ନିଜ ସଙ୍ଗୀତରେ ଜଗନ୍ନାଥଙ୍କୁ ଏମିତି ରୂପ ଦେଇଥିଲେ କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତି

ନିଜ ସଙ୍ଗୀତରେ ଜଗନ୍ନାଥଙ୍କୁ ଏମିତି ରୂପ ଦେଇଥିଲେ କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତି

ଭୁବନେଶ୍ୱର: ଆଜି ହେଉଛି ଓଡ଼ିଆ ଚଳଚ୍ଚିତ୍ର ଜଗତର ସଫଳ କଣ୍ଠଶିଳ୍ପୀ , ସଙ୍ଗୀତ ନିର୍ଦ୍ଦେଶକ , ଗୀତିକାର ଏବଂ ଅଭିନେତା ଅକ୍ଷୟ ମହାନ୍ତିଙ୍କ ଜନ୍ମଦିବସ। ସେ ୧୯୩୬ ମସିହା ଅକ୍ଟୋବର ମାସର ଆଜିର ତାରିଖରେ କଟକଠାରେ ଜନ୍ମ ଗ୍ରହଣ କରିଥିଲେ। ଅକ୍ଷୟ ମହାନ୍ତି ସିନେ ସଙ୍ଗୀତରେ ଅନେକ ପ୍ରକାରର ପ୍ରୟୋଗ କରିଥିଲେ। ତାଙ୍କ ସ୍ୱରାରୋପିତ କେତେକ ଜଗନ୍ନାଥଙ୍କ ଉପରେ ଆଧାରିତ ଗୀତ ଆଜି ବି ଲୋକପ୍ରିୟ। ଏଥିମଧ୍ୟରୁ ୧୯୭୯ରେ ପରଦା ଉପରକୁ ଆସିଥିବା ‘ଶ୍ରୀ ଜଗନ୍ନାଥ’ ଚଳଚ୍ଚିତ୍ରରେ ସ୍ଥାନୀତ ‘ଅଧାଗଢ଼ା ଦିଅଁଙ୍କର ଦେଖ ଚକା ଆଖିକୁ.....,’ ‘ସେତ ଭକତ ଭାବରେ ବନ୍ଧାରେ..’ଏବଂ ‘କାଳିଆ ଆସିଲା,ଭାଇ କାଳିଆ ଆସିଲା,କାଳିଆ ଆସିଲା ଭାଇ...’ଗୀତ ତିନିଟି ଆଜି ମଧ୍ୟ ଶ୍ରୋତା ମାନସକୁ ଉଦ୍‌ବେଳିତ କରେ। ପ୍ରଥମଟିର ରଚୟିତା ଓ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ହୋଇଥିବାବେଳେ ଦିତୀୟ ଓ ତୃତୀୟଟିର ଗୀତିକାର ଥିଲେ ବିନୋଦିନୀ ଦେବୀ ଏବଂ କଣ୍ଠଦାନ କରିଥିଲେ ଏସ୍‌.ଜାନକୀ।ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ‘ଶ୍ରୀ ଜଗନ୍ନାଥ’ର ଗୀତଗୁଡ଼ିକ ଖୁବ୍‌ ଶ୍ରୁତିମଧୁର ହେବା ସହ ଲୋକପ୍ରିୟତା ମଧ୍ୟ ଲାଭ କରିଥିଲା।

୧୯୮୮ରେ ମୁକ୍ତିଲାଭ ଓଡ଼ିଆ ସିନେମା ‘ପୁଅ ମୋର କଳା ଠାକୁର’ଟାଇଟଲ୍‌ ଗୀତଟି ବି ପ୍ରଭୁ ଜଗନ୍ନାଥଙ୍କ ଉପରେ ଅଧାରିତ।ଏଥିରେ କଣ୍ଠଦାନ କରିଥିଲେ କବିତା କୃଷ୍ଣମୂର୍ତ୍ତି ଗୀତ ରଚନା କରିଥିଲେ ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଓ ଏହାକୁ ସଂଗୀତରେ ସଜାଇଥିଲେ ଅକ୍ଷୟ ମହାନ୍ତି। ସେହି ବର୍ଷ ପ୍ରେକ୍ଷାଳୟକୁ ଆସିଥିବା ସିନେମା ‘ସୁନା ଚଢ଼େଇ’ରେ ଥିବା ଗୀତ ‘କାଳିଆ କାଳିଆ ଅଛି କିଏ କହ ଆଉ ତୋହରି ଭଳିଆ...’ଏକ ଚମତ୍କାର ସଂଯୋଜନା। ଅକ୍ଷୟ ମହାନ୍ତିଙ୍କ ସ୍ୱର ସଂଯୋଜିତ ଏହି ଗୀତରେ କଣ୍ଠଦାନ କରିଥିଲେ ବଲିଉଡ଼୍‍ କଣ୍ଠଶିଳ୍ପୀ ମହେନ୍ଦ୍ର କପୁର୍‌।

publive-image
ଏହାପରେ ଅକ୍ଷୟ ମହାନ୍ତିଙ୍କ ସ୍ୱର ସଂଯୋଜିତ ବେଶ୍‌ କେତୋଟି ଓଡ଼ିଆ ଚଳଚ୍ଚିିତ୍ରରେ ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ଗୀତ ରଖାଯାଇଥିଲା ।ଏଥିମଧ୍ୟରୁ ‘ତୁମରି ଦୁଆରୁ ଖାଲି ହାତ ନେଇ କେହି ତ ଯାଏନା ଫେରି...’(ମମତାର ଡ଼ୋରି),‘ଚକାଆଖି ସବୁ ଦେଖୁଛି ସୁଖ ଦୁଃଖ ସବୁ ବୁଝୁଛି...’(ଆସୁଛି ମୋ କାଳିଆ ସୁନା),‘ଦରିଆ କୂଳରେ ବସି ଦରିଆ ସେପାରିକୁ ଆଣିଲ ଟାଣି...(ପରଦେଶୀ ଚଢ଼େଇ),‘ଜୀବନ ପ୍ରଦୀପ ମୋର ଯାଉ ପଛେ ଜଳି...’(ଆମ ଘର ଆମସଂସାର),‘କାଳିଆ ଭରସା...’(କାଳିଆ ଭରସା)ଓ ‘ଜୟ ଜଗନ୍ନାଥ’...ଆଦି ଉଲ୍ଲେଖନୀୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe