ଶ୍ରେଷ୍ଠଙ୍କୁ ଦେଖି ଶିଖୁଛନ୍ତି ଅନନ୍ୟା

ଶ୍ରେଷ୍ଠଙ୍କୁ ଦେଖି ଶିଖୁଛନ୍ତି ଅନନ୍ୟା

mid-day.com

ଆଗାମୀ ୩୦ ଦିନ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ତାଙ୍କର ‘ଖୋ ଗୟେ ହମ୍ କହାଁ’ ଶୀର୍ଷକ ସିନେମାର ସୁଟିଂ ଏ ଭିତରେ ଶେଷ ହେବାକୁ ଯାଉଛି। ଏଥିରେ ଡିଜିଟାଲ୍‌ ଯୁଗରେ ତିନି ବନ୍ଧୁଙ୍କ ସମ୍ପର୍କର ନାଟକୀୟ ଚିତ୍ରଣ ଦେଖିବାକୁ ମିଳିବ। ଏଥି ସହିତ ଅନନ୍ୟାଙ୍କ ପ୍ରଥମ ହିନ୍ଦୀ-ତେଲୁଗୁ ଦ୍ବିଭାଷୀ ଚଳଚ୍ଚିତ୍ର ‘ଲାଇଗର୍‌’ ଆସନ୍ତା ଅଗଷ୍ଟ ଶେଷ ସପ୍ତାହରେ ମୁକ୍ତିଲାଭ କରିବ। ତେଣୁ ଏହାର ପ୍ରଚାର କାମରେ ସେ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହିତ ବ୍ୟସ୍ତ ରହିବେ। ସୁଟିଂ ଓ ପ୍ରଚାର କାମର କ୍ଳାନ୍ତି ଦୂର କରିବା ତଥା ପ୍ରେରଣା ହାସଲ କରିବା ଲାଗି ଅନନ୍ୟା କେତେକ ପୁରୁଣା ଚଳଚ୍ଚିତ୍ରର ସାହାଯ୍ୟ ନିଅନ୍ତି ବୋଲି ନିକଟରେ ଏକ ସାକ୍ଷାତକାର ଅବସରରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ‘ଓମ୍ ଶାନ୍ତି ଓମ୍’, ‘କୁଛ୍‌ କୁଛ୍‌ ହୋତା ହୈ’, ‘କଭି ଖୁସି କଭି ଗମ୍’ ଆଦି ଚଳଚ୍ଚିତ୍ର ଦେଖି ଦେଖି ସେ ବଡ଼ ହୋଇଛନ୍ତି।

ତା ସହିତ ‘ଲକ୍ ବାଏ ଚାନ୍‌ସ’ ଓ ‘ଜୀନ୍ଦେଗି ମିଲେଗି ନା ଦୋବାରା’ ଭଳି ଚଳଚ୍ଚିତ୍ର ତାଙ୍କୁ ବିଶେଷ ଭାବେ ପ୍ରଭାବିତ କରିଆସିଛି। ତେଣୁ ସେ ପ୍ରତି ମାସରେ ଏହିସବୁ ଚଳଚ୍ଚିତ୍ରରୁ ଅନ୍ତତଃ ଗୋଟିଏ ଆରମ୍ଭରୁ ଶେଷ ଯାଏ ଦେଖନ୍ତି। ଗତ ଦୁଇ ବର୍ଷ ହେଲା ସେ ବିଶ୍ବ ଚଳଚ୍ଚିତ୍ର ଓ ଆଞ୍ଚଳିକ ଭାରତୀୟ ସିନେମା ଆଡ଼କୁ ମଧ୍ୟ ମୁହାଁଇଛନ୍ତି। ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ମାତା ଓ ଅଭିନେତାଙ୍କ କଳା ତାଙ୍କୁ ଚମତ୍କୃତ କରିଛି। ସେ ସେଥିରୁ ବହୁତ କିଛି ଶିଖିବାକୁ ପାଇଛନ୍ତି ବୋଲି ସ୍ବୀକାର କରିଛନ୍ତି। ଆଲିଆ ଭଟ୍ଟ, ଆଲୁ ଅର୍ଜୁନ, ନତାଲୀ ପୋର୍ଟମ୍ୟାନଙ୍କ ଅଭିନୟ ଓ ବ୍ୟକ୍ତିତ୍ବ ଦ୍ବାରା ସେ ସର୍ବାଧିକ ପ୍ରଭାବିତ। ଅଭିନେତାଙ୍କ ପରିବାରରେ ଜନ୍ମ ହୋଇଥିଲେ ବି ଅନନ୍ୟାଙ୍କ ପକ୍ଷେ ଦର୍ଶକଙ୍କ ପାଖରେ ଗ୍ରହଣୀୟ ହେବା ସେତେ ସହଜ ହୋଇନାହିଁ। ତେବେ ଏ ବର୍ଷ ମୁକ୍ତିଲାଭ କରିଥିବା ଶକୁନ ବତ୍ରାଙ୍କ ‘ଗେହରାଇୟାଁ’ ଚଳଚ୍ଚିତ୍ରରେ ଅନନ୍ୟାଙ୍କ ଅଭିନୟ ପ୍ରଥମ ଥର ପାଇଁ ସିନେ ସମୀକ୍ଷକଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲା। ଆଜିର ମନୋରଂଜନ ଶିଳ୍ପରେ ଯୁବ ଅଭିନେତା-ଅଭିନେତ୍ରୀମାନେ ନିଜ ଦକ୍ଷତା ପ୍ରମାଣିତ କରି ନିଜଲାଗି ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବା ଖୁବ୍ କଠିନ ବୋଲି ଅନନ୍ୟା ବୁଝିସାରିଛନ୍ତି। ତେଣୁ ସେ ଶ୍ରେଷ୍ଠମାନଙ୍କୁ ଦେଖି ନିଜକୁ ମାର୍ଜିତ କରିବାରେ ଲାଗିପଡ଼ିଛନ୍ତି। ଏ ଦିଗରେ ସେ କେତେ ଫଳପ୍ରଦ ହେଉଛନ୍ତି ତାହା ତାଙ୍କର ଆଗାମୀ ଚଳଚ୍ଚିତ୍ରମାନ ଦେଖି ଦର୍ଶକ ଠଉରାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe