ଚଳଚ୍ଚିତ୍ର ‘ଚକ୍ଷୁବନ୍ଧନ’ର ସଫଳତା ପରେ ଅନିଶ ଏଣ୍ଟର୍ଟେନ୍ମେଣ୍ଟ୍ ରଜ ଉପଲକ୍ଷେ ପ୍ରସ୍ତୁତ କରୁଛନ୍ତି ନୂଆ ଚଳଚ୍ଚିତ୍ର ‘ମାୟାବୀ’। ଆମେ ଯାହା ଦେଖୁ ସେସବୁ ଯେ ସତ ଏଥିରେ କିଛି ନିଶ୍ଚିତତା ନାହିଁ। ଯିଏ ଯାହା ଦେଖେଇବାକୁ ଚାହେଁ ସେ ଦାବି କରେ ଯେ ତା’ କଥାଟି ହିଁ ସତ। ସତର ଲଢ଼େଇ ଭିତରେ ପ୍ରକୃତ ସତ ହଜିଯାଏ। ରଙ୍ଗ ଦେଇ ଆମେ ସତକୁ ଏତେ ବଦଳେଇ ଦେଉ ଯେ ତାହା ପ୍ରକାରାନ୍ତରେ ଗୁଜବ ପାଲଟିଯାଏ। ସମ୍ପର୍କ, ସିଦ୍ଧାନ୍ତ ଆଉ ମାନବିକ ଭାବ ପ୍ରବଣତାକୁ ଆଧାର କରି ପ୍ରକୃତ ସତ ପାଖରେ ପହଞ୍ଚି ସତ୍ୟର ସ୍ୱରୂପକୁ ଖୋଜି ପାଇବାର ଏକ ରହସ୍ୟଘେରା ରୋମାଞ୍ଚକ କାହାଣୀ ହେଉଛି ‘ମାୟାବୀ’।
ପ୍ରଯୋଜକ ତପନ କୁମାର ଦାଶ ଏବଂ ନିର୍ଦେଶକ ସୁଧାଂଶୁ ମୋହନ ସାହୁ ଏଭଳି ଏକ ଭିନ୍ନସ୍ବାଦର ସିନେମା ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଅମ୍ଳାନ ଓ ଭୂମିକା ଯୋଡ଼ି ସାଜିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆରଲିନ୍ ଅଙ୍କିତା, ସ୍ନେହା(କୋଲକାତା), ଆଶୁତୋଷ, ଚକ୍ରଧର, ପ୍ରଶାନ୍ତ ପାତ୍ର, ଆଲିଭିୟା, କୁନାଲ୍ ପ୍ରମୁଖଙ୍କୁ ଏଥିରେ ଦେଖିବାକୁ ମିଳିବ। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଯଜ୍ଞ ଦାସ, ଚିତ୍ରୋତ୍ତୋଳନ କରୁଛନ୍ତି ଧ୍ରୁବାନନ୍ଦ ପଣ୍ଡା (ଲିଟୁ) ଏବଂ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଦିଲୀପ ବଳବନ୍ତରାୟ।
Follow Us