ମୁମ୍ବାଇ: ବିବାହ ପରେ ସାମ୍ନାକୁ ଆସିଲା ଆଲିଆ-ରଣବୀରଙ୍କ ବର-ବଧୂ ବେଶର ଫଟୋ। ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ବିବାହ ପରେ ଏବେ ଦୁହିଁଙ୍କ ଫଟୋ ସାମ୍ନାକୁ ଆସିଛି। ଆଲିଆ ନିଜ ଇନଷ୍ଟା ଆକାଉଣ୍ଟରେ ବିବାହ ପରର ଫଟୋ ସେୟାର କରିଛନ୍ତି। ରଣବୀରଙ୍କ ସହ ବିଭିନ୍ନ ପୋଜ ଦେଇ ଆଲିଆ ଫଟୋ ଉଠାଇଥିବା ବେଳେ ଦୁହେଁ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖାଯାଇଛି।
ଘର ବାହାରେ ଫଟୋ ନେବା ପାଇଁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର କ୍ୟାମେରାମ୍ୟାନ୍ ଅପେକ୍ଷା କରିଥିବା ବେଳେ ଆଲିଆ ଇନଷ୍ଟା ଜରିଆରେ ନିଜର ଏବଂ ରଣବୀରଙ୍କ ଝଲକ ଦେଖାଇଛନ୍ତି। ଦୀର୍ଘ ୫ ବର୍ଷ ଧରି ଚର୍ଚ୍ଚାରେ ଥିବା ଏହି ପ୍ରେମୀଯୁଗଳ ଆଜିଠାରୁ ପତି-ପତ୍ନୀ ଭାବରେ ନିଜର ଯାତ୍ରା ଆରମ୍ଭ କରିବେ। ମୁମ୍ବାଇର ବାନ୍ଦ୍ରାରେ ଥିବା ରଣବୀରଙ୍କ ଘର ବାସ୍ତୁରେ ଦୁହିଁଙ୍କ ବିବାହ ଶେଷ ହୋଇଛି।
ନିଜ ଇନଷ୍ଟା ପୋଷ୍ଟରେ ଆଲିଆ ଲେଖିଛନ୍ତି, ଆଜି ପରିବାରର ସଦସ୍ୟ, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ଗହଣରେ ଆମର ସବୁଠାରୁ ପ୍ରିୟ ସ୍ଥାନ ‘ବାଲକୋନି’ରେ ଆମେ ବିବାହ କଲୁ। ଆମକୁ ବହୁତ ଭଲପାଇବା ଦେବା ସହ ଆମ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତରେ ଉପସ୍ଥିତ ରହିଥିବା ସମସ୍ତଙ୍କୁ ଧନ୍ୟବାଦ। ଏହା ଆମ ଜୀବନର ଏହି ସ୍ବତନ୍ତ୍ର ମୁହୂର୍ତ୍ତକୁ ଆହୁରି ମନୋଜ୍ଞ କରିଛି।
ତେବେ ଆଜି ପ୍ରଥମେ ପାରମ୍ପରିକ ପିତୃପୂଜା ପରେ ସେମାନଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ନୀତୁ କପୁର, କରୀନା କପୁର, କରିସ୍ମା କପୁର, କରଣ ଜୋହର, ଆୟାନ ମୁଖାର୍ଜୀ, ମହେଶ ଭଟ୍ଟ, ପୂଜା ଭଟ୍ଟଙ୍କ ସମେତ ଉଭୟ ପରିବାରର ଅତିଥିମାନେ ଗତକାଲି ବାସ୍ତୁରେ ପହଞ୍ଚି ସାରିଥିଲେ। ଆଜି ସେମାନଙ୍କ ଉପସ୍ଥିତିରେ ବିବାହ ସଂପନ୍ନ ହୋଇଛି। ପ୍ରଖ୍ୟାତ ଗାୟକ ପ୍ରତୀକ ଖୁଦା ମେହେନ୍ଦୀ ସମାରୋହରେ ସଙ୍ଗୀତ ପରିବେଷଣ କରିଥିଲେ।
ତେବେ ବିବାହ ପୂର୍ବରୁ ଅନେକ ତାରିଖ ସାମ୍ନାକୁ ଆସିଥିଲା। ଦୁହେଁ କେଉଁ ତାରିଖରେ ବିବାହ କରିବେ ସେ ନେଇ ଅନେକ ଦ୍ବନ୍ଦ୍ବ ଉପୁଜିଥିବା ବେଳେ ଗତକାଲି ରଣବୀରଙ୍କ ଭଉଣୀ ରିଧିମା କପୁର ବିବାହ ତାରିଖ ସ୍ପଷ୍ଟ କରିଥିଲେ। ମେହେନ୍ଦୀ ପାଇଁ ଆସୁଥିବା ବେଳେ ଏପ୍ରିଲ ୧୪ରେ ହିଁ ଆଲିଆ-ରଣବୀର ବିବାହ କରିବେ ବୋଲି ସେ ସ୍ପଷ୍ଟ କରିଥିଲେ।
Follow Us