ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ସିନେମାର ଆକ୍ସନ୍ ହିରୋ ଅଜିତ କୁମାର ବାସ୍ତବ ଜୀବନରେ କାର୍ ରେସିଂ କରିବାକୁ ବହୁତ ଭଲ ପାଆନ୍ତି। ଅନେକ ସମୟରେ ସେ ରେସିଂ କରୁଥିବାର ନଜର ଆସନ୍ତି। ଏବେ ରେସିଂ ପ୍ରତିଯୋଗିତା ପାଇଁ ଅଜିତ୍ ଦୁବାଇରେ ଅଛନ୍ତି। ସେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ୨୪ଏଚ୍(ଘଣ୍ଟା) ରେସିଂ-୨୦୨୫ରେ ଭାଗ ନେବାକୁ ଯାଇଛନ୍ତି। ତେବେ ପ୍ରତିଯୋଗିତା ପୂର୍ବରୁ ମଙ୍ଗଳବାର ଅଭ୍ୟାସ ସମୟରେ ଅଜିତ୍ କୁମାରଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ବୋଲି ଜଣାପଡ଼ିଛି।
ଏହି ଦୁର୍ଘଟଣା ସମୟର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଅଜିତ୍ କୁମାରଙ୍କ କାର୍ ବ୍ୟାରିକେଡରେ ଧକ୍କା ଖାଇ ୪-୫ ଘେରା ବୁଲି ଯାଉଛି। ଏହା ଦ୍ବାରା କାରର ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାଙ୍ଗିଯାଉଛି। ଏହି ଦୁର୍ଘଟଣା ପରେ ଉପସ୍ଥିତ ଥିବା ସୁରକ୍ଷା ଟିମ୍ ଆସି ତାଙ୍କୁ କାରରୁ ବାହାରକୁ ଆଣୁଛନ୍ତି। ଏହି ଦୁର୍ଘଟଣା ପରେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାଯାଇଛି। ତାଙ୍କୁ କୌଣସି ଆଘାତ ଲାଗିନଥିଲେ ବି ସେ ଚଳାଉଥିବା କାରର ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଦେଖାଯାଇଛି। ଘଟଣାଟି ମଙ୍ଗଳବାର ଦିନ ୧୨ଟା ୪୫ରେ ଘଟିଥିବା ସାମ୍ନାକୁ ଆସିଛି।
Follow Us