ନୂଆଦିଲ୍ଲୀ: ଭୋଜପୁରୀ ଚଳଚ୍ଚିତ୍ର ଅଭିନେତ୍ରୀଙ୍କ ଅକ୍ଷରା ସିଂଙ୍କୁ ହତ୍ୟା ଧମକ ମିଳିଥିଲା। ଏହି ଧମକ ଅକ୍ଷରାଙ୍କୁ ମୋବାଇଲଫୋନ ଯୋଗେ ମିଳିଥିଲା। ଧମକଦାତା ଅକ୍ଷରାଙ୍କୁ କଲ କରି ଦୁଇଦିନ ମଧ୍ୟରେ ୫୦ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ। ଏହି ଦାବି ପୂରଣ ନହେଲେ ସେ ଅକ୍ଷରାଙ୍କ ହତ୍ୟା କରିବେ ବୋଲି ଧମକ ଦେଇଥିଲେ।
ରାତି ଅଧରେ ଏଭଳି ଧମକ ପାଇବା ପରେ ଅକ୍ଷରା ଭୟଭୀତ ହୋଇଯାଇଥିଲେ। ତଥାପି ସାହାସ କରି ଅଭିନେତ୍ରୀ ଦାନାପୁର ପୁଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅକ୍ଷରାଙ୍କ ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ଅଭିନେତ୍ରୀଙ୍କ ଅଭିଯୋଗ କ୍ରମେ ପୁଲିସ ଅକ୍ଷରାଙ୍କୁ ଧମକ ଦେଇଥିବା ଅଭିଯୁକ୍ତକୁ ଭୋଜପୁରରୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତକୁ ପୁଲିସ ଭୋଜପୁରରୁ ପାଟନା ଅଣିଛି।।
ଏସଏସପି ରାଜୀବ ମିଶ୍ରା କହିଛନ୍ତି, ‘ଅଭିଯୁକ୍ତର ବୟାନ ରେକର୍ଡ କରାଯାଇଛି। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଅକ୍ଷରା ସିଂହଙ୍କୁ କାହିଁକି ୨ଦିନ ଭିତରେ ୫୦ଲକ୍ଷ ଟଙ୍କା ଦାବି କରିଥିଲା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ କୁହାଯାଉଛି କୌଣସି ଏକ କାର୍ଯ୍ୟକ୍ରମକୁ ନେଇ ବିବାଦ ହୋଇଥିଲା। ଯେଉଁ କାରଣରୁ ଅକ୍ଷରାଙ୍କୁ ଏଭଳି ଧମକ ମିଳିଛି।
ପୁଲିସକୁ ଦେଇଥିବା ଆବେଦନରେ ଅଭିନେତ୍ରୀ ଅକ୍ଷରା ସିଂ କହିଥିଲେ,‘ ନଭେମ୍ବର ୧୧ ତାରିଖ ବିଳମ୍ବିତ ରାତି ୧୨.୨୦ ରୁ ୧୨.୨୧ ମଧ୍ୟରେ ଫୋନ ଆସିଥିଲା। ମୁଁ ପ୍ରଥମେ କଲ କାଟି ଦେଇଥିଲି। ତା’ପରେ ଦୁଇଟି ଭିନ୍ନ ନମ୍ବରରୁ ଏକ କଲ ଆସିଥିଲା। ମୁଁ ଫୋନ ଯେମିତି ଉଠାଇଥିଲି କଲ୍ କରିଥିବା ବ୍ୟକ୍ତି ଜଣକ ମୋ ସହିତ ଦୁର୍ବ୍ୟବହାର କରିବା ସହିତ ଧମକ ଦେବା ଆରମ୍ଭ କରି ଦୁଇ ଦିନ ମଧ୍ୟରେ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲା। ଦାବି ମୁତାବକ ଟଙ୍କା ନଦେଲେ ହତ୍ୟା କରିବାକୁ ଧମକ ବି ମୋତେ ଫୋନ ଜରିଆ ଦେଇଥିଲା।’
ଇନ୍ସପେକ୍ଟର ପ୍ରଶାନ୍ତ କୁମାର ଭରଦ୍ୱାଜ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂ ଅଭିଯୋଗକୁ ଗମ୍ଭୀରତା ସହ ନେଇ ଯାଞ୍ଚ ଆରମ୍ଭ କରିଥିଲେ।
Follow Us