୧୦ ବର୍ଷ ପରେ ବି ନବାଗତାର ଅନୁଭବ

Advertisment
୧୦ ବର୍ଷ ପରେ ବି ନବାଗତାର ଅନୁଭବ

The Jakarta Post

ସମସ୍ତ ବାଧାବିଘ୍ନ ସହ ଲଢ଼ି ବଲିଉଡ୍‌ରୁ ଯାଇ ହଲିଉଡ୍‌ରେ ପ୍ରତିଷ୍ଠା ଅର୍ଜନ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହଲିଉଡ୍‌ରେ ୧୦ ବର୍ଷ ବିତେଇ ସାରିଛନ୍ତି। ଏହି ଅବସରରେ ନିଜର ସୁଦୀର୍ଘ କ୍ୟାରିୟର ସମ୍ପର୍କରେ ଆତ୍ମସମୀକ୍ଷା କରି ସେ ବିଭିନ୍ନ ମାର୍ମିକ କଥା ବଖାଣିଛନ୍ତି। ପଛକୁ ଫେରି ଚାହିଁଲା ବେଳକୁ ବିଭିନ୍ନ ବିଫଳତା ତାଙ୍କର ସ୍ମରଣକୁ ଆସିଥାଏ ବୋଲି ପ୍ରିୟଙ୍କା ଏକ ସାକ୍ଷାତକାର ଅବସରରେ କହିଛନ୍ତି। କିନ୍ତୁ ସେ ସେଗୁଡ଼ିକ ସମ୍ପର୍କରେ ଆଲୋଚନା କରନ୍ତି ନାହିଁ। ବିଫଳତା ପରେ ଚୁପ୍ ବସିବାର ପ୍ରବୃତ୍ତି ତାଙ୍କର ନୁହେଁ। ସବୁଠାରୁ ଉଲ୍ଲେଖନୀୟ କଥା ହେଲା, ଗତ କିଛି ବର୍ଷ ମଧ୍ୟରେ ବିଫଳତା ପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀ ବଦଳିଯାଇଛି। ସେ କହିଛନ୍ତି ଯେ ବିଫଳତା ଏବେ ବି ତାଙ୍କୁ କଷ୍ଟ ଦିଏ, ପରିବାର ସହିତ ସେ କାନ୍ଦନ୍ତି ଓ ଖୁବ୍ ହତାଶ ଅନୁଭବ କରନ୍ତି, କିନ୍ତୁ ସେ ସେହି ବିଫଳତାରୁ ଖୁବ୍ ଶୀଘ୍ର ଉଠିପାରନ୍ତି।

୨୦-୩୦ ବର୍ଷ ବୟସର ପ୍ରିୟଙ୍କା ସହିତ ତୁଳନା କଲେ ବର୍ତ୍ତମାନର ପ୍ରିୟଙ୍କା ଅଧିକ ଶକ୍ତିଶାଳୀ ଢଙ୍ଗରେ ଆହ୍ବାନର ସମ୍ମୁଖୀନ ହୋଇପାରନ୍ତି ବୋଲି ସେ ନିଜେ ଆଶ୍ବସ୍ତି ପ୍ରକାଶ କରିଛନ୍ତି। ସେହି କାରଣରୁ ସେ ନିଜ ସ୍ଥିତି ଓ କ୍ୟାରିୟର ନେଇ ଏବେ କିଛି ମାତ୍ରାରେ ସନ୍ତୁଷ୍ଟ ଅଛନ୍ତି। ଏହି ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ‘କ୍ବାଣ୍ଟିକୋ’ ଧାରାବାହିକ ଜରିଆରେ ହଲିଉଡ୍‌ରେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଏ ଭିତରେ ସେ ଡ୍ବେନ୍ ଜନ୍‌ସନ୍‌ଙ୍କ ସହିତ ‘ବେଵାଚ୍’ରୁ ଆରମ୍ଭ କରି କିଆନୁ ରିଭ୍‌ସଙ୍କ ସହ ‘ଦି ମାଟ୍ରିକ୍‌ସ ରିସରେକ୍‌ସନ୍‌’ ଚଳଚ୍ଚିତ୍ରରେ ଦେଖାଦେଇ ପୃଥିବୀ ପ୍ରସିଦ୍ଧ ହୋଇସାରିଛନ୍ତି। ଏହା କମ୍ ବଡ଼ କଥା ନୁହେଁ। ତଥାପି ହଲିଉଡ୍‌ରେ ତାଙ୍କୁ ନବାଗତା ଭଳି ଅନୁଭବ ହେଉଛି ବୋଲି ସେ କିଛି ଦିନ ତଳେ ପ୍ରକାଶ କରିଥିଲେ। ୧୦ ବର୍ଷ ପରେ ଜଣେ ଅଭିନେତ୍ରୀ ରୂପେ ସେ ଏବେ ନିଜ ମନପସନ୍ଦର ଚରିତ୍ର ପାଉଛନ୍ତି। ବଲିଉଡ୍‌ରେ ସେ ଏକଦା ଯେଉଁଭଳି ପ୍ରତିଷ୍ଠା ପାଇଥିଲେ ତାହା ହଲିଉଡ୍‌ରେ ମଧ୍ୟ ଦୋହରାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଆଗକୁ ସେ ‘ସିଟାଡେଲ୍’ ନାମକ ଇଂରେଜୀ ଧାରାବାହିକରେ ଦେଖାଦେବେ। ସେହିପରି ବଲିଉଡ୍‌ରେ ପ୍ରିୟଙ୍କା, ଆଲିଆ ଭଟ୍ଟ ଓ କ୍ୟାଟ୍ରିନା କୈଫ୍ ପ୍ରଥମ ଥର ପାଇଁ ଏକାଠି ଗୋଟିଏ ଚଳଚ୍ଚିତ୍ରରେ ଦର୍ଶକଙ୍କୁ ବିମୋହିତ କରିବେ। ଉକ୍ତ ‘ଜୀ ଲେ ଜରା’ ଶୀର୍ଷକ ଚଳଚ୍ଚିତ୍ରଟିର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବାର ଯୋଜନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe