ମୁମ୍ବାଇ: ଜାତୀୟ ପୁରସ୍କାର ବିଜେତା ଟଲିଉଡ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ 'ପୁଷ୍ପା ୨' ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଡିସେମ୍ବର ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ୬ଟି ଭାଷାରେ ମୁକ୍ତିଲାଭ କରିବ | ଫିଲ୍ମଟି ରିଲିଜ୍ ପୂର୍ବରୁ କୋଟି କୋଟି ଟଙ୍କା ଆୟ କରିଥିବା ବେଳେ ଏବେ ଅଲ୍ଲୁ ଅର୍ଜୁନ ଫିଲ୍ମ ପାଇଁ ନେଇଥିବା ପାରିଶ୍ରମିକ ସାମ୍ନାକୁ ଆସିଛି। କୁହାଯାଉଛି ଯେ, 'ପୁଷ୍ପା ୨'ରେ ଅଲ୍ଲୁ ଅର୍ଜୁନ ନେଇଥିବା ପାରିଶ୍ରମିକ ତାଙ୍କୁ ଦେଶର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା କରିଛି।
ଟ୍ରାକ୍ ଟଲିଉଡର ରିପୋର୍ଟ ଅନୁଯାୟୀ, ଅଲ୍ଲୁ ଅର୍ଜୁନ 'ପୁଷ୍ପା ୨' ପାଇଁ ମୋଟ ୩୦୦କୋଟି ଟଙ୍କାର ପାରିଶ୍ରମିକ ନେଇଛନ୍ତି। ଏହା ସହ ସେ ଦେଶର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହୋଇପାରିଛନ୍ତି। ଏହି ପାରିଶ୍ରମିକ ସହ ସେ ସୁପରଷ୍ଟାର ଥଲପତି ବିଜୟଙ୍କୁ ପଛରେ ପକାଇ ଦେଇଛନ୍ତି।
ଏହାପୂର୍ବରୁ କୁହାଯାଉଥିଲା ଯେ ବିଜୟଙ୍କୁ 'ଥଲପତି ୬୯' ପାଇଁ ୨୭୫କୋଟି ଟଙ୍କାର ପାରିଶ୍ରମିକ ଦିଆଯାଇଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏଚ୍ ବିନୋତ । ୨୭୫କୋଟି ଟଙ୍କାର ପାରିଶ୍ରମିକ ନେଇ ସେ ଶାହାରୁଖ ଖାନଙ୍କୁ ପଛରେ ପକାଇଥିଲେ। ଏବେ ତାଙ୍କୁ ପଛରେ ପକାଇଛନ୍ତି ଅଲ୍ଲୁ ଅର୍ଜୁନ।
ଯଦି ଆମେ 'ପୁଷ୍ପା-୨'ର ଟ୍ରାକ୍ ରେକର୍ଡକୁ ଦେଖିବା, ତେବେ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଅନେକ ଥର ପରିବର୍ତ୍ତନ କରାଯାଇଛି | ପ୍ରଥମେ ଏହି ଚଳଚ୍ଚିତ୍ର ଜୁନ୍ ୨୦୨୪ରେ ମୁକ୍ତିଲାଭ କରିବାର ଥିଲା | କିନ୍ତୁ ଏହା ପରେ ଅଗଷ୍ଟକୁ ଘୁଞ୍ଚିଥିଲା | ହେଲେ କାମ ନସରିବାରୁ ଏହା ପୁଣି ଡିସେମ୍ବର ୬କୁ ଘୁଞ୍ଚିଥିଲା | ହେଲେ ଏବେ ଆହୁରି ଆଗକୁ ନ ଘୁଞ୍ଚାଇ ନିର୍ମାତା ଏହାକୁ ଧାର୍ଯ୍ୟ ତାରିଖର ଗୋଟେ ଦିନ ଆଗୁଆ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି |
Follow Us