶିକ୍ଷାରେ ଯୁକ୍ତ ଦୁଇ ବିଜ୍ଞାନ ସଂପୂର୍ଣ୍ଣ କରିଛନ୍ତି। ଜୀବନରେ ଜଣେ ଡାକ୍ତର ହୋଇ ରୋଗୀସେବା କରିବାକୁ ଲକ୍ଷ୍ୟ ରଖିଥିବା ଜସ୍ମିନ୍ ଯୁକ୍ତ ଦୁଇ ପରେ ମେଡିକାଲ୍ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ସହ ଜୀବ ବିଜ୍ଞାନ ସ୍ନାତକ ଡିଗ୍ରିରେ ନାମ ଲେଖାଇଥିଲେ। ଅପରପକ୍ଷେ, ପୂର୍ବରୁ ନୃତ୍ୟ କି ଅଭିନୟରେ କୌଣସି ଅଭିଜ୍ଞତା କି ଧାରଣା ନଥିବା ଜସ୍ମିନ୍ କେବେ ଜଣେ ଅଭିନେତ୍ରୀ ହେବା କଥା ସ୍ବପ୍ନରେ ସୁଦ୍ଧା କଳ୍ପନା କରିନଥିଲେ। ତେବେ ତାଙ୍କ ଭାଗ୍ୟରେଖାର ଗତି ଭିନ୍ନ ଦିଗକୁ ନିର୍ଦ୍ଦେଶ କରିଥିଲା। ୨୦୦୦ ମସିହାରେ ଡିଗ୍ରି ପଢ଼ା ପାଇଁ କଲେଜ ଯିବାର ତିନି ମାସ ହୋଇଛି କି ନାଇଁ, ତାଙ୍କ ଅପରୂପ ଚେହେରା ସାଙ୍ଗକୁ କିମିଆଁ କଲା ଭଳି ହସ ଓ ଚାହାଣିରେ ମୁଗ୍ଧ ହୋଇ ମାଲାୟଲୀ ସିନେ ନିର୍ଦ୍ଦେଶକ ବ୍ଲେସୀ ତାଙ୍କୁ ‘ସୂତ୍ରଧରନ୍’ ଫିଲ୍ମରେ ଅଭିନୟ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ଭବିଷ୍ୟତରେ ଡାକ୍ତର ହେବାର ଅଭିଳାଷକୁ ଜସ୍ମିନ୍ ସେଇଠି କବର ଦେଇ ବର୍ତ୍ତମାନର ଅପୂର୍ବ ସୁଯୋଗକୁ ଆଦରିନେବାକୁ ପସନ୍ଦ କରିଥିଲେ। ବାସ୍, ଏହା ପରଠାରୁ ଆରମ୍ଭ ହୋଇଯାଇଥିଲା ତାଙ୍କ ଜୀବନର ଜୟଯାତ୍ରା।
Mathrubhumi English୨୦୦୧ର ସେହି ପ୍ରଥମ ଫିଲ୍ମରେ ତାଙ୍କୁ ଶ୍ରେଷ୍ଠ ନବାଗତା ନାୟିକା ଭାବେ ମିଳିଥିବା ‘ଭାରତନ୍ ସମ୍ମାନ’ ତାଙ୍କୁ ବେଶୀ ବେଶୀ ଉତ୍ସାହିତ କରିଥିଲା ନିଜକୁ ଅଭିନୟରେ ସୁଦୃଢ଼ କରିବା ପାଇଁ। ତେବେ ତାଙ୍କ ଅଭିନୀତ ଚତୁର୍ଥ ମାଲାୟଲୀ ସିନେମା ‘ପାଦମ୍ ଓନ୍ନୁ: ଓରୁ ବିଲାପନ୍’ ପରଠାରୁ ତାଙ୍କ ଉପରେ ସମ୍ମାନ ଓ ପୁରସ୍କାର ବର୍ଷା ହେବା ଆରମ୍ଭ କରିଥିଲା। ଏହି ଅବସରରେ ସେ ୨୦୦୨ରେ ତାମିଲ ଫିଲ୍ମ ‘ରନ୍’ରେ ପ୍ରଥମ ପଦାର୍ପଣ କରି ଶ୍ରେଷ୍ଠ ନବାଗତା ଭାବେ ‘ଦିନାକରନ୍ ସମ୍ମାନ’ ଲାଭ କରିଥିଲେ। ନିୟମିତ ତାମିଲ ଓ ମାଲାୟଲୀ ଫିଲ୍ମରେ ସେ ଅଭିନୟ ଜାରି ରଖିବା ସହ ୨୦୦୪ରେ ତେଲୁଗୁ ଫିଲ୍ମ ‘ଅମାୟୀ ବାଗୁନ୍ଦି’ ଓ କନ୍ନଡ଼ ସିନେମା ‘ମୌର୍ଯ୍ୟ’ରେ ତାଙ୍କର ପ୍ରଥମ ଆବିର୍ଭାବ ହୋଇଥିଲା। ଏହିପରି ଭାବେ ସେ ଏହି ଚାରିଟି ବାଷାରେ ଏ ଯାବତ୍ ୬୩ଟି ଫିଲ୍ମରେ ନିଜର ପାରଦର୍ଶିତା ଦେଖାଇବା ସହ ଏଥିପାଇଁ ତାଙ୍କୁ ବିଭିନ୍ନ ସମୟରେ ‘ଜାତୀୟ ଫିଲ୍ମ ପୁରସ୍କାର’, ‘କେରଳ ରାଜ୍ୟ ଚଳଚ୍ଚିତ୍ର ସମ୍ମାନ’, ‘ଥିକୁଋଷି ସମ୍ମାନ’, ‘ତାମିଲନାଡୁ ରାଜ୍ୟ ସିନେମା ପୁରସ୍କାର’, ‘ଶ୍ରୀ ବିଦ୍ୟା ପୁରସ୍କାର’, ‘ଫିଲ୍ମ ଫେୟାର(ଦକ୍ଷିଣ) ସମ୍ମାନ’, ‘ଏସିଆନେଟ ଫିଲ୍ମ ସମ୍ମାନ’, ‘ବନିତା ଫିଲ୍ମ ସମ୍ମାନ’, ‘ମାତୃଭୂମି ଫିଲ୍ମ ସମ୍ମାନ’, ‘ଭି. ଶାନ୍ତାରାମ ପୁରସ୍କାର’ ଓ ‘ଅମୃତା ଟିଭି ଫିଲ୍ମ ସମ୍ମାନ’ ଆଦି ମିଳିପାରିଛି।
Follow Us