Bollywood Hungama
ହିନ୍ଦୀ, ତାମିଲ ଓ ତେଲୁଗୁ ଚଳଚ୍ଚିତ୍ରରେ ନିଜର ଉପସ୍ଥିତି ଜାହିର କରିବା ପରେ ଅଭିନେତ୍ରୀ ଆମାୟରା ଦସ୍ତୁର ଏବେ ପଞ୍ଜାବୀ ଚଳଚ୍ଚିତ୍ରରେ ପାଦ ଥାପିବାକୁ ଯାଉଛନ୍ତି। ଏହା ତାଙ୍କର ଏକ ବୃହତ୍ ଅଭିଯାନର ଅଂଶବିଶେଷ ବୋଲି ସେ ନିକଟରେ ପ୍ରକାଶ କରିଛନ୍ତି। ସେ ଅଭିଯାନଟି ହେଉଛି ଜଣେ ସର୍ବଭାରତୀୟ ତାରକା ହେବା। ସେ ‘ଆର୍ଆର୍ଆର୍’ ଓ ‘ବାହୁବଳୀ’ ଭଳି ଚଳଚ୍ଚିତ୍ରର ଉଦାହରଣ ଦେଇ କହିଛନ୍ତି ଯେ ଆଜିର ଦିନରେ ଚଳଚ୍ଚିତ୍ରର ସଫଳତା ଏହାର ଭାଷା ବା ସ୍ଥାନ ଉପରେ ନିର୍ଭରଶୀଳ ନୁହେଁ। ତେଣୁ ଭଲ ଚଳଚ୍ଚିତ୍ରକୁ ଲୋକମାନେ ନିଶ୍ଚିତ ଦେଖିବେ। ଆଞ୍ଚଳିକ ଓ ଜାତୀୟ ଚଳଚ୍ଚିତ୍ର ମଧ୍ୟରେ ଥିବା ସୀମାରେଖା ମିଳେଇଯିବା ଫଳରେ ଅଭିନେତାଙ୍କୁ ଅନେକ କାମ ମିଳୁଛି। ପଞ୍ଜାବୀ କହି ଜାଣି ନ ଥିବା ଏବଂ ପଞ୍ଜାବ ବାହାରର ହୋଇଥିବା ସତ୍ତ୍ବେ ତାଙ୍କୁ ପଞ୍ଜାବୀ ଫିଲ୍ମ କରିବାର ସୁଯୋଗ ମିଳିପାରିଛି ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି। ଏହି କାରଣରୁ ଏବେ ୨୯ ବର୍ଷୀୟା ଆମାୟରାଙ୍କ ଏକମାତ୍ର ଅଭିଳାଷ ହେଉଛି ସମଗ୍ର ଭାରତରେ ନିଜର ଛାପ ଛାଡ଼ିବା। ସେ ଏବେ କେଉଁ ପଞ୍ଜାବୀ ଫିଲ୍ମର ସୁଟିଂ କରୁଛନ୍ତି ତାହା ପ୍ରକାଶ କରିନାହାନ୍ତି। ତେବେ ନିଜ ପଞ୍ଜାବୀ ସଂଳାପକୁ ସେ ସହଜରେ ମନେରଖି ଆବୃତ୍ତି କରିପାରୁଥିବାରୁ କେହି କେହି ତାଙ୍କୁ ପଞ୍ଜାବୀ ଅଭିନେତ୍ରୀ ବୋଲି ଭାବିଲେଣି!
ଏ ଅଭିଜ୍ଞତାକୁ ସେ ଖୁବ୍ ଉପଭୋଗ କରୁଛନ୍ତି। ଏହାକୁ ସେ ଭିନ୍ନ ରକମର ବଲିଉଡ୍ ରୂପେ ଦେଖୁଛନ୍ତି। ସେହିପରି ଆଞ୍ଚଳିକ ଓ ଜାତୀୟ ଚଳଚ୍ଚିତ୍ର ମଧ୍ୟରେ ତାରକାଙ୍କ ବିନିମୟକୁ ସେ ସକାରାତ୍ମକ ଢଙ୍ଗରେ ଦେଖନ୍ତି। ବିଜୟ ଦେବରକୋଣ୍ଡାଙ୍କ ଭଳି ତେଲୁଗୁ ଅଭିନେତା ବଲିଉଡ୍ ଚଳଚ୍ଚିତ୍ରରେ ପଦାର୍ପଣ କରିବାକୁ ଯାଉଥିବା କଥାକୁ ଉଦାହରଣ ରୂପେ ଦର୍ଶାଇ ଆମାୟରା କୁହନ୍ତି ଯେ ଏହା ଭିନ୍ନ ଭିନ୍ନ ସଂସ୍କୃତିର ଲୋକଙ୍କୁ ପରସ୍ପର ସହିତ ପରିଚିତ କରାଇବାରେ ବିଶେଷ ଭୂମିକା ଗ୍ରହଣ କରୁଛି। ଏହା ଚଳଚ୍ଚିତ୍ର ଶିଳ୍ପରେ ଆରମ୍ଭ ହୋଇଥିବା ଏକ ସ୍ବାଗତଯୋଗ୍ୟ ପରମ୍ପରା, କାରଣ ଏହା ଭିନ୍ନତାକୁ ଗ୍ରହଣ କରିବା ଦିଗରେ ବିଶେଷ ସହାୟକ ହେଉଛି। ଉଲ୍ଲେଖଯୋଗ୍ୟ ଯେ ଆମାୟରା ‘ଇଶକ୍’ ନାମକ ଚଳଚ୍ଚିତ୍ରରେ ନଅ ବର୍ଷ ତଳେ ବଲିଉଡ୍ରେ ଅଭିନୟ ଆରମ୍ଭ କରିଥିଲେ। ସେ ପୂର୍ବରୁ ଜ୍ୟାକି ଚାନଙ୍କ ସହିତ ‘କୁଙ୍ଗ୍ ଫୁ ଯୋଗ’ ଭଳି ଅନ୍ତର୍ଜାତୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ଆଗକୁ ତାଙ୍କର ‘ବଘିରା’ ଶୀର୍ଷକ ତାମିଲ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଅଛି। ଏଥି ସହିତ ସେ ‘ଡୋଙ୍ଗ୍ରି ଟୁ ଦୁବାଇ’ ଓ ‘ବମ୍ବେ ମେରୀ ଜାନ’ ଶୀର୍ଷକ ହିନ୍ଦୀ ୱେବ୍ ଧାରାବାହିକରେ ଦେଖାଦେବେ।
  
 Follow Us