୪୮୦ ଗ୍ରାମ୍‌ର ସୁନା ଓ ହୀରା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କଲେ ଐଶ୍ବର୍ଯ୍ୟା ରଜନୀକାନ୍ତ

Advertisment
୪୮୦ ଗ୍ରାମ୍‌ର ସୁନା ଓ ହୀରା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କଲେ ଐଶ୍ବର୍ଯ୍ୟା ରଜନୀକାନ୍ତ

Image Courtesy of India Today

ଚେନ୍ନାଇ: ଚେନ୍ନାଇସ୍ଥିତ ବାସଭବନରେ ଥିବା ଲକର୍‌ରୁ ପ୍ରାୟ ୪୮୦ ଗ୍ରାମ୍‌ ଓଜନର ସୁନା ଓ ହୀରା ଅଳଙ୍କାର ଚୋରି ହୋଇଯାଇଥିବା କଥା ବିଶିଷ୍ଟ ଅଭିନେତା ରଜନୀକାନ୍ତଙ୍କ ବଡ଼ଝିଅ ଐଶ୍ବର୍ଯ୍ୟା ରଜନୀକାନ୍ତ ତେନାମ୍‌ପେଟ୍‌ ଥାନାରେ ଅଭିଯୋଗ କରିଛନ୍ତି।

ଚୋରି ହୋଇଯାଇଥିବା ମୂଲ୍ୟବାନ ଅଳଙ୍କାରର ମୂଲ୍ୟ ୩.୬୦ ଲକ୍ଷ ଟଙ୍କା ହେବ। ସେଗୁଡ଼ିକୁ ସେ ୨୦୧୯ରେ ଭଉଣୀ ସୌନ୍ଦର୍ଯ୍ୟାର ବାହାଘର ବେଳେ ପିନ୍ଧିଥିଲେ।

‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଅଛି ଯେ, ଐଶ୍ବର୍ଯ୍ୟା ସେ ଅଳଙ୍କାର ଲକର୍‌ରେ ରଖିଥିବା କଥା ତାଙ୍କ ଘରର ଅଳ୍ପ କେତେକ ସେବାକାରୀ ଜାଣିଥିଲେ। ଏଥିରେ ସେମାନଙ୍କ ମଧ୍ୟରୁ ୩ଜଣ ସଂଶ୍ଳିଷ୍ଟ ଥିବା କଥା ସେ ସନ୍ଦେହ କରୁଛନ୍ତି। ଚୋରି ହୋଇଯାଇଥିବା ଅଳଙ୍କାର ମଧ୍ୟରେ ରହିଛି, ‘ଡାଇମଣ୍ଡ୍‌ ସେଟ୍‌’, ‘ଅନ୍‌କଟ୍‌ ଡାଇମଣ୍ଡ୍‌’ ପ୍ରାଚୀନ ସୁବର୍ଣ୍ଣ ଖଣ୍ଡ, ନବରତ୍ନ ସେଟ୍‌, ସୁବର୍ଣ୍ଣ ଖଚିତ ପ୍ରାଚୀନ ‘ଅନ୍‌କଟ୍‌ ଡାଇମଣ୍ଡ୍‌’, ବାହୁଟି ଏବଂ ଚୁଡ଼ି। ସବୁଗୁଡ଼ିକର ଓଜନ ପ୍ରାୟ ୪୮୦ ଗ୍ରାମ୍ ହେବ। ଫେବ୍ରୁଆରି ୧୦ ତାରିଖ ଦିନ ଲକର୍‌ ଖୋଲିବା ପରେ ଅଳଙ୍କାର ଚୋରି ହୋଇଯାଇଥିବା କଥା ସେ ଜାଣିବାକୁ ପାଇଲେ।

publive-image Image Courtesy of Times Now

ଭଉଣୀ ବାହାଘର ପରଠାରୁ ଉକ୍ତ ଲକର୍‌କୁ ୩ଟି ସ୍ଥାନକୁ ସ୍ଥାନାନ୍ତର କରାଯାଇସାରିଥିଲା। ୨୦୨୧ ଅଗଷ୍ଟ ପର୍ଯ୍ୟନ୍ତ ସେ ଲକର୍‌ ସେଣ୍ଟ୍‌ ମେରିଜ୍ ରୋଡ୍‌ସ୍ଥିତ ତାଙ୍କ ଆପାର୍ଟମେଣ୍ଟ୍‌ରେ ଥିଲା। ତା’ପରେ ତାହାକୁ ‘ସିଆଇଟି କଲୋନିସ୍ଥିତ ବାସଭବନକୁ ସ୍ଥାନାନ୍ତର କରାଯାଇଥିଲା। ୨୦୨୨ ଏପ୍ରିଲ୍‌ ୯ ତାରିଖରେ ତାହାକୁ ରଜନୀକାନ୍ତଙ୍କ ପୋସ୍‌ ଗାର୍ଡେନ୍‌ସ୍ଥିତ ବାସଭବନକୁ ନିଆଯାଇଥିଲା। ଐଶ୍ବର୍ଯ୍ୟା କହିଛନ୍ତି ଯେ, ଲକର୍‌ର ଚାବି ସେଣ୍ଟ୍‌ ମେରିଜ୍‌ ରୋଡ୍‌ସ୍ଥିତ ବାସଭବନରେ ଥିବା ଆଲମାରିରେ ଥିଲା। ଏକଥା ଘରର ସହକାରୀମାନେ ଭଲଭାବେ ଜାଣିଥିଲେ। ଏଶ୍ବର୍ଯ୍ୟାଙ୍କ ଅନୁପସ୍ଥିତିରେ ସେମାନେ ସେ ବାସଭବନକୁ ଯାତାୟାତ ମଧ୍ୟ କରୁଥିଲେ।

ତେନାମପେଟ୍‌ ପୁଲିସ ‘ଆଇପିସି’ ଧାରା ୩୮୧ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆଗାମୀ ଚଳଚ୍ଚିତ୍ର ‘ଲାଲ୍‌ ସଲାମ୍‌’ ସୁଟିଙ୍ଗ୍‌ ପାଇଁ ଅଭିନେତ୍ରୀ ଐଶ୍ବର୍ଯ୍ୟା ରଜନୀକାନ୍ତ ତାମିଲ୍‌ନାଡୁରେ ଥିବା ବିଭିନ୍ନ ସହରକୁ ଯାତ୍ରା କରୁଥିବାରୁ ଖୁବ୍‌ ବ୍ୟସ୍ତ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe