Image Courtesy of India Today
ମୁମ୍ବାଇ: ଆଜି ମୁମ୍ବାଇର ‘ହୀରାନନ୍ଦାନୀ ହସ୍ପିଟାଲ୍’ରେ ଅଭିନେତା ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିୟାଙ୍କର ଦେହାନ୍ତ ହୋଇଯାଇଛି। ଅତି ସଙ୍କଟଜନକ ସ୍ବାସ୍ଥ୍ୟାବସ୍ଥାରେ ତାଙ୍କୁ ସେପ୍ଟେମ୍ବର ୩ ତାରିଖ ଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଟୁଇଟ୍ରେ ଏହି ଦୁଃଖଦାୟକ ଖବର ସେୟାର୍ କରି ଅକ୍ଷୟ କୁମାର ଲେଖିଛନ୍ତି, ମୋ ଅନ୍ତଃସତ୍ତା ମଧ୍ୟରେ ମୁଁ ଅସହ୍ୟ ବେଦନା ଅନୁଭବ କରୁଛି।
ମାଆଙ୍କ ଶୁଭମନାସୀ ଥିବା ପ୍ରଶଂସକ ଏବଂ ପ୍ରିୟଜନଙ୍କୁ ସେପ୍ଟେମ୍ବର ୭ ତାରିଖ ଦିନ ଅକ୍ଷୟ କୁମାର ଧନ୍ୟବାଦ ଜ୍ଞାପନ କରିଥିଲେ। ଆଜି ମାତୃ ବିୟୋଗର ଖବର ସେୟାର୍ କରି ସେ ଲେଖିଛନ୍ତି, ‘‘ସେ ଥିଲେ ମୋର ପ୍ରାଣପିଣ୍ଡ। ଆଜି ମୁଁ ଅସହ୍ୟ ବେଦନା ଅନୁଭବ କରୁଛି। ମୋ ମାଆ ଶ୍ରୀମତୀ ଅରୁଣା ଭାଟିୟା ଆଜି ସକାଳେ ଶାନ୍ତିରେ ଇହଲୋକ ତ୍ୟାଗ କରି ପରଲୋକରେ ମୋ ପିତାଙ୍କ ସହ ପୁନର୍ମିଳିତ ହେଲେ। ଏଭଳି ସମୟରେ ମୁଁ ଓ ମୋ ପରିବାର ଦୁଃଖରେ ଥାଇ ମଧ୍ୟ ଆପଣମାନଙ୍କ ପ୍ରାର୍ଥନାକୁ ସମ୍ମାନ ଜଣାଉଛି। ଓଁ ଶାନ୍ତି।’’
Image Courtesy of NDTVମାଆଙ୍କ ଅସୁସ୍ଥତା ଖବର ପାଇବା ପରେ ଅକ୍ଷୟ କୁମାର ଇଂଲଣ୍ଡ ଗସ୍ତ କାଣ୍ଟଛାଣ୍ଟ କରି ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିଥିଲେ। ଆଗାମୀ ଚଳଚ୍ଚିତ୍ର ‘ସିଣ୍ଡ୍ରେଲା’ ସୁଟିଙ୍ଗ୍ ନିମନ୍ତେ ଅକ୍ଷୟ କୁମାର ବ୍ୟସ୍ତତା ମଧ୍ୟରେ ଅଛନ୍ତି। ଏହି ଦୁଃଖଦାୟକ ସମ୍ବାଦ ପାଇବା ପରେ ଅକ୍ଷୟ କୁମାରଙ୍କ ପ୍ରଶଂସକ ଏବଂ ଚଳଚ୍ଚିତ୍ର ଶିଳ୍ପର ସହକର୍ମୀମାନେ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।
Follow Us