ମୁମ୍ବାଇ: ଉଦିତ ନାରାୟଣ ଜଣେ ପ୍ରସିଦ୍ଧ ବଲିଉଡ ଗାୟକ। ତାଙ୍କ କଣ୍ଠସ୍ୱର ପାଇଁ ପ୍ରଶଂସକମାନେ ପାଗଳ। ଉଦିତ ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ ଅନେକ ହିଟ୍ ଗୀତ ଗାଇ ସାରିଛନ୍ତି। ନିଜ ସଙ୍ଗୀତ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଉଦିତ୍ ଚଳିତ ବର୍ଷ ଫେବ୍ରୁଆରିରେ ଏକ ଲଜ୍ଜାଜନକ କାମ କରି ବିବାଦୀୟ ହୋଇଥିଲେ। ଏକ ଲାଇଭ୍ କନସର୍ଟ ସମୟରେ, ଗାୟକ ଜଣେ ମହିଳା ପ୍ରଶଂସକଙ୍କ ଓଠକୁ ଚୁମ୍ବନ ଦେଉଥିବା ସାମ୍ନାକୁ ଆସିଥିଲା। ଏଥିପାଇଁ ତାଙ୍କୁ ଟ୍ରୋଲ କରାଯାଇଥିବା ବେଳେ ଏବେ ତାଙ୍କ ପୁଅ ଆଦିତ୍ୟ ନାରାୟଣଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ଆଦିତ୍ୟ ନାରାୟଣ କହିଛନ୍ତି ଯେ, ଯେତେବେଳେ ତାଙ୍କ ପିତା ଉଦିତ ନାରାୟଣ ଏହି ଘଟଣା ପାଇଁ ବିବାଦୀୟ ହେଲେ, ସେତେବେଳେ ସେ ଲୋକଙ୍କ କ୍ରୋଧକୁ ବୁଝିପାରି ନଥିଲେ। ତାଙ୍କ କହିବା ମୁତାବକ, "ବାପା ଏପରି ଏକ ସମୟରୁ ଆସିଛନ୍ତି ଯେଉଁଠି ଜଣେ ପ୍ରଶଂସକ ଆପଣଙ୍କୁ ଭଲପାଇବା ଦେଲେ, ପ୍ରତିବଦଳରେ ତାଙ୍କୁ ଭଲପାଇବା ଦେବାକୁ ହୁଏ। ହେଲେ ଏବେ ସମୟ ବଦଳିଛି। ଏବେ ସେସବୁ କରିବା ପୂର୍ବରୁ ସହମତି ନେବାକୁ ପଡ଼ୁଛି, ଯାହା ତାଙ୍କୁ ଜଣାନଥିଲା। କିନ୍ତୁ ଏହି ଘଟଣା ପରଠୁ ସେ ସହମତିର ଗୁରୁତ୍ବ ବୁଝିସାରିଛନ୍ତି। ମୋତେ ଲାଗୁଛି ତାଙ୍କ ବୟସ ପାଇଁ ଏହି କଥାଟି ଏତେ ବଢ଼ିଗଲା। ଯଦି ମୁଁ କୌଣସି ୩୨ବର୍ଷୀୟ ମହିଳାଙ୍କ ସହ ଏଭଳି କରିଥାନ୍ତି, ବୋଧହୁଏ ଏତେ ବିବାଦ ହୋଇନଥାନ୍ତା।"
ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଇଥିଲା ଯେ, ଉଦିତ ନାରାୟଣ 'ଟିପ୍ ଟିପ୍ ବରସା ପାଣି' ଗୀତ ଗାଉଛନ୍ତି। ଏହି ସମୟରେ, ତାଙ୍କର ଜଣେ ମହିଳା ପ୍ରଶଂସକ ତାଙ୍କ ସହିତ ସେଲଫି ନେବାକୁ ମଞ୍ଚ ପାଖକୁ ଆସୁଛନ୍ତି। ସେଲଫି ନେବା ପରେ ମହିଳା ପ୍ରଶଂସକଜଣକ ତାଙ୍କ ଗାଲରେ ଚୁମ୍ବନ ଦେଉଛନ୍ତି। ଏହା ପରେ ଗାୟକ ଜଣକ ମହିଳାଙ୍କ ଓଠରେ ଚୁମ୍ବନ ଦେଉଛନ୍ତି। ଏହା ଦେଖି ମହିଳା ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଉପସ୍ଥିତ ଲୋକେ ଜୋରରେ ପାଟି କରୁଛନ୍ତି। କେବଳ ଜଣକଙ୍କୁ ନୁହେଁ ଏକାଧିକ ମହିଳାଙ୍କ ଗାଲକୁ ଉଦିତ୍ ଚୁମ୍ବନ ଦେଇଥିବା ଭାଇରାଲ ଭିଡିଓରେ ଦେଖାଯାଇଥିଲା।
Follow Us